Advertisment

ଆଗପଛ ହୋଇଚାଲିଗଲେ ବାପା-ମାଆ: ବଡ଼ ଭଉଣୀ ମୁଣ୍ଡରେ ୩ ଭାଇ ଓ ଭଉଣୀଙ୍କ ବୋଝ

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଆଗ ପଛ ହୋଇ ଚାଲିଗଲେ ବାପା-ମାଆ। ଅନାଥ ହୋଇଗଲେ ଚାରି ଭାଇ ଓ ଭଉଣୀ। ମୁଣ୍ଡ ଉପରୁ ଉଠିଗଲା ମାଆର ପଣତ ଓ ବାପାଙ୍କ ହାତ। ଯେଉଁ ବୟସ ପାଠ ପଢ଼ିବା ଓ ଖେଳିବା କଥା, ବାପାମାଆଙ୍କ ମୃତ୍ୟୁ ପରେ ସେହି ବୟସରେ ବଡ଼ ଭଉଣୀ ମୁଣ୍ଡାଇଛନ୍ତି ୩ ଭାଇ ଭଉଣୀଙ୍କ ବୋଝ। ଖାଲି ଭାଇ ଓ ଭଉଣୀ ନୁହଁନ୍ତି, ବୃଦ୍ଧ ଆଜା ଆଈଙ୍କ ମୁହଁରେ ଦାନା ମଧ୍ୟ ଯୋଗାଉଛନ୍ତି। ସେ […]

ଆଗପଛ ହୋଇଚାଲିଗଲେ ବାପା-ମାଆ: ବଡ଼ ଭଉଣୀ ମୁଣ୍ଡରେ ୩ ଭାଇ ଓ ଭଉଣୀଙ୍କ ବୋଝ

Orphaned-Child

Advertisment

ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଆଗ ପଛ ହୋଇ ଚାଲିଗଲେ ବାପା-ମାଆ। ଅନାଥ ହୋଇଗଲେ ଚାରି ଭାଇ ଓ ଭଉଣୀ। ମୁଣ୍ଡ ଉପରୁ ଉଠିଗଲା ମାଆର ପଣତ ଓ ବାପାଙ୍କ ହାତ। ଯେଉଁ ବୟସ ପାଠ ପଢ଼ିବା ଓ ଖେଳିବା କଥା, ବାପାମାଆଙ୍କ ମୃତ୍ୟୁ ପରେ ସେହି ବୟସରେ ବଡ଼ ଭଉଣୀ ମୁଣ୍ଡାଇଛନ୍ତି ୩ ଭାଇ ଭଉଣୀଙ୍କ ବୋଝ। ଖାଲି ଭାଇ ଓ ଭଉଣୀ ନୁହଁନ୍ତି, ବୃଦ୍ଧ ଆଜା ଆଈଙ୍କ ମୁହଁରେ ଦାନା ମଧ୍ୟ ଯୋଗାଉଛନ୍ତି। ସେ ହେଉଛନ୍ତି ରୁବିନା ନାୟକ।

Advertisment

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଚଢ଼ିଆପଲ୍ଲୀ ପଞ୍ଚାୟତ କୁମୁଣ୍ଡି ଗାଁର ପୁନିଆ ନାୟକ। ପରିବାର କହିଲେ ପତ୍ନୀ ସୁଷମା, ବଡ଼ ଝିଅ ରୁବିନାଙ୍କୁ ମିଶାଇ ୪ ପୁଅ ଓ ଝିଅ। ପୁନିଆ କାମଦାମ କରି ଯାହା ଉପାର୍ଜନ କରନ୍ତି, ସେଥିରେ ଦୁଃଖେ ସୁଖେ ଚଳୁଥିଲା ପରିବାର। ତେଲଲୁଣର ସଂସାର ଭିତରେ ଅଭାବ ସତ୍ତ୍ୱେ ୪ ପିଲାଙ୍କୁ ପାଠ ପଢ଼ାଉଥିଲେ ପୁନିଆ। ତେବେ ୨୦୧୭ ମସିହାରେ ହଠାତ୍‌ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହେଲେ ପୁନିଆ। ଡାକ୍ତରଙ୍କୁ ଦେଖାଇଲେ ମଧ୍ୟ ଭଲ ହେଲା ନାହିଁ। ଶେଷରେ ଆଖି ବୁଜିଦେଲେ।

ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାରର ବୋଝ ପଡ଼ିଲା ପତ୍ନୀ ସୁଷମାଙ୍କ ଉପରେ। ଗାଁରେ କାମଦାମ କରି ୪ ପିଲାଙ୍କ ମୁହଁରେ ଦାନା ଯୋଗାଉଥିଲେ। ଯେନତେନ ଚଳି ଯାଉଥିଲା ପୂରା ପରିବାର। ହଠାତ୍‌ କାହାର ନଜର ଲାଗିଲା ଏହି ଅସହାୟ ପରିବାର ଉପରେ। ଦୀପାବଳିର ସେହି ରାତିରେ ଯେତେବେଳେ ଆକାଶରେ ଫୁଟୁଥିଲା ବାଣ, ସେତେବେଳେ ଯନ୍ତ୍ରଣାରେ ଜର୍ଜରୀତ ହୋଇଥିଲେ ସୁଷମା। ମାଆର ଏପରି ଯନ୍ତ୍ରଣା ଦେଖି ଅସହାୟ ହୋଇ ପରିଡ଼ିଥିଲେ ୪ ଭାଇ ଭଉଣୀ। ମାଟ୍ରିକ୍‌ ପାସ କରିଥିବା ଝିଅ ରୁବିନା ମାଆକୁ ଭଞ୍ଜନଗର ମେଡ଼ିକାଲ୍‌ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଆଗେ ବାପା... ପରେ ମାଆ...। ଆଗପଛ ହୋଇ ଚାଲିଗଲେ ଅଫେରା ପଥରେ। ଆଉ ଅସହାୟ ଅବସ୍ଥାରେ ପଛରେ ଛାଡ଼ିଗଲେ ୪ ପୁଅ ଓ ଝିଅଙ୍କୁ। ସେମାନଙ୍କ ବୟସ କେତେବା ହେବ? ବଡ଼ଝିଅ ରୁବିନା ଏଥର ମାଟ୍ରିକ୍‌ ପାସ୍‌ କରିଥିବାରୁ ୧୫ କି ୧୬ ହେବ। ତା’ ତଳକୁ ୩ ଭାଇ ଓ ଭଉଣୀ। ସାହି ଓ ଭାଇଙ୍କ ସହାୟତାରେ ମାଆଙ୍କ ଶବସଂସ୍କାର କରାଇଲେ ରୁବିନା। ହେଲେ ଶୁଦ୍ଧିକ୍ରିୟା କେମିତି କରିବେ? ପାଖରେ ଆଦୌ ଟଙ୍କା ନାହିଁ। ରୁବିନାଙ୍କ ଏପରି ସମୟରେ କିନ୍ତୁ ହାତଛଡ଼ା କରିନାହାନ୍ତି ଗାଁ ଲୋକେ। ସମସ୍ତେ ଆଗେଇ ଆସିଛନ୍ତି। ସମସ୍ତଙ୍କ ସହଯୋଗରେ ରୁବିନା ମାଆଙ୍କ ଦଶାହ କାର୍ଯ୍ୟ କରିଦେଲେ। ମାଆଙ୍କ ସବୁ କର୍ମକାଣ୍ଡ ସରିଗଲା।

ମାଆ ମରିବାକୁ ୧୪ ଦିନ ବିତିଲାଣି। ରୁବିନାଙ୍କ ଆଖି ଆଗରେ ସେ ପୁରୁଣା ଦିନଗୁଡ଼ାକୁ ଜଳଜଳ ହୋଇ ଦେଖାଯାଉଛି। ସ୍କୁଲରୁ ଫେରି ମାଆ ବୋଲି ଡାକି ଦେଲେ, ଜୁଆଡ଼େ ଥାଉନା କାହିଁକି ମାଆ ଧାଇଁ ଆସୁଥିଲେ। ଆଉ ଭାତ କଂସା ବାଢ଼ି ଥୋଇ ଦେଉଥିଲେ। ଯାହା ହେଉନା କାହିଁକି ଖାଇଦେଉଥିଲା ରୁବିନା। ହେଲେ ଆଜି ମାଆ ନାହାନ୍ତି କି ବାପା ନାହାନ୍ତି। ପୂରାପୂରି ଏକୁଟିଆ ଓ ଅସହାୟ ରୁବିନା। ମୁଣ୍ଡ ଉପରେ ଛୋଟଛୋଟ ୩ ଭାଇ ଓ ଭଉଣୀଙ୍କ ବୋଝ।

ମାଟ୍ରିକ୍‌ ପାସ୍‌ କରିଥିବା ରୁବିନା ଆଉ ଆଗକୁ ପଢ଼ିଲେ ନାହିଁ। ପାଠ ପଢ଼ାରେ ଡୋରି ବାନ୍ଧି ନିଜ ଭାଇ ଓ ଭଉଣୀଙ୍କୁ ଧରି ଅଜା ଏବଂ ଆଈଙ୍କ ଘରକୁ ଚାଲି ଗଲେ। ସାନ ଭାଇ ଭଉଣୀଙ୍କୁ ଅଜାଆଈଙ୍କ ପାଖରେ ଛାଡ଼ି ଗାଁରେ ଏ ଘର ସେ ଘରେ ପାଇଟି କଲେ। ସେଥିରୁ ଯାହା ପାଇଲେ, ସେଥିରେ ବୃଦ୍ଧ ଅଜାଆଈ ଓ ୩ ଭାଇ ଭଉଣୀଙ୍କ ମୁହଁରେ ଦାନା ଦେଉଛନ୍ତି ରୁବିନା। ସରକାରୀ ସହାୟତା କହିଲେ ପାଞ୍ଚ କିଲୋ ଚାଉଳ। ତା’ଛଡ଼ା ଅନ୍ୟ କିଛି ସହାୟତା ମିଳୁନି। ଘରେ କିଛି ବୋଲି କିଛି ନାହିଁ। ତେଣୁ ଅନାଥ ଚାରି ଭାଇ ଭଉଣୀଙ୍କୁ ସରକାରୀ ସେବାଶ୍ରମରେ ଥଇଥାନ କରିବାକୁ ସ୍ଥାନୀୟ ଲୋକେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ପ୍ରଶାସନ ଅବଗତ ରହିଛି। ସେମାନଙ୍କ ଖାଇବା ପିଇବାଠୁ ଆରମ୍ଭ କରି ପାଠ ପଢିବା ଯାଏଁ ସବୁଥିରେ ପ୍ରଶାସନ ପକ୍ଷରୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe