‘କଡ଼କନାଥ କୁକୁଡ଼ା’ ଚାଷ କରି ସ୍ୱାବଲମ୍ୱୀ ହୋଇପାରିଛନ୍ତି ଆକାଶ

ଜଳେଶ୍ୱର (ଅଜିତ୍ ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଅନ୍ତର୍ଗତ ଡାଳୁଅ ଗାଁର ଆକାଶ ଭୂୟାଁ ଆଇଟିଆଇ ପାସ୍‌ କରିବା ପରେ ଚାକିରି ପଛରେ ନ ଗୋଡ଼ାଇ ‘କଡ଼କନାଥ କୁକୁଡ଼ା’ ଚାଷ କରି ସ୍ୱାବଲମ୍ୱୀ ହୋଇ ପାରିଛନ୍ତି। ସେ ପ୍ରଥମେ ଦେଶୀ କୁକୁଡ଼ା ଆଣି ଏକ ଛୋଟ ଫାର୍ମ ଆରମ୍ଭ କରିଥିଲେ।  ପରେ ସେ ଇଣ୍ଟରନେଟ୍‌ରୁ ‘କଡ଼କନାଥ  କୁକୁଡ଼ା’ ବିଷୟରେ ଜାଣି ପାଇବାକୁ ପାଇଥିଲେ। ଏହାପରେ ସେ ମଧ୍ୟପ୍ରଦେଶ ଯାଇ ୮୦୦ ‘କଡ଼କନାଥ କୁକୁଡ଼ା’ ଚିଆଁ ଆଣିଥିଲେ। […]

han

Jyoshna Pradhan
  • Published: Saturday, 30 November 2019
  • , Updated: 30 November 2019, 02:18 PM IST

ଜଳେଶ୍ୱର (ଅଜିତ୍ ଦାସ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌ ଅନ୍ତର୍ଗତ ଡାଳୁଅ ଗାଁର ଆକାଶ ଭୂୟାଁ ଆଇଟିଆଇ ପାସ୍‌ କରିବା ପରେ ଚାକିରି ପଛରେ ନ ଗୋଡ଼ାଇ ‘କଡ଼କନାଥ କୁକୁଡ଼ା’ ଚାଷ କରି ସ୍ୱାବଲମ୍ୱୀ ହୋଇ ପାରିଛନ୍ତି। ସେ ପ୍ରଥମେ ଦେଶୀ କୁକୁଡ଼ା ଆଣି ଏକ ଛୋଟ ଫାର୍ମ ଆରମ୍ଭ କରିଥିଲେ।  ପରେ ସେ ଇଣ୍ଟରନେଟ୍‌ରୁ ‘କଡ଼କନାଥ  କୁକୁଡ଼ା’ ବିଷୟରେ ଜାଣି ପାଇବାକୁ ପାଇଥିଲେ। ଏହାପରେ ସେ ମଧ୍ୟପ୍ରଦେଶ ଯାଇ ୮୦୦ ‘କଡ଼କନାଥ କୁକୁଡ଼ା’ ଚିଆଁ ଆଣିଥିଲେ। ପ୍ରତି କୁକୁଡ଼ା ଚିଆଁ ପାଇଁ ସେ ୭୦ ଟଙ୍କା ଦେଇଥିଲେ। ଏବେ ସେ ଏହି କୁକୁଡ଼ା ମାଂସକୁ କିଲୋଗ୍ରାମ ପ୍ରତି ୫ ଶହ ଟଙ୍କାରେ ବିକ୍ରି କରୁଛନ୍ତି। ଏବେ ତାଙ୍କ ଫାର୍ମରେ ପ୍ରାୟ ୩୦୦ କୁକୁଡ଼ା ଅଛନ୍ତି।

କଡ଼କନାଥ କୁକୁଡ଼ା ଚାଷ ନେଇ ଆକାଶ ଭୂୟାଁ କହିଛନ୍ତି, “ଆଇଟିଆଇ କରିବା ପରେ ସରକାରୀ ଚାକିରି ମିଳିବା ଏତେ ସମ୍ଭାବନା ନଥିବାରୁ ଘର ପାଖରେ ରହି ନିଜର କିଛି ବ୍ୟବସାୟ ଆରମ୍ଭ କରିବାକୁ ଚାହିଁଥିଲି। ପ୍ରଥମେ ମୁଁ ଦେଶୀ କୁକୁଡ଼ା ଫାର୍ମ ହାଉସ୍ କରିଥିଲି। ତେବେ ଇଣ୍ଟରନେଟ୍‌ରୁ ନୂଆ ପ୍ରଜାତିର ‘କଡ଼କନାଥ କୁକୁଡ଼ା’ ସମ୍ପର୍କରେ ଜାଣିଥିଲି। ଓଡ଼ିଶାର ଏହାର ଏତେ ପ୍ରଚାର ପ୍ରସାର ନାହିଁ। ତେଣୁ ଏହାକୁ ଚାଷ କରିବାକୁ ଚାହିଁଲି। ତେବେ ସ୍ଥାନୀୟ ବଜାରରେ ଏହି କୁକୁଡ଼ାର ଚାହିଦା ଏତେ ନାହିଁ। ଏହି କୁକୁଡ଼ା ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ମୁଁ ୟୁଟ୍ୟୁବ୍‌ରେ ମୋର କଡ଼କନାଥ କୁକୁଡ଼ା ଫାର୍ମ ସମ୍ପର୍କରେ ଏକ ବିଜ୍ଞାପନ କରି ପୋଷ୍ଟ କରିଥିଲି। ଏହାପରେ ଏବେ ବାହାର ରାଜ୍ୟ ଲୋକ ଆସି ମାଂସ ନେଉଛନ୍ତି। ସରକାରଙ୍କୁ ଅନୁରୋଧ କରୁଛି ଯେ ଏହି କୁକୁଡ଼ା ସମ୍ପର୍କରେ ଓଡ଼ିଶାର ପ୍ରଚାର ପ୍ରସାର କରାଗଲେ ଭଲ ହୁଅନ୍ତା।”

ଜଣେ ଗ୍ରାମବାସୀ କହିଛନ୍ତି, “ଏହି କୁକୁଡ଼ା ଚାଷ ଭଲ ହୋଇଛି। ହେଲେ ଏହି କୁକୁଡ଼ାର ମାଂସର ଦାମ୍ ଅଧିକ। ତେଣୁ ଲୋକମାନେ ଖାଇ ପାରୁ ନାହାନ୍ତି।”

‘କଡ଼କନାଥ କୁକୁଡ଼ା’ର ବିଶେଷତ୍ୱ

ଏହି କୁକୁଡ଼ା ଦେଖିବାକୁ କଳା। ଏହାର ଥଣ୍ଟ, ରକ୍ତ ଓ ମାଂସ ବି ପୂରା କଳା। ଏହି କୁକୁଡ଼ାର ମାଂସ ବହୁତ ସ୍ୱାଦିଷ୍ଟ। ଏଥିରେ ପ୍ରଚୁର ଔଷଧୀୟ ଗୁଣ ବି ଭରି ରହିଛି। ଆଇରନ ଓ ମେଲାନିନ ପ୍ରଚୁର ମାତ୍ରାରେ ଭରି ରହିଥିବାରୁ ଏହାର ରଙ୍ଗ ସମ୍ପୂର୍ଣ୍ଣ କଳା ହୋଇଥିବା ବେଜ୍ଞାନିକମାନେ କହିଛନ୍ତି। ଅନ୍ୟ ପ୍ରଜାତିର କୁକୁଡ଼ା ଅପେକ୍ଷା ଏହି କୁକୁଡ଼ାରେ ୟୁରିକ ଏସିଡର ମାତ୍ରା ପ୍ରଚୁର ରହିଥିବାରୁ ଏହା ଶୀଘ୍ର ପାଚନରେ ସହାୟକ ହୋଇଥାଏ ।

ଏହାସହ ଅନ୍ୟ କୁକୁଡ଼ା ତୁଳନାରେ ଏଥିରେ ବହୁତ କମ୍‌ କୋଲେଷ୍ଟ୍ରଲ ଓ ଫ୍ୟାଟ୍‌ ରହିଥିବାରୁ ଏହାକୁ ଯେ କୌଣସି ଲୋକ ଖାଇପାରିବେ। ଏହା ରୋଗୀଙ୍କୁ ବି କୌଣସି କ୍ଷତି ପହଞ୍ଚାଇ ନଥାଏ,  ଓଲଟା ବହୁତ ଲାଭ ପ୍ରଦାନ କରିଥାଏ । ବ୍ଲଡପ୍ରେସର, ଡାଇବେଟିସ ଓ ହାର୍ଟ ରୋଗୀମାନଙ୍କ ପାଇଁ ଏହାର ମାଂସ ଭଲ।

ପ୍ରାଣୀ ଚିକିତ୍ସକ ଚିନ୍ମୟ ଦାସ କହିଛନ୍ତି,“ଏହି କୁକୁଡ଼ାରେ ଔଷଧୀୟ ଗୁଣ ରହିଛି। ଏହାର ଅଣ୍ଡା ଓ ମାଂସରେ ପ୍ରୋଟିନ୍‌ ରହିଛି। ଅନ୍ୟ କୁକୁଡ଼ା ମାଂସରେ ୧୮ ପ୍ରତିଶତ ପ୍ରୋଟିନ୍ ରହୁଥିବା ବେଳେ ଏଥିରେ ୨୦ରୁ ୨୫ ପ୍ରତିଶତ ପ୍ରୋଟିନ୍ ରହିଛି।”

ଏହି କୁକୁଡ଼ା ବଢ଼ିବାକୁ ତିନିମାସ ଲାଗିଥାଏ। ସେହିପରି ଗୋଟିଏ କୁକୁଡ଼ା ପାଇଁ ପ୍ରାୟ ସାଢ଼େ ତିନିଶହ ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି ଆକାଶ କହିଛନ୍ତି। ତେବେ ଦେଶୀ କୁକୁଡ଼ା ଭଳି ଏହି କୁକୁଡ଼ାମାନଙ୍କୁ ବିଶେଷ ଯତ୍ନର ଆବଶ୍ୟକତା ପଡ଼ି ନଥାଏ। ଏମାନେ ଚାଉଳ, ଗହମ, ଘାସ, ଶାଗ ଓ କୀଟ ପତଙ୍ଗ ଯାହା ପା’ନ୍ତି ଖା’ନ୍ତି। ଏମାନଙ୍କୁ ସେଭଳି କିଛି ବିଶେଷ ଦାନାର ଆବଶ୍ୟକତା ପଡି ନଥାଏ।

ଏହି କୁକୁଡ଼ା ମାଂସ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳୁଥିବାରୁ ଏହାକୁ କଡ଼କନାଥ ଭାବରେ ନାମକରଣ କରାଯାଇଛି ବୋଲି କୁହାଯାଏ। ମଧ୍ୟ ପ୍ରଦେଶରେ ପୂର୍ବରୁ ରାଜାମାନେ ଏହି କୁକୁଡ଼ା ଓ ଏହାର ଅଣ୍ଡା ଖାଉଥିଲେ। ଏହା ଏକ ଜଙ୍ଗଲୀ କୁକୁଡ଼ା। ମଧ୍ୟ ପ୍ରଦେଶର ଝାବୁଆ ଅଂଚଳର ଆଦିବାସୀମାନେ ଏହି କୁକୁଡ଼ା ଚାଷ କରିଥା’ନ୍ତି। ତେବେ ଆଜିକାଲି ଦେଶର ଆଉ କିଛି ସ୍ଥାନରେ ମଧ୍ୟ ଏହାକୁ ଚାଷ କରାଯାଉଛି।

 

Related story