ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଦିନେ ତାଙ୍କ ପାଖରେ କୌଣସି ଯାନବାହନ ନ ଥିବାରୁ ପଶ୍ଚିମବଙ୍ଗ ଜଲପାଇଗୁଡ଼ି ଜିଲ୍ଲା ଡାଲାବାରି ଗାଁର କରିମ୍-ଉଲ-ହକ୍ ନିଜ ମା'ଙ୍କୁ ଡାକ୍ତରଖାନା ନେଇ ପାରି ନ ଥିଲେ। ଖାସ୍ ଏହି କାରଣରୁ କରିମ୍ଙ୍କ ଆଖି ସାମ୍ନାରେ ତାଙ୍କ ମା' ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ଜୀବନ ହାରିଥିଲେ। ଏବେ କିନ୍ତୁ ସେ ନିଜ ଗାଁ ଓ ଆଖପାଖ ଅଞ୍ଚଳର ରୋଗୀମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି।
ନିଜ ମୋଟରସାଇକେଲ୍ରେ କରିମ୍ ନିଜ ଆଖପାଖ ଅଞ୍ଚଳର ଗରିବ ଲୋକଙ୍କୁ ଗତ ୨୦ ବର୍ଷ ଧରି ମାଗଣାରେ ଡାକ୍ତରଖାନା ପହଞ୍ଚାଉଛନ୍ତି। ନିଜର ଏଭଳି କାମ ପାଇଁ ଆଖପାଖ ଅଞ୍ଚଳରେ ସେ 'ଆମ୍ବୁଲାନ୍ସ୍ ଦାଦା' ରୂପେ ପରିଚିତ।
କରିମ୍ଙ୍କ ଗାଁରୁ ପ୍ରାୟ ୫୦ କିମି ଦୂରରେ ରହିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। କିନ୍ତୁ ଗାଁର ଶଯ୍ୟାଶାୟୀ ରୋଗୀମାନଙ୍କୁ ଡାକ୍ତରଖାନା ନେବାକୁ ଲୋକମାନଙ୍କ ପାଖରେ କୌଣସି ସାଧନ ନାହିଁ। ପ୍ରାୟ ୩୦ ବର୍ଷ ତଳେ ଏହି କାରଣରୁ କରିମ୍ଙ୍କ ମା' ଡାକ୍ତରଖାନା ଯାଇ ନ ପାରି ମୃତ୍ୟୁ ମୁଖରେ ପଡ଼ିଥିଲେ। ଏହାର କିଛି ବର୍ଷ ପରେ କରିମ୍ ଚା' ବଗିଚାରେ କାମ କରୁଥିବାବେଳେ ଜଣେ ସହକର୍ମୀ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ସହକର୍ମୀଙ୍କ ଅବସ୍ଥା ଦେଖି କରିମ୍ଙ୍କ ଆଖି ଆଗରେ ତାଙ୍କ ମା'ଙ୍କ ମୃତ୍ୟୁ ବେଳର ଦୃଶ୍ୟ ନାଚି ଉଠିଥିଲା। ଆଉ ସେତେବଳେ ତାଙ୍କ ପାଖରେ ବାଇକ୍ ଥିବାରୁ ଆଗ ପଛ ବିଚାର ନ କରି ସହକର୍ମୀଙ୍କୁ ନିଜ ସହ ଏକ ଗାମୁଛାରେ ବାନ୍ଧି କରିମ୍ ୫୦ କିମି ଦୂର ଡାକ୍ତରଖାନାରେ ପହଞ୍ଚାଇ ଥିଲେ। ଠିକଣା ସମୟରେ ଚିକିତ୍ସା ମିଳିବାରୁ ସହକର୍ମୀଙ୍କ ଜୀବନ ତ ରକ୍ଷା ହୋଇଗଲା, ତା' ସହ କରିମ୍ଙ୍କୁ ମିଳିଥିଲା ବଞ୍ଚିବାର ଭିନ୍ନ ଏକ ରାସ୍ତା।
ସହକର୍ମୀଙ୍କ ଜୀବନ ରକ୍ଷାରୁ ପ୍ରେରଣା ପାଇ ୧୯୯୮ ମସିହାରୁ କରିମ୍ ତାଙ୍କ ବାଇକ୍ରେ ଆରମ୍ଭ କରିଥିଲେ ଆମ୍ବୁଲାନ୍ସ୍ ସେବା।
କରିମ୍ଙ୍କର ଏଭଳି ମହାନ କାମକୁ ଉତ୍ସାହିତ କରି ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି।