ଗୁଣ୍ଟୁର-ନିଷ୍ଠା ଥିଲେ ପ୍ରତିଷ୍ଠା ଆସେ। ଆଉ ପ୍ରତିଷ୍ଠା ଆଗରେ ବୟସ କି ବାର୍ଦ୍ଧକ୍ୟ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇ ପାରେନି। ଆମେ ଏମିତି ଅନେକ କାହାଣୀ ଶୁଣିଛନ୍ତି, ଯେଉଁଠି ମଣିଷଟିଏ ଜୀବନର ସାୟାହ୍ନରେ ସଫଳତା ସାଉଁଟିବାର ସୁଯୋଗ ପାଇଛି। ହେଲେ ଆଜି ଆମେ ଯାହା କଥା କହିବାକୁ ଯାଉଛୁ, ତାହା ଜଣେ ଶତାୟୁଙ୍କର। ଯାହାଙ୍କ ହାତ ସୁଆଦକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା। ଯାହାଙ୍କ ରାନ୍ଧଣା କଳା ଶିଖିବାକୁ ଏବେ ଇଣ୍ଟରନେଟର ଡାଟା ସାରି ଦେଉଛନ୍ତି ଯୁବପିଢୀ।
ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ଗୁଡୱାଡା ଗାଁର ମସ୍ତାନ ଆମ୍ମା। ବୟସ ୧୦୬ ବର୍ଷ। ଅପରିଚିତ ଇଲାକାର ଏହି ଅଜଣା ଶତାୟୁଙ୍କୁ ନେଇ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା। ଖାସକରି ତାଙ୍କ ରୋଷେଇ କଳାକୁ ନେଇ ଏବେ ସମସ୍ତଙ୍କ ମନ ଜିଣିଛି। ଆଉ ଏ ପ୍ରମାଣ ଦେଇଛି ଆମ୍ମାଙ୍କ ୟୁଟ୍ୟୁବ୍ ଚ୍ୟାନେଲର ସବସ୍କ୍ରାଇବର ସଂଖ୍ୟା।ମସ୍ତନ ଅମ୍ମାଙ୍କ ୟୁଟ୍ୟୁବ୍ ରେ ଏକ ଚ୍ୟାନେଲ ରହିଛି ଯାହା ତାଙ୍କ ନାତିଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ତାଙ୍କ ଚ୍ୟାନେଲ କଣ୍ଟ୍ରିଫୁଡସ୍ରେ ବର୍ତ୍ତମାନ ଦୁଇ ଲକ୍ଷ ପଚାଶ ହଜାର ସବସ୍କ୍ରାଇବର୍ ରହିଛନ୍ତି।
ତେବେ ୟୁଟ୍ୟୁବରେ ଉପଲବ୍ଧ ଆମ୍ମାଙ୍କ ସି ଫୁଡ୍, ଅଣ୍ଡା, ମାଛ ଆଦି ରୋଷେଇର ଭିଡିଓ ଲକ୍ଷ ଲକ୍ଷ ଳୋକଙ୍କ ମନ ଜିତିପାରିଛି। ଆମ୍ମାଙ୍କ ତରଭୁଜ ଚିକେନ୍ ଏସବୁ ଭିତରେ ଖୁବ୍ ଲୋକପ୍ରିୟ।ଖାସକରି ପାରମ୍ପରିକ ପଦ୍ଧତିରେ ଆମ୍ମାଙ୍କ ରୋଷେଇ ଷ୍ଟାଇଲ ସମସ୍ତଙ୍କୁ ତାଜୁବ କରିଛି। କୁହାଯାଉଛି ଆମ୍ମାଙ୍କ ଏହି ଷ୍ଟାଇଲକୁ ଏବେ ଷ୍ଟାର ହୋଟେଲ ଓ ରେଷ୍ଟୁରାଣ୍ଟର ନାମକରା ସେଫ୍ ଶିଖିବାକୁ ଚେଷ୍ଟା କରୁଛନ୍ତି।