ମଣିଷ ଜୀବନରେ ଖାଦ୍ୟ, ପୋଷାକ ଓ ବାସଗୃହ ପରି ଔଷଧ ମଧ୍ୟ ନିତାନ୍ତ ଅପରିହାର୍ଯ୍ୟ। ସେ ଛୋଟ ହେଉ ଅବା ବଡ଼। ଟିକିଏ ଦେହ ଖରାପ ହେଲେ ଖୋଜାପଡ଼େ ଔଷଧ। ତେବେ ଔଷଧ ଯଦି ପିତା ହୋଇଥାଏ ତ କଥା ସରିଲା। ଛୋଟ ଛୁଆଙ୍କୁ ପିତା ଔଷଧ ଖୁଆଇବାକୁ ଅନେକ କସରତ୍ କରିବାକୁ ପଡ଼ିଥାଏ ମାଆକୁ। କିନ୍ତୁ ଚକୋଲେଟ୍ ଭଳି ଦେଖା ଯାଉଥିବା କ୍ୟାପ୍ସୁଲ ଖାଇବାକୁ ପିଲାମାନେ ଜିଦ୍ କରିଥାନ୍ତି। ଏହାର ଉପରିଭାଗ ଦେଖିବାକୁ ପୂରା ପ୍ଲାଷ୍ଟିକ ଭଳି। ଅନେକ ସମୟରେ ମନରେ ପ୍ରଶ୍ନ ଉଠେ ଏହି ପ୍ଲାଷ୍ଟିକ ଔଷଧ କିପରି ପେଟ ଭିତରେ ହଜମ ହୋଇଥାଏ। ଯଦି ଆପଣ କ୍ୟାପ୍ସୁଲର ସତ୍ୟତା ବିଷୟରେ ଜାଣିବେ ତ ମନ ଭିତରେ ଘୃଣା ଭାବ ଆସିପାରେ। ଦେଖିବାକୁ ଗଲେ କ୍ୟାପସୁଲ ଔଷଧ ନୁହେଁ। ଏହା ଏକ ଖୋଳ ଭଳି। ଏହି ଖୋଳ ବା ଡବା ଭିତରେ ହିଁ ଔଷଧ ଥାଏ। ତେବେ ଆସନ୍ତୁ ଜାଣିବା କ୍ୟାପସୁଲର ଉପର ଭାଗ ଆସ୍ତରଣ କିପରି ପ୍ରସ୍ତୁତ ହୋଇଥାଏ।
ସଫ୍ଟ କ୍ୟାପସୁଲ: ଏହି ଧରଣର କ୍ୟାପସୁଲ ପୂରା ନରମ। ଏହାର ଉପରିଭାଗ ପୂରାପୁରି ଜେଲି ଭଳି। ଜେଲି ଆସ୍ତରଣ ଭିତରେ ହିଁ ଔଷଧ ଥାଏ। ବିଭିନ୍ନ ଉପାୟରେ ଏହି ଜେଲିର ଆସ୍ତରଣକୁ ପ୍ରସ୍ତୁତ କରାଯାଏ। ମୁଖ୍ୟତଃ କଡ୍ ବା ମାଛ ତେଲରେ ଏହାକୁ ପ୍ରସ୍ତୁତ କରାଯାଏ।
ହାର୍ଡ଼ ଜିଲୋଟିନ୍ କ୍ୟାପସୁଲ: ଏହା ଏପରି ଏକ କ୍ୟାପସୁଲ ଯାହା ଆପଣଙ୍କୁ ଦ୍ୱନ୍ଦ୍ବରେ ପକାଇବ କି ଆପଣ ପ୍ଲାଷ୍ଟିକ ଖାଉନାହାନ୍ତି ତ? ଏହାକୁ ପ୍ରସ୍ତୁତ କରିବାକୁ ଜିଲେଟିନ୍ ବ୍ୟବହାର ହୋଇଥାଏ। ଏହି ଜିଲେଟିନ୍ ପଲିମର ଭଳି, ତେବେ ଏହା ପ୍ଲାଷ୍ଟିକଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତେବେ ଜିଲେଟିନ୍ କିପରି ପ୍ରସ୍ତୁତ ହୁଏ ଜାଣିଛନ୍ତି ? ଜିଲେଟିନ ଏକପ୍ରକାର ପ୍ରୋଟିନ। ଯାହା ମଣିଷ ଶରୀରରେ ମଧ୍ୟ ଥାଏ। କ୍ୟାପସୁଲରେ ବ୍ୟବହାର ହେଉଥିବା ଏହି ଜିଲେଟିନ୍ ପଶୁଙ୍କ ଶରୀରର ପ୍ରୋଟିନରୁ ପ୍ରସ୍ତୁତ ହୋଇଥାଏ। ମରିଯିବା ପରେ ପଶୁଙ୍କ ଶରୀରର ହାଡ଼ ଓ ଚମଡ଼ାକୁ ଶୁଖାଇ ଜିଲେଟିନ୍ ପ୍ରସ୍ତୁତ କରାଯାଏ।
ଭେଜ କ୍ୟାପସୁଲ: ଅନ୍ୟ କ୍ୟାପସୁଲ ତୁଳନାରେ ହାର୍ଡ଼ ଜିଲେଟିନ୍ କ୍ୟାପସୁଲ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ। ତେବେ ବୈଜ୍ଞାନିକ ମାନେ ଏହାର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯେହେତୁ ଏହି କ୍ୟାପସୁଲ ପଶୁଙ୍କ ପ୍ରୋଟିନ୍ରୁ ତିଆରି ହୋଇଥାଏ ତେଣୁ ଏହ ଧରଣର କ୍ୟାପସୁଲ ଦୀର୍ଘସ୍ଥାୟୀ ନୁହେଁ। ତେଣୁ ବୈଜ୍ଞାନିକ ମାନେ ହାର୍ଡ଼ କ୍ୟାପସୁଲ ବଦଳରେ HPMCରୁ ନୂଆ ଧରଣର କ୍ୟାପସୁଲ ପ୍ରସ୍ତୁତ କରୁଛନ୍ତି। ଏଥିରେ ବ୍ୟବହୃତ ସେଲ୍ୟୁଲୋସ ବିଭିନ୍ନ ଗଛରୁ ମିଳିଥାଏ। ଏହି କ୍ୟାପସୁଲର ଦାମ୍ ହାର୍ଡ଼ କ୍ୟାପସୁଲଠାରୁ ୨ରୁ ୩ ଗୁଣା ଅଧିକ। ଏହାକୁ ପ୍ରସ୍ତୁତ କରିବା ଶୈଳୀ ସମସ୍ତଙ୍କ ପାଖରେ ନାହିଁ କିନ୍ତୁ ଏବେ ଏହି ଧରଣର କ୍ୟାପସୁଲ ଅଧିକ ତିଆରି ହେଉଛି।
ଗତବର୍ଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କେଉଁ କ୍ୟାପସୁଲ ଆମିଷ ଓ କେଉଁଟି ନିରାମିଷ ତାହାର ଚିହ୍ନଟ ପାଇଁ HPMC କ୍ୟାପସୁଲର ଉପରି ଭାଗରେ ନିରାମିଷକୁ ସୂଚିତ କରିବା ପାଇଁ ନୀଳ ରଙ୍ଗର ଚିହ୍ନ ରଖିବା ପାଇଁ ପ୍ରସ୍ତାବ ଆଣିଥିଲା। ଔଷଧକୁ ଆମିଷ ଓ ନିରାମିଷ ଶ୍ରେଣୀରେ ସୂଚିତ ନ କରିବା ପାଇଁ ଡ଼୍ରଗ ଟେକନିକାଲ ଆଡ଼ଭାଇଜାରୀ ବୋର୍ଡ଼ ସରକାରଙ୍କ ଏହି ପ୍ରସ୍ତାବକୁ ଖାରଜ କରି ଦେଇଥିଲେ।