ପେଟ ପୋଷିବାକୁ କଳାକାର କରୁଛନ୍ତି କୁଲି ବୃତ୍ତି

ମୋହନା(ମିହିର ଜତି): ଗାଁ ଗାଁ ବୁଲି ଢୋଲ, ହାରମୋନିୟମ ବଜାଇ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି ଗଜପତି ଜିଲ୍ଳା ମୋହନା ବ୍ଳକର କେଶ୍ରା ଓ ଗୋବିନ୍ଦପୁର ଗାଁର କଳାକାର। ହେଲେ ଅନ୍ୟକୁ ମନୋରଞ୍ଜନ ଯୋଗାଉଥିବା  ଏହି କଳାକାରଙ୍କ ଦୁଃଖ ବୁଝିବାକୁ କେହି ନାହିଁ। ମନର କୋହକୁ ଛାତିରେ ଚାପି ଧରି ସେମାନେ ବର୍ଷ ବର୍ଷ ଧରି ସରକାରଙ୍କ ବିଭିନ୍ନ ଯୋଜନାରେ ଏ ଜିଲ୍ଲାରୁ ସେ ଜିଲ୍ଲା, ଏ ଗାଁରୁ ସେ ଗାଁ ବୁଲି […]

1-mohana-1

Niharika Rout
  • Published: Tuesday, 26 November 2019
  • , Updated: 26 November 2019, 02:44 PM IST

ମୋହନା(ମିହିର ଜତି): ଗାଁ ଗାଁ ବୁଲି ଢୋଲ, ହାରମୋନିୟମ ବଜାଇ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି ଗଜପତି ଜିଲ୍ଳା ମୋହନା ବ୍ଳକର କେଶ୍ରା ଓ ଗୋବିନ୍ଦପୁର ଗାଁର କଳାକାର। ହେଲେ ଅନ୍ୟକୁ ମନୋରଞ୍ଜନ ଯୋଗାଉଥିବା  ଏହି କଳାକାରଙ୍କ ଦୁଃଖ ବୁଝିବାକୁ କେହି ନାହିଁ।

ମନର କୋହକୁ ଛାତିରେ ଚାପି ଧରି ସେମାନେ ବର୍ଷ ବର୍ଷ ଧରି ସରକାରଙ୍କ ବିଭିନ୍ନ ଯୋଜନାରେ ଏ ଜିଲ୍ଲାରୁ ସେ ଜିଲ୍ଲା, ଏ ଗାଁରୁ ସେ ଗାଁ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ସେମାନଙ୍କ ନିକଟରେ ଚାଳ ନ ଥିବା ବେଳେ ଚୁଲି ଜଳାଇବାକୁ କୁଲି ବୃତ୍ତି କରିବାକୁ ବାଧ୍ୟ ହେଉଛନ୍ତି । ଏତେ ଘାତପ୍ରତିଘାତ ମଧ୍ୟରେ ଗତି କରୁଥିବା ଏହି କଳାକାରଙ୍କୁ ସରକାର କଳାକାର ଭତ୍ତା ପ୍ରଦାନ ସହ ଘର ଖଣ୍ଡେ ଯୋଗାଇଦେବାକୁ ଦାବି ହେଉଛି।

ଦୀର୍ଘ ବର୍ଷରୁ ଏହି କଳାକାର ସଂଘର କଳାକାରମାନେ ପୂଜା ପର୍ବାଣିରେ ଗାଁ ଗଣ୍ଡା ଯାଇ  ମ୍ୟାଲେରିଆ, ଡେଙ୍ଗୁ, ଏଡସ‌୍‍ ନିରାକରଣ ସମେତ ବିଭିନ୍ନ ପ୍ରକାର ସାମାଜିକ ସଚେତନତା କାର୍ଯ୍ୟକ୍ରମ କରିଆସୁଛନ୍ତି।  ଜିଲ୍ଲା ତଥା ରାଜ୍ୟ ସ୍ତରରେ  ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବହୁ ମାନପତ୍ର ପାଇଥିବା ସତ୍ତ୍ୱେ ଆଜି ସେମାନେ ଅବହେଳିତ ଅବସ୍ଥାରେ ଦିନ କାଟୁଛନ୍ତି।

ଗ୍ରାମାଞ୍ଚଳରେ ଧିରେ ଧିରେ  ଲୋପ ପାଇ ଯାଉଥିବା କଳା ସଂସ୍କୃତିକୁ  ବଞ୍ଚାଇ ରଖିବା ସହ କଳାକାରମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ସରକାର କଳାକାର ଭତ୍ତା, ସ୍ୱାସ୍ଥ୍ୟ ସହାୟତା ସମେତ ବିଭିନ୍ନ ପ୍ରକାର ଯୋଜନା ରଖିଛନ୍ତି। ହେଲେ କେଶ୍ରା ଓ ଗୋବିନ୍ଦପୁର ଗାଁର ଏହି କଳାକାରଙ୍କ ଉପରେ ସରକାରଙ୍କ ଆଖି ପଡ଼ୁନି।

ବର୍ଷ ବର୍ଷ ଧରି ସେମାନେ ନିଜକୁ ଏହି ଜନହିତକର କାମରେ ନିୟୋଜିତ କରିବା ସତ୍ତ୍ୱେ ସେମାନଙ୍କ ଭାଗ୍ୟ ସୁଧୁରୁନି।  କୁଲି ବୃତ୍ତି ତଥା ଚାଷବାସ କରି ପରିବାର ଚଳାଉଥିବା ଏହି କଳାକାରଙ୍କୁ  ସରକାରଙ୍କ କଳାକାର ଭତ୍ତା ଯୋଜନାରେ ନା ମିଳୁଛି ଭତ୍ତା ନା ଅନ୍ୟ କିଛି ସରକାରୀ ସୁବିଧା।

ମୋହନା ବିଡିଓ ବଂଶିଧର ଖୋସଲା କହିଛନ୍ତି, ଏକ ଟିମ୍‌ ସେହି ଗାଁକୁ ଯାଇ ପ୍ରକୃତରେ କଳାକାର ନା ନାହିଁ, ମାନପତ୍ର ପାଇଛନ୍ତି ନା ନାହିଁ, ଅନୁସନ୍ଧାନ କରିବ। ଏହାପରେ ସେମାନଙ୍କୁ ଭତ୍ତା ଏବଂ ଗୃହ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ।

କେଶ୍ରା ଗାଁର ଘନ ଦଲାଇ, ପରକ୍ଷିତ  ବିଶୋୟୀ, ତବତିଆ ଦଳାଇଙ୍କ ସମେତ ବହୁ କଳାକାର ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ସତ୍ତ୍ୱେ କେବେ ନିଜ କାର୍ଯ୍ୟରୁ ଓହରି ଯାଇ ନ ଥିବା କହିଛନ୍ତି। ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ ପାଇଁ ବହୁ ଆବେଦନ କରିବା ସତ୍ତ୍ୱେ ସେମାନେ  ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । ସରକାର ଦେଉଥିବା ଚାଉଳ ଫୁଟାଇ ଖାଉଛନ୍ତି। ସରିଗଲେ କୁଲି ବୃତ୍ତି କରିବାକୁ ବାଧ୍ୟ ହେଉଥିବା କୋହ ଭରା କଣ୍ଠରେ କହିଛନ୍ତି।

Related story