କଳି ଯୁଗର ଚକ୍ରବ୍ୟୁହ ବ୍ଲୁ-ହ୍ୱେଲ୍: ଯାଇ ହେବ, ଫେରି ହେବନି

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର):ଆପଣ ମହାଭାରତର ଅଭିମନ୍ୟୁଙ୍କ ଜୀବନ କାହାଣୀ ଶୁଣିଥିବେ। ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ଯେତେବେଳେ ମାତା ସୁଭଦ୍ରାଙ୍କ ଗର୍ଭରେ ଥିଲେ ଚକ୍ରବ୍ୟୁହକୁ ଭେଦ କରିବାର କୌଶଳ ଜାଣିପାରିଥିଲେ। ଯେତେବେଳେ ଶ୍ରୀକୃଷ୍ଣ ସୁଭଦ୍ରାଙ୍କୁ କୌରବଙ୍କ ଚକ୍ରବ୍ୟୂହ ଭେଦ କରିବାର ରହସ୍ୟ ବତାଉଥିଲେ ଠିକ୍‌ ସେହି ସମୟରେ ମା ପେଟରେ ଥିବା ଅଭିମନ୍ୟୁ ସବୁ ଶୁଣି ପାରିଥିଲେ।  କିନ୍ତୁ ଫେରିବାର ବାଟ ଜଣା ନଥିଲା। କାରଣ ଭଗବାନ ଶ୍ରୀକୃଷ୍ଣ ଚକ୍ରବ୍ୟୂହକୁ ଭାଙ୍ଗିବାର ଉପାୟଟି ସେ ସମୟରେ ସୁଭଦ୍ରାଙ୍କୁ କହି ନଥିଲେ। […]

Rakesh Mallick
  • Published: Thursday, 31 August 2017
  • , Updated: 31 August 2017, 03:13 PM IST

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର):ଆପଣ ମହାଭାରତର ଅଭିମନ୍ୟୁଙ୍କ ଜୀବନ କାହାଣୀ ଶୁଣିଥିବେ। ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ଯେତେବେଳେ ମାତା ସୁଭଦ୍ରାଙ୍କ ଗର୍ଭରେ ଥିଲେ ଚକ୍ରବ୍ୟୁହକୁ ଭେଦ କରିବାର କୌଶଳ ଜାଣିପାରିଥିଲେ। ଯେତେବେଳେ ଶ୍ରୀକୃଷ୍ଣ ସୁଭଦ୍ରାଙ୍କୁ କୌରବଙ୍କ ଚକ୍ରବ୍ୟୂହ ଭେଦ କରିବାର ରହସ୍ୟ ବତାଉଥିଲେ ଠିକ୍‌ ସେହି ସମୟରେ ମା ପେଟରେ ଥିବା ଅଭିମନ୍ୟୁ ସବୁ ଶୁଣି ପାରିଥିଲେ।  କିନ୍ତୁ ଫେରିବାର ବାଟ ଜଣା ନଥିଲା। କାରଣ ଭଗବାନ ଶ୍ରୀକୃଷ୍ଣ ଚକ୍ରବ୍ୟୂହକୁ ଭାଙ୍ଗିବାର ଉପାୟଟି ସେ ସମୟରେ ସୁଭଦ୍ରାଙ୍କୁ କହି ନଥିଲେ। ଫଳରେ ଶତ୍ରୁପକ୍ଷ କୌରବଙ୍କ ଆକ୍ରମଣରେ ନିହତ ହୋଇଥିଲେ ଅଭିମନ୍ୟୁ। କାରଣ ଚକ୍ରବ୍ୟୂହରୁ ବାହାରିବାର ବାଟଟି ତାଙ୍କୁ ଜଣା ନଥିଲା।

ଏହି ପୌରାଣିକ କାହାଣୀଟି ଅବତାରଣା କରିବା ଉଦ୍ଦେଶ୍ୟ ହେଉଛି, ଏହି କାହାଣୀ ପରି ଘାତକ ବ୍ଲୁ-ହ୍ୱେଲ୍ ଗେମ୍‌ ଉଭା ହୋଇଛି। ମହାଭାରତର କୌରବଙ୍କ ଚକ୍ରବ୍ୟୂହ ଭଳି ଆଜି ବ୍ଲୁ-ହ୍ୱେଲ ଗେମ ସମାନ ଧରଣର ବିପଦ ଭାବେ ଆବିର୍ଭାବ ହୋଇଛି। ସେଦିନ ଅଭିମନ୍ୟୁଙ୍କୁ ଯେମିତି ଶତ୍ରୁପକ୍ଷର ଚକ୍ରବ୍ୟୂହ ଭେଦ କରିବାର ଉପାୟ ଜଣାନଥିଲା, ଏବେ ସେମିତି ବ୍ଲୁ-ହ୍ୱେଲ ଗେମ୍ ଖେଳୁଥିବା କିଶୋର କିଶୋରୀଙ୍କୁ ମଧ୍ୟ ଖେଳରୁ ଖସି ଆସିବାର ବାଟଟି ଜଣା ପଡୁନି। ଫଳରେ ସେମାନେ ଏକ ପ୍ରକାର ଜାଲରେ ଫସି ଯାଉଛନ୍ତି।

ଏହା ଏକ ମୃତ୍ୟୁର ଖେଳ ଜାଣି ମଧ୍ୟ ମୃତ୍ୟୁ ବରଣ କରିବାକୁ ଅନେକ ପଛାଉ ନାହାନ୍ତି। ପରିସ୍ଥିତି ଏମିତି ହୋଇଛି ଯିଏ ଥରେ ଏହି ବ୍ଲୁ-ହ୍ୱେଲ ଗେମ ଜାଲରେ ପଡ଼ିଲା ସେ ଆଉ ମୁକୁଳି ପାରୁ ନାହିଁ। ଅର୍ଥାତ  ଏହି ଖେଳ ଏମିତି ଏକ ନିଶା ଯେଉଁଠି ଥରେ ପଶିଗଲେ ବାହାରିବା ମୁସ୍କିଲ। ସଦ୍ୟ ଘଟଣା ଅନୁଯାୟୀ ତାମିଲନାଡ଼ୁର ଜଣେ ୧୯ ବର୍ଷର କଲେଜ ଛାତ୍ର  ଏହି ମାରାତ୍ମକ ଖେଳରେ ଶିକାର ହୋଇଛନ୍ତି। ତାମିଲନାଡ଼ୁର ମୁଦୁରାଇ  ଜେ. ଭିଗ୍ନେଶ ନାମକ ଜଣେ ଛାତ୍ର ଏହି ଖେଳ ଖେଳି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବିକମର ଦ୍ୱିତୀୟ ବର୍ଷ ଛାତ୍ର ଜେ. ଭିଗ୍ନେଶ ବୁଧବାର ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିବା ତାଙ୍କ ବାପା କହିଛନ୍ତି। ମା’ଙ୍କ ଶାଢିରେ ଝୁଲି ସେ  ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ସମ୍ପୃକ୍ତ ଛାତ୍ରଙ୍କ ମୋବାଇଲ ଯାଞ୍ଚ କରି ତାଙ୍କ ମୃତ୍ୟୁ ବ୍ଲୁ-ହ୍ୱେଲ ଦ୍ୱାରା ହିଁ ଘଟିଥିବା ପୋଲିସ ସ୍ପଷ୍ଟ କରିଛି। ମୁଦୁରାଇ ଏସପି ମଣି ଭନନଙ୍କ କହିବା ଅନୁଯାୟୀ ପିଲାଟିର ହାତରେ ଅସ୍ୱାଭାବିକ୍‌ ଟାଟୁ ଏବଂ ଏସବୁ କରିବା ପାଇଁ ଯେଉଁ ସବୁ ଉପାଦାନ ବ୍ୟବହୃତ ହୋଇଛି  ତାହା ବ୍ଲୁ-ହ୍ୱେଲ ଗେମର ଲକ୍ଷଣ ବୋଲି ତଦନ୍ତରୁ ଜଣାପଡ଼ିଛି।  ଆତ୍ମହତ୍ୟା ପୂର୍ବରୁ ଜେ. ଭିଗ୍ନେଶ ଯାବତୀୟ ଦୁଃସାହସିକ କାର୍ଯ୍ୟ କରି ଏହାର ଭିଡିଓ ଏବଂ ଫଟୋ ଗେମର ଆଡିମନ୍  ପାଖକୁ ପଠାଇଥିବା ତଦନ୍ତ ବେଳେ ଜଣାପଡ଼ିଛି।  କେବଳ ଜେ. ଭିଗ୍ନେଶ ନୁହନ୍ତି ଆହୁରୀ ୭୫ ଜଣ ତାଙ୍କ ସାଙ୍ଗ ଏହି ବ୍ଲୁ-ହ୍ୱେଲ ଗେମ ଖେଳୁଥିବା  ପୋଲିସ ସୂଚନା ପାଇଛି। ଏହି ଖେକୁ ନେଇ ଆତ୍ମହତ୍ୟା କରିବା ଭଳି ଦେଶର ପ୍ରଥମ ଘଟଣା ମୁମ୍ବାଇରୁ ଆସିଥିଲା। ଜଣେ ୧୪ ବର୍ଷର ବାଳକ କିଶୋର ବନପ୍ରୀତ ୭ ମହଲାରୁ ଡ଼େଇଁ ଆତ୍ମହତ୍ୟା କରିଥିଲେ । ପରେ କେରଳ, କଲିକତା ଏବଂ ଅନ୍ୟାନ୍ୟ ରାଜ୍ୟରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା।  ଅଦ୍ୟାବଧି ଦେଶର ୧୦ରୁ ଅଧିକ ବ୍ଲୁ-ହ୍ୱେଲ ଗେମ ଖେଳି ମୃତ୍ୟୁ ଘଟିଲାଣି। ଆତ୍ମହତ୍ୟାର ଏହି ଖେଳକୁ ରୋକିବାକୁ ସମସ୍ତଙ୍କ ଲାଗି ଏକ ବଡ଼ ଚାଲେଞ୍ଜ ହୋଇଛି।  ବିଶେଷ କରି ଯୁବପିଢୀ ଏହି ଖେଳରେ ଅଧିକ ଶିକାର ହେଉଛନ୍ତି। ଅଦ୍ୟାବଧି ବିଶ୍ୱର ୨୦୦ରୁ ଅଧିକ ଯୁବକ ଏବଂ ଛାତ୍ର ଏଥିରେ ପ୍ରାଣ ହରାଇ ସାରିଲେଣି ।

ବ୍ଲୁ-ହୁଏଲ  କ’ଣ 

ବ୍ଲୁ-ହୁଏଲ ଗେମ୍  ହେଉଛି ଏକପ୍ରକାର ଅନଲାଇନ୍ ଖେଳ।  ମୁଖ୍ୟତଃ ଆତ୍ମହତ୍ୟା କରିବା ଲାଗି  ଏହି ଗେମ ଖେଳାଳିଙ୍କୁ ଉସକାଇଥାଏ। ଏହି ଖେଳର ଅବଧି ୫୦ ଦିନ। ଏହି ସମୟସୀମା ମଧ୍ୟରେ ଗେମ୍‌ର  ଆଡମିନ୍ ଖେଳାଳିଙ୍କୁ ବିଭିନ୍ନ ପ୍ରକାର ଦୁଃସାହସିକ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇ ଥାଏ। ଯେପରିକି ରାତି ଅଧରେ ଆଡ଼ମିନ ପଠାଇଥିବା ଭୂତ ଫିଲ୍ମକୁ  ଏକାକି ଦେଖିବା, ଛୁଞ୍ଚିରେ ନିଜ ହାତକୁ ଫେ।ଡ଼ିବା, କ୍ରେନ ଉପରେ ଚଢିବା, ଛାତ ଉପରୁ ଡେଇଁବା ଭଳି ଦୁଃସାହସିକ କାର୍ଯ୍ୟ କରିବାକୁ ପଡିଥାଏ।  ଆଉ ଏସବୁ କାର୍ଯ୍ୟକଳାପର ଭିଡ଼ିଓକୁ  ଆଡମିନ୍‌ ପାଖକୁ ପଠାଇବାକୁ ପଡ଼ିଥାଏ। ଆଉ ଶେଷ ଦିନରେ ଅର୍ଥାତ ୫୦ତମ ଦିନରେ ଆଡମିନ୍ ପ୍ରତିଯୋଗୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥାଏ । ୨୦୧୩ରେ ଋସରୁ ଏହି ଖେଳର ଆରମ୍ଭ ହୋଇଥିଲା।

ସରକାରୀ ପଦକ୍ଷେପ

ସରକାର ଏହି ଗେମର ଲିଙ୍କକୁ ହଟେଇ ଦେବା ପାଇଁ ବିଭିନ୍ନ ଇଣ୍ଟରନେଟ ପ୍ରଦାନକାରରୀ ସଂସ୍ଥା ଏବଂ ସୋସିଆଲ ମିଡିଆକୁ  ନିର୍ଦ୍ଦେଶ ଦେଇଛନ୍ତି। ବିଷେଶକରି ଗୁଗୁଲ, ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ, ମାଇକ୍ରୋସଫ୍ଟ ଏବଂ ୟାହୋ ଆଦି ସଂସ୍ଥାକୁ  ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆତ୍ମହତ୍ୟା ପ୍ରବଣ କୁହାଯାଉଥିବା ଏହି ଖେଳ ବ୍ଲୁ  ହୁଏଲ ଲିଙ୍କକୁ ବିଭିନ୍ନ ସୋସିଆଲ ମିଡ଼ିଆରୁ ଉଠେଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତଥାପି ଏହା  ଉପରେ ଲଗାମ ଲାଗି ପାରୁ ନାହିଁ। ଯାହାକୁ ନେଇ ଉଦ୍‌ବେଗର କାରଣ ପାଲଟିଛି।

Related story