ବୋରିଗୁମ୍ମା ବ୍ଲକ୍ ପ୍ରଶାସନର ନିଆରା ପ୍ରୟାସ; ପଞ୍ଚାୟତକୁ ରାଜସ୍ୱ ସାଙ୍ଗକୁ ମହିଳାଙ୍କୁ ମିଳିବ ରୋଜଗାର

ଜୟପୁର (ଟି.ଗୌରୀ ଶଙ୍କର): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ କାମରା ପଞ୍ଚାୟତର ଭାଟିଗାଁରେ ୧୮ ଏକ ସରକାରୀ ଜମିରେ ‘ଇଣ୍ଟିଗ୍ରେଟେଡ୍‌ ମଲ୍‌ଟିପଲ୍‌ ଫାର୍ମିଂ’ ଜରିଆରେ ବିଭିନ୍ନ ପ୍ରକାରର ଚାଷ କରାଯାଇଛି। ତା’ମଧ୍ୟରେ ରହିଛି ମାଛ ଚାଷ, କୁକୁଡ଼ା ଚାଷ, ଛତୁ ଚାଷ, ନଡ଼ିଆ ଚାଷ ଓ ବିଭିନ୍ନ ପ୍ରକାରର ଫୁଲ ଏବଂ ପନିପରିବା ଚାଷ। ତା’ସହିତ ଦୁଇ ହଜାର କଦଳୀ ଗଛ ବି ଲଗାଯାଇଛି। ବ୍ଳକ୍ ପ୍ରଶାସନ ନିଜେ ଏହି ଚାଷ କରିଛି। ଆଉ ତାଙ୍କର ଏହି […]

joy-30

Tapaswini Nayak
  • Published: Sunday, 02 February 2020
  • , Updated: 02 February 2020, 02:43 PM IST

ଜୟପୁର (ଟି.ଗୌରୀ ଶଙ୍କର): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ କାମରା ପଞ୍ଚାୟତର ଭାଟିଗାଁରେ ୧୮ ଏକ ସରକାରୀ ଜମିରେ ‘ଇଣ୍ଟିଗ୍ରେଟେଡ୍‌ ମଲ୍‌ଟିପଲ୍‌ ଫାର୍ମିଂ’ ଜରିଆରେ ବିଭିନ୍ନ ପ୍ରକାରର ଚାଷ କରାଯାଇଛି। ତା’ମଧ୍ୟରେ ରହିଛି ମାଛ ଚାଷ, କୁକୁଡ଼ା ଚାଷ, ଛତୁ ଚାଷ, ନଡ଼ିଆ ଚାଷ ଓ ବିଭିନ୍ନ ପ୍ରକାରର ଫୁଲ ଏବଂ ପନିପରିବା ଚାଷ। ତା’ସହିତ ଦୁଇ ହଜାର କଦଳୀ ଗଛ ବି ଲଗାଯାଇଛି। ବ୍ଳକ୍ ପ୍ରଶାସନ ନିଜେ ଏହି ଚାଷ କରିଛି। ଆଉ ତାଙ୍କର ଏହି ପ୍ରୟାସ ପଛରେ ନିହିତ ରହିଛି ଦୁଇଟି ମହତ ଉଦ୍ଦେଶ୍ୟ। ପ୍ରଥମ- ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଓ ଦ୍ୱିତୀୟ- ପଞ୍ଚାୟତର ରାଜସ୍ୱ ବୃଦ୍ଧି କରିବା। ତେବେ ବ୍ଳକ୍ ପ୍ରଶାସନ ପକ୍ଷରୁ କେବଳ ଏହି ପଞ୍ଚାୟତରେ ଏଭଳି ପ୍ରୟାସ ଆରମ୍ଭ କରାଯାଇନି। ମୋଟ ୮ଟି ପଞ୍ଚାୟତରେ ଏଭଳି ପଦକ୍ଷେପ ନିଆଯାଇଛି।

୮ଟି ପଞ୍ଚୟତରେ ଦୁଇ ମାସ ହେବ ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିବା ବେଳେ ଏଥିପାଇଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମଜିଏନଆରଆଜିଏସ୍), ରାଜ୍ୟ ଅର୍ଥ କମିଶନ (ଏସ୍ଏଫ୍‌ସି) ଓ କେନ୍ଦ୍ର ଅର୍ଥ କମିଶନ (ସିଏଫସି) ଭଳି ଫଣ୍ଡରୁ ଅର୍ଥକୁ ବିନିଯୋଗ କରାଯାଇଛି। ଏଥିପାଇଁ  ପ୍ରତି ପଞ୍ଚାୟତ ପିଛା  ପ୍ରାୟ ୬୦ରୁ ୭୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ଆଗାମୀ ଦିନରେ ପ୍ରତି ପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଏହି ପ୍ରକଳ୍ପଗୁଡ଼ିକରେ ସାମିଲ କରିବାକୁ ବ୍ଳକ୍ ପ୍ରଶାସନ ଲକ୍ଷ୍ୟ ରଖିଛନ୍ତି। ତା’ସହିତ ବ୍ଳକ୍‌ର ଅନ୍ୟ ୨୩ଟି ପଞ୍ଚାୟତରେ ମଧ୍ୟ ଏଭଳି ପ୍ରକଳ୍ପ ତିଆରି କରିବାକୁ ପ୍ରଶାସନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।

ଏହି ପ୍ରକଳ୍ପକୁ ସାକାର କରିବା ପାଇଁ ବୋରିଗୁମ୍ମା ବ୍ଳକ୍ ପ୍ରଶାସନ ପକ୍ଷରୁ ପ୍ରଥମେ ଏହା ଅଧୀନରେ ଥିବା ୩୧ଟି ପଞ୍ଚାୟତରେ କେତେ ସରକାରୀ ଜମି ରହିଛି, ତାହା ଚିହ୍ନଟ କରାଯାଇଥିଲା। ଏକ ସର୍ଭେ କରାଯାଇ ଜମି ଚିହ୍ନଟ କରାଯିବା ପରେ ୮ଟି ପଞ୍ଚାୟତରେ ‘ଇଣ୍ଟିଗ୍ରେଟେଡ ମଲ୍‌ଟିପଲ୍‌ ଫାର୍ମିଂ’ ଆରମ୍ଭ କରାଯାଇଥିଲା। ପ୍ରାୟ ପ୍ରତ୍ୟେକ ସୋତାନରେ ୧୫ରୁ ୨୦ ଏକର ଜାଗାରେ ବିଭିନ୍ନ ପ୍ରକାରର ଚାଷ କରାଯାଇଛି।

ବୋରିଗୁମ୍ମା ପଞ୍ଚାୟତ ସମିତିର ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ କହିଛନ୍ତି, “ବୋରିଗୁମ୍ମାର ବହୁ ପଞ୍ଚାୟତରେ ସରକାରୀ ଜମି ଗୁଡ଼ିକ ପଡ଼ି ରହିଥିଲା। ସାଧରଣ ଲୋକେ ଏହି ସରକାରୀ ଜମିଗୁଡ଼ିକୁ ମାଡ଼ି ବସିଥିଲେ। ପ୍ରଥମେ ସର୍ଭେ କରାଯାଇ ସେହି ଜାଗା ଗୁଡ଼ିକୁ ଚିହ୍ନଟ କରାଯାଇଥିଲା ଓ ତା’ପରେ ୮ଟି ପଞ୍ଚାୟତରେ ଇଣ୍ଟିଗ୍ରେଟେଡ୍‌ ମଲଟିପଲ୍‌ ଫାର୍ମିଂ ଆରମ୍ଭ କରିଥିଲୁ।”

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହାକୁ ସ୍ୱାଗତ କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଯଶୋଦା ବିଷୋୟୀ କହିଛନ୍ତି ଯେ ଏହି ପ୍ରକଳ୍ପରେ ସେମାନଙ୍କୁ ଅର୍ନ୍ତଭୁକ୍ତ କରାଗଲେ ସେମାନେ ଉପକୃତ ହୋଇପାରିବେ।

ବ୍ୟବହାର ନ ହୋଇ ପଡ଼ି ରହିଥିବା ସରକାରୀ ଜମିରେ ବ୍ଲକ୍ ପ୍ରଶାସନ ଆରମ୍ଭ କରିଥିବା ଏପରି ପ୍ରୟାସକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି। ଏହା ଜିଲ୍ଲାର ଅନ୍ୟସବୁ ବ୍ଲକ୍‌ ପ୍ରଶାସନ ତଥା ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା ବ୍ଲକ୍‌ ପ୍ରଶାସନ ପାଇଁ ଏକ ଦୃଷ୍ଟାନ୍ତମୂଳକ ଉଦାହରଣ ବୋଲି ସେମାନେ ମତ ଦେଇଛନ୍ତି।

 

Related story