ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗଞ୍ଜେଇ କେବଳ ନିଶା ନୁହେଁ, ଏହା ଏକ ଗୁଣାତ୍ମକ ଖାଦ୍ୟ। ଗଂଜେଇର ମଞ୍ଜିକୁ ଭାରତରେ ମିଳିଛି ଖାଦ୍ୟର ମାନ୍ୟତା। ଗତ ନଭେମ୍ବର ୧୫ ତାରିଖରେ ଗେଜେଟ୍ନୋଟିଫିକେସନ ଜାରି କରି ଗଂଜେଇ ମଞ୍ଜି ଖାଦ୍ୟୋପଯୋଗୀ ବୋଲି ଗ୍ରୀନ୍ ସିଗନାଲ ଦେଇଛି ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (Food Safety And Standards Authority Of India) ବା ଏଫଏସଏସଏଆଇ (fssai)। ଏନେଇ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଗଂଜେଇ ଯାହାର ବୈଜ୍ଞାନିକ ନାମ କାନାବିସ୍ ସାତିବା ଗଛର ମଞ୍ଜି ଓ ମଞ୍ଜିରୁ ଉତ୍ପାଦିତ ସାମଗ୍ରୀକୁ ଖାଦ୍ୟ ବୋଲି ଗ୍ରହଣ କରାଯିବ। ତେବେ ଏଥିପାଇଁ କେତେକ ମାନ ନିର୍ଦ୍ଧାରଣ କରିଛନ୍ତି fssai। ଯେଉଁ ଗଛରେ ଟିଏଚସି ଅର୍ଥାତ୍ ଟେଟ୍ରାହାଇଡ୍ରୋକାନାବିନୋଲ (tetrahydrocannabinol) ପରିମାଣ ୦.୩ରୁ କମିବ, ତାକୁ ହିଁ ଖାଦ୍ୟ ଉପଯୋଗୀ କୁହାଯିବ। ଇଂଗ୍ରାଜୀରେ ହେମ୍ପ ବା ଗଞ୍ଜେଇ ମଞ୍ଜିର ବାହାର ଅଂଶ, ଉତ୍ପାଦନ କ୍ଷମନ ଥିବା ମଞ୍ଜି ଓ ଏଥିରୁ ବାହାରୁଥିବା ପାଉଡରକୁ ଅଟା ଭାବେ ବ୍ୟବହାର କରାଯାଇପାରିବ। ଗଞ୍ଜେଇରୁ ଉତ୍ପାଦିତ ଏହି ତିନିପ୍ରକାର ଜିନିଷକୁ ହିଁ ଖାଦ୍ୟର ଅନୁମତି ମିଳିଛି।
‘ଗଂଜେଇ ଆଣିବ ଅର୍ଥ ନୈତିକ ବିପ୍ଲବ’,ତଥାଗତ ଶତପଥୀ
ଓଡିଶା ସରକାର ମଧ୍ୟ ଗଞ୍ଜେଇଚାଷକୁ ଅନୁମତି ଦିଅନ୍ତୁ ବୋଲି ଦୀର୍ଘଦିନ ହେଲା ଦାବି କରି ଆସୁଥିବା ପୂର୍ବତନ ସାଂସଦ ତଥାଗତ ଶତପଥୀ fssaiର ଏହି ବିଜ୍ଞପ୍ତିକୁ ସ୍ୱାଗତ କରିଛନ୍ତି। ବହୁ ବିଳମ୍ବରେ ହେଲେ ମଧ୍ୟ କେନ୍ଦ୍ର ସରକାର ଏ କଥା ବୁଝି ପାରିଛନ୍ତି ବୋଲି କହିଛନ୍ତି ତଥାଗତ। ତାଙ୍କ ମତରେ, ‘ଭାରତ ସରକାର ବହୁ ବିଳମ୍ବରେ ହେଲେ ମଧ୍ୟ ଗଂଜେଇ ମଞ୍ଜିକୁ ଆଇନସିଦ୍ଧ କରିଛନ୍ତି। ଏହା ଛୋଟିଆ ପଦକ୍ଷେପ ହେଲେ ମଧ୍ୟ ବେଶ ସ୍ୱାଗତଯୋଗ୍ୟ। ହେଲେ ଦୁଃଖର ବିଷୟ ଆମ ରାଜ୍ୟ ସରକାର ଏହାକୁ ଆଜି ପର୍ଯ୍ୟନ୍ତ ବୁଝି ପାରି ନାହାନ୍ତି। ଆମର ଏଠାରେ ସ୍ୱାଭାବିକ ଭାବେ ଭଲ ଗଞ୍ଜେଇ ଚାଷ ହୁଏ। ଏହାକୁ କରିବା ପାଇଁ କ୍ଷୁଦ୍ରଚାଷୀଙ୍କୁ ଅନୁମତି ଦେଲେ,ସେମାନେ ଲାଭବାନ୍ ହୋଇପାରନ୍ତେ। ଗୋଟିଏ ଅର୍ଥ ନୈତିକ ବିପ୍ଳବ ଆସି ପାରନ୍ତା। ସମସ୍ତେ ଯେ ଚୋରା ଗଂଜେଇ ଚାଷ କରୁଛନ୍ତି ତାହା ନୁହେଁ। ତାର ଗୋଟିଏ ମାନ ରହିଛି। ଏହି ମାନ ଅନୁସାରେ ଚାଷ କଲେ ବହୁତ କିଛି ଉନ୍ନତି ହୋଇ ପାରନ୍ତା। କିନ୍ତୁ ଦୁଃଖର କଥା ଓଡ଼ିଶା ସରକାର ଏହାକୁ ବୁଝୁ ନାହାନ୍ତି।’
କ୍ୟାନସର୍ ଭଲ କରୁଛି ଗଞ୍ଜେଇ
ଗଞ୍ଜେଇରୁ ତିଆରି ହେଉଛି ଫେସ୍ କ୍ରିମ୍ ଓ ଫୁଟ୍ ୱେୟାର
ଗଂଜେଇରୁ ଉତ୍ପାଦିତ ବିଭିନ୍ନ ପ୍ରଡକ୍ଟ, ଯେମିତିକି ହେମ୍ପ ତେଲ, ଫେସ କ୍ରିମ, ସମସ୍ତ ପ୍ରକାରର ବଡି କେୟାର ପ୍ରଡକ୍ଟ, ପ୍ଲାଷ୍ଟିକ, କପଡ଼ା, ବେଡସିଟ୍, ପାପୋଛ, ପେପର, ଜୋତା, ଡ୍ରେସ, ପଶୁଙ୍କ ଖାଦ୍ୟ, ଏଭଳି ଅନେକ କିଛି ଗଂଜେଇ ଗଛରୁ ପ୍ରସ୍ତୁତ ହେଉଛି। ଏପରକି ହେମ୍ପ ବାୟୋ ଫୁଏଲ ମଧ୍ୟ ପ୍ରସ୍ତୁତ ହେଉଛି, ଯାହାକି ଯାନବାହାନରେ ବ୍ୟବହାର କରାଯାଉଛି। ଆହୁରି ବଡ଼ କଥା ହେଲା କି ଗଂଜେଇ ପତ୍ରରୁ ସବୁ କିଛି ଗୁଣବତ୍ତା କାଢ଼ି ନେବା ପରେ ଯେଉଁ ଖଦଡ଼ା ବଳୁଛି ତାକୁ ବିଦେଶରେ ମଧ୍ୟ ଘର ତିଆରିରେ ବିନିଯୋଗ କରାଯାଉଛି। ସାରା ଦେଶରେ ମାତ୍ର ୬ଟି କମ୍ପାନୀ ଗଂଜେଇରୁ ବିଭିନ୍ନ ଜନ ଉପଯୋଗୀ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଏହା ମଧ୍ୟରେ ଓଡ଼ିଶାର ହେମ୍ପକ୍ୟାନ୍ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ମଧ୍ୟ ସାମିଲ ଅଛି।
ଓଡିଶାରେ ବେଆଇନ ଗଞ୍ଜେଇ ଚାଷ
ଗଞ୍ଜେଇକୁ ଏକ ଲାଭ ଦାୟକ ଫସଲ ଭାବେ ଚାଷ କରିବା ପାଇଁ ଅନୁମତି ମିଳି ନାହିଁ । କିନ୍ତୁ କେବଳ ମେଡିସିନ୍ ଓ ଇଣ୍ଡଷ୍ଟ୍ରିଆଲ ଉଦ୍ଦେଶ୍ୟରେ ଗଂଜେଇ ଚାଷ ହୋଇ ପାରିବ। ଏଥିପାଇଁ ମଧ୍ୟ ନାର୍ଟୋଟିକ୍ସ ବିଭାଗରୁ ଲାଇସେନ୍ସ ନେବାକୁ ପଡିବ। କାରଣ ଯଦିଓ ଭାରତରେ ଗଞ୍ଜେଇ ଗଛର ପତ୍ରକୁ ଭାଙ୍ଗ ଭାବେ ବ୍ୟବହାର କରାଯାଏ। ବିଭିନ୍ନ ପୂଜାପାର୍ବଣରେ ପଣାରେ ଭାଙ୍ଗ ପକାଇ ଏହାକୁ ପ୍ରସାଦ ଭାବେ ଲୋକ ଖାଇଥାନ୍ତି। କିନ୍ତୁ NDPS ଆକ୍ଟ-୧୯୮୫ ଅନୁସାରେ ଗଂଜେଇ ଚାଷକୁ ବେଆଇନ ଘୋଷଣା କରିଛନ୍ତି ଭାରତ ସରକାର। ଏହା ଏକ ପ୍ରମୁଖ ନିଶା ଉତ୍ପାଦନକାରୀ ବୃକ୍ଷ ଭାବେ ପରିଗଣିତ। ତେଣୁ ଇଣ୍ଡିଆନ ଇଣ୍ଡ୍ରଷ୍ଟିଆଲ ହେମ୍ପ ଆସୋସିଏସନ ଉଦ୍ୟମରେ ୨୦୧୮ରେ ଉତ୍ତରାଖଣ୍ଡ ସରକାର ଗଞ୍ଜେଇ ଚାଷକୁ ଅନୁମତି ଦେଇଛନ୍ତି। ଏଥିପାଇଁ ମଧ୍ୟ ଭାରତ ସରକାରଙ୍କ ଠାରୁ ସ୍ୱତନ୍ତ୍ର ଅନୁମତି ନେବାକୁ ପଡିଛି। ଏବେ ଉତ୍ତରପ୍ରଦେଶରେ ମଧ୍ୟ ଗଂଜେଇ ଚାଷକୁ ରାଜ୍ୟ ସରକାର ଆଇନତଃ ସମ୍ମିତି ପ୍ରଦାନ କରିଛନ୍ତି। କିନ୍ତୁ ଓଡ଼ିଶାର ପ୍ରାୟ ୧୦ଟି ଜିଲ୍ଲାରେ ବିନା ଅନୁମତିରେ ବିପୁଳ ପରିମାଣର ହେମ୍ପ ବା କାନାବିସ୍ ସାତିବା ଚାଷ କରାଯାଉଛି। ଏହାକୁ ନିଶାଦ୍ରବ୍ୟ ଭାବେ ବ୍ୟବହାର କରାଯାଉଥିବା ଦର୍ଶାଇ NDPS ଆକ୍ଟ-୧୯୮୫ରେ ଏହାକୁ ବେଆଇନ ବୋଲି ଘୋଷଣା କରାଯାଇଛି।
ଓଡିଶାରେ ହେମ୍ପ ନା ମାରିଜୁଆନା ଚାଷ ହେଉଛି?
ଓଡିଶାରେ ଉତ୍ପାଦିତ ଗଞ୍ଜେଇକୁ ହେମ୍ପ ନୁହେଁ ମାରିଜୁଆନା ଦର୍ଶାଇ ତାହା ଖାଦ୍ୟ ଉପଯୋଗୀ ନୁହେଁ ବୋଲି କହିଛନ୍ତି ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନ ନିର୍ଦ୍ଦେଶକ ଡାକ୍ତର ପ୍ରଦୀପ ମହାପାତ୍ର। ସେ କହିଛନ୍ତି, ‘ହେମ୍ପ ମଞ୍ଜି ଖାଦ୍ୟ ଉପଯୋଗୀ। କିନ୍ତୁ ଓଡିଶାରେ ଏହା ବ୍ୟବହାର ହୁଏ ନାହିଁ । THC ଭାଗ ୦.୩ ପ୍ରତିଶତରୁ କମ୍ ରହିଲେ ହିଁ ଏହାକୁ ଖାଦ୍ୟ କୁହାଯିବ, ଏହାଠାରୁ ଅଧିକ ରହିଲେ, ତାହା ନିଶା ବୋଲି କୁହାଯିବ। ଓଡିଶାରେ ଯେଉଁ ଚାଷ କରାଯାଉଛି, ସେଥିରେ ନିଶା ଭାଗ ଅଧିକ ରହୁଛି।’ ଓଡିଶାରେ ପ୍ରତି ବର୍ଷ କୋଟି କୋଟି ଟଙ୍କାର ଗଂଜେଇ ଚାଷ ନଷ୍ଟ କରାଯାଏ । ଅବକାରୀ ମନ୍ତ୍ରୀ ନିରଂଜନ ପୂଜାରୀ ବିଧାନସଭାରେ ଲିଖିତ ଉତ୍ତର ଦେଇଛନ୍ତି ଯେ, ଗତ ୩ ବର୍ଷରେ ରାଜ୍ୟରେ ମୋଟ୍ ୯୭୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଂଜେଇ ଚାଷ ପୋଡି ଦିଆଯାଇଛି। ଏହି ନିଶା କାରବାର ସହ ସଂପୃକ୍ତ ଥିବା ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଲୋକଙ୍କୁ ଗିରଫ କରିଛି ପୁଲିସ। ଅବକାରୀ ବିଭାଗ ଅଧୀନରେ ଆସୁଥିବା ଗଂଜେଇ ଚାଷ ସଂପୂର୍ଣ୍ଣ ବେଆଇନ ବୋଲି କହିଛନ୍ତି ପୂର୍ବତନ ଅବକାରୀ କମିଶନର ସୁଦର୍ଶନ ନାୟକ। ‘କାନବିସ୍ ସାତିବା, ହେମ୍ପ, ମାରିଜୁଆନା, ଗଂଜେଇ ଓ ଭାଙ୍ଗ ଆଦି ଯଦିଓ ଗୋଟିଏ ନା, କିନ୍ତୁ ଏସବୁ ଗୋଟିଏ ହିଁ ପ୍ରଜାତିର ଗଛ। ଓଡିଶା ସରକାର ହେମ୍ପ ଟ୍ରି ଚାଷ ପାଇଁ ଅନୁମତି ଦେଇ ନାହାନ୍ତି। କାରଣ ଏହି ଗଛର ଫୁଲକୁ ମାରିଜୁଆନା ବୋଲି କୁହାଯାଏ। ଯାହାକି ନିଶାଦ୍ରବ୍ୟ ଭାବେ ନାର୍କୋଟିକ୍ସ ବିଭାଗ ପରିଗଣିତ କରିଛି। ଔଷଧ ପାଇଁ ଚାଷ କରିବାକୁ ହେଲେ, ଲାଇସେନ୍ସ ଲାଗି ଆବେଦନ କରିବାକୁ ପଡିଥାଏ, ଯାହାକି ଓଡିଶାରେ କାହାକୁ ଦିଆଯାଇ ନାହିଁ। କାରଣ କେହି ଲାଇସେନ୍ସ ପାଇଁ ଅନୁମତି ମାଗି ନାହାଁନ୍ତି।’
ଗଂଜେଇ ବା ହେମ୍ପର ବଟାନିକାଲ ବା ଉଦ୍ଭିଦ ବିଜ୍ଞାନ ନାମ ହେଉଛି କାନାବିସ ସାତିବା। ହେମ୍ପ ଓ ମାରିଜୁଆନାକୁ କାନାବିସର ଦୁଇଟି ପ୍ରଜାତି ବୋଲି ବିବେଚନା କରାଯାଏ। ଦୁଇଟି ପ୍ରଜାତି ମଧ୍ୟରେ ଟିଏଚସି ପରିମାଣର ପାର୍ଥକ୍ୟ ରହିଛି। ଟିଏଚସି ପରିମାଣ ୦.୩ରୁ ଅଧିକ ହେଲେ ତାହାକୁ ନିଶା ବୋଲି ବିବେଚନା କରାଯାଏ। ଯାହାକୁ ଏନଡିପିଏସ ଆଇନ ଅନୁସାରେ ବେଆଇନ ଘୋଷଣା କରାଯାଇଛି। କିନ୍ତୁ ଟିଏଚସି ପରମାଣ ୦.୩ରୁ କମ୍ ହେଲେ ଗଞ୍ଜେଇରୁ ଔଷଧ ଓ ଖାଦ୍ୟ ଆଦି ଅନେକ ସାମଗ୍ରୀ ପ୍ରସ୍ତୁତ କରିବାକୁ ଅନୁମତି ଦିଆଯାଉଛି।