ଭଞ୍ଜନଗର (ରାଜେଶ କୁମାର ପଣ୍ଡା): ଗୋବର କଣ୍ଢେଇ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛି ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଚଢ଼ିଆପଲ୍ଲୀ ଗାଁ। ଏହି ଗାଁରେ ପ୍ରାୟ ୪୦୦ରୁ ଅଧିକ ପରିବାର ବସବାସ କରନ୍ତି। ସେଥିମଧ୍ୟରୁ ୨୫ରୁ ଅଧିକ ପରିବାର ଗୋବର କଣ୍ଢେଇ ତିଆରି କରି ଦୁଇ ପଇସା ରୋଜଗାର କରିବା ସହ ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛନ୍ତି।
ସକାଳ ହେଲେ ଏହି ସବୁ ପରିବାରର ଉଭୟ ମହିଳା ଓ ପୁରୁଷମାନେ ଗାଁ ସାରା ବୁଲି ଗୋବର ସଂଗ୍ରହ କରନ୍ତି। ସେହି ଗୋବରକୁ ଭଲ ଭାବରେ ଚକଟି ଦେବଦେବୀଙ୍କ ପ୍ରତିମୂର୍ତ୍ତି ସହିତ ବିଭିନ୍ନ ପ୍ରକାରର ପଶୁ ଓ ପକ୍ଷୀଙ୍କ କଣ୍ଢେଇ ତିଆରି କରନ୍ତି। ବାଘ, ଘୋଡ଼ା, ସିଂହ ଆଦିଙ୍କ ମୁଖା ବି ତିଆରି କରନ୍ତି। ତା’ ପରେ ସେଗୁଡିକୁ ଖରାରେ ଶୁଖାଇ ଦିଅନ୍ତି। ଭଲ ଭାବେ ଶୁଖିଗଲା ପରେ ସେମାନେ ସେଗୁଡ଼ିକର ଖଦଡ଼ା ଅଂଶକୁ ଭଲ ଭାବରେ ପଲିସ୍ କରି ଚିକ୍କଣ କରି ଦିଅନ୍ତି। ତା’ ପରେ ତା’ ଉପରେ ଅଠା ଦେଇ କାଗଜ ମରାଯାଏ। ଏହାପରେ ସେଥିରେ ଚୂନ ଲଗାଯାଏ ଓ ପୁଣି ଖରାରେ ଶୁଖାଇ ଦିଆଯାଏ। ଚୂନ ଶୁଖିଗଲା ପରେ ସେଥିରେ ରଙ୍ଗ ଦିଆଯାଏ। ରଙ୍ଗ ଦିଆଯିବା ପରେ ଗୋବରରେ ପ୍ରସ୍ତୁତ ପ୍ରତିଟି ସାମଗ୍ରୀ ଜୀବନ୍ତ ହୋଇଉଠେ।
ଦୈତାରୀ ମହାରଣା ନାମକ ଜଣେ କଣ୍ଢେଇ କାରିଗର କହିଛନ୍ତି, “୬୦ ବର୍ଷ ହେଲା ମୁଁ ଗୋବର କଣ୍ଢେଇ ତିଆରି କରୁଛି। ବିଭିନ୍ନ ରାଜ୍ୟରୁ ଲୋକେ ଆସି ଗାଁରୁ ଏହି ଗୋବର କଣ୍ଢେଇ କିଣି ନେଉଛନ୍ତି। କିନ୍ତୁ କଳାକାରମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁଥିବା ବେଳେ ଆମକୁ କୌଣସି ପ୍ରୋତ୍ସାହନ ମିଳୁନାହିଁ।”
ଗୋବର କଣ୍ଢେଇ ତିଆରି କରୁଥିବା ମହିଳା କାରିଗର ରୁବି ମହାରଣା କହିଛନ୍ତି, “ଆମ ପୂର୍ବ ପୁରୁଷମାନେ ଗୋବର କଣ୍ଢେଇ କରୁଥିଲେ, ଆମେ ମଧ୍ୟ କରୁଛୁ। ବିଭିନ୍ନ ଯାତ୍ରା ଓ ପର୍ବରେ ଏହି ଗୋବର କଣ୍ଢେଇ ବିକ୍ରି କରିଥାଉ। ଏହାକୁ ତିଆରି କରିବାକୁ ବହୁତ ପରିଶ୍ରମ କରିବାକୁ ପଡ଼ୁଛି। କିନ୍ତୁ ଅନୁଯାୟୀ ପାରିଶ୍ରମିକ ମିଳୁ ନାହିଁ।”
ସମାଜ ବିକାଶ ଆଡ଼କୁ ଦ୍ରୁତ ଗତିରେ ଦୌଡ଼ୁବା ସହିତ ଅନେକ କଳା, ସଂସ୍କୃତି ଓ ପରମ୍ପରା ଲୋପ ପାଇଗଲାଣି ଓ ଅନେକ ଲୋପପାଇବାକୁ ବସିଛି। ହେଲେ ଚଢ଼ିଆପଲ୍ଲୀ ଗାଁର ଲୋକମାନେ ସେମାନଙ୍କ କଳା ବଞ୍ଚାଇ ରଖିଛନ୍ତି ଓ ରୋଜଗାରର ମାଧ୍ୟମ କରିଛନ୍ତି।