Advertisment

ପାହାଡ଼ ଉପରେ ଚନ୍ଦନଖୁଣ୍ଟି ଗାଁ: ବିକାଶଠାରୁ ବହୁ ଦୂରରେ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଗାଁର ବିକାଶ ପାଇଁ ସରକାରଙ୍କର ରହିଛି ମାଳ ମାଳ ଯୋଜନା। ଏଥିପାଇଁ ରାଜକୋଶରୁ ପାଣି ପରି ଅର୍ଥ ଖର୍ଚ୍ଚ କରାଯାଉଛି। ଏହା ସତ୍ତ୍ବେ ବିକାଶ ଗାଁରେ ପହଞ୍ଚି ପାରିନାହିଁ। ଗାଁରେ ନା ଅଛି ସ୍କୁଲ ନା ଅଛି ପାନୀୟ ଜଳର ବ୍ୟବସ୍ଥା। ଲୋକେ ବାଧ୍ୟ ହୋଇ ନାଳରୁ ପାଣି ପିଉଛନ୍ତି। ରାସ୍ତା ନଥିବାରୁ ଏବେ ମଧ୍ୟ ଗାଁ ଲୋକେ ଘଞ୍ଚ ଜଙ୍ଗଲ ଭିତରେ ପାଦଚଲା ରାସ୍ତାରେ ପ୍ରତିଦିନ ଯିବା ଆସିବା କରୁଛନ୍ତି। ଏମିତି […]

ଅଦ୍ୟତନ ହୋଇଛି
ପାହାଡ଼ ଉପରେ ଚନ୍ଦନଖୁଣ୍ଟି ଗାଁ: ବିକାଶଠାରୁ ବହୁ ଦୂରରେ

Deogarh

Advertisment

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଗାଁର ବିକାଶ ପାଇଁ ସରକାରଙ୍କର ରହିଛି ମାଳ ମାଳ ଯୋଜନା। ଏଥିପାଇଁ ରାଜକୋଶରୁ ପାଣି ପରି ଅର୍ଥ ଖର୍ଚ୍ଚ କରାଯାଉଛି। ଏହା ସତ୍ତ୍ବେ ବିକାଶ ଗାଁରେ ପହଞ୍ଚି ପାରିନାହିଁ। ଗାଁରେ ନା ଅଛି ସ୍କୁଲ ନା ଅଛି ପାନୀୟ ଜଳର ବ୍ୟବସ୍ଥା। ଲୋକେ ବାଧ୍ୟ ହୋଇ ନାଳରୁ ପାଣି ପିଉଛନ୍ତି। ରାସ୍ତା ନଥିବାରୁ ଏବେ ମଧ୍ୟ ଗାଁ ଲୋକେ ଘଞ୍ଚ ଜଙ୍ଗଲ ଭିତରେ ପାଦଚଲା ରାସ୍ତାରେ ପ୍ରତିଦିନ ଯିବା ଆସିବା କରୁଛନ୍ତି। ଏମିତି ଏକ ଗାଁ ଦେଖିବାକୁ ମିଳିଛି ଦେବାଗଡ଼ ଜିଲ୍ଲାରେ।

Advertisment

ତିଲେଇବଣି ବ୍ଲକ ଟାଇଁସର ପଂଚାୟତ ଚନ୍ଦନଖୁଣ୍ଟି ଗାଁ। ପାହାଡ଼ ଉପରେ ଥିବା ଏହି ଗାଁକୁ ଯିବାକୁ ହେଲେ ୩ଟି ଘାଟି ଓ ୨ଟି ନାଳ ଅତିକ୍ରମ କରିବାକୁ ପଡ଼ିବ। ଆଜିଯାଏଁ ଏହି ଗାଁକୁ ଯିବା ପାଇଁ ଖଣ୍ଡିଏ ରାସ୍ତା ଯୋଗାଇ ଦେଇପାରିନି ପ୍ରଶାସନ। ଫଳରେ ବିକାଶ ଏଠି ସାତସପନ ପାଲଟି ଯାଇଛି। ଜଙ୍ଗଲ ଘେରା ଏହି ଗାଁକୁ ଯିବାକୁ ହେଲେ ପାଦେ ପାଦେ ରହିଛି ଜଙ୍ଗଲୀ ହିଂସ୍ର ଜନ୍ତୁଙ୍କର ଭୟ। ଏଭଳି ପରିସ୍ଥିତିରେ ଏହି ଗାଁର ୩୦ ପରିବାର ବାପ-ଅଜା ଅମଳରୁ ରହି ଆସୁଛନ୍ତି। ଦୁଃଖର ବିଷୟ ହେଉଛି ଆଜି ଯାଏଁ ଗାଁ ଲୋକଙ୍କୁ ମିଳିନି ସରକାରୀ ସୁବିଧା ସୁଯୋଗ। ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ସହ ବିଜୁଳି ଆଲୁଅ, ବିଶୁଦ୍ଧ ପାନୀୟ ଜଳ ଏମାନଙ୍କ ପାଇଁ ସାତସପନ। ରାସ୍ତା ନଥିବାରୁ ଗାଁକୁ ଆସୁନି ଆମ୍ୱୁଲାନ୍ସ। ଏବେ ମଧ୍ୟ ଷ୍ଟ୍ରେଚରରେ ବୁହା ହେଉଛି ରୋଗୀ।

ପଞ୍ଚାୟତ କାର୍ଯ୍ୟାଳୟରୁ ରାସନ ଆଣିବା ହେଉ କିମ୍ୱା ବଜାର ଯିବାକୁ ହେଲେ ଜଙ୍ଗଲ ଭିତରେ ଥିବା ପାଦ ଚଲା ରାସ୍ତା ଏକମାତ୍ର ଭରସା। ଏଥିସହ ଗାଁରେ ଶିକ୍ଷାଦାନର କୌଣସି ଭିତିଭୂମି ନଥିବାରୁ ଅପାଠୁଆ ହୋଇ ଯାଉଛନ୍ତି ଛାତ୍ରଛାତ୍ରୀ। ପ୍ରଶାସନର ଉଦ୍ୟମରେ ଗାଁରେ ଏକ ଅଙ୍ଗନୱାଡି ଗୃହ ନିର୍ମାଣ କରାଯାଇଛି। ମାତ୍ର ଆଜିଯାଏଁ ନିର୍ମାଣ କାମ ସରୁନି।

Advertisment

ସେହିପରି ଗାଁରେ ଥିବା ଏକ ମାତ୍ର ପୋଖରୀର ପୁନରୁଦ୍ଧାର ହୋଇପାରୁନି। ଯାହାଫଳରେ ଖରାଦିନେ ପୋଖରୀ ଶୁଖିଲା ପଡୁଛି। ଗାଁରେ ଥିବା ଦୁଇଟି କୂଅ ଲୋକଙ୍କ ଶୋଷ ମେଣ୍ଟାଇ ପାରୁନଥିବାରୁ ନାଳରୁ ପାଣି ସଂଗ୍ରହ କରି ଚଳୁଛନ୍ତି। ନାଳ ପାଣି ପିଇ ଅନେକ ସମୟରେ ଲୋକେ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ଗାଁକୁ ରାସ୍ତା ନଥିବାରୁ ଲୋକଙ୍କ ରୋଜଗାରର ମାଧ୍ୟମ ବନ୍ଦ ହୋଇଯାଇଛି। ଫଳରେ ପାହାଡ ଉପରେ ବାସ କରୁଥିବା ଏହି ୩୦ ପରିବାର କାଟୁଛନ୍ତି ଅଭିଷପ୍ତ ଜୀବନ।

ସେପଟେ ବିଡିଓ କହିଛନ୍ତି, ସଂରକ୍ଷିତ ଜଙ୍ଗଲ ରହିଥିବାରୁ ରାସ୍ତା ନିର୍ମାଣ ହୋଇପାରୁନି। ବନବିଭାଗ ସହିତ ଆଲୋଚନା ସରିଛି। ଅନୁମତି ମିଳିବା ପରେ ଗାଁର ବିକାଶ ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବ।

ଚନ୍ଦନଖୁଣ୍ଟି ଗାଁର ଜଣେ ଲୋକଙ୍କ କହିବା ଅନୁସାରେ, ଆମ ଗାଁକୁ ଯିବା ପାଇଁ ରାସ୍ତା ନାହିଁ। ପଞ୍ଚାୟତ ସଦର ମହକୁମାକୁ ଯିବାକୁ ହେଲେ ୬ କିମି ଜଙ୍ଗଲିଆ ରାସ୍ତା ଅତିକ୍ରମ କରିବାକୁ ପଡ଼ିବ। ଏହାରି ଭିତରେ ୩ଟି ଘାଟି ଓ ୨ଟି ନାଳ ଅତିକ୍ରମ କରିବାକୁ ପଡ଼ିବ। ଗାଁରେ କାହାକୁ ଜ୍ବର ହେଲେ ଖଟିଆରେ ନେବାକୁ ପଡ଼ୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe