ଉମରକୋଟ (କାର୍ତ୍ତିକ ମଲ୍ଲିକ): ଘରେ ସମସ୍ତେ ଗେହ୍ଲାରେ ଡାକୁଥିଲେ ‘ଚୁମୁକି’ । ଘର ଭିତରେ ଥିଲା ତା’ର ଅବାଧ ଚଳପ୍ରଚଳ। ସମସ୍ତଙ୍କ ଥାଳିରୁ ଖାଉଥିଲା। ସମସ୍ତଙ୍କ କୋଳରେ ବସୁଥିଲା। ତାକୁ ନ ପଚାରିଲେ ଫୁଲେଇ ହେଉଥିଲା, ଖାଇବାକୁ ନ ଦେଲେ ରାଗି ଯାଉଥିଲା । ପରିବାରର ସମସ୍ତଙ୍କ ନାଁ ବି ଧରି ଡାକୁଥିଲା।
୩୫ ବର୍ଷ ହେଲାଣି ଏପରି ଅଳି ଅର୍ଦ୍ଦଳି କରି ସମସ୍ତଙ୍କ ଗେହ୍ଲା ପାଲଟି ଯାଇଥିଲା ‘ଚୁମୁକି’ । ମାତ୍ର ୬ ଟଙ୍କା ୫୦ ପଇସାରେ ୩୫ ବର୍ଷ ପୂର୍ବେ ଘରକୁ ଆଣିଥିବା ଶୁଆ ଯେ ଦିନେ ପରିବାର ସଦସ୍ୟ ପାଲଟିଯିବ ତାହା ଭାବି ନ ଥିଲେ ନବରଙ୍ଗପୁର ଜିଲ୍ଲା ଉମରକୋଟର ଡମ୍ୱରୁଧର ନାୟକଙ୍କ ପରିବାର ସଦସ୍ୟ। ହେଲେ ଗତ ବୁଧବାର ସନ୍ଧ୍ୟାରେ ‘ଚୁମୁକି’ ଆଖି ବୁଜିବା ପରେ ତା’ ଜାଗା କେହି ପୂରଣ କରିପାରିବେନି ଭାବି ପରିବାର ସଦସ୍ୟଙ୍କ ଆଖିରୁ ଲୁହ ଶୁଖୁନି। କାହା ପାଟିକୁ ଖାଇବା ରୁଚୁନି। ମନେ ପଡ଼ିଗଲେ ପଞ୍ଜୁରିକୁ ଧରି କାନ୍ଦି ପକାଉଛନ୍ତି।
ଶୁଆ ‘ଚୁମୁକି’ର ମୃତ୍ୟୁ ପରେ ଶୋକାକୂଳ ହୋଇପଡ଼ିଛନ୍ତି ଡମ୍ୱରୁଧର ନାୟକଙ୍କ ପରିବାର ସଦସ୍ୟ। ସମ୍ପୂର୍ଣ୍ଣ ରୀତିନୀତିରେ ପରିବାର ସଦସ୍ୟ ପରି ‘ଚୁମୁକି’ର ଅନ୍ତିମ ସଂସ୍କାର କରାଯାଇଛି । ଏବେ ଘରର ଛୋଟଠୁ ବଡ଼ ସମସ୍ତେ କେବଳ ତାକୁ ଝୁରି ହେଉଛନ୍ତି।
ଡିଏନକେ ସାହିର ରାମ ନାୟକଙ୍କ ବାପା ଡମ୍ୱରୁଧର ନାୟକ ୧୯୮୪ ମସିହା ଅକ୍ଟୋବର ୩୦ ତାରିଖରେ ‘ଚୁମୁକି’କୁ ୬ଟଙ୍କା ୫୦ ପଇସାରେ କିଣି ଘରକୁ ଆଣିଥିଲେ। ସେତେବେଳକୁ ଶୁଆଟି ବହୁତ ଛୋଟ ଥିଲା। ଆଉ ପରିବାର ଲୋକେ ଗେହ୍ଲାରେ ତା‘ ନାଁ ଦେଇଥିଲେ ‘ଚୁମୁକି’ ।
ଡମ୍ୱରୁଧରଙ୍କ ପୁଅ ରାମଙ୍କ କହିବାନୁଯାୟୀ, “ ଆମେ ଛୋଟ ଥିବା ବେଳେ ଶୁଆଟି ଆମ ଘରକୁ ଆସିଥିଲା। ଆମ ସାଙ୍ଗରେ ଖେଳୁଥିଲା, ଥାଳିରୁ ଖାଉଥିଲା। ଆଖପାଖରେ କାହା ଘରକୁ ପଳାଇଲେ ଆମ ମନ ବୁଝୁ ନ ଥିଲା। ହେଲେ ସେ ଆଖି ବୁଜିବା ପରେ ଘର ଖାଲି ଖାଲି ଲାଗୁଛି, ଯେଉଁଠିକି ଅନାଇ ଦେଲେ ତା’ ମୁହଁ ହିଁ ଦିଶୁଛି।”
ଉମରକୋଟ ବନାଞ୍ଚଳ ଅଧିକାରୀ କହିଛନ୍ତି,“ ଗୋଟିଏ ଶୁଆର ସାଧାରଣ ଜୀବନ କାଳ ୨୦ରୁ ୨୫ ବର୍ଷ। ହେଲେ ଶୁଆଟି ଦୀର୍ଘ ୩୫ ବର୍ଷ ବଞ୍ଚିବା କୌଣସି ଆଶ୍ଚର୍ଯ୍ୟଠୁ କମ୍ ନୁହେଁ । ଆଉ ଏଥିନିମନ୍ତେ ସେହି ନାୟକ ପରିବାରକୁ ଧନ୍ୟବାଦ।”