ରାସ୍ତା କଡ଼ରେ ମହିଳାଙ୍କ ପଇଡ଼ ପସରା, ଏକା ଏକା ଗଢୁଛନ୍ତି ଝିଅର ଭବିଷ୍ୟତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  “ମୁଣ୍ଡ ଉପରେ ଦାୟିତ୍ୱ ଅଛି ତ ତାହାକୁ ତୁଲାଇବାକୁ ପଡ଼ିବ । ନିଜ ପିଲା ମୁହଁରେ ହସ ଫୁଟାଇବାକୁ ତାକୁ ମଣିଷ କରିବାକୁ କିଛି ନା କିଛି ତ କରିବାକୁ ପଡ଼ିବ । ”  ନିଜ ଝିଅକୁ ମଣିଷ କରିବାକୁ ରାଜଧାନୀ ରାଜରାସ୍ତାରେ ପଇଡ଼ ବିକୁଥିବା ଜଣେ ମହିଳା ଏପରି କହିଛନ୍ତି । ଯେତେ ଝଡ଼ଝଞ୍ଜା ଆସିଲେ ବି ରାତି ପାହିଲେ ରାଜଧାନୀ ରାସ୍ତା କଡ଼ରେ ନିଜ ପଇଡ ପସରା ମେଲାଇ ବସିଯାନ୍ତି ମମିତା […]

lady

Niharika Rout
  • Published: Friday, 12 November 2021
  • , Updated: 12 November 2021, 09:20 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  “ମୁଣ୍ଡ ଉପରେ ଦାୟିତ୍ୱ ଅଛି ତ ତାହାକୁ ତୁଲାଇବାକୁ ପଡ଼ିବ । ନିଜ ପିଲା ମୁହଁରେ ହସ ଫୁଟାଇବାକୁ ତାକୁ ମଣିଷ କରିବାକୁ କିଛି ନା କିଛି ତ କରିବାକୁ ପଡ଼ିବ । ”  ନିଜ ଝିଅକୁ ମଣିଷ କରିବାକୁ ରାଜଧାନୀ ରାଜରାସ୍ତାରେ ପଇଡ଼ ବିକୁଥିବା ଜଣେ ମହିଳା ଏପରି କହିଛନ୍ତି ।

ଯେତେ ଝଡ଼ଝଞ୍ଜା ଆସିଲେ ବି ରାତି ପାହିଲେ ରାଜଧାନୀ ରାସ୍ତା କଡ଼ରେ ନିଜ ପଇଡ ପସରା ମେଲାଇ ବସିଯାନ୍ତି ମମିତା ମହାନ୍ତି  ନାମ୍ନୀ ମହିଳା। ହାତରେ କାତି ଧରି ପଇଡ଼ରୁ ପାଣି ବାହର କରି ଗ୍ରାହକଙ୍କୁ  ସନ୍ତୁଷ୍ଟ କରନ୍ତି ମମିତା ।  ଯେଉଁ କାମ ସାଧାରଣତଃ ପୁରୁଷମାନେ କରନ୍ତି, ସେଥିରେ ସିଦ୍ଧହସ୍ତ ମହିଳାମାନେ । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ ନିକଟସ୍ଥ ରାସ୍ତା କଡରେ ବସି ପଇଡ଼ ବିକ୍ରି କରୁଛନ୍ତି ମମିତା ।

ମମିତାଙ୍କ କହିବାନୁଯାୟୀ, ତାଙ୍କ ଘର ନୟାଗଡ଼ରେ ।  ସେ ୨୦୦୬ ମସିହାରେ ବିବାହ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ କୌଣସି କାରଣରୁ ସ୍ୱାମୀଙ୍କଠାରୁ ଦୂରେଇ ରହିଲେ । ଇତି ମଧ୍ୟରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇ ସାରିଥିଲେ।

[caption id="attachment_691172" align="aligncenter" width="650"] ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ ନିକଟସ୍ଥ ରାସ୍ତା କଡରେ ବସି ପଇଡ଼ ବିକ୍ରି କରୁଛନ୍ତି ମମିତା ।[/caption]

ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ନିଜେ କିପରି ଚଳିବେ, ଛୁଆ ମୁହଁରେ କିପରି  ୨ ଓଳି ଦାନା ଦେବେ ସେହି ଚିନ୍ତା ତାଙ୍କୁ ଘାରିଲା। ହେଲେ ହାର ମାନି ନ ଯାଇ ବଞ୍ଚିବା ପାଇଁ ସଂଘର୍ଷ ଆରମ୍ଭ କରିଦେଲେ ମମିତା। ୨ ପଇସା ରୋଜଗାର କରିବାକୁ ଘରୁ ଗୋଡ଼ କାଢ଼ିବାକୁ ସ୍ଥିର କଲେ । ନିଜର ତଥା ଝିଅର ଗୁଜରାଣ ମେଣ୍ଟାଇବାକୁ ପୂର୍ବରୁ ବସ୍‌ କଣ୍ଡକ୍ଟର  କାମ କରୁଥିବା ମମିତା ଏହି କାମ ଛାଡି ଏବେ ପଇଡ ବିକି ଦୁଇ ପଇସା ରୋଜଗାର କରୁଛନ୍ତି ।

ମମିତାଙ୍କ ଝିଅ ଏବେ ରାଜଧାନୀର ଏକ ପବ୍ଲିକ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଛି  । ଝିଅ ୯୦ ପ୍ରତିଶତରୁ ଅଧିକ ମାର୍କ ବି ରଖୁଛି । ତେଣୁ ଝିଅକୁ ଊଜ୍ଜ୍ୱଳ ଭବିଷ୍ୟତ ଦେବା  ପାଇଁ ସେ ଏଭଳି ବ୍ୟବସାୟରୁ ରୋଜଗାର କରିବାକୁ ମନ ବଳାଇଛନ୍ତି ।  ପଇଡ ବିକି ଦିନକୁ ୪ଶହରୁ ୫ଶହ ଟଙ୍କା ରୋଜଗାର କରୁଛନ୍ତି । ହେଲେ ରୋଜଗାରର ଅଧା ପଇସା କେବଳ ଝିଅ ପାଠ ପଢାରେ ଖର୍ଚ୍ଚ ହୋଇଯାଉଛି  ।

ଏନେଇ ମମିତା କହିଛନ୍ତି,  “ଘର ଭଡ଼ା ସାଙ୍ଗକୁ ଝିଅର ପାଠପଢ଼ା, ଟ୍ୟୁସନ ଫି ଦେବାକୁ ପଡ଼ୁଛି। ମୁଣ୍ଡ ଉପରେ ଦାୟିତ୍ୱ ଥିବାରୁ କିଛି ବେପାର କରିବାକୁ ଭାବିଲି।  ଝିଅ ପାଇଁ ମାସକୁ ୫-୬ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଦିନକର ରୋଜଗାର ଯାହା ଅଧାରୁ ଅଧିକ ଝିଅ ପାଠପଢ଼ାରେ ଯାଉଛି।  ଯାହା ରହୁଛି ଘର ଭଡ଼ା ଦେବା ସହ  ଚଳିବାକୁ ପଡ଼ୁଛି । ”

Related story