Advertisment

ଠିକା କର୍ମଚାରୀଙ୍କ କାନ୍ଧରେ ନୂଆ ମେଡିକାଲର ଦାୟିତ୍ୱ

ଭୁବନେଶ୍ୱର (ଲକ୍ଷ୍ମୀନାରାୟଣ କାନୁନଗୋ): ୫ ବର୍ଷ ତଳେ ଖୋଲିଥିଲା କୋରାପୁଟ ଓ ବାରିପଦା ମେଡିକାଲ କଲେଜ। ହେଲେ ପାଞ୍ଚ ବର୍ଷ ପରେ ବି ଠିକା/ଆଉଟସୋର୍ସିଂରେ ଚାଲିଛି ଏହି ଦୁଇ ନୂଆ ମେଡିକାଲ କଲେଜ। କେବଳ ୨/୪ଜଣ ସ୍ଥାୟୀ କର୍ମଚାରୀ ଅଛନ୍ତି। ଆରଟିଆଇରୁ ମିଳିଛି ଏହି ସାଂଘାତିକ ତଥ୍ୟ, ଯାହା ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି। ୨୦୧୭ ମସିହା ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହ। ରାଜ୍ୟରେ ପୂର୍ବରୁ କେବଳ ୩ଟି ସରକାରୀ ମେଡିକାଲ କଲେଜ ଥିବା ବେଳେ ଦୁଇ […]

ଅଦ୍ୟତନ ହୋଇଛି
ଠିକା କର୍ମଚାରୀଙ୍କ କାନ୍ଧରେ ନୂଆ ମେଡିକାଲର ଦାୟିତ୍ୱ

Medical

Advertisment

ଭୁବନେଶ୍ୱର (ଲକ୍ଷ୍ମୀନାରାୟଣ କାନୁନଗୋ): ୫ ବର୍ଷ ତଳେ ଖୋଲିଥିଲା କୋରାପୁଟ ଓ ବାରିପଦା ମେଡିକାଲ କଲେଜ। ହେଲେ ପାଞ୍ଚ ବର୍ଷ ପରେ ବି ଠିକା/ଆଉଟସୋର୍ସିଂରେ ଚାଲିଛି ଏହି ଦୁଇ ନୂଆ ମେଡିକାଲ କଲେଜ। କେବଳ ୨/୪ଜଣ ସ୍ଥାୟୀ କର୍ମଚାରୀ ଅଛନ୍ତି। ଆରଟିଆଇରୁ ମିଳିଛି ଏହି ସାଂଘାତିକ ତଥ୍ୟ, ଯାହା ସରକାରଙ୍କ ପାରିବାପଣିଆକୁ ପଦାରେ ପକାଇଛି।

Advertisment

୨୦୧୭ ମସିହା ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହ। ରାଜ୍ୟରେ ପୂର୍ବରୁ କେବଳ ୩ଟି ସରକାରୀ ମେଡିକାଲ କଲେଜ ଥିବା ବେଳେ ଦୁଇ ଦିନ ବ୍ୟବଧାନରେ ଖୋଲିଲା କୋରାପୁଟ ଓ ବାରିପଦାରେ ଖୋଲିଲା ଦୁଇଟି ମେଡିକାଲ କଲେଜ। ୨୦୧୭ ସେପଟେମ୍ବର ୫ ତାରିଖରେ କୋରାପୁଟରେ ୧୨୫-ଏମବିବିଏସ ସିଟ ବିଶିଷ୍ଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ। ଏହାଥିଲା ରାଜ୍ୟର ଚତୁର୍ଥ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ। ତାର ଦୁଇ ଦିନ ପରେ ବାରିପଦାରେ ବି ୧୦୦-ଆସନ ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ। ଦୁଇ ମେଡିକାଲ କଲେଜରୁ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ କୋରାପୁଟରେ ଏବେ ମାତ୍ର ୪ଜଣ ସ୍ଥାୟୀ କର୍ମଚାରୀ ଥିବା ବେଳେ ବାରିପଦାରେ ମାତ୍ର ୨ଜଣ ସ୍ଥାୟୀ କର୍ମଚାରୀ ଅଛନ୍ତି। କୋରାପୁଟରେ ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫ୍ ନର୍ସ, ଆଟେଣ୍ଡାଣ୍ଟ ଭଳି ମୋଟ ୫୨୪ଟି ପଦବି ରହିଥିବା ବେଳେ ମାତ୍ର ୨୪୦ ଠିକା ଓ ଆଉଟସୋର୍ସିଂ ଷ୍ଟାଫରେ କଲେଜ ଓ ହସ୍ପିଟାଲ ଚାଲିଛି। ଏବେବି ୨୮୪ ପଦ ଖାଲିପଡ଼ିଛି।

ଏ ନେଇ କୋରାପୁଟ ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର କୃଷ୍ଣଚନ୍ଦ୍ର ବିଶ୍ୱାଳ କହିଛନ୍ତି, କ୍ରମଶଃ ପଦବି ପୂରଣ ହେଉଛି। ପଦଗୁଡ଼ିକୁ ନିୟମିତ ପଦରେ ପୂରଣ ପାଇଁ ସରକାରଙ୍କୁ ଲେଖାଯାଇଛି।

Advertisment

ସେମିତି ବାରିପଦାରେ ବି ୧୦୦-ଆସନ ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ। ୨୦୧୭ ସେପଟେମ୍ବର ୭ ତାରିଖରେ କଲେଜ ଓ ହସ୍ପିଟାଲ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରୁ ଦେଖାଯାଇଛି, ମେଡିକାଲ କଲେଜରେ ଏବେ ମାତ୍ର ଦୁଇ ଜଣ ନିୟମିତ କର୍ମଚାରୀ କାମ କରୁଥିବା ବେଳେ ୨୬୦ଜଣ ଠିକା କର୍ମଚାରୀ କାମ କରୁଛନ୍ତି। ୫ ବର୍ଷ ତଳେ ମେଡିକାଲ କଲେଜ ଖୋଲିଥିଲା। ନିକଟରେ ସରକାର ଠିକା କର୍ମଚାରୀଙ୍କୁ ନିୟମିତ କରିଥିବାରୁ ସ୍ଥାୟୀ କର୍ମଚାରୀ ସଂଖ୍ୟା କିଛିଟା ବଢ଼ିଥିବା ଅଧୀକ୍ଷକ କହିଛନ୍ତି। ମାତ୍ର ଏବେ ବି ଶହ ଶହ କର୍ମଚାରୀ ଆଉଟସୋର୍ସିଂରେ କାମ କରୁଛନ୍ତି।

ବାରିପଦା ମେଡିକାଲ କଲେଜ ଅଧୀକ୍ଷକ ପ୍ରଫେସର ପ୍ରତିଭା ପଣ୍ଡା କହିଛନ୍ତି, ନିକଟରେ ଅନେକ ଠିକା କର୍ମଚାରୀ ସ୍ଥାୟୀ ହୋଇଯାଇଛନ୍ତି। ଏବେ ବି କିଛି କର୍ମଚାରୀ ଆଉଟସୋର୍ସିଂ ଏଜେନ୍ସି ଦ୍ୱାରା କାମ କରୁଛନ୍ତି। ସ୍ଥାୟୀ କର୍ମଚାରୀ, ଡାକ୍ତର ନିଯୁକ୍ତି ପାଇଁ ଉଦ୍ୟମ କରାଯାଉଛି।

ସଂଘୀୟ ବ୍ୟବସ୍ଥାରେ ସ୍ୱାସ୍ଥ୍ୟ ଏକ ରାଜ୍ୟ ପ୍ରସଙ୍ଗ। କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ବିଭିନ୍ନ ରାଜ୍ୟ ଭଳି ଓଡ଼ିଶାରେ ୭ଟି ନୂଆ ମେଡିକାଲ କଲେଜ ଖୋଲିବା ପାଇଁ ଅଟ୍ଟାଳିକା ନିର୍ମାଣ ବାବଦରେ କେନ୍ଦ୍ର ୬୦ ପ୍ରତିଶତ ଅର୍ଥ ଦେଇଥିଲା। ସବୁଦିନିଆ କର୍ମଚାରୀ ନିଯୁକ୍ତ କରିବା ଦାୟିତ୍ବ ହେଉଛି ରାଜ୍ୟର। ହେଲେ ୫ ବର୍ଷ ପରେ ବି ନୂଆ ମେଡିକାଲ କଲେଜଗୁଡ଼ିକରେ ମାତ୍ର ହାତଗଣତି ସ୍ଥାୟୀ କର୍ମଚାରୀ ନିଯୁକ୍ତି ସରକାରଙ୍କ ଆନ୍ତରିକତାକୁ ପଦାରେ ପକାଇଛି। ଏ ନେଇ ଆମେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ। ମାତ୍ର ତାଙ୍କଠାରୁ ସ୍ପଷ୍ଟୀକରଣ ମିଳିନଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe