ଡାହାଣୀ ସନ୍ଦେହରେ ଗାଁରୁ ତଡ଼ି ଦେଲେ, ଜଙ୍ଗଲ ହେଲା ଶେଷ ସାହା

ବାରିପଦା(ମାଣିକ ଲାଲ ପାଣି): ଚନ୍ଦ୍ରପୃଷ୍ଠରେ ଘର କରିବାର ସ୍ୱପ୍ନ ଦେଖୁଛି ମଣିଷ। ହେଲେ ଅନ୍ଧବିଶ୍ୱାସର ଅନ୍ଧାରୀଗଳିରୁ ବାହାରିପାରୁନି। କେଉଁ ଗାଁରେ ଡାହାଣୀ ସନ୍ଦେହରେ ଲୋକଙ୍କୁ ହତ୍ୟା କରାଯାଉଛି ତ କେଉଁଠି ଗାଁରୁ ବିତାଡ଼ିତ କରାଯାଉଛି। ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକରେ। ଏହି ବ୍ଲକରେ ଡାହାଣୀ ସନ୍ଦେହରେ ଏକ ଦମ୍ପତିଙ୍କୁ ଗାଁରୁ ତଡ଼ି ଦିଆଯାଇଥିଲା। ୪ ମାସ ସେମାନେ ଏ ଗାଁରୁ ସେ ଗାଁ ହେଲା ପରେ ଶେଷରେ ଜଙ୍ଗଲରେ […]

baripada

Tapaswini Nayak
  • Published: Wednesday, 30 October 2019
  • , Updated: 30 October 2019, 02:48 PM IST

ବାରିପଦା(ମାଣିକ ଲାଲ ପାଣି): ଚନ୍ଦ୍ରପୃଷ୍ଠରେ ଘର କରିବାର ସ୍ୱପ୍ନ ଦେଖୁଛି ମଣିଷ। ହେଲେ ଅନ୍ଧବିଶ୍ୱାସର ଅନ୍ଧାରୀଗଳିରୁ ବାହାରିପାରୁନି। କେଉଁ ଗାଁରେ ଡାହାଣୀ ସନ୍ଦେହରେ ଲୋକଙ୍କୁ ହତ୍ୟା କରାଯାଉଛି ତ କେଉଁଠି ଗାଁରୁ ବିତାଡ଼ିତ କରାଯାଉଛି। ଏହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକରେ।

ଏହି ବ୍ଲକରେ ଡାହାଣୀ ସନ୍ଦେହରେ ଏକ ଦମ୍ପତିଙ୍କୁ ଗାଁରୁ ତଡ଼ି ଦିଆଯାଇଥିଲା। ୪ ମାସ ସେମାନେ ଏ ଗାଁରୁ ସେ ଗାଁ ହେଲା ପରେ ଶେଷରେ ଜଙ୍ଗଲରେ ଆଶ୍ରୟ ନେଲେ। ସେମାନେ ପ୍ରାୟ ୩ ମାସ ଜଙ୍ଗଲରେ ରହିଥିଲେ। ତେବେ ସେମାନଙ୍କର ପିଲାଟିଏ ହେଲା ପରେ ଏ କଥା ପ୍ରଶାସନ ନଜରକୁ ଆସିଥିଲା। ପ୍ରଶାସନ ପକ୍ଷରୁ ଆମ୍ବୁଲାନ୍ସ ପଠାଯାଇ ମା’ଛୁଆଙ୍କୁ ଜଙ୍ଗଲରୁ ଉଦ୍ଧାର କରି ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି।

ପୂରା ଘଟଣାଟି ଏହିପରି ଥିଲା। କୁଆଳିକଟା ଗାଁର ଚୈତନ୍ୟ ମୁର୍ମୁ ଓ ତାଙ୍କ ସ୍ତ୍ରୀ ପାର୍ବତୀ ମୁର୍ମୁଙ୍କ ସଂସାର ସୁଖରେ ଚାଲିଥିଲା। ହେଲେ କକାମାନଙ୍କ ସହିତ କଳି କାରଣରୁ ଚୈତନ୍ୟଙ୍କ ସଂସାର ଉପରେ ଘୋଟି ଆସିଥିଲା କଳା ବାଦଲ। ତାଙ୍କ  କକାମାନେ ପାର୍ବତୀଙ୍କୁ ଡାହାଣୀ ଆଖ୍ୟା ଦେଇ ଉଭୟଙ୍କୁ ମାର୍‌ପିଟ୍ କରିଥିଲେ ଓ ଘରୁ ବାହାର କରି ଦେଇଥିଲେ। ପରେ ଗାଁରେ ଏ ବାବଦରେ ବିଚାର ହୋଇଥିଲା। ଗାଁ ଲୋକ ମଧ୍ୟ ପାର୍ବତୀଙ୍କୁ ଡାହାଣୀ ଭାବେ ସନ୍ଦେହ କରିଥିଲେ। ତେଣୁ ଉଭୟଙ୍କୁ ଗାଁରୁ ବାହାର କରି ଦେଇଥିଲେ।  

ତା’ପରେ ସ୍ତ୍ରୀକୁ ଧରି ଚୈତନ୍ୟ ତାଙ୍କ ମାମୁ ଘର ଗାଁ ଦୋଶିଶୋଳକୁ ପଳାଇ ଯାଇଥିଲେ। ସେମାନେ ସେଠାରେ ତିନି ମାସ ରହିଥିଲେ। ସବୁ ଠିକ୍ ଠାକ ଚାଲିଥିଲା।  ତେବେ ପାର୍ବତୀଙ୍କୁ ଡାହାଣୀ ସନ୍ଦେହରେ ଗାଁରୁ ତଡ଼ି ଦିଆଯାଇଥିବା ଖବର ସେଠାରେ ବି ପହଞ୍ଚିଗଲା। ଫଳରେ ସେ ଗାଁ ଲୋକ ବି ସେମାନଙ୍କୁ ତଡ଼ି ଦେଲେ।  ଏହାପରେ ସେମାନେ ଆସି ମଇଁଷାଉଦା ଜଙ୍ଗଲରେ ରହିଥିଲେ। ଏହି ଜଙ୍ଗଲରେ ହାତୀ ରହୁଥିବାରୁ ବନ ବିଭାଗ କର୍ମଚାରୀମାନେ ସେଠାରେ ନ ରହିବା ପାଇଁ ସେମାନଙ୍କୁ କହିଥିଲେ। ସେଠାରୁ ଏହି ଦମ୍ପତି ଆସି ପାଖ ଗାଁ ଦହିଶୋଳରେ ରହିଥିଲେ। ସେ ଗାଁ ଲୋକେ ମଧ୍ୟ ସେମାନଙ୍କୁ ତଡ଼ି ଦେଇଥିଲେ। ଏହାପରେ ଚୈତନ୍ୟ ସାଶୋଡ଼ାପାଳ ଗାଁ ନିକଟରେ ଥିବା ଜଙ୍ଗଲରେ ରହିଥିଲେ। ତିନି ମାସ ହେବ ସ୍ୱାମୀସ୍ତ୍ରୀ ଆମ୍ବ ଗଛ ମୂଳେ ଛିଣ୍ଡା ପଲିଥିନ ଓ ଲୁଗା ତଳେ ଜୀବନ ବିତାଉଥିଲେ। ବଡ଼ କଷ୍ଟରେ ଚଳୁଥିଲେ। ଏହା ଭିତରେ ଗତ ୨୩ ତାରିଖ ଦିନ ଏହି ଗଛ ମୂଳେ ପାର୍ବତୀ ଏକ ପୁତ୍ର ସନ୍ତାନ ପ୍ରସବ କରିଥିଲେ। ଏହାପରେ ପ୍ରଶାସନ ଦୃଷ୍ଟିକୁ ଏ ଘଟଣା ଆସିଥିଲା।

ଚୈତନ୍ୟ ମୁର୍ମୁ କହିଛନ୍ତି, “ଡାହାଣୀ ଭାବି ଆମକୁ ଗାଁରୁ ତଡ଼ି ଦେଲେ। ତିନିମାସ ହେବ ଆମେ ଜଙ୍ଗଲରେ ଥିଲୁ।”

ବାଙ୍ଗିରିପୋଷି ଡାକ୍ତରଖାନାର ଡାକ୍ତର ସୌରଭ କୁମାର ଉପାଧ୍ୟାୟ କହିଛନ୍ତି, “ ଉଭୟ ମା ଓ ଛୁଆ ସୁସ୍ଥ ଅଛନ୍ତି। ପିଲାର ଓଜନ କମ୍‌ ଅଛି।  ଆମେ ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ବାରିପଦା ମେଡିକାଲକୁ ପଠାଇଛୁ।”

ସାଶୋଡ଼ାପାଳର ବାସିନ୍ଦା ଶୁକ୍ରା ସିଂ କହିଛନ୍ତି, “ତିନି ମାସ ହେଲା ଏ ଦମ୍ପତି ଜଙ୍ଗଲରେ ରହୁଛନ୍ତି। ଡାହାଣୀ ସନ୍ଦେହରେ ସେମାନଙ୍କୁ ଗାଁରୁ ବାହାର କରି ଦିଆଯାଇଥିବା ଲୋକମାନେ କହୁଛନ୍ତି।”

Related story