'ସତ କହିଲେ ଅପ୍ରିୟ ହେବା ନିଶ୍ଚିତ, ଏଥିପାଇଁ ମୁଁ ଟିମରୁ ଡ୍ରପ୍ ହୋଇଛି'

ମୁଁ ସତକଥା କହିଲେ ଲୋକେ ମୋର ଆଟିଟ୍ୟୁଡ ପ୍ରବ୍ଲେମ କହନ୍ତି। ସତ କହିଲେ ଅପ୍ରିୟ ହେବା ନିଶ୍ଚିତ, ସତ କହି ମୁଁ ଟିମ୍‌ରୁ ଡ୍ରପ୍ ହୋଇଛି। ସତ କଥା ନିଶ୍ଚିତ କହିବି, ଭୁଲ୍ ବିରୋଧରେ ନିଶ୍ଚିତ ଛିଡ଼ା ହେବି। ଯଦି କେହି ଏହାକୁ ଆଟିଟ୍ୟୁଡ୍ ପ୍ରବ୍ଲେମ କହିବେ, ତେବେ ଠିକ୍ ଅଛି। ଓଟିଭି ଫୋରସାଇଟ୍ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏମିତି କିଛି କହିଛନ୍ତି ପୂର୍ବ ଦିଲ୍ଲୀ ସାଂସଦ ଓ ଭାରତର ପୂର୍ବତନ କ୍ରିକେଟର୍ ଗୌତମ ଗମ୍ଭୀର। ରାଜନୀତିରେ […]

gambhir

Ranjit Kumar Jena
  • Published: Thursday, 04 March 2021
  • , Updated: 04 March 2021, 05:30 PM IST

ମୁଁ ସତକଥା କହିଲେ ଲୋକେ ମୋର ଆଟିଟ୍ୟୁଡ ପ୍ରବ୍ଲେମ କହନ୍ତି। ସତ କହିଲେ ଅପ୍ରିୟ ହେବା ନିଶ୍ଚିତ, ସତ କହି ମୁଁ ଟିମ୍‌ରୁ ଡ୍ରପ୍ ହୋଇଛି। ସତ କଥା ନିଶ୍ଚିତ କହିବି, ଭୁଲ୍ ବିରୋଧରେ ନିଶ୍ଚିତ ଛିଡ଼ା ହେବି। ଯଦି କେହି ଏହାକୁ ଆଟିଟ୍ୟୁଡ୍ ପ୍ରବ୍ଲେମ କହିବେ, ତେବେ ଠିକ୍ ଅଛି। ଓଟିଭି ଫୋରସାଇଟ୍ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏମିତି କିଛି କହିଛନ୍ତି ପୂର୍ବ ଦିଲ୍ଲୀ ସାଂସଦ ଓ ଭାରତର ପୂର୍ବତନ କ୍ରିକେଟର୍ ଗୌତମ ଗମ୍ଭୀର। ରାଜନୀତିରେ ପାଦ ଦେବା ପୂର୍ବରୁ ଗମ୍ଭୀର ଭାରତର ଅନ୍ୟତମ ସଫଳ କ୍ରିକେଟର୍ ରହିଆସିଛନ୍ତି। ସେ ଦୁଇଥର ବିଶ୍ୱକପ୍ ବିଜେତା ଭାରତୀୟ ଦଳର ସଦସ୍ୟ ରହିଆସିଛନ୍ତି। ଏପରିକି ଭାରତ ଯେଉଁ ଦୁଇଟି ବିଶ୍ୱକପ୍ ଜିତିଛି, ତା'ର ଫାଇନାଲରେ ଗମ୍ଭୀରଙ୍କ ଇନିଂସ୍ ହିଁ ନିର୍ଣ୍ଣାୟକ ଭୂମିକା ବହନ କରିଥିଲା। ଓଟିଭି ଫୋରସାଇଟ୍ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଓଟିଭି ଡିଜିଟାଲ ଅପରେଟିଂ ଅଫିସର ଲିତିଶା ମଙ୍ଗତଙ୍କୁ ନିଜର କ୍ରିକେଟ୍ କ୍ୟାରିୟରଠାରୁ ଆରମ୍ଭ କରି ରାଜନୀତିକ ଇନିଂସକୁ ନେଇ ଅନେକ ରୋଚକ କଥା କହିଛନ୍ତି ଗମ୍ଭୀର। ପଢ଼ନ୍ତୁ ଗମ୍ଭୀରଙ୍କ ସାକ୍ଷାତକାରର ସଂପାଦିତ ଅଂଶ।

କ୍ରିକେଟ୍ ଠାରୁ ରାଜନୀତି ପର୍ଯ୍ୟନ୍ତ ଆପଣଙ୍କ ଯାତ୍ରା କେମିତି ରହିଛି? ରାଜନୀତିକୁ ଆସିବା ପାଇଁ ଆପଣ କେମିତି ପ୍ରୋତ୍ସାହିତ ହେଲେ?

ସର୍ବପ୍ରଥମେ ମୋର କ୍ରୀଡ଼ା ଯାତ୍ରା ଉତଥାନ ପତନ ଭରା ରହିଥିଲା। କିନ୍ତୁ ମୋର ଏକମାତ୍ର ସ୍ୱପ୍ନ ଥିଲା ଯେ ବିଶ୍ୱକପ୍ ବିଜେତା ଟିମର ସଦସ୍ୟ ହେବା। ବହୁତ କମ୍ ଖେଳାଳିଙ୍କୁ ଦୁଇଟି ବିଶ୍ୱକପ୍ ଜିତିବାର ସୁଯୋଗ ମିଳିଛି। ଟିମ୍ ପାଇଁ ତ ସମସ୍ତେ ଯୋଗଦାନ କରନ୍ତି। କିନ୍ତୁ ବିଶ୍ୱକପ୍ ଜିତିବା ସମସ୍ତଙ୍କର ସ୍ୱପ୍ନ ଥାଏ। ୨୦୦୭ ପୂର୍ବରୁ ମୁଁ ଗୋଟିଏ ବି ବିଶ୍ୱକପ୍ ଖେଳିନଥିଲି। ଅଣ୍ଡର୍-୧୪ ଓ ଅଣ୍ଡନ୍-୧୯ ବିଶ୍ୱକପ୍ ମିସ୍ କଲି। ଏପରିକି ୨୦୦୩ ଓ ୨୦୦୭ ବିଶ୍ୱକପ୍ ମଧ୍ୟ ଖେଳିପାରିନଥିଲି। ଯେତେବେଳେ ୨୦୦୭ ବିଶ୍ୱକପ୍ ଖେଳିବାରୁ ବଞ୍ଚିତ ହେଲି, ମୋତେ ଲାଗିଲା ଯେ ମୋର ପିଲାଦିନର ଯେଉଁ ସ୍ୱପ୍ନ ଅଛି, ତାହା ଶେଷ ହୋଇଗଲା। ତା'ପରେ ମୋତେ ଯେତେବେଳେ ସେହି ବର୍ଷ ଟି-୨୦ ବିଶ୍ୱକପରେ ସୁଯୋଗ ମିଳିଲା, ସେଥିରେ ମୁଁ ଶୂନରୁ ଆରମ୍ଭ କଲି। ଅର୍ଥାତ୍ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ମୁଁ ଖାତା ଖୋଲିପାରିନଥିଲି। କିନ୍ତୁ ଏହା ପରେ ମୁଁ ନିୟମିତ ପ୍ରଦର୍ଶନ କରିଥିଲି ଏବଂ ଭାରତ ବିଶ୍ୱକପ୍ ଜିତିଥିଲା। କ୍ରିକେଟ୍‌ ପରେ ରାଜନୀତିକୁ ଏଣ୍ଟ୍ରୀ କରିବା ସହଜ ନଥିଲା। ମୋ ବାପାଙ୍କୁ ଛାଡ଼ିଦେଲେ ପରିବାରର ଆଉ କେହି ବି ମୋର ରାଜନୀତିକୁ ଆସିବା ନେଇ ଖୁସି ନଥିଲେ। କାରଣ ମୁଁ କେବେବି ପରିବାରକୁ ସମୟ ବେଶୀ ସମୟ ଦେଇପାରୁନଥିଲି। ମୁଁ ସର୍ବଦା ପରିବାରଠାରୁ ଦୂରେଇ ରହୁଥିଲି, କାରଣ ସ୍କୁଲଠାରୁ ଆରମ୍ଭ କରି ସିନିୟର ସ୍ତର ପର୍ଯ୍ୟନ୍ତ ମୁଁ କ୍ରିକେଟରେ ବ୍ୟସ୍ତ ରହୁଥିଲି। କ୍ରିକେଟ୍‌ ଛାଡ଼ିବା ପରେ ମୁଁ କେବେବି ସୋଶାଲ ମିଡିଆ ସେନସେସନ୍ ହେବାକୁ ଚାହୁଁନଥିଲି। ଯଦି ଆପଣଙ୍କୁ ଜୀବନରେ କିଛି କରିବାକୁ ଅଛି, ତାହେଲେ ନିଜକୁ କମ୍ଫର୍ଟ ଜୋନରୁ ବାହାରକୁ ଆସିବାକୁ ପଡ଼ିବ। ଏଥିପାଇଁ ମୁଁ ମୋ ପିତାଙ୍କୁ ପଚାରିଥିଲି ଏବଂ ସେ ମଧ୍ୟ ମୋତେ ସମର୍ଥନ କରିଥିଲେ। ଏହାରି ଭିତରେ ରାଜନୀତିକୁ ଆସିବାର ଦୁଇବର୍ଷ ହେବାକୁ ବସିଲାଣି। ଯେତେବେଳେ ଆପଣ କାହାକୁ ସାହାଯ୍ୟ କରନ୍ତି ବା କାହାର ଜୀବନକୁ ବଦଳାନ୍ତି, ତାହେଲେ ବହୁତ ଆତ୍ମସନ୍ତୋଷ ମିଳିଥାଏ। ଦୁଇ ବର୍ଷର ରାଜନୀତି କ୍ୟାରିୟରର ମଧ୍ୟ ଉତଥାନ ପତନ ଭରା ରହିଛି।

ପୂର୍ବତନ ସିଲେକ୍ଟର ସନ୍ଦୀପ ପାଟିଲ କୁହନ୍ତି ଯେ ଆପଣ ନିଜର ଆଟିଟ୍ୟୁଡ୍ ପ୍ରବ୍ଲେମ୍ ପାଇଁ ଟିମରୁ ବାଦ୍ ପଡ଼ିଛନ୍ତି। କେଉଁ ଆଟିଟ୍ୟୁଡ୍ ସହ ଆପଣ ଡିଲ୍ କରନ୍ତି?

ପ୍ରଥମତଃ ମୁଁ ମୋ ଜୀବନରେ କିଛି ଅଭିଳାଷ ରଖିନାହିଁ। ଘରେ ହେଉ କି ବାହାରେ, ସବୁଠି ମୋ ବିରୋଧରେ ଅଭିଯୋଗ ଲାଗି ରହିଥାଏ। ଯିଏ ସତ କୁହେ, ତା'ର ବେଶୀ ବନ୍ଧୁ ନଥାନ୍ତି। ଆଉ ମୁଁ ସର୍ବଦା ସତ କୁହେ ବୋଲି ମୋର ଆଟିଟ୍ୟୁଡ୍ ପ୍ରବ୍ଲେମ୍ ଅଛି ବୋଲି କୁହନ୍ତି। ସତ କହିଲେ ଅପ୍ରିୟ ହେବା ନିଶ୍ଚିତ, ସତ କହି ମୁଁ ଟିମରୁ ଡ୍ରପ୍ ହୋଇଛି। ସତ କଥା ନିଶ୍ଚିତ କହିବି, ଭୁଲ୍ ବିରୋଧରେ ନିଶ୍ଚିତ ଛିଡ଼ା ହେବି। ଯଦି କେହି ଏହାକୁ ଆଟିଟ୍ୟୁଡ୍ ପ୍ରବ୍ଲେମ କହିବେ, ତେବେ ଠିକ୍ ଅଛି।

୨୦୦୯ରେ ନ୍ୟୁଜିଲ୍ୟାଣ୍ଡରେ ନାପିଏର ଟେଷ୍ଟ ସେଞ୍ଚୁରୀ ଆପଣଙ୍କ ପାଇଁ କେତେ ଖାସ୍?

ମୋ କ୍ରିକେଟ୍ କ୍ୟାରିୟରର ସ୍ମରଣୀୟ ମୁହୂର୍ତ୍ତ ହେଉଛି ୨୦୦୭ ଓ ୨୦୧୧ ୱାର୍ଲ୍ଡ କପ୍। ମୋ ଭିତରେ ଧୈର୍ଯ୍ୟ ବହୁତ କମ୍। ଉକ୍ତ ଟେଷ୍ଟରେ ଅଢ଼େଇ ଦିନ ବ୍ୟାଟିଂ କରିବା ମୋ ପାଇଁ ଅବିଶ୍ୱସନୀୟ ଥିଲା। ଫଲୋଅନ୍ ପରେ ଆମେ ଅଢ଼େଇ ଦିନ ବ୍ୟାଟିଂ କଲୁ। ସେତେବେଳେ ମୁଁ ଭାବିଲି ଯେ ହ୍ୟୁମାନ୍ ବ୍ରେନ୍ କେତେ କ'ଣ ଆଚିଭ୍ କରିନପାରେ। ତେଣୁ ଯେପର୍ଯ୍ୟନ୍ତ ଆପଣ ମଇଦାନକୁ ନଓହ୍ଲାବେ ଏବଂ ନିଜକୁ ଚ୍ୟାଲେଞ୍ଜ ନକରିବେ, ସେ ଯାଏ କିଛି ଆଚିଭ୍ କରିପାରିବେ ନାହିଁ। ଏଥିପାଇଁ ନାପିଏର ଟେଷ୍ଟ ମୋ ପାଇଁ ବହୁତ ଖାସ୍। ବଡ଼ କଥା ହେଉଛି ସେହି ଟେଷ୍ଟର ପଞ୍ଚମ ଦିନର ପ୍ରଥମ ସେସନରେ ମୁଁ ପଦେ ବି କଥା ହୋଇନଥିଲି। ଏକଥା ମୋତେ ଭିଭିଏସ୍ ଲକ୍ଷ୍ମଣ କହିଥିଲେ।

ଆପଣଙ୍କ ନେତୃତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ଦୁଇଥର ଆଇପିଏଲ୍ ଟ୍ରଫି ଜିତିଛି। ଏହା ପଛର କାରଣ କ'ଣ?

ମୁଁ କେବେବି ଭାବିନଥିଲି ଯେ କେକେଆର ମୋତେ ନିଜ ଟିମରେ ସାମିଲ୍‌ କରିବ। କାରଣ ଏହା ପୂର୍ବରୁ ମୁଁ ତିନୋଟି ସିଜନରେ ଦିଲ୍ଲୀ ପକ୍ଷରୁ ଖେଳିଥିଲି। ସିଲେକ୍ଟ ହେବା ପରେ ମୁଁ ଶାହରୁଖ ଖାନଙ୍କୁ କହିଥିଲି ଯେ ମୁଁ ଯେତେବେଳେ ଟିମ୍ ଛାଡ଼ିବି, ସେତେବେଳେ ମୁଁ ଟିମକୁ ଉନ୍ନତ ସ୍ଥିତିରେ ଛାଡ଼ିକି ଯିବି। ମୁଁ ଗୋଟିଏ କଥା ଟିମକୁ କହିଥିଲି ନେତୃତ୍ୱ ନେବା ପାଇଁ ଜଣଙ୍କ ପାଖରେ ତିନୋଟି ପିଲାର୍‌ ରହିବା ନିହାତି ଦରକାର। ତାହା ହେଉଛି ସଚ୍ଚୋଟତା, ଉତ୍ତରଦାୟିତ୍ୱ ଓ ସ୍ୱଚ୍ଛତା। ଏହି ତିନୋଟି ପିଲାର କେବେବି ଆପଣଙ୍କୁ ଦୋହଲାଇ ପାରିବନି। ଜଣେ କ୍ୟାପଟେନ୍ ଓ ଲିଡର୍ ମଧ୍ୟରେ ବହୁତ ଫରକ ରହିଛି। ଜଣେ କ୍ୟାପଟେ ୩ ଘଣ୍ଟା ମ୍ୟାଚରେ ଲିଡ୍ କରେ। ଆଉ ଲିଡର ୨୪ ଘଣ୍ଟା ଲିଡ୍ କରେ। ଅଧିନାୟକ ଯେବେ ଲିଡର ହୋଇଯିବ, ଟିମ୍ ଅଧିକ ସଂଗଠିତ ହେବ।

କୋଲକାତା ଗସ୍ତ ବେଳେ ଆପଣଙ୍କୁ ସେଠାକାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାହାର ଲୋକ ବୋଲି କହିଥିଲେ। ଏହାକୁ ନେଇ ଆପଣ କ'ଣ କହିବେ?

ମମତାଙ୍କ ସେହି ମନ୍ତବ୍ୟ ସମ୍ପୂର୍ଣ୍ଣ ଦାୟିତ୍ୱହୀନତା ଥିଲା। କୋଲକତା ପାଇଁ ମୁଁ ୭ ବର୍ଷ ଖେଳିଥିଲେ ମଧ୍ୟ ମମତାଙ୍କ ମନ୍ତବ୍ୟ ମୋତେ ଦୁଃଖ ଦେଇଥିଲା। କିନ୍ତୁ କୋଲକାତା ଲୋକେ ବହୁତ ବହୁଲ ଭଲ ପାଉଥିଲେ। ଆଉ ପରବର୍ତ୍ତୀ ସମୟରେ ସେଠାରେ ମୋତେ ବହୁତ ସମର୍ଥନ ମଧ୍ୟ ମିଳିଥିାଲା। ମୋ ମତରେ ଏହି ଦେଶ ସମସ୍ତଙ୍କର। ଏଠାରେ କିଏ କେଉଁଠିକି ବି ଯାଇପାରିବେ। ତେଣୁ ବାହାର ଲୋକ କହି ମନ୍ତବ୍ୟ ଦେବା ଆଦୌ ଗ୍ରହଣୀୟ ନୁହେଁ। ତେଣୁ ମୁଁ ଅନୁରୋଧ କରୁଛି ଯେ କୌଣସି ରାଜନୀତିକ ବ୍ୟକ୍ତିଙ୍କୁ ଏଭଳି ମନ୍ତବ୍ୟ ଦେବା କଥା ନୁହେଁ।

ଆପଣ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷା ପାଇଁ ସିସିଟିଭି ଲଗାଇବାକୁ କହିଥିଲେ। କିନ୍ତୁ ଏହି ଟେକ୍ନୋଲୋଜି ଦୁନିଆରେ ଆମେ ମହିଳାଙ୍କୁ କିପରି ସୁରକ୍ଷା ଦେଇପାରିବା?

ସର୍ବପ୍ରଥମେ ମହିଳାଙ୍କୁ ସମ୍ମାନ ଗୁରୁତ୍ୱପୂର୍ଣ୍ଣ। କେବଳ ସିସିଟିଭି ଲଗାଇ ଦେଲେ ପରିବର୍ତ୍ତନ ହେବ ନାହିଁ। ସିସିଟିଭି କେବଳ ମାଧ୍ୟମ ଏବଂ ଏହା ସମାଧାନ ନୁହେଁ। ମହିଳାମାନେ ରାଫେଲ ଚଳାଇବା ସହ ଅନେକ ଦାୟିତ୍ୱ ସଫଳତାର ସହ କରୁଛନ୍ତି। ଏଥିପାଇଁ ବ୍ୟବହାରରେ ପରିବର୍ତ୍ତନ ହେବା ଦରକାର। ଯେପର୍ଯ୍ୟନ୍ତ ଆପଣ ମହିଳାଙ୍କୁ ସମ୍ମାନ ନ ଦେଇଛନ୍ତି, ସେ ପର୍ଯ୍ୟନ୍ତ କିଛି ବଦଳିବ ନାହିଁ। ମୋ ସଂସଦ କ୍ଷେତ୍ରରେ ଅନେକ ସମସ୍ୟା ରହିଛି। ତେଣିକି ତାହା ମହିଳାଙ୍କୁ ନେଇ ହେଉ କି ଗାଜିପୁର ଲ୍ୟାଣ୍ଡଫିଲକୁ ନେଇ ହେଉ। ବହୁତ ସମସ୍ୟା ରହିଛି। ଏଥିପାଇଁ ଅନେକ ପଦକ୍ଷେପ ନିଆଯାଉଛି। ତେଣୁ ମହିଳାଙ୍କୁ ସମ୍ମାନ କରିବା କଥା ପ୍ରଥମେ ଘରେ ଶିଖିବା ଦରକାର।

ଆପଣ ଏକ ଟ୍ୱିଟ୍ କରିଥିଲେ ଯେ ବିଜ୍ଞାପନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ଦ୍ୱାରା ଆପଣଙ୍କୁ ମୁହଁ ଚମକି ପାରିବ ମୁଖ୍ୟମନ୍ତ୍ରୀ ଜୀ, କିନ୍ତୁ ଲୋକଙ୍କ ଭାଗ୍ୟ ନୁହେଁ। ଏହି ଟ୍ୱିଟକୁ ନେଇ ଆପଣଙ୍କ ମତ କ'ଣ?

ଯେତେବେଳେ ଅରବିନ୍ଦ କେଜ୍ରିୱାଲ୍ ରାଜନୀତିରେ ପାଦ ଦେଲେ, ସେତେବେଳେ ମୁଁ କ୍ରିକେଟ୍‌ ଖେଳୁଥିଲି। ମୋ ଘର ଲୋକ ମଧ୍ୟ କେଜ୍ରିୱାଲଙ୍କୁ ଖୁବ୍ ପସନ୍ଦ କରୁଥିଲେ। ଏପରିକି ମୋ ମାଆ ଆମ୍ ଆଦମୀ ପାର୍ଟି (ଆପ୍)କୁ ଭୋଟ୍ ଦେବା ପାଇଁ କହିଥିଲେ। ମୁଁ ମୋ ମାଆଙ୍କୁ ପଚାରିଲି କାହିଁକି। ସେ କହିଲେ କେଜ୍ରିୱାଲ ଜଣେ ଅଣରାଜନୀତିକ ବ୍ୟକ୍ତି। ତେଣୁ ମୁଁ ମାଆଙ୍କୁ ମନା କରିନଥିଲି। ରାଜନୀତିରେ ସବୁଠାରୁ ଖରାପ କଥା ହେଉଛି, ଆପଣ ମିଛ ପ୍ରତିଶ୍ରୁତି ଦେଇ ଏବଂ ଲୋକଙ୍କ ଭାବନାଙ୍କ ସହ ଖେଳି କ୍ଷମତା ହାସଲ କରନ୍ତି। ଦିଲ୍ଲୀରେ ଏମିତି ଜଣେ ନେତାର ଆବଶ୍ୟକ ଅଛି, ଯାହାଙ୍କୁ ଚୌକି ଲୋଭ ନହେବା ଦରକାର। କାରଣ ଏହି ଚୌକି କାହାର ଜନ୍ମଗତ ଅଧିକାର ନୁହେଁ। ଯେଉଁଦିନ ଆପଣ ଚୌକିକୁ ଭଲପାଇବା ଆରମ୍ଭ କରିଦେବେ, ସେହିଦିନ ଆପଣ କମ୍ପ୍ରମାଇଜ୍ କରିବା ଆରମ୍ଭ କରିଦେବେ। ଯେଉଁ ବ୍ୟକ୍ତିଙ୍କ ମନରେ ଏହି ଲୋକ ରହିବ ନାହିଁ, ସେହିଁ ଦିଲ୍ଲୀର ଉନ୍ନତି କଥା ଚିନ୍ତା କରିପାରିବ। ଯେତେବେଳେ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇ ଆସିଲେ ସେ ଦିଲ୍ଲୀକୁ ଲଣ୍ଡନ, ପ୍ୟାରିସ୍ ଓ ନ୍ୟୁୟର୍କ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ମୁଁ ମୋ ପ୍ରଚାର ବେଳେ ଦିଲ୍ଲୀକୁ କେବଳ ଦିଲ୍ଲୀ କରିବାକୁ କହିଥିଲି। ମୁଖ୍ୟମନ୍ତ୍ରୀ ଭାବେ କେଜ୍ରିୱାଲ ରାଜ୍ୟବାସୀଙ୍କୁ ଠକିଛନ୍ତି। ଅରବିନ୍ଦ୍ର କେଜ୍ରିୱାଲଙ୍କୁ ଛାଡ଼ି ଏମିତି କେଉଁ ମୁଖ୍ୟମନ୍ତ୍ରୀ ଅଛନ୍ତି, ଯିଏ କରୋନା ସମୟରେ ନିଜର ରାଜନୀତିକ କ୍ୟାରିୟର ଚମକାଇବା ପାଇଁ ବିଜ୍ଞାପନ ବାବଦରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଯଦି ଏହି ଟଙ୍କାକୁ ସେ କୌଣସି ହସ୍ପିଟାଲ, କୋଭିଡ୍ ସେଣ୍ଟର ଓ କମ୍ୟୁନିଟୀ କିଚେନ୍ ଖୋଲିବାରେ ଲଗାଇଥାନ୍ତେ, ତାହେଲେ ଭଲ ହୋଇଥାନ୍ତା। ତେଣୁ ସତ କହିବାକୁ ଗଲେ ମୁଁ କେଜ୍ରିୱାଲଙ୍କ ପାଇଁ ରାଜନୀତିକୁ ଆସିଥିଲି।

ଆପଣ ଗାଜିପୁର ଲ୍ୟାଣ୍ଡଫିଲକୁ ୮୦ ଫୁଟ୍‌ କମାଇଛନ୍ତି। ଏହାସହ ଆପଣ ନିକଟରେ ଜନରୋଷେଇ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି। ଆପଣଙ୍କ ମନକୁ ଏଭଳି ଚିନ୍ତାଧାରା କେମିତି ଆସିଲା?

ଯେତେବେଳେ ମୁଁ ପ୍ରଚାର କରୁଥିଲି, ସେତେବେଳେ ମୁଁ ଗାଜିପୁର ଲ୍ୟାଣ୍ଡଫିଲ୍ ଦେଖିଥିଲି। ମୁଁ ଜଣଙ୍କୁ ପଚାରିଲି ଯେ ଏହି ଗାଜିପୁର ଲ୍ୟାଣ୍ଡଫିଲ୍ କେମିତି ଶେଷ ହେବ। ସେ କହିଲେ ଏହା କେବେ ଶେଷ ହେବନି। ଏହା ପରେ ମୁଁ ଜଣେ ମହିଳାଙ୍କ ଘରକୁ ଯାଇଥିଲି। ମହିଳା ଜଣକ ମୋତେ ତାଙ୍କ ବାଲକୋନୀକୁ ନେଇଥିଲେ। ହେଲେ ସେଠାରେ ମୁଁ ୫ ମିନିଟ୍ ଛିଡ଼ା ହୋଇପାରିଲି ନାହିଁ, କାରଣ ପ୍ରବଳ ଦୁର୍ଗନ୍ଧ ହେଉଥିଲା। ଏହା ପରେ ମୋତେ ଯେଉଁ ପାଣି ପିଇବାକୁ ଦେଲେ, ତାହା ପୂରା ବ୍ରାଉନ୍ ରଙ୍ଗର ଥିଲା। ଏହା ପରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଗାଜିପୁର ଲ୍ୟାଣ୍ଡଫିଲ୍ ଆସିବା ପାଇଁ ୮ଥର ଏଥିପାଇଁ ନିମନ୍ତ୍ରଣ ଦେଇଛି। କିନ୍ତୁ ସେ ଆସିଲେ ନାହିଁ। ମୁଁ ମୋର ଦେଢ଼ ବର୍ଷର ରାଜନୀତିକ କ୍ୟାରିୟରରେ ୮ଥର ଗାଜିପୁର ଲ୍ୟାଣ୍ଡଫିଲ୍ ଯାଇସାରିଛି। କିନ୍ତୁ ସିଏମ୍ ନିଜର ୬ ବର୍ଷର କାର୍ଯ୍ୟକାଳରେ ଥରେ ବି ଯାଇନାହାନ୍ତି। କମ୍ୟୁନିଟି କିଚେନ୍ ଖୋଲିବାର ଉଦ୍ଦେଶ୍ୟ ଥିଲା ଯେ ଲୋକଙ୍କୁ ସର୍ବନିମ୍ନ ଦରରେ ଖାଦ୍ୟ ଯୋଗାଇ ଦେବା। ଯେଉଁ ଖାଦ୍ୟ ମୁଁ ନିଜେ ଖାଇପାରିବି, ସେହି ଖାଦ୍ୟ ହିଁ ମୁଁ ଲୋକଙ୍କୁ ଯୋଗାଇ ଦେବା ପାଇଁ ସ୍ଥିର କଲି।

Related story