ପରିଚୟ ହରାଉଛି ଦେବଗୁଣିଆ ଜାତି, ପୁନରୁଦ୍ଧାର ଦାବି

ଖଡ଼ିଆଳ (କୁନାଲ ଚରଣ ବେହେରା): ଓଡ଼ିଶା ହେଉଛି କଳା ଓ ସଂସ୍କୃତିର ରାଜ୍ୟ। ଏହାର ସଂସ୍କୃତିକୁ ସମୃଦ୍ଧ କରିଛି ପ୍ରାଚୀନ ପରମ୍ପରା।  ହେଲେ ସେହି ପ୍ରାଚୀନ ପରମ୍ପରାକୁ ଜାବୁଡ଼ି ଧରିଥିବା ସେ ଜାତି ଆଜି ଦୁର୍ଦ୍ଦିନରେ। ନାନା ଆର୍ଥିକ ଦୁଃସ୍ଥିତିରେ ଗତି କରୁଛନ୍ତି। ପେଟ ପାଇଁ ନିଜ କୌଳିକ ବୃତ୍ତିଠାରୁ ଦୂରେଇ ଯାଉଛନ୍ତି। ସେମିତି ଏକ ଜାତି ହେଉଛି ଦେବଗୁଣିଆ। ସେମାନଙ୍କ ସଂସ୍କୃତିକୁ ଯଦି ଉତ୍‌ଥାନ କରାନଯାଏ ଦିନ ଆସିବ ଦେବଗୁଣିଆ ଜାତି ତା’ ପରିଚୟ ହରାଇବ। […]

Nuapada

Manoranjan Sial
  • Published: Monday, 06 December 2021
  • , Updated: 07 December 2021, 12:14 PM IST

ଖଡ଼ିଆଳ (କୁନାଲ ଚରଣ ବେହେରା): ଓଡ଼ିଶା ହେଉଛି କଳା ଓ ସଂସ୍କୃତିର ରାଜ୍ୟ। ଏହାର ସଂସ୍କୃତିକୁ ସମୃଦ୍ଧ କରିଛି ପ୍ରାଚୀନ ପରମ୍ପରା।  ହେଲେ ସେହି ପ୍ରାଚୀନ ପରମ୍ପରାକୁ ଜାବୁଡ଼ି ଧରିଥିବା ସେ ଜାତି ଆଜି ଦୁର୍ଦ୍ଦିନରେ। ନାନା ଆର୍ଥିକ ଦୁଃସ୍ଥିତିରେ ଗତି କରୁଛନ୍ତି। ପେଟ ପାଇଁ ନିଜ କୌଳିକ ବୃତ୍ତିଠାରୁ ଦୂରେଇ ଯାଉଛନ୍ତି। ସେମିତି ଏକ ଜାତି ହେଉଛି ଦେବଗୁଣିଆ। ସେମାନଙ୍କ ସଂସ୍କୃତିକୁ ଯଦି ଉତ୍‌ଥାନ କରାନଯାଏ ଦିନ ଆସିବ ଦେବଗୁଣିଆ ଜାତି ତା’ ପରିଚୟ ହରାଇବ।

ପଶ୍ଚିମ ଓଡ଼ିଶାର କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାରେ ଦେବଗୁଣିଆ ଜାତି ବସବାସ କରୁଛନ୍ତି। ଏମାନେ ନିଜକୁ ଦେବଗୁରୁ ବୃହସ୍ପତିଙ୍କ ବଂଶଧର ବୋଲି କୁହନ୍ତି। ଓଡ଼ିଶାର ସଂସ୍କୃତିରେ ଦେବଗୁଣିଆମାନଙ୍କ ସ୍ଥାନ ସ୍ୱତନ୍ତ୍ର। ମାଆ ଲକ୍ଷ୍ମୀଙ୍କ ଗୁଣ ଗାଥାକୁ ଘରେ ଘରେ ପହଞ୍ଚାଇବା ସହ ଧାନରେ ତିଆରି ମୂର୍ତ୍ତି ସବୁ ବିକ୍ରି କରନ୍ତି। ପରିବାରର ସବୁ ସଦସ୍ୟ ଏହି କାମରେ ନିୟୋଜିତ ହୋଇଥାନ୍ତି। ସେମାନେ ଏକ ପ୍ରକାର ବୀଣା ବଜାଇଥାନ୍ତି। ଯାହାକୁ ବ୍ରହ୍ମ ବୀଣା ବା ଲକ୍ଷ୍ମୀ ବୀଣା କୁହାଯାଏ।

ଲାଉ ତୁମ୍ବାରେ କଉଡ଼ି, ତାର, ଅଠା ଆଦି ଦେଇ ଏହା ନିର୍ମାଣ କରାଯାଇଥାଏ। ବର୍ଷ ସାରା ଦେବଗୁଣିଆମାନେ ଘର ଘର ବୁଲି ଜୀବନ ଜୀବିକା ନିର୍ବାହ କରୁଥିବା ବେଳେ ମାର୍ଗଶୀର ମାସରେ ଏମାନଙ୍କ ସ୍ୱତନ୍ତ୍ର ସ୍ଥାନ ରହିଥାଏ। ଏହି ମାସରେ ମାଆ ଲକ୍ଷ୍ମୀଙ୍କ ପୂଜା ହେଉଥିବାରୁ ଦେବଗୁଣିଆମାନେ ତିଆରି କରିଥିବା ଧାନର ଲକ୍ଷ୍ମୀ, ହାତୀ, ଆସନ, ପଦ୍ମଫୁଲ, ଆଦିକୁ ମହିଳାମାନେ ପୂଜା କରି ଘରକୁ ନେଇଥାନ୍ତି।

ଦେବଗୁଣିଆ ବା ଦେବଗୁରୁମାନେ ଏକ ପ୍ରକାର ଚାରଣ କବି। ମୁହେଁ ମୁହେଁ ସେମାନେ ଗୀତ ତିଆରି କରି ଗାଇଥାନ୍ତି। ଓଡ଼ିଶାରେ ମାଆ ଲକ୍ଷ୍ମୀଙ୍କ ପୂଜାର ସ୍ୱତନ୍ତ୍ର ସ୍ଥାନ ଥିବା ବେଳେ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣକୁ ଗାଇ ଶୁଣାଇଥାନ୍ତି। ଏମାନେ କଳାକାର ଜାତିରେ ହୋଇଥିଲେ ହେଲେ ମଧ୍ୟ ରାଜ୍ୟ ସଂସ୍କୃତି ବିଭାଗ ଏମାନଙ୍କୁ ଉପଯୁକ୍ତ ସ୍ଥାନ ଦେଉନଥିବା ଅଭିଯୋଗ ହେଉଛି। କଳା ଓ ସଂସ୍କୃତି ସଂଘରେ ଏମାନଙ୍କୁ ଗ୍ରହଣ କରି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମିଲ କଲେ ଏମାନଙ୍କ ପରିବାର ପ୍ରତିପୋଷଣ ହୋଇ ପାରିବା ସହ ରାଜ୍ୟର ଏକ ପ୍ରମୁଖ ପରମ୍ପରା ବଞ୍ଚି ରହି ପାରନ୍ତା ବୋଲି ଦାବି ଉଠିଛି।

Related story