[caption id="attachment_393891" align="alignleft" width="158"]
ମୌସୁମୀ ଆସିବାର ପ୍ରଥମ ବର୍ଷାର ସ୍ପର୍ଶରେ ଭିଜିଯାଏ ପୃଥବୀ। ଆଦ୍ର ହୁଏ ବସୁମତୀ। ମାଟିର ଭୁରୁଭୁରୁ ଗନ୍ଧ ମହକାଇଦିଏ ଗାଁ ଭୂଇଁ। ପହିଲି ବର୍ଷାର ଛୁଆଁରେ ରୋମାଞ୍ଚିତ ହୋଇଉଠେ ବସୁଧା। ସତେ ଯେମିତି ବହୁଦିନୁ ପ୍ରତିକ୍ଷୀତ ଏହି ମାଟି ମେଘ ସହ ରଚିବସିଛି ଶୃଙ୍ଗାରର ପର୍ବ। ଚାରିଆଡ଼େ ଭରିଯାଏ ଶୀତଳତା। ଆଉ ଏହି ଅବସରରେ ସମସ୍ତେ ଗାଇଉଠନ୍ତି ମିଳନର ଗୀତ। ଋତୁମତୀ ଧରା ସଙ୍କେତ ବହନ କରି ହଳଦୀ ମଖା ନିରିମାଖୀ ଦେହରେ ପଲ୍ଲୀବାଳା ସଜେଇ ହୁଏ କୁଙ୍କୁମ-ଚନ୍ଦନ। ମାଟି ମା ହୁଏ ରୋଜବତୀ। ମାଟି ଆଉ ମେଘର ମିଳନରେ ଏହି ପର୍ବକୁ ଓଡ଼ିଶାରେ ଘରେ ଘରେ ପାଳନ ହୁଏ ରଜପର୍ବ ଭାବେ।
ଇତିହାସ କହେ ରାବଣ ଯେମିତି ଦାନବମାନଙ୍କର ରାଜା। ଠିକ୍ ସେମିତି ଦାନବମାନଙ୍କର ଆଉ ଜଣେ ପ୍ରଭାବଶାଳୀ ରାଜା ଥିଲେ ମୟଦାନବ। ରାବଣ, ମୟଦାନବଙ୍କ ଦରବାରକୁ ସର୍ବଦା ଯିବା ଆସିବା କରୁଥିଲେ। ମୟଦାନବଙ୍କ ସୁନ୍ଦରୀ କନ୍ୟା ମନ୍ଦୋଦରୀ ଓ ରାବଣ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା। ବିବାହ ପୂର୍ବରୁ ମନ୍ଦୋଦରୀଙ୍କର ଏକ କନ୍ୟା ସନ୍ତାନ ଜନ୍ମହେଲା। ଲୋକଲଜ୍ୟା ଭୟରେ ମୟ ସେହି କନ୍ୟାକୁ ବିଳମ୍ବିତ ରାତ୍ରିରେ ଦୂର ରାଇଜକୁ ନେଇ (ମିଥିଳା ନଗର)ରେ ଗୁପ୍ତ ଭାବରେ ମାଟିତଳେ ପୋତି ଦେଇଥିଲେ।
ଏହି ଶିଶୁକନ୍ୟା ମିଥିଳା ରାଜ୍ୟରେ ପୋତି ହୋଇଥିବାରୁ ମିଥିଳାରେ ଅକାଳ ପଡ଼ିଲା, ବର୍ଷା ହେଲାନାହିଁ। ମିଥିଳାବାସୀ ତ୍ରାହି ତ୍ରାହି ଡାକିଲେ। ଏଣୁ ମିଥିଳାର ପ୍ରଜାବତ୍ସଳ ରାଜା ଜ୍ୟୋତିଷଙ୍କ ପରାମର୍ଶ କ୍ରମେ ନିଜେ ହଳ ଯୋଚିଲେ। ସଂସାରର ହିତ ପାଇଁ ରାଜା ଜନକ ସ୍ୱୟଂ ହଳ ଯୋଚିବାର ଦେଖି ଇନ୍ଦ୍ର ସନ୍ତୁଷ୍ଟ ହେଲେ ଏବଂ ମୂଷଳ ଧାରାରେ ବର୍ଷା ହେଲା। ମିଥିଳାବାସୀ ଆନନ୍ଦରେ ନାଚିବାକୁ ଲାଗିଲେ। ମୌସୁମୀର ଆଗମନରେ ବର୍ଷା ମାଟିକୁ ମାତୃତ୍ୱ ଦେବାରେ ଏହି ଶୁଭ ଲଗ୍ନକୁ ସେଦିଦିନଠୁ ରଜ ପର୍ବ ଭାବେ ପାଳନ କରୁଥିବାର ପୌରାଣିକ ମତ ରହିଛି।
‘ର’ ଅର୍ଥ ସଂସାର , ‘ଜ’ ଅର୍ଥ ଯୋଚିକା। ସଂସାର ନିମନ୍ତେ ରାଜା ଜନକ ହଳ ଯୋଚିଥିବାରୁ ଏହି ପର୍ବକୁ ‘ରଜ ପର୍ବ’ କୁହାଯାଏ। ହଳ ଯୋଚିବା ବେଳେ ଜନକ ଏକ କନ୍ୟାକୁ ପାଇଥିବାରୁ ଲକ୍ଷ୍ମୀଙ୍କର ଆଗମନ ଭାବେ ଏହି ପର୍ବକୁ କୁମାରୀମାନେ ଅଧିକ ଉତ୍ସାହର ସହ ପାଳନ କରିଥାନ୍ତି।
ଜ୍ୟୋତିଷଶାସ୍ତ୍ର ଅନୁସାରେ ଆଦ୍ୟ ଆଷାଢ଼ରେ ସୂର୍ଯ୍ୟ ବୃକ୍ଷରାଜିକୁ ତ୍ୟାଗ କରି ମିଥୁନ ରାଶିରେ ପ୍ରବେଶ କରନ୍ତି। ମୃଗଶିରା ନକ୍ଷେତ୍ରରେ ସୂର୍ଯ୍ୟ ରହିବାର ତିନିଦିନକୁ ଆମେ ରଜପର୍ବ ଭାବେ ପାଳିଥାଉ। ରଜପର୍ବ ଓଡ଼ିଶାର ଏକ କୃଷିଭିତ୍ତିକ ପର୍ବ ବା ଗଣପର୍ବ। ଓଡ଼ିଶାରେ ୧୨ମାସରେ ତେର ପର୍ବ ଭିତରେ ଏହା ଏମିତି ଏକ ପର୍ବ ଯେଉଁଥିରେ ଆମେ ପାଞ୍ଚ ଦିନ ଧରି ଏହି ପର୍ବ ପାଳନ କରିଥାଉ ଯଥା ‘ସଜବାଜ’, ‘ପହିଲି ରଜ’, ‘ରଜ ସଂକ୍ରାନ୍ତି’, ‘ଭୂମି ଦହନ’ ଓ ‘ବସୁମତୀ ସ୍ନାନ’।
ବିଦେଶରେ ରହୁଥିବା ପରିବାରବର୍ଗ ହୁଅନ୍ତୁ କି ବନ୍ଧୁ ବାନ୍ଧବ ସମସ୍ତେ ଏକାଠି ଆସର ଜମାଇଥାନ୍ତି ରଜପର୍ବରେ। ଯିଏ ଯୁଆଡ଼େ ଥିଲେ ବି ଧାଇଁ ଆସନ୍ତି ଗାଁକୁ ରଜ ପାଳିବାକୁ। କେବଳ କୁମାରୀମାନେ ନୁହଁନ୍ତି, ପୁରଷମାନେ ମଧ୍ୟ କାମ ଛାଡ଼ି ତାସ୍ ଓ ଲୁଡ଼ୁ ଖେଳରେ ମାତି ଯାଆନ୍ତି। ଗାଁରେ ଠାଏ ଠାଏ ଖାସି କଟାଳି ପାଖରେ ଭିଡ଼ ଜମିଥାଏ। ରଜରେ ସବୁଠାରୁ ନିଆରା ଆକର୍ଷଣୀୟ ଜିନିଷଟି ହେଲା ‘ରଜ ପାନ’। ରଜରେ ପାନ ଖାଇବା ଏକ ପୁରୁଣା ପରମ୍ପରା। ଏହା ଗୋଟେ ଭଲ ପାଚକ ପଦାର୍ଥ ନୁହେଁ, ବରଂ ଏହା ଏକ ସୁଖବାସ ବା ପରିତୋଷ। ଏହା ବନ୍ଧୁତ୍ୱକୁ ସୁଦୃଢ଼ କରାଏ। ରଜ ପାନର ଚମକ ଏବଂ ମହକ ସାରା ବର୍ଷର ପାନକୁ ବଳିଯାଏ।
ବିଭିନ୍ନ ପ୍ରକାରର ମସଲା ଦେଇ ତ୍ରିଭୁଜା କୃତିରେ ପାନ ଭାଙ୍ଗି ସେଥିରେ ଚେରି ଓ ଲବଙ୍ଗ ଲଗାଇ ଏମିତି ଥାଳିରେ ସଜା ଯାଇଥାଏ ଯେ, କେହି ବି ରଜ ପାନଟିଏ ନ ଖାଇ ରହି ପାରେ ନାହିଁ। ନୂଆ ବୋହୂମାନଙ୍କ ଘରୁ ରଜ ଭାର ଆସିଥାଏ। ଗାଁ ସାରା ଝିଅମାନେ ନୂଆ ବୋହୂ ଦେଖିବା ସହିତ ରଜ ଦୋଳି ଗୀତର ତାଳେ ତାଳେ ଏହି ସୁନ୍ଦର ପର୍ବକୁ ଉପଭୋଗ କରିଥା’ନ୍ତି।
ରଜ କେଉଁଠି କେମିତି ପାଳନ ହୁଏ?
କେନ୍ଦୁଝର ଜିଲ୍ଲାରେ ରଜ ଭିନ୍ନ ଢଙ୍ଗରେ ପାଳନ କରାଯାଏ। ଏଠାରେ ବିଭିନ୍ନ ପ୍ରକାର ଦୋଳି ବନ୍ଧାଯିବା ପରେ ପ୍ରଥମେ ଗାଁ ଦେହୁରୀ ଅଢ଼େଇବେଣ୍ଟ ଝୁଲାଇଥାନ୍ତି। ଏହା ଦ୍ୱାରା ସ୍ୱର୍ଗର ଶିଳ୍ପୀ ବିଶ୍ୱକର୍ମାଙ୍କୁ ସମ୍ମାନ ଜଣାଇ ସେମାନେ ଗୀତରେ ଗୀତରେ ଦୋଳି ଖେଳରେ ମଜ୍ଜି ଯାଆନ୍ତି। ଶବର-ଶବରଣୀ ନାଚ ହୁଏ। ଏହି ନୃତ୍ୟ ମାଧ୍ୟମରେ କୃଷିକର୍ମର ତତ୍ପରତା ପାଇଁ ପ୍ରବର୍ତ୍ତାଇ ସଂସ୍କୃତିକୁ ସମ୍ମାନ ଜଣାଯାଏ।
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରଞ୍ଜଗୋଳ ଗ୍ରାମରେ ୫ ଦିନ ବ୍ୟାପୀ ରଜପର୍ବ ପାଳିତ ହୁଏ। ପହିଲି ରଜ ଦିନ ସ୍ଥାନୀୟ ବାଙ୍କ ବିହାରୀ ମନ୍ଦିରରେ ଅଖଣ୍ଡ ଧୂନି ଜଳେ। ପହିଲି ରଜଠୁ ୪ ଦିନ ଧରି ଏଠାରେ ଅନ୍ନଭୋଗ ଲାଗିହୁଏ। ଏହା ୨୦୦ ବର୍ଷ ପୂର୍ବର ଇତିହାସ ବୋଲି ଜଣାଯାଏ। ଏଠାରେ ଏକ ବଡ଼ ଯାତ୍ରା ଲାଗେ। ଏହି ଯାତ୍ରାର ବିଶେଷତ୍ୱ ହେଲା ଆମ୍ବ, ପଣସର ପସରା। କେହି କେହି ଏହାକୁ ଆମ୍ବ-ପଣସ ଯାତ୍ରା ବୋଲି ମଧ୍ୟ କହିଥା’ନ୍ତି।
ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ ମହୁଲଦର୍ହ ଗ୍ରାମରେ ଏକ ନିଆରା ଢଙ୍ଗରେ ରଜପର୍ବ ପାଳନ କରାଯାଏ। ଏହି ଅବସରରେ ଦୁଇଟି କଣ୍ଢେଇର ବାହାଘର ହୋଇଥାଏ। ଦୁଇଜଣ ଝିଅ ବର-କନ୍ୟା ବେଶରେ ବେଦୀରେ କଣ୍ଢେଇ ଧରି ବସିଥାନ୍ତି। ଏହି ବାହାଘର ଦେଖିବାକୁ ଆଖପାଖରେ ଗାଁର ଶତାଧିକ ଲୋକ ଆସିଥାନ୍ତି। ଭୋଜିର ମଧ୍ୟ ଆୟୋଜନ ହୋଇଥାଏ। ନାଚଗୀତର ଆସର ସହ ଦୋଳି ଖେଳର ମଜା ନେଇଥା’ନ୍ତି ଲୋକେ ।
ମାଲକାନାଗିରି ଜିଲ୍ଲାର ସାମ୍ବାୟଗୁଡ଼ା ଗ୍ରାମରେ ରଜପର୍ବ ଖୁବ୍ ଧୁମ୍ଧାମ୍ରେ ପାଳନ ହୋଇଥାଏ। ଏଠାକାର ଆଦିବାସୀମାନେ ଢେମସା ନାଚର ପ୍ରଯୋଗିତା କରି ହାତରେ ହାତ ଛନ୍ଦି ତାଳେ ତାଳେ ନାଚିଥା’ନ୍ତି। ଦୋଳିରେ ଝୁଲିଝୁଲି ରଜଗୀତ ଗାଇ ଆନନ୍ଦ ନିଅନ୍ତି। ତେବେ ଦିନକୁ ଦିନ ପାଶ୍ଚାତ୍ୟ ସଭ୍ୟତାର ବଶବର୍ତ୍ତୀ ହୋଇ ଆମ ସମାଜର ମୌଳିକ ମୂଲ୍ୟବୋଧ, ଚଳଣି, ପ୍ରଥା ପରମ୍ପରା କମିବାରେ ଲାଗିଛି।
ଓଡ଼ିଶାର ରଜପର୍ବ ପରି ରାଜସ୍ତାନରେ ମଧ୍ୟ ପାଳନ ହୁଏ ‘ଡାଜପର୍ବ’। ଏଥିରେ କୁମାରୀମାନେ ନୂତନ ବସ୍ତ୍ର ପରିଧାନ ପୂର୍ବକ ଦୋଳି ଖେଳିଥା’ନ୍ତି। ରଜପର୍ବ କେରଳରେ ମଧ୍ୟ ପାଳିତ ହୁଏ। ଓଡ଼ିଶା ଭଳି ଏଥିରେ ଦୋଳି ଥାଏ। ପିଠାପଣାମାନ ଥାଏ ଓ ନାଚଗୀତରେ ପୁଅଝିଅମାନେ ନାଚିଥାନ୍ତି।
ସହରରେ ବିଭିନ୍ନ ପ୍ରକାରର ସାସ୍କୃତିକ ଅନୁଷ୍ଠାନଗୁଡ଼ିକରେ ରଜପର୍ବ ଅବସରରେ ବିଭିନ୍ନ ପାରମ୍ପରିକ ଖେଳ ପୁଚି ଓ ବାଗୁଡ଼ିର ଆୟୋଜନ ହେଉଛି। ବିଭନ୍ନ ପ୍ରକାର ପିଠାପଣାର ପ୍ରତିଯୋଗିତା ମଧ୍ୟ ହେଉଛି। କେତେକ ସାହିତ୍ୟ ଅନୁଷ୍ଠାନରେ ସାହିତ୍ୟ ଆଲୋଚନା ମଧ୍ୟ ହେଉଛି। ଏଭଳି ଆସର ଭୁଲାଇଦିଏ କର୍ମମୟ ଜୀବନର ଅବସାଦ।
ମୌସୁମୀର କଅଁଳ ଛୁଆଁ ଶ୍ରୀହରିତ କରେ ବସୁମତୀକୁ। ଚାଷୀ ମନରେ ଅପୂର୍ବ ଆନନ୍ଦର ଲହରି ଖେଳିଯାଏ। ସତେ ଯେମିତି ପ୍ରକୃତିର ସ୍ୱପ୍ନ ଓ ସୃଜନ ଧୂସର ଆକାଶରେ ମେଘ ଖଣ୍ଡ ହୋଇ ପଇଁତରା ମାରେ। ରଜପର୍ବ ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଏକ ଉଲ୍ଲାସର ପର୍ବ। ସମୟର ତାଳେ ତାଳେ ଯୁଗର ଯେତେ ପରିବର୍ତ୍ତନ ହେଲେ ମଧ୍ୟ ‘ରଜପର୍ବ’ ଓଡ଼ିଆର ଐତିହ୍ୟ ହୋଇ ଚିରକାଳ ରହିଥିବ।