ସାହସୀ ଉଚ୍ଚ ଶିକ୍ଷିତା ଝିଅ ମାଳତୀ, ପାହାଡ଼ି ଇଲାକାରେ ଖୋଳିଲେ କୂଅ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ବଣ୍ଡାଘାଟିର ଉଚ୍ଚ ଶିକ୍ଷିତା ମାଳତୀ ଶିଶା। ନିଜ ଅଞ୍ଚଳର ପ୍ରଥମ ଏମ୍‌ଏ ପଢୁଆ ଝିଅ। ଭୁବନେଶ୍ୱରରେ ପଢ଼ୁଥିବା ମାଳତୀ ମହାମାରୀ କରୋନାରେ ନିଜ ଗାଁ ବାଣ୍ଡିଗୁଡ଼ାକୁ ଫେରିଥିଲେ। ଘରେ ରହଣୀ ସମୟରେ ଦେଖିଥିଲେ ପାଣି ପାଇଁ ବିକଳ ଚିତ୍ର। ପରିବାର ଲୋକେ ପାଣି ମୁନ୍ଦାଏ ପାଇଁ କାହିଁ କେତେ ଦୂର ଝରଣା ପାଖକୁ ଧାଉଁଛନ୍ତି। ଏ ଚିତ୍ର କେବଳ ମାଳତୀଙ୍କ ପରିବାର ନୁହେଁ, ଗାଁର ସମସ୍ତଙ୍କର। ଯାହା ତାଙ୍କୁ ବ୍ୟଥିତ କରିଥିଲା। ଆଉ […]

Malati-Sisa

Manoranjan Sial
  • Published: Thursday, 30 September 2021
  • , Updated: 30 September 2021, 08:50 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ବଣ୍ଡାଘାଟିର ଉଚ୍ଚ ଶିକ୍ଷିତା ମାଳତୀ ଶିଶା। ନିଜ ଅଞ୍ଚଳର ପ୍ରଥମ ଏମ୍‌ଏ ପଢୁଆ ଝିଅ। ଭୁବନେଶ୍ୱରରେ ପଢ଼ୁଥିବା ମାଳତୀ ମହାମାରୀ କରୋନାରେ ନିଜ ଗାଁ ବାଣ୍ଡିଗୁଡ଼ାକୁ ଫେରିଥିଲେ। ଘରେ ରହଣୀ ସମୟରେ ଦେଖିଥିଲେ ପାଣି ପାଇଁ ବିକଳ ଚିତ୍ର। ପରିବାର ଲୋକେ ପାଣି ମୁନ୍ଦାଏ ପାଇଁ କାହିଁ କେତେ ଦୂର ଝରଣା ପାଖକୁ ଧାଉଁଛନ୍ତି। ଏ ଚିତ୍ର କେବଳ ମାଳତୀଙ୍କ ପରିବାର ନୁହେଁ, ଗାଁର ସମସ୍ତଙ୍କର। ଯାହା ତାଙ୍କୁ ବ୍ୟଥିତ କରିଥିଲା। ଆଉ ନିଷ୍ପତ୍ତି ନେଇଥିଲେ, ଘରେ ଥିବା ପାଣି ସମସ୍ୟା ଦୂର କରିବେ।

ପାଣି ସମସ୍ୟା ଦୂର ପାଇଁ ତିନି ଭଉଣୀଙ୍କ ସହ କୂଳ ଖୋଳିବାକୁ ମାଳତୀ ନିଷ୍ପତ୍ତି ନେଲେ। ଆଉ ତା’ପରେ ଚାରି ଭଉଣୀ ମିଶି ଘର ବାଡ଼ିରେ କୂଅ ଖୋଳିଲେ। ୧୦ରୁ ୧୨ ଦିନର ପରିଶ୍ରମ ପରେ ଝରିଲା ଆନନ୍ଦର ଝର। ସେ କୂଅରେ ନନ୍ଦ ବସାଇ ପାରି ନାହାନ୍ତି କି ପକ୍କା କରିନାହାନ୍ତି ସତ, ହେଲେ ଏବେ ସମସ୍ତଙ୍କ ଶୋଷ ମେଣ୍ଟାଉଛନ୍ତି। ଲଣ୍ଡା କୂଅ ଏବେ ଖାଲି ଶୋଷ ମେଣ୍ଟାଉ ନାହିଁ, ଏଥିରେ ପାଇପ୍‌ ପକାଇ ମୋଟର ଲଗାଇ ବାଡ଼ିରେ ପନିପରିବା ଚାଷ ମଧ୍ୟ କରୁଛନ୍ତି ମାଳତୀ। ସବୁଠୁ ବଡ଼ କଥା ହେଉଛି, ମାଳତୀଙ୍କ ଦେଖାଦେଖି ଗାଁର ଆଉ କିଛି ଯୁବକ ସରକାରଙ୍କ ହାତ ଟେକାକୁ ଅପେକ୍ଷା ନକରି ନିଜ ଉଦ୍ୟମରେ କୂଅ ଖୋଳିଲେଣି। 

ମାଳତୀ ଶିଶା କହିଛନ୍ତି- “କୂଅ ଖୋଳିବା ପାଇଁ ପ୍ରଥମେ ଚାରି ଭଉଣୀ ଏକତ୍ର ହେଲୁ। ତା’ପରେ କୂଅ ଖୋଳିବା ଆରମ୍ଭ କଲୁ। କୂଳ ଖୋଳୁଥିବା ବେଳେ ପାଣି ଝରିଲା। ଏବେ ସେହି ପାଣି ଆମେ ବ୍ୟବହାର କରୁଛୁ। ସେହି ପାଣିକୁ ଆମେ ପିଇବା ସହିତ ଗାଧୋଇବା ଓ ପନିପରିବା ଚାଷ କାମରେ ବ୍ୟବହାର କରୁଛୁ। ଏହାଛଡ଼ା ଗାଁ ଲୋକେ ମଧ୍ୟ ସେହି ପାଣି ନିଜ କାମରେ ବ୍ୟବହାର କରୁଛନ୍ତି।”

ଗାଁ ଲୋକଙ୍କୁ ସୁଦ୍ଧ ପାନୀୟ ଜଳ ମୁନ୍ଦାଏ ଯୋଗାଇବା ପାଇଁ ସରକାର କେତେ କଣ ଯୋଜନା କରୁଛନ୍ତି। ଆଉ ସେ ଯୋଜନାକୁ ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ କରାଯାଉଛି। ସେହି ଅର୍ଥରେ ବସିଛି ଟ୍ୟୁବ୍‌ୱେଲ୍‌ ଓ ପାନୀୟ ଜଳ ଯୋଗାଣ ପାଇଁ ବିଛା ଯାଇଛି ପାଇପ୍‌। ହେଲେ ତାହା କାମରେ ଲାଗୁନାହିଁ। ଯେଉଁଠି ପାଇପ୍‌ ବିଛା ଯାଇଛି, ସେଠି ଷ୍ଟାଣ୍ଡ ପୋଷ୍ଟ ଭାଙ୍ଗି ଯାଇଛି। ଟ୍ୟୁବ୍‌ୱେଲ୍‌ ଅଛି, ମାତ୍ର ସେଥିରୁ ପାଣି ବାହାରୁନି। ଆଉ ଯେଉଁଠି ଟ୍ୟୁବ୍‌ୱେଲ୍‌ରୁ ପାଣି ବାହାରୁଛି, ସେଠି ହ୍ୟାଣ୍ଡେଲ୍‌ ନାହିଁ। ଯାହାଫଳରେ ଗ୍ରାମାଞ୍ଚଳର ଗରିବ ଲୋକମାନେ ପାଣି ମୁନ୍ଦାଏ ପାଇଁ ବିକଳ ହୋଇ ଦୂରଦୂରାନ୍ତରେ ଥିବା ଝରଣକୁ ଦୌଡ଼ୁଛନ୍ତି। ବାଣ୍ଡିଗୁଡ଼ା ଗାଁର ଏ ବିକଳ ଚିତ୍ର ଉଚ୍ଚ ଶିକ୍ଷିତା ମାଳତୀଙ୍କୁ ବ୍ୟଥିତ କରିଥିଲା।

Related story