ଚାକିରି ଛାଡ଼ି ଚାଷ କରୁଛନ୍ତି

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଲୋକେ ଚାଷବାସ ଛାଡ଼ି ଚାକିରି ପଛରେ ଗୋଡ଼ାଉ ଥିବା ବେଳେ ସେ ଚାକିରି ଛାଡ଼ି ଚାଷବାସରେ ମାତିଛନ୍ତି। ପୁଣି ବର୍ଷେ କି ଦୁଇ ବର୍ଷ ନୁହେଁ, ଗଲା ୨୦ ବର୍ଷ ହେଲା ସେ ଚାଷ କରୁଛନ୍ତି ଓ ଖୁସିରେ ଅଛନ୍ତି। ଚାଷ କରି ନିଜ ପରିବାର ପୋଷିବା ସହିତ ୧୫ ଜଣ ଲୋକଙ୍କୁ ମଧ୍ୟ କର୍ମ ସଂସ୍ଥାନ ଦେଇଛନ୍ତି। ନିଜ ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ଗଣା ହେଉଥିବା ଏହି […]

banana1

banana1

Jitendra Garnayak
  • Published: Sunday, 03 November 2019
  • Updated: 03 November 2019, 04:41 PM IST

Sports

Latest News

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଲୋକେ ଚାଷବାସ ଛାଡ଼ି ଚାକିରି ପଛରେ ଗୋଡ଼ାଉ ଥିବା ବେଳେ ସେ ଚାକିରି ଛାଡ଼ି ଚାଷବାସରେ ମାତିଛନ୍ତି। ପୁଣି ବର୍ଷେ କି ଦୁଇ ବର୍ଷ ନୁହେଁ, ଗଲା ୨୦ ବର୍ଷ ହେଲା ସେ ଚାଷ କରୁଛନ୍ତି ଓ ଖୁସିରେ ଅଛନ୍ତି। ଚାଷ କରି ନିଜ ପରିବାର ପୋଷିବା ସହିତ ୧୫ ଜଣ ଲୋକଙ୍କୁ ମଧ୍ୟ କର୍ମ ସଂସ୍ଥାନ ଦେଇଛନ୍ତି। ନିଜ ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ଗଣା ହେଉଥିବା ଏହି ବ୍ୟକ୍ତିଙ୍କ ନାଁ ଗଣେଶ୍ୱର ନାୟକ। ତାଙ୍କ ଘର ଅନୁଗୋଳ ଜିଲ୍ଲା ନନ୍ଦପୁର ଗାଁରେ।

ଗଣେଶ୍ୱରଙ୍କ ଚାଷ ଜମି ରହିଛି ଗାଁଠାରୁ ଦୂର ଡିମିରିପାଳରେ। ଯେଉଁ ଜାଗାରେ ସେ ଗଲା ୨୦ ବର୍ଷ ହେଲା ସୁନାର ଫସଲ ଫଳାଉଛନ୍ତି, ତାହା ଦିନେ କେବଳ ପାହାଡିଆ ଓ ଟାଙ୍ଗରା ଭୂଇଁ ଥିଲା। ସେଥିପାଇଁ ତାଙ୍କୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ିଛି। ହେଲେ ଚାଷ କରି ଭଲରେ ରହିବା ନିଶା ଆଗରେ ଏ ପରିଶ୍ରମ ତାଙ୍କ ପାଇଁ ତୁଚ୍ଛ ହୋଇଯାଇଛି। ଏଠାରେ ପ୍ରାୟ ୧୦ ଏକାର ଜମିରେ ସେ ବାଇଗଣ, ପୋଟଳ, ଭେଣ୍ଡି,ଟମାଟୋ, ଝୁଡ଼ଙ୍ଗ ଓ କୋବି ଆଦି ପନିପରିବା କରିବା ସହିତ କଦଳୀ ଚାଷ ବି କରୁଛନ୍ତି। ତା’ସହିତ ଏବେ ୩୦୦ଟି ଆମ୍ବ ଗଛ ମଧ୍ୟ ଲଗାଇଛନ୍ତି। ପାହାଡ଼ ତଳେ ଗଣେଶ୍ୱରଙ୍କ ଏହି ପନିପରିବା ବଗିଚା ଦେଖିଲେ ଆପଣଙ୍କ ଆଖି ଖୋସି ହୋଇଯିବ।

ଗଣେଶ୍ୱର କହିଛନ୍ତି, “ଚକବନ୍ଦୀରେ ଚାକିରି କରିଥିଲି। ହେଲେ ଚାଷବାସ ପ୍ରତି ମୋର ଏକ ବିଶେଷ ଆକର୍ଷଣ ଥିଲା। ଚାଷ କରି କେମିତି ଖୁସିରେ ରହିବି, ସେ କଥା ସବୁବେଳେ ଚିନ୍ତା କରୁଥିଲି। ତେଣୁ ଚାକିରି ଛାଡ଼ି ଦେଲି ଓ ଚାଷ ଆରମ୍ଭ କଲି। ୨୦ ବର୍ଷ ହେଲାଣି ଡିମିରିପାଳରେ ଆସି ରହିଛି ଓ ଚାଷ କରୁଛି। ମୁଁ ଖୁସି ଅଛି ଓ ମୋ ପରିବାର ବି ଖୁସି ଅଛି।”

ଚାଷକୁ ନିଜ ଜୀବନର ବ୍ରତ ରୂପେ ଗ୍ରହଣ କରିଥିବା ଗଣେଶ୍ୱର ଫସଲକୁ ଜଙ୍ଗଲୀ ଜନ୍ତୁ ଓ ହାତୀଙ୍କ କବଳରୁ ରକ୍ଷା କରିବା ପାଇଁ ଜମି ଚାରିପଟେ ସୋଲାର ଫେନ୍‌ସିଂ କରିଛନ୍ତି। ପାରମ୍ପରିକ ଚାଷ ଶୈଳୀ ସହ ସେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର ମଧ୍ୟ କରୁଛନ୍ତି। ଏବେ ଏ କାର୍ଯ୍ୟରେ ତାଙ୍କୁ ତାଙ୍କର ତିନି ପୁଅ ସାହାଯ୍ୟ କରୁଛନ୍ତି। ସେମାନେ ସମସ୍ତେ ଶିକ୍ଷିତ ହୋଇଥିଲେ ବି ଚାକିରି ପଛରେ ନଗୋଡ଼ାଇ ଚାଷ କାମରେ ମନ ଦେଇଛନ୍ତି।

ଗଣେଶଙ୍କ ପୁଅ ଉପେନ୍ଦ୍ର ନାୟକ କହିଛନ୍ତି, “୨୦ ବର୍ଷ ହେଲାଣି ମୋ ବାପା ଚାଷ କରୁଛନ୍ତି। ସେ ଚାଷ କରି ବେଶ୍ ଖୁସିରେ ଅଛନ୍ତି। ତେଣୁ ଆମେ ବି ଚାଷ କରିବାକୁ ମନ କରିଛୁ। କାହିଁକି କାହା ପାଖରେ ଯାଇ ଚାକିରି କରିବୁ ବା କାହା ଅଧୀନରେ ରହିବୁ, ଏଠି ନିଜ ଜମିରେ ନିଜ ଚାଷ କରିବୁ ଓ ସ୍ୱାଧୀନତାରେ ଚଳିବୁ। ଏବେ ଆମେ ଚାଷରେ ଆଧୁନିକ ଜ୍ଞାନ କୌଶଳର ମଧ୍ୟ ବ୍ୟବହାର କରୁଛୁ।”

କୁହାଯାଏ, ‘ଚାଷ କାମ ଯାହାର, କେଡ଼େ ସୁଖ ତାହାର’। ଗଣେଶ୍ୱରଙ୍କୁ ଦେଖିଲେ ଏହାର ମର୍ମ ବୁଝି ହୁଏ। ସେହିଭଳି ଆଜିର ସମୟରେ ଲୋକେ ଚାଷରୁ ମୁହଁ ଫେରାଇ ନେଉଥିବା ବେଳେ ଗଣେଶ୍ୱର ତାଙ୍କ ଅଞ୍ଚଳବାସୀଙ୍କ ସହିତ ପୂରା ଯୁବ ସମାଜ ପାଇଁ ଉଦାହରଣ ସାଜିଛନ୍ତି। କାରଣ ସେ ସ୍ୱାବଲମ୍ବୀ ହେବା ଉପରେ ଗୁରୁତ୍ୱ ଦେଇଥା’ନ୍ତି। ଆଉ ଏହାକୁ ଆଧାର କରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos