ସରୁନି ଶରତର ଦୁଃଖ; ଭଗବାନ ଦୁଃଖ ଦେଲେ ହେଲେ କାନ୍ଦିବାକୁ ଆଖି ଦେଲେନି

କାମାକ୍ଷାନଗର(ବିଦ୍ୟାଧର ବରାଳ): ଭଗବାନଙ୍କ ସୃଷ୍ଟି ଭାରି ବିଚିତ୍ର । କାହା ଚଲା ପାଦରେ ସୁଖ ଅଜାଡ଼ି ଦେଉଛନ୍ତି ତ  ଜନ୍ମ ହେଉ ହେଉ କାହା ଉପରେ ଲଦି ଦେଇଛନ୍ତି ଦୁଃଖର ପାହାଡ଼ । ଏପରି ଜଣେ ହତଭାଗା ୭ ବର୍ଷର ନିଷ୍ପାପ ଶିଶୁ ହେଉଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆମ୍ବପଳାଶ ଗାଁର ବାଲିଜୁରୀ ସାହିର ଶରତ କୁଲଡି  । ଜନ୍ମରୁ ଦୁନିଆର ଆଲୋକ ଦେଖିନି ଶରତ। ସେତିକିରେ ସରିନି ଦୁଃଖ । ବର୍ଷକର ହେବା ବେଳେ […]

sarat with father

Niharika Rout
  • Published: Friday, 10 December 2021
  • , Updated: 10 December 2021, 09:50 AM IST

କାମାକ୍ଷାନଗର(ବିଦ୍ୟାଧର ବରାଳ): ଭଗବାନଙ୍କ ସୃଷ୍ଟି ଭାରି ବିଚିତ୍ର । କାହା ଚଲା ପାଦରେ ସୁଖ ଅଜାଡ଼ି ଦେଉଛନ୍ତି ତ  ଜନ୍ମ ହେଉ ହେଉ କାହା ଉପରେ ଲଦି ଦେଇଛନ୍ତି ଦୁଃଖର ପାହାଡ଼ । ଏପରି ଜଣେ ହତଭାଗା ୭ ବର୍ଷର ନିଷ୍ପାପ ଶିଶୁ ହେଉଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆମ୍ବପଳାଶ ଗାଁର ବାଲିଜୁରୀ ସାହିର ଶରତ କୁଲଡି  ।

ଜନ୍ମରୁ ଦୁନିଆର ଆଲୋକ ଦେଖିନି ଶରତ। ସେତିକିରେ ସରିନି ଦୁଃଖ । ବର୍ଷକର ହେବା ବେଳେ ମୁଣ୍ଡ ଉପରୁ ଉଠିଗଲା ମା’ର ପରସବୋଳା ହାତ । ଭଗବାନ ଦୁଃଖର ଅସରନ୍ତି ଭଣ୍ଡାର ଦେଇଦେଲେ, ହେଲେ କାନ୍ଦିବାକୁ ଆଖିବି ଦେଲେନି।  ଜୀବନ ସିନା ଅଛି ହେଲେ  ଅନ୍ଧକାର ଭିତରେ ହଜି ଯିବାକୁ ବସିଲାଣି  ଏହି ନିଷ୍ପାପ ଶିଶୁର ଭବିଷ୍ୟତ । ୭ ବର୍ଷର ଏହି ଦୃଷ୍ଟିହୀନ ଶିଶୁ ଆଜି ବଞ୍ଚିବା ପାଇଁ ରାହା ଖୋଜୁଛି ।  ନା ସମାଜରେ  ଛିଡ଼ା କରାଇବାକୁ ଅଛି ବାପାର ସାମର୍ଥ୍ୟ ନା ଦୁଃଖ ଶୁଣୁଛି ସରକାର।

ବାଲିଜୁରୀ ସାହିର ଲାଲମୋହନ କୁଲଡି ଓ ଶୁଶିଳା କୁଲଡିଙ୍କ ୭ ବର୍ଷର ପୁଅ ଶରତ କୁଲଡି । ଜନ୍ମରୁ ଅନ୍ଧ । ଦେଖିପାରୁନି ଦୁନିଆର ଆଲୋକ ।  ହେଲେ ବେଶ୍‌ ଗେହ୍ଲାରେ ବଢ଼ାଇଥିଲେ ବାପାମା’ । ହେଲେ ତାହାବି ସହିଲାନି ଦଇବ । ଶରତ ବର୍ଷକର ହୋଇଥିବା ବେଳେ ମା’କୁ ଛଡ଼ାଇ ନେଲେ ଭଗବାନ । ସେବେଠୁ ଶରତ ପାଇଁ ଉଭୟ ବାପାମା’ ସାଜିଛନ୍ତି ଲାଲମୋହନ । ହେଲେ ପିଛା ଛାଡ଼ୁନି ଦାରିଦ୍ର୍ୟ।

[caption id="attachment_697925" align="aligncenter" width="650"] ଶରତକୁ ଖୋଇ ଦେଉଛନ୍ତି ଲାଲମୋହନ ।[/caption]

ମୂଲ ଲାଗିଲେ ପରିବାର ଚଳାନ୍ତି ଲାଲମୋହନ ।  ଗରିବର କୋଠରାଘାତ ଯୋଗୁ ଛୁଆକୁ ଭଲ  ମୁଠେ ଖାଇବାକୁ ଦେଇ ପାରୁନାହାନ୍ତି  । ତାଙ୍କ ଉପରେ ନ୍ୟସ୍ତ ଛୁଆର ସମସ୍ତ ଦାୟିତ୍ୱ। ଛୁଆ ପାଇଁ ସେ ହିଁ ଉଭୟ ବାପାମା’ ।  ଛୁଆକୁ ସାହି ପଡ଼ିଶାଙ୍କ ଭରସାରେ ଛାଡ଼ି ଖଟିବାକୁ ଯାଉଛନ୍ତି। ଯେଉଁ ଦିନ ଯାଇପାରୁ ନାହାନ୍ତି ସେଦିନ ବାପପୁଅ ଉପାସରେ ରହୁଛନ୍ତି।

ପୁଅକୁ ପାଠ ଦି ଅକ୍ଷର ପଢ଼ାଇବାକୁ ଇଚ୍ଛା ଥିଲେ ବି ସମ୍ବଳ ନାହିଁ ବୋଲି କୋହଭରା କଣ୍ଠରେ କହିଛନ୍ତି ଲାଲମୋହନ । ସରକାରଙ୍କ ତରଫରୁ କୌଣସି ସାହାଯ୍ୟ ମିଳୁ ନ ଥିବା ବେଳେ ଅନ୍ଧ ପୁଅକୁ ନେଇ ଚଳିବା ଖୁବ୍‌ କଷ୍ଟକର ହୋଇପଡ଼ୁଛି। ତେଣୁ ସରକାର କିଛି ସାହାଯ୍ୟ ନ କଲେ ବାପପୁଅ ଜୀବନ ହାରିବୁ ବୋଲି କହିଛନ୍ତି  ଲାଲମୋହନ ।

ଅପରପକ୍ଷେ, ପାଠ ପଢ଼ିବା ଲାଗି ଖୁବ୍‌ ଇଚ୍ଛା ଥିବା କହିଛନ୍ତି ଶରତ । ହେଲେ ମା’ ମରି ଯାଇଥିବା ବେଳେ ବାପାର କଷ୍ଟକୁ ଛୋଟ ବୟସରୁ ସେ ବି ହୃଦୟଙ୍ଗମ କରିପାରିଛି। ତେଣୁ ଅଝଟ ନ ହୋଇ ବାପା କଥାରେ ଖୁସିରେ ଖୁସିରେ ରାଜି ହୋଇଯାଉଛି ଶରତ ।  ବାପା ଦେଲେ ଖାଉଛି, ନ ଦେଲେ ବି କରୁନି ଅଳି। ବାପା ସହ ପାଣି ପିଇ ଭୋକିଲା ପେଟରେ ଶୋଇପଡ଼ୁଛି। ଭୋକର ଜ୍ୱଳା କଷ୍ଟ ଦେଲେ ବି ବାପପୁଅ ନିଜ ଦୁଃଖକୁ ନିଜ ଭିତରେ ଚାପି କାଟୁଛନ୍ତି ଜୀବନ ।

[caption id="attachment_697926" align="aligncenter" width="650"] ସାଙ୍ଗଙ୍କ ସହ ଖେଳୁଛି ଶରତ ।[/caption]

ତାଙ୍କ ଦୁଃଖ ପ୍ପ୍ରତି ନା ପ୍ରଶାସନ କର୍ଣ୍ଣପାତ କରୁଛି ନା ସ୍ଥାନୀୟ ସରପଞ୍ଚ କଷ୍ଟକୁ ବୁଝି ପାରୁଛନ୍ତି । ବାରମ୍ବାର ସ୍ଥାନୀୟ ସରପଞ୍ଚ ଉର୍ମିଳା ମହାପାତ୍ରଙ୍କୁ ଗୁହାରି ଜଣେଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । କେବଳ ମିଥ୍ୟା ପ୍ରତିଶ୍ରୁତି ମିଳୁଛି  ବୋଲି କ୍ଷୋଭଭରା କଣ୍ଠରେ କହିଛନ୍ତି ଲାଲମୋହନ ।

ତୁରନ୍ତ ଏହି ବାପପୁଅଙ୍କୁ ସାହାଯ୍ୟ ଯୋଗାଇବା ସହ ଶରତ ପାଇଁ ପାଠପଢ଼ା ବ୍ୟବସ୍ଥା କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ସାହିପଡ଼ିଶା।  ଏନେଇ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେ ଏ ସମ୍ପର୍କରେ ଅବଗତ ନାହାନ୍ତି। ତୁରନ୍ତ ଉଭୟ ବାପପୁଅଙ୍କୁ ସାହାଯ୍ୟ ଯୋଗାଇଦେବାକୁ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Related story