ବଜେଟ୍‌ର କିଛି ଜଣାଅଜଣା କଥା

AmrendraDas
ଡ଼ଃ ଅମରେନ୍ଦ୍ର ଦାସ

ଳିତ ଆର୍ଥିକ ବର୍ଷର ବଜେଟ୍‌ ଆସନ୍ତା ଜୁଲାଇ ୫ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏହି ଅବସରରେ ବଜେଟ୍‌ ଉପରେ କିଛି ଜଣାଅଜଣା ତଥ୍ୟ ଏଠାରେ ଉପସ୍ଥାପନ କରାଯାଉଛି।

ଭାରତୀୟ ସମ୍ବିଧାନର ଧାରା ୨୬୬ ଅନୁସାରେ ଭାରତ ସରକାରଙ୍କ ଦ୍ୱାରା ଅର୍ଜିତ ହେଉଥିବା ସମସ୍ତ ରାଜସ୍ୱ Consolidated Fund of India (CFI )ରେ ଜମା ହୁଏ। ସରକାରଙ୍କର ଦୈନଦିନ ଖର୍ଚ୍ଚ ପାଇଁ ପ୍ରତ୍ୟେକଟି ଟଙ୍କା CFIରୁ ହିଁ ଆସିଥାଏ। କିନ୍ତୁ ଧାରା ୨୬୬ ଏହା ମଧ୍ୟ ଉଲ୍ଲେଖ କରେ ଯେ CFIରୁ ଗୋଟିଏ ବି ଟଙ୍କା ପାର୍ଲିଆମେଣ୍ଟର ବିନା ଅନୁମୋଦନରେ ଖର୍ଚ୍ଚ ହୋଇ ପାରିବ ନାହିଁ। ଏଥିପାଇଁ ସମ୍ବିଧାନର ଧାରା ୧୧୨ ଉଲ୍ଲେଖ କରିଛି ଯେ ରାଷ୍ଟ୍ରପତି ସଂସଦରେ ପ୍ରତ୍ୟେକ ବର୍ଷର ସମଗ୍ର ଆୟ ଓ ବ୍ୟୟର ଏକ ବାର୍ଷିକ ବିବରଣୀ ଉପସ୍ଥାପନ କରାଇବା ପାଇଁ ବ୍ୟବସ୍ଥା କରାଇବେ।

ଯଦି କୌଣସି ସରକାରଙ୍କର କାର୍ଯ୍ୟକାଳ ନୂଆ ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ ସରିଯାଏ, ସେହି କ୍ଷେତ୍ରରେ ଏକ କାମ ଚଳା ବଜେଟ୍‌ ଉପସ୍ଥାପନ ହୋଇଥାଏ। ପୁନଶ୍ଚ ନୂଆ ସରକାର ଆସିବା ପରେ ଏକ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଥା’ନ୍ତି। ସାଧାରଣତଃ କାମଚଳା ବଜେଟ୍‌ରେ ବ୍ୟୟ ବରାଦ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥାଏ ଏବଂ ରାଜସ୍ୱ ସଂଗ୍ରହ ବା କର ନୀତିନିୟମ ଉପରେ ବିଶେଷ ଆଲୋଚନା ହୋଇ ନଥାଏ। କିନ୍ତୁ ଏହି ବ୍ୟତିକ୍ରମ ଫେବୃଆରୀ ୧, ୨୦୧୯ କାମଚଳା ବଜେଟ୍‌ରେ ଦେଖିବାକୁ ମିଳିଥିଲା। କାମଚଳା ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ କାମଚଳା ବଜେଟ୍‌ ଉପସ୍ଥାପନ ସମୟରେ ମଧ୍ୟ ଆୟକରରେ କିଛିଟା ପରିବର୍ତ୍ତନ ଘୋଷଣା କରିଥିଲେ।

ବଜେଟ୍‌ ଶବ୍ଦଟି ଫରାସୀ ଶବ୍ଦ Bougetteରୁ ଉତ୍ପତି ହୋଇଛି, ଯାହାର ଅର୍ଥ ହେଉଛି ଚମଡ଼ା ବ୍ୟାଗ୍‌। ଅଷ୍ଟାଦଶ ଶତାବ୍ଦୀରେ ଫରାସୀ କୋଷାଧିପତି ସାଧାରଣତଃ ବାର୍ଷିକ ଆର୍ଥିକ ବିବରଣୀକୁ ଏକ ଚମଡ଼ା ବ୍ୟାଗ୍‌ ଭିତରେ ନେବାର ପରମ୍ପରା ଥିଲା ଏବଂ ବଜେଟ୍‌ ଉପସ୍ଥାପନାକୁ ବଜେଟ୍‌ ଉନ୍ମୋଚନ ବା ଚମଡ଼ା ବ୍ୟାଗ୍ ଉନ୍ମୋଚନ ବୋଲି କୁହା ଯାଉଥିଲା। ସେହି ପରମ୍ପରା କ୍ରମେ ସରକାରଙ୍କର ବାର୍ଷିକ ଆର୍ଥିକ ବିବରଣୀ ଉପସ୍ଥାପନାକୁ ବଜେଟ୍‌ ବୋଲି କୁହାଯାଉଛି।

କୌଟିଲ୍ୟଙ୍କ ରଚିତ ଅର୍ଥଶାସ୍ତ୍ରରେ ରାଜକୋଷର ଆର୍ଥିକ ବିବରଣୀ ରଖିବାର ଦାୟିତ୍ୱ କୋଷାଧ୍ୟକ୍ଷଙ୍କ ଉପରେ ନ୍ୟସ୍ତ କରାଯାଇଛି ଏବଂ ଏଥିରେ ତାଙ୍କର ସମସ୍ତ କର୍ତ୍ତବ୍ୟ ଉଲ୍ଲେଖ ରହିଛି। କୋଷାଧ୍ୟକ୍ଷ ବାର୍ଷିକ (୩୫୪ ଦିନ) ରାଜସ୍ୱ, ଆୟ ଓ ବ୍ୟୟ, ରାଜାଙ୍କ ଆଗରେ ଉପସ୍ଥାପନ କରିବାର ବର୍ଣ୍ଣନା ରହିଛି।

ଇଂରେଜ ଶାସିତ ଭାରତରେ ଫେବୃଆରୀ ୧୮, ୧୮୬୦ ରେ James Wilson ପ୍ରଥମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବାର ତଥ୍ୟ ରହିଛି। ଦେଶ ସ୍ୱାଧୀନତା ପୂର୍ବରୁ ଲିଆକତ ଅଲ୍ଲୀ ଖାନ ୧୯୪୬ ମସିହା ଫେବୃୟାରୀ ୨ ରେ ଅବିଭକ୍ତ ଭାରତ ପାଇଁ ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିଥିଲେ। ମହମ୍ମଦ ଅଲ୍ଲୀ ଜିହ୍ନାଙ୍କର ମୃତ୍ୟୁ ପରେ ୧୯୪୮ ମସିହାରେ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୪୭ ଅଗଷ୍ଟ ୧୫ ରେ ଭାରତ ବିଭାଜିତ ହୋଇ ଭାରତ ଓ ପାକିସ୍ତାନ ହେଲା ପରେ ଦୁଇ ଦେଶରେ ଦୁଇଟି ସ୍ୱତନ୍ତ୍ର ବଜେଟ୍‌ ଉପସ୍ଥାପିତ ହେଲା।

ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଶିଳ୍ପପତି ଓ ପୂର୍ବତନ କୋଚିନ ରାଜ୍ୟର ଦେୱାନ ତଥା ଜଷ୍ଟିସ୍‌ ଦଳର ସଦସ୍ୟ ସାର୍‌ ରାମସ୍ଵାମୀ ଚେଟି କନ୍ଦାସାମୀ ସନମୁଖନ ଚେଟି ନଭେମ୍ବର ୨୬, ୧୯୪୭ ମସିହାରେ ସାଢ଼େ ସାତ ମାସ ପାଇଁ ବଜେଟ୍‌ ଉପସ୍ଥାପନ କରିଥିଲେ। ପ୍ରଥମରୁ ହିଁ ସାଧାରଣ ବଜେଟ୍‌ ପୂର୍ବରୁ ରେଳ ବିଭାଗର ସ୍ୱତନ୍ତ୍ର ବଜେଟ୍‌ ଉପସ୍ଥାପନ ହୋଇଥିଲା। ରେଳ ମନ୍ତ୍ରୀ ଜନ୍‌ ମାଥାଇ ନଭେମ୍ବର ୨୦ ତାରିଖରେ ରେଳ ବଜେଟ୍‌ ଉପସ୍ଥାପନ କରିଥଲେ ଓ ସାଧାରଣ ବଜେଟ ନଭେମ୍ବର ୨୬ ତାରିଖରେ ଉପସ୍ଥାପନ କରାଯାଇଥିଲା। ପ୍ରଥମ ବଜେଟ୍‌ରେ ମୁଖ୍ୟତଃ ଦେଶ ବିଭାଜନ ପରର ସମସ୍ୟା ଗୁଡ଼ିକ କେମିତି ସମାଧାନ ହୋଇ ପାରିବ ତା’ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ସାଧାରଣ ବଜେଟ୍‌ରେ ମୋଟ ୧୭୧.୧୫ କୋଟିର ରାଜସ୍ୱ ଆୟ ଆକଳନ କରାଯାଇଥିଲା ଏବଂ ୧୯୭.୩୯ କୋଟିର ରାଜସ୍ୱ ବ୍ୟୟ ଆକଳନ କରାଯାଇଥିଲା। ଏହିପରି ଭାବରେ ମୋଟ ୨୬.୨୪ କୋଟି ଟଙ୍କାର ରାଜସ୍ୱ ନିଅଣ୍ଟ ଆକଳନ କରାଯାଇଥିଲା।

୧୯୫୦-୫୧ ମସିହା ପାଇଁ ୩୪୭.୫ କୋଟିର ଆକଳନ କରାଯାଇଥିଲା ଏବଂ ୩୩୭.୮୮ କୋଟିର ବ୍ୟୟ ବରାଦ ହୋଇଥିଲା। ଏହିପରି ଭାବରେ ୯.୬୨ କୋଟିର ବଳକା ରାଜସ୍ୱ ଆକଳନ କରାଯାଇଥିଲା।୧୯୫୦ ମସିହାରୁ ଆରମ୍ଭ କରି ୧୯୭୮-୭୯ ମସିହା ମଧ୍ୟରେ ଦୁଇ ବର୍ଷକୁ ଛାଡ଼ି ଦେଲେ (୧୯୫୮-୫୯ ଓ ୧୯୭୧-୭୨) କେନ୍ଦ୍ର ସରକାର ରାଜସ୍ୱ ବଳକା ବଜେଟ୍‌ ଉପସ୍ଥାପନ କରିଥିଲେ। ୧୯୭୯-୮୦ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ନିଅଣ୍ଟିଆ ବଜେଟ୍ ଉପସ୍ଥାପନ କରି ଆସୁଛନ୍ତି। ଏହି ନିଅଣ୍ଟ ୧୯୭୯-୮୦ ରେ ଦେଶର ମୋଟ ଘରୋଇ ଉତ୍ପାଦର ୦.୫୫ ପ୍ରତିଶତରୁ ବଢ଼ି ବଢ଼ି ୨୦୦୯-୧୦ ବେଳକୁ ସର୍ବାଧିକ ୫.୨୩ ପ୍ରତିଶତରେ ପହଞ୍ଚିଥିଲା। ଏହି ନିଅଣ୍ଟିଆ ପରିସ୍ଥିତିକୁ ମୁକାବିଲା କରିବାକୁ ଯାଇ କେନ୍ଦ୍ର ସରକାର ୨୦୦୩ ମସିହାରେ ରାଜକୋଷୀୟ ଉତ୍ତରଦାୟିତ୍ୱ ଏବଂ ବଜେଟ୍‌ ପ୍ରବନ୍ଧନ ଅଧିନିୟମ (Fiscal Responsibility and Budget Management Act) ଆଣିଲେ ଏବଂ ସମସ୍ତ ରାଜ୍ୟସରକାରଙ୍କୁ ମଧ୍ୟ ଏହି ଅଧିନିୟମ ଆଣିବା ପାଇଁ ପ୍ରବର୍ତାଇଲେ। ଏହି ଅଧିନିୟମ ସତ୍ତ୍ୱେ କେନ୍ଦ୍ର ସରକାର ରାଜସ୍ୱ ନିଅଣ୍ଟକୁ ରୋକିବାରେ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହାନ୍ତି। ଅନ୍ୟ ପକ୍ଷରେ ଅନେକ ରାଜ୍ୟ ସରକାର ଏହି ଦିଗରେ ସଫଳ ହୋଇଛନ୍ତି ଏବଂ ବଳକା ରାଜସ୍ୱ ସ୍ଥିତି ଆଣିବାରେ ସଫଳ ହୋଇଛନ୍ତି।

୧୯୭୯-୮୦ ଠାରୁ କେନ୍ଦ୍ର ସରକାରଙ୍କର ରାଜସ୍ୱ ନିଅଣ୍ଟ ବଜେଟ୍‌ ହେବା ପଛରେ ସପ୍ତମ କେନ୍ଦ୍ର ଅର୍ଥ ଆୟୋଗଙ୍କର ସୁପାରିଶ ମଧ୍ୟ ଅନ୍ୟ ଏକ କାରଣ। ସପ୍ତମ ଅର୍ଥ ଆୟୋଗ ତୁଳନାତ୍ମକ ଭାବରେ ରାଜ୍ୟମାନଙ୍କୁ ଅଧିକ ଅଧିକ ଅର୍ଥ ବରାଦ କରିବା ପାଇଁ ସୁପାରିଶ କରିଥିଲେ। ରାଜସ୍ୱ ନିଅଣ୍ଟ ବଢ଼ିବାର ଅନ୍ୟ କାରଣ ମଧ୍ୟରେ ଜନମଙ୍ଗଳକାରୀ ରାଷ୍ଟ୍ର ସଜ୍ଞାର ଲୋକପ୍ରିୟତା ଓ କେନ୍ଦ୍ର ସରକାରଙ୍କ ଉପରେ ସାଧାରଣ ନାଗରିକଙ୍କର କ୍ରମବର୍ଦ୍ଧିତ ଆଶା ଆକାଂକ୍ଷା ବିଶେଷ ଭାବରେ ଦାୟୀ। ତତ୍‌ ସଙ୍ଗେ ସଙ୍ଗେ ରାଜ୍ୟ ସରକାରଙ୍କ ତୁଳନାରେ କେନ୍ଦ୍ର ସରକାରଙ୍କ ପାଖରେ ମୁଦ୍ରାସ୍ଫିତି ନିୟନ୍ତ୍ରଣ, ଆମଦାନୀ-ରପ୍ତାନି, ନିଯୁକ୍ତି ସୁଯୋଗ ତିଆରି କରିବା ଓ ସୀମା ସୁରକ୍ଷା ଭଳି ଅନେକ ଗୁରୁ ଦାୟିତ୍ୱ ରହିଛି।

ବ୍ରିଟିଶ ପରମ୍ପରାକୁ ବଜାୟ ରଖି ୧୯୯୯ ମସିହା ପର୍ଯ୍ୟନ୍ତ କେନ୍ଦ୍ର ବଜେଟ ଫେବୃୟାରୀ ମାସ ଶେଷ କାର୍ଯ୍ୟ ଦିବସରେ ସନ୍ଧ୍ୟା ୫ଟା ବେଳେ ଉପସ୍ଥାପନ କରାଯାଉଥିଲା। ଅଟଳ ବିହାରୀ ବାଜପାୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ତତ୍କାଳୀନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ଏହି ପରମ୍ପରାକୁ ବଦଳାଇ ସକାଳ ୧୧ ଘଟିକା ସମୟରେ ଉପସ୍ଥାପନ କରିଥିଲେ। ପୁନଶ୍ଚ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ୨୦୧୭ ମସିହାରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରେଳ ବଜେଟ୍‌ ଓ ସାଧାରଣ ବଜେଟର ମିଶ୍ରଣ କରାଇ ଫେବୃୟାରୀ ୧ରେ ଗୋଟିଏ ସାଧାରଣ ବଜେଟ୍ ଉପସ୍ଥାପନ କଲେ।

ବଜେଟ କେବଳ ସରକାରଙ୍କର ରାଜସ୍ୱ ଓ ବ୍ୟୟ ଆକଳନର ଚିଠା ନୁହେଁ, ବରଂ ବଜେଟରୁ ସରକାରଙ୍କର ଆର୍ଥିକ ନୀତି ସ୍ପଷ୍ଟ ପ୍ରତିଫଳନ ହୁଏ। ଯୋଜନା ଆୟୋଗର ଅପସାରଣ ପରେ କେନ୍ଦ୍ର ସରକାରଙ୍କର ଆର୍ଥିକ ନୀତି ଜାଣିବା ପାଇଁ ବଜେଟ ଏକମାତ୍ର ଗୁରୁତ୍ୱପୂର୍ଣ ଦସ୍ତାବିଜ ହୋଇଯାଇଛି। ତେଣୁ ନୂଆ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍‌ରେ କେଉଁ ଆର୍ଥିକ ନୀତି ପ୍ରତିଫଳିତ ହେବ, ତାହା ଦେଖିବାକୁ ଏବେ ସମସ୍ତେ ଅପେକ୍ଷା କରିଛନ୍ତି।

ଡ଼ଃ ଅମରେନ୍ଦ୍ର ଦାସ
ପ୍ରାଧ୍ୟାପକ, ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର), ଭୁବନେଶ୍ୱର