ଲୋକେ ଗାଈକୁ କୁଣ୍ଢେଇବା ପାଇଁ ଦେଉଛନ୍ତି ୫ହଜାର ଟଙ୍କା

ନ୍ୟୁୟର୍କ: ହିନ୍ଦୁ ଧର୍ମରେ ଗାଈକୁ ପୂଜା କରାଯାଏ। କୁହାଯାଏ, ଗାଈ ଦେହରେ ୩୩ କୋଟି ଦେବୀଦେବତା ବାସ କରନ୍ତି। ତେଣୁ ଗାଈକୁ ‘ଗୋମାତା’ ବୋଲି ସମ୍ବୋଧନ କରାଯାଏ। ବିଶ୍ୱାସ ରହିଛି, ଗାଈର ସେବା କଲେ ପୂଣ୍ୟ ମିଳେ। ତେବେ ଜାଣିଛନ୍ତି, ଗାଈ ସହିତ ସମୟ ବିତାଇଲେ ଚିନ୍ତା ଦୂର ହୁଏ ଓ ମାନସିକ ଶାନ୍ତି ବି ମିଳେ। ଆଉ ସେଥିପାଇଁ ଏବେ ଆମେରିକାରେ ଲୋକେ ଟଙ୍କା ଖର୍ଚ୍ଚ କରି ଗାଈ ସହିତ ସମୟ ବିତାଉଛନ୍ତି। ବ୍ୟସ୍ତ ବହୁଳ […]

cow

Chinmayee Roy
  • Published: Wednesday, 31 July 2019
  • , Updated: 31 July 2019, 12:14 PM IST

ନ୍ୟୁୟର୍କ: ହିନ୍ଦୁ ଧର୍ମରେ ଗାଈକୁ ପୂଜା କରାଯାଏ। କୁହାଯାଏ, ଗାଈ ଦେହରେ ୩୩ କୋଟି ଦେବୀଦେବତା ବାସ କରନ୍ତି। ତେଣୁ ଗାଈକୁ ‘ଗୋମାତା’ ବୋଲି ସମ୍ବୋଧନ କରାଯାଏ। ବିଶ୍ୱାସ ରହିଛି, ଗାଈର ସେବା କଲେ ପୂଣ୍ୟ ମିଳେ। ତେବେ ଜାଣିଛନ୍ତି, ଗାଈ ସହିତ ସମୟ ବିତାଇଲେ ଚିନ୍ତା ଦୂର ହୁଏ ଓ ମାନସିକ ଶାନ୍ତି ବି ମିଳେ। ଆଉ ସେଥିପାଇଁ ଏବେ ଆମେରିକାରେ ଲୋକେ ଟଙ୍କା ଖର୍ଚ୍ଚ କରି ଗାଈ ସହିତ ସମୟ ବିତାଉଛନ୍ତି।

ବ୍ୟସ୍ତ ବହୁଳ ଜୀବନର ଥକାପଣ ଦୂର କରିବା ପାଇଁ ଓ ମାନସିକ ଶାନ୍ତି ପାଇଁ ଲୋକମାନେ ନାନା ଉପାୟ ଆପଣେଇଥା’ନ୍ତି। ଏଥିପାଇଁ ୟୁରୋପରେ ଲୋକେ ଫାର୍ମରେ ପଶୁମାନଙ୍କ ସହିତ ସମୟ ବିତାନ୍ତି। ସେଠାରେ ଏହା ବହୁ ଦିନରୁ ଚଳି ଆସୁଛି। ଅନେକ ସର୍ଭେ ଅନୁଯାୟୀ, ପଶୁମାନଙ୍କ ସହ କିଛି ସମୟ ବିତାଇଲେ, ସେମାନଙ୍କୁ ଖୋଲା ହୃଦୟରେ ଟିକେ ଆଦର କଲେ ଓ ଟିକେ କୁଣ୍ଢେଇ ପକାଇଲେ ସମସ୍ତ ଚିନ୍ତା ଦୂର ହୋଇଥାଏ ଏବଂ ମାନସିକ ଶାନ୍ତି ମିଳିଥାଏ। ଆଉ ଆମେରିକାରେ ଏହି ପ୍ରଥା ଏବେ ଏବେ ଆରମ୍ଭ ହୋଇଛି। ଇୟୁରୋପରେ ଫାର୍ମଗୁଡ଼ିକରେ ଛୋଟ ଛୋଟ ପଶୁମାନଙ୍କୁ ରଖାଯାଉଥିବା ବେଳେ ନ୍ୟୁୟର୍କର ଏକ ଫାର୍ମରେ ଗାଈମାନଙ୍କୁ ବି ରଖାଯାଇଛି।

ନ୍ୟୁୟର୍କର ‘ମାଉଣ୍ଟେନ୍‌ ହାଉସ୍‌ ଫାର୍ମ’ ଲୋକମାନଙ୍କୁ ମାନସିକ ଶାନ୍ତି ପାଇଁ ଗାଈଙ୍କ ସହ ସମୟ ବିତାଇବାକୁ ଓ ସେମାନଙ୍କୁ କୁଣ୍ଡେଇବାକୁ ସୁଯୋଗ ଦେଉଛି। ଆଉ ଏଥିପାଇଁ ଫାର୍ମ ଘଣ୍ଟାକୁ ୭୫ ଡଲାର ଅର୍ଥାତ୍‌ ପାଖାପାଖି ୫,୧୦୦ ଟଙ୍କା ନେଉଛି। ଅର୍ଥାତ୍ ଲୋକେ ୫,୧୦୦ ଟଙ୍କା ପୈଠ କରି ଖୋଲା ଆକାଶ ତଳେ ଫାର୍ମର ମନୋରମ ପରିବେଶ ଭିତରେ ଗାଈ ସହ ଘଣ୍ଟାଏ ବିତାଇ ପାରିବେ।

https://www.instagram.com/p/BvVBp1OBHDZ/?utm_source=ig_web_copy_link

ତେବେ ଏନେଇ କିଛି କଟକଣା ବି ଅଛି। ଜଣେ ବ୍ୟକ୍ତି ଯେକୌଣସି ସମୟରେ ଯାଇ ଏ ଫାର୍ମରେ ଗାଈଙ୍କ ସହ ସମୟ ବିତାଇପାରିବେ ନାହିଁ। ଏଥିପାଇଁ ନିର୍ଦ୍ଦିଷ୍ଟ ସମୟ ରଖାଯାଇଛି। ଗାଈମାନଙ୍କର ଦିନଚର୍ଯ୍ୟାରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ, ସେଥିପାଇଁ ଏପରି ନିୟମ ରହିଛି।

ଫାର୍ମ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ସେମାନେ କୌଣସି ଚିଡ଼ିଆଖାନା ଚଳାଉ ନାହାନ୍ତି। ତେଣୁ ସେମାନେ ଏଭଳି କୌଣସି କାମ କରିବେ ନାହିଁ, ଯାହା ଗାଈମାନଙ୍କର ଦିନଚର୍ଯ୍ୟାରେ କୌଣସି ପ୍ରକାରର ଅସୁବିଧା ସୃଷ୍ଟି କରିବ। ଫାର୍ମକୁ ଆସୁଥିବା ସମସ୍ତ ଲୋକ ଏହା ହୃଦୟଙ୍ଗମ କରିବା ଉଚିତ୍‌ ଯେ ସେମାନେ ଟଙ୍କା ପାଇଁ ଗାଈ କିମ୍ବା ଅନ୍ୟ ପଶୁଙ୍କ ଶୋଷଣ କରୁ ନାହାନ୍ତି। ତେଣୁ ସେମାନଙ୍କୁ ଗାଈ ସହ ସମୟ ବିତାଇବାକୁ ହେଲେ ଫାର୍ମର ନିର୍ଦ୍ଧାରିତ ସମୟ ସୀମା ଭିତରେ ହିଁ ଆସିବାକୁ ପଡ଼ିବ।

Related story