ନୂଆଦିଲ୍ଲୀ: ଘରେ କିଛି ରୋଷେଇ କରିବାକୁ ମୁଡ୍ ନ ଥିଲେ, କିମ୍ୱା ଅତିଥି ଆସିଥିଲେ, ଆମେ ବାହାରୁ ଖାଇବା ଅର୍ଡର କରି ଦେଇଥାଉ। ଏହା ସ୍ପାଇସି ହେବା ସହ ପାଟିକୁ ମଧ୍ୟ ସୁସ୍ୱାଦୁ ଲାଗିଥାଏ। ଆଉ ଲୋକଙ୍କ ଏହି ମାନସିକତାକୁ ଦୃଷ୍ଟିରେ ରଖି ବହୁ ଫୁଡ୍ ସାଇଟ୍ ମଧ୍ୟ ଖୋଲି ଗଲାଣି। ଅର୍ଡର କରୁ କରୁ ଘରେ ପହଞ୍ଚାଇ ଦେଉଛନ୍ତି ଭଳିକି ଭଳି ଡିସ୍। ହେଲେ ଏହା ସ୍ୱାସ୍ଥ୍ୟ ପ୍ରତି କେତେ ହିତକର, ସେ ବିଷୟରେ କିଛି ଧାରଣା ଆପଣଙ୍କର ଅଛି କି?
ନିକଟରେ ହୋଇଥିବା ଏକ ସର୍ଭେ ଅନୁଯାୟୀ, ପ୍ରତି ବର୍ଷ ଭାରତରେ ପାଖାପାଖି ୧୫.୭୩ ଲକ୍ଷ ଲୋକ ଖରାପ ତଥା ନିମ୍ନମାନର ଖାଦ୍ୟ ଖାଇବା ଯୋଗୁ ମୃତ୍ୟୁମୁଖରେ ପଡୁଛନ୍ତି। ଏହି ତାଲିକାରେ ଚୀନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଭାରତ ନାଁରେ ଅଛି। ଚୀନରେ ପ୍ରତି ବର୍ଷ ୩୧.୨୮ ଲକ୍ଷ ଲୋକଙ୍କର ଏଥିଯୋଗୁ ମୃତ୍ୟୁ ହେଉଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭିଲାନ୍ସ ପ୍ରୋଗ୍ରାମ ଅନୁଯାୟୀ, ୨୦୦୮ରୁ ୨୦୧୭ ମସିହା ମଧ୍ୟରେ ଫୁଡ଼୍ ପଏଜନ୍ ସାଂଘାତିକ ରୂପ ଧାରଣ କରିଥିଲା। ୨୦୦୮ରୁ ୨୦୧୭ ମଧ୍ୟରେ ଫୁଡ ପଏଜନିଂର ମୋଟ ୨୮୬୭ଟି ମାମଲା ସାମ୍ନାକୁ ଆସିଥିଲା। ଏହି ସମୟ ମଧ୍ୟରେ ୪୩୬୧ଟି ଡାଇରିଆ ମାମଲା ବି ସାମ୍ନାକୁ ଆସିଥିଲା।
ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ନିମ୍ନମାନର ଖାଦ୍ୟ ଖାଇବା ଯୋଗୁ ପ୍ରତି ବର୍ଷ ଭାରତରେ ଅସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ବଢୁଥିବାରୁ ୧, ୭୮ , ୧୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡୁଛି। ୨୦୦୮ ମସିହାରୁ ଏହି ସମସ୍ୟା ବଢୁଥିବା ବେଳେ କମିବା ନାଁ ଧରୁନି।
ଏହାକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ ପ୍ରଣୟନ କରାଗଲା। ଏଥିରେ ଖାଦ୍ୟର ଗୁଣବତ୍ତା ଉପରେ ଧ୍ୟାନ ଦିଆଯିବାକୁ କଡ଼ାକଡ଼ି ନିୟମ କରାଯାଇଛି ।
ନିକଟରେ ହୋଇଥିବା ସର୍ଭେ ଅନୁଯାୟୀ, ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଅପେକ୍ଷା ଯେଉଁଠି ଏକତ୍ରିତ ଭାବେ ଅଧିକ ଖାଦ୍ୟ ପ୍ରସ୍ତୁତ ହେଉଛି, ସେଠାରେ ହିଁ ଖାଦ୍ୟରେ ଗୁଣବତ୍ତାର ମାନ କମ୍ ହେଉଛି। ମୁଖ୍ୟତଃ ବାହାଘର ଭୋଜି, ପ୍ରସାଦ, ହଷ୍ଟେଲ, ହୋଟେଲ, କ୍ୟାଟରିଂ ଆଦି ସ୍ଥାନରେ ପ୍ରସ୍ତୁତ ହେଉଥିବା ଖାଦ୍ୟର ଗୁଣବତ୍ତା ଠିକ୍ ନ ଥିବା ଜଣାଯାଇଛି। ଗତ ଜାନୁଆରୀ ୪ ତାରିଖରେ ଲୋକସଭାରେ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ କହିଲେ ଯେ, ଗତ ୩ ବର୍ଷ ମଧ୍ୟରେ ଦେଶରେ ଖାଦ୍ୟର ମାନ ଆହୁରି ତଳକୁ ଖସିଛି।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, ଫୁଡ ପଏଜନିଂ ଯୋଗୁ ସମଗ୍ର ବିଶ୍ୱରେ ପ୍ରାୟ ୨୦୦ରୁ ଅଧିକ ପ୍ରକାର ରୋଗ ହେଉଛି। ଏହା ମଧ୍ୟରେ ଡାଇରିଆରୁ ଆରମ୍ଭ କରି କ୍ୟାନସର ପର୍ଯ୍ୟନ୍ତ ରୋଗ ସାମିଲ ଅଛି। ବିଶ୍ୱରେ ପ୍ରାୟ ୬୦ କୋଟି ଲୋକ ପ୍ରତି ବର୍ଷ ଫୁଡ ପଏଜନିଂ କାରଣରୁ ବେମାର ପଡୁଛନ୍ତି। ଏଥିଯୋଗୁ ୫ ବର୍ଷରୁ କମ୍ ବୟସର ୧,୨୫,୦୦୦ ଛୁଆଙ୍କ ମୃତ୍ୟୁ ହୋଇଛି। ଫୁଡ ପଏଜନିଂର ପ୍ରକୋପ ମୁଖ୍ୟତଃ ଗରୀବ ଓ ଶାରୀରିକ ଭାବେ ଦୁର୍ବଳ ଥିବା ବ୍ୟକ୍ତିଙ୍କ ଉପରେ ଅଧିକ ପଡ଼ିଥାଏ। ଏହି ସମସ୍ୟାର ସମାଧାନ ଲାଗି କେହି ତତ୍ପରତା ପ୍ରକାଶ ନ କରିବା ସବୁଠୁ ଉଦ୍ବେଗର ବିଷୟ।