ଭୁବନେଶ୍ୱର (ତାପସ ରଞ୍ଜନ ବେହେରା): କିଏ ଗଢ଼ିଥିଲା ଏ ଭୂମେ ଏ କଳା ବିଶାଳ। କି ସାହସେ ନଦୀ ଗରଭେ ପୋତି ଏତେ ପଥର। କେଉଁ ତୁଙ୍ଗ ଗିରି କାଟି ସେ ଏ ବିଶାଳ ଶିଳା। କେଶନେ ବୋହିଲେ ଏ ଭୂମେ ଏ ତ’ ଶିଖରମାଳା...
ଉତ୍କଳର କଳା ଭାସ୍କର୍ଯ୍ୟର ଅନନ୍ୟ ନିଦର୍ଶନ ବହନ କରୁଥିବା କୋଣାର୍କର ସୂର୍ଯ୍ୟ ମନ୍ଦିରକୁ ନେଇ ଜଣେ ମହାନ କବିଙ୍କ କଲମରୁ ଝରି ଆସିଥିବା ଏହି କାଳଜୟୀ କବିତା ବେଶ୍ ମର୍ମସ୍ପର୍ଶୀ ଓ ତାତ୍ପର୍ଯ୍ୟପୂର୍ଣ୍ଣ। ଏହି କବିତାର ସାରାଂଶ ହିଁ ବଖାଣୁଛି ଉତ୍କଳର କଳାଭାସ୍କର୍ଯ୍ୟ କେତେ ଉଚ୍ଚକୋଟିର, କେତେ କୁଶଳୀ ଥିଲେ ଆମ ଶିଳ୍ପୀ ଆଉ କେତେ ବିଚକ୍ଷଣ ଥଲା ତାଙ୍କର କଳା ଚାତୁରୀ। ଶିଳ୍ପ, ସ୍ଥାପତ୍ୟ ଏବଂ ଧର୍ମର ସମାହାର ଏହି କୋଣାର୍କ ମନ୍ଦିର ବିଶ୍ୱବିଦିତ। ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ମାନସ ସନ୍ତାନ ଓ ମୁଖ୍ୟସ୍ଥପତି ବିଶୁ ମହାରଣାଙ୍କ ସ୍ୱପ୍ନର ମନ୍ଦିର ହେଉଛି ଏହି କୋଣାର୍କ ସୂର୍ଯ୍ୟମନ୍ଦିର। ତେବେ ୧୨ଶହ ବଢ଼େଇଙ୍କ ତ୍ୟାଗ, ତପସ୍ୟା ଓ ଧର୍ମପଦର ବଳିଦାନର ପୀଠ ଏହି ମନ୍ଦିରର ଅସ୍ତିତ୍ୱକୁ ନେଇ ଏବେ ସୃଷ୍ଟି ହୋଇଛି ବିତର୍କ ଓ ବିବାଦ।
ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ପୁରୀରେ ଦ୍ୱିତୀୟ କୋଣାର୍କକୁ ନେଇ ଯେଉଁ ପରିକଳ୍ପନା କରିଛନ୍ତି ତାକୁ ନେଇ ଉଠିଛି ଅନେକ କଥା। ଅବଶ୍ୟ ରଘୁନାଥଙ୍କ ଏହି ପ୍ରସ୍ତାବ ନୂଆ ନୁହଁ। ଏଥିପାଇଁ ସେ ଶୁଭ ଦେଇ କାମ ମଧ୍ୟ ଆରମ୍ଭ କରିସାରିଲେଣି। ଏଥିପାଇଁ ସେ ସାକ୍ଷୀଗୋପାଳ ନିକଟରେ ୭୦ ଏକର ଜମି କିଣିସାରିଛନ୍ତି। ମନ୍ଦିର ନିମାର୍ଣ ପାଇଁ ୬୦୦ କୋଟିର ବ୍ୟୟଅଟକଳ ରହିଛି। ଆଦିତ୍ୟ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ନିର୍ମାଣ ହେବାକୁ ଥିବା ଏହି ମନ୍ଦିର ପାଇଁ ୬୦୦ କାରିଗର ନିୟୋଜିତ ହେବେ।
କିନ୍ତୁ ନିକଟରେ ରାଜ୍ୟସଭାକୁ ମନୋନୀତ ହେବା ପରେ ତାଙ୍କର ଦ୍ୱିତୀୟ କୋଣାର୍କ ମନ୍ଦିର ଗଢ଼ିବା ସ୍ୱପ୍ନକୁ ସାକାର କରିବା ପାଇଁ ଯାହା କହିଛନ୍ତି ତାହା ହିଁ ଆମ ପୂର୍ବସୂରୀମାନଙ୍କ ପ୍ରତି ଅସମ୍ମାନ ବୋଲି କେତେକ ମତ ଦେଇଛନ୍ତି। ରଘୁନାଥ ମହାପାତ୍ର କହିଛନ୍ତି ଯେ, ଦ୍ୱିତୀୟ କୋଣାର୍କ ମନ୍ଦିର ନିମାର୍ଣ ତାଙ୍କର ସ୍ୱପ୍ନ। ସେ କହିଛନ୍ତି ’ ଆପଣମାନେ ତ ଜାଣନ୍ତି, କାଣ୍ଡ ସାଉଁଟିକି ଯୁଦ୍ଧ କରାଯାଏ ନାହିଁ। ମୁଁ ଯଦି ପଇସା ଯୋଗାଡ଼ କରିବି କାମ କରିବି କେତେବେଳେ? ସେଇଥି ପାଇଁ ବିଶୁ ମହାରଣା ହୋଇ ମୁଁ କୋଣାର୍କ ଗଢ଼ିବି। ଆଉ ସାର୍ମାନେ ସବୁ ଲାଙ୍ଗୁଳା ନରସିଂହ ଦେବ ହୋଇ ମୋ କାମ ଆଗକୁ ବଢ଼େଇ ନେବେ। ଯୋଉ କାମ ଆଉ କେହି କରିପାରିବେନି ବୋଲି ଲୋକ କହୁଥିଲେ ସେ କାମକୁ ଆମେ ପୁଣି କରି ଦେଖେଇବୁ।”
ଯଦିଓ ତାଙ୍କ ପାଇଁ ଲାଙ୍ଗୁଳା ନରସିଂହ ଦେବ କିଏ, ସେ କଥା ରଘୁନାଥ ମହାପାତ୍ର ସ୍ପଷ୍ଟ କରିନାହାନ୍ତି, ଏହି ମନ୍ତବ୍ୟର ଇସାରା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୋଦି ସରକାରଙ୍କ ପ୍ରତି ଥିଲା ବୋଲି କହିହେବ। ଦେଖିବାକୁ ଗଲେ ଓଡ଼ିଶା ମାଟିର ଜଣେ ସୁପ୍ରତିଷ୍ଠିତ ପ୍ରତିଭାବାନ ଶିଳ୍ପୀ ହୋଇ ରାଜ୍ୟସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଯେଉଁଭଳି ଅପମାନ ଓ ଲାଞ୍ଛିତ କଲେ ତାହା ଅତି ଅଶୋଭନୀୟ ଥିଲା। ତେଣୁ ଯେତେବେଳେ ସେ ବିଜେପି ଦୁଆର ଦେଇ ବିଶେଷ କରି କରି ଧର୍ମେନ୍ଦ୍ରଙ୍କ ଉଦ୍ୟମରେ ସେ ଯେତେବେଳେ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହେଲେ ଏହାର କୃତଜ୍ଞତା ସୂରୁପ ବିଜେପି ପ୍ରତି ରଘୁନାଥଙ୍କ ପ୍ରଶଂସା ସ୍ୱାଭାବିକ୍। ଅନ୍ୟପକ୍ଷରେ ରଘୁନାଥ ମହାପାତ୍ର ଦ୍ୱିତୀୟ କୋଣାର୍କ ପ୍ରସ୍ତାବକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସମର୍ଥନ କରିଛନ୍ତି। ପରୋକ୍ଷରେ ଦେଖିବାକୁ ଗଲେ ଏହି ମନ୍ଦିର ନିର୍ମାଣ ଲାଗି ଯେ, କେନ୍ଦ୍ର ସରକାରଙ୍କ ପୂର୍ଣ୍ଣ ସମର୍ଥନ ଅଛି ତାହା ଧର୍ମେନ୍ଦ୍ରଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହେଉଛି। ଲକ୍ଷ୍ୟ କରିବାର କଥା, ପ୍ରାଚୀନ ଐତିହ୍ୟକୁ ନିଜେ କେନ୍ଦ୍ର ସରକାର ସୁରକ୍ଷା ଦେଇପାରୁ ନଥିବାରୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଘରୋଇ କମ୍ପାନୀ ହାତରେ ଟେକିଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରାରମ୍ଭିକ ପ୍ରକ୍ରିୟାରେ ‘ଆଡପ୍ଟ ଏ ହେରିଟେଜ୍ ସ୍କିମ୍’ ଅନୁସାରେ ଡାଲମିଆ ଭାରତ କମ୍ପାନୀ ଆସନ୍ତା ୫ ବର୍ଷ ପାଇଁ ଲାଲକିଲ୍ଲାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛି । ସେହିପରି କିଛି ଦିନ ପୂର୍ବେ ତାଜମହଲର ସୁରକ୍ଷା ନେଇ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଥିଲେ। କେନ୍ଦ୍ରସରକାରଙ୍କ ଉପରେ କୋର୍ଟ ବର୍ଷିବା ସହ ତାଜ୍ମହଲକୁ ଯଦି ସୁରକ୍ଷା ଦେଇ ନ ପାରୁଛ ତେବେ ଭାଙ୍ଗି ଦିଅ ବୋଲି ମଧ୍ୟ କହିଥିଲେ।
ସରକାର ପ୍ରାଚୀନ କୀର୍ତ୍ତିରାଜିଙ୍କୁ ସୁରକ୍ଷା ଦେଇ ପାରୁ ନ ଥିବା ବେଳେ ନୂତନ ନିର୍ମାଣ ପାଇଁ ମନବଳାଇବା ସରକାରଙ୍କ କାର୍ଯ୍ୟଶୈଳୀ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ସେହିପରି ରଘୁନାଥ ମହାପାତ୍ର ନିଜକୁ ବିଶୁ ମହାରଣା ସହ ତୁଳନା କରିବା ଏବଂ କାହାକୁ ଲାଙ୍ଗୁଳା ନରସିଂହ ଦେବଙ୍କ ଆସନରେ ବସାଇବା କଥାକୁ କେହି କେହି ହଜମ କରିପାରୁ ନାହାନ୍ତି। ଏମିତି ମନ୍ତବ୍ୟ ଆମର ସେହି ପରାକ୍ରମୀ ଓ ସାହସୀ ପୂର୍ବସୂରୀଙ୍କ ପ୍ରତି ଅବମାନନା ସଦୃଶ ବୋଲି ସେମାନେ ବିଚାର କରିଛନ୍ତି।
ବାକି ରହିଲା ଦ୍ୱିତୀୟ କୋଣାର୍କ ନିର୍ମାଣ କଥା। ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ଆଶଙ୍କା କୋଣାର୍କ ମନ୍ଦିରର ଭବିଷ୍ୟତ ଅନିଶ୍ଚିତ। ମନ୍ଦିର କାନ୍ଥରୁ ଧୀରେ ଧୀରେ ମୂର୍ତ୍ତି ଗୁଡ଼ିକ ନଷ୍ଟ ହୋଇଯିବା ଏବଂ ମନ୍ଦିର ଦୁର୍ବଳ ହେବାର ଆଶଙ୍କା କରି ଏହାର ଅସ୍ତିତ୍ୱକୁ ନେଇ ସେ ଦ୍ୱିତୀୟ ମନ୍ଦିରର ପରିକଳ୍ପନା କରିଛନ୍ତି। କୋଣାର୍କ ମନ୍ଦିର ଭଳି କାରୁକାର୍ଯ୍ୟ ଏବଂ ଆଉ ଥରେ ଆମର ସେହି ପୂର୍ବପୁରୁଷ କଳାନୈପୁଣ୍ୟ ତାଙ୍କରି ନିହାଣ ମୁନରେ ଉଦ୍ଭାସିତ ହେବ। ଆଉ ଏହାକୁ ଆଗାମୀ ପିଢ଼ି ବି ଦେଖିବ, ଏହା ହିଁ ରଘୁନାଥ ମହାପାତ୍ରଙ୍କ ସ୍ୱପ୍ନ। ରଘୁନାଥ ମହାପାତ୍ରଙ୍କ ଏହି ଚିନ୍ତାଧାରା ଯେ, ଅତି ପ୍ରଶଂସନୀୟ, ଏଥିରେ କେହି ଦ୍ୱିମତ ହେବେ ନାହିଁ। କାରଣ ରଘୁନାଥ ମହାପାତ୍ର ହେଉଛନ୍ତି ଜଣେ ବିଶ୍ୱବିଦିତ ଓ ଲୋକପ୍ରିୟ ଶିଳ୍ପୀ। ତାଙ୍କରି ହାତ ସ୍ପର୍ଶରେ କେତେ କେତେ ପଥର ନୂଆ ରୂପ ପାଇ ଜୀବନ୍ତ ହୋଇଛନ୍ତି। ଭୁବନେଶ୍ଵର ମାଷ୍ଟର୍କ୍ୟାଣ୍ଟିନ୍ ଛକରେ ୧୮ଫୁଟ୍ ଲମ୍ବା ଓ ୧୫ ଫୁଟ୍ ଉଚ୍ଚତାର କୋଣାର୍କ ଘୋଡ଼ା, ସଂସଦରେ ସ୍ଥାପିତ ୫ଫୁଟ ଉଚ୍ଚତା ବିଶିଷ୍ଟ ସୂର୍ଯ୍ୟ ନାରାୟଣ ମୂର୍ତ୍ତି, ଲଦାଖରେ ୨୦ଫୁଟ୍ ଉଚ୍ଚତା ବିଶିଷ୍ଟ ୩ଟି ବୁଦ୍ଧ ମୂର୍ତ୍ତି, ଫ୍ରାନ୍ସରେ କାଠର ବିଶାଳ ବୁଦ୍ଧ ମୂର୍ତ୍ତି- ଏସବୁ ତାଙ୍କରି ଚମତ୍କାର କଳାନୈପୁଣ୍ୟର ଗୋଟିଏ ଗୋଟିଏ ଉଦାହରଣ। ତେଣୁ ସେ ଆଉ ଗୋଟିଏ କୋଣାର୍କର ନିର୍ମାଣ ପାଇଁ ସାହସ ଓ ସାମର୍ଥ୍ୟ ରଖନ୍ତି ନିଶ୍ଚୟ।
ହେଲେ ଏଠି ପ୍ରଶ୍ନ ଉଠୁଛି କାହିଁକି ଦ୍ୱିତୀୟ କୋଣାର୍କ? ପୁଣି ମନରେ ପ୍ରଶ୍ନ ଆସୁଛି। ଏବେକାର କୋଣାର୍କ ହେଉଛି ଭଗ୍ନ ମନ୍ଦିର। ମୁଖ୍ୟ ମନ୍ଦିର କେବେଠାରୁ ଭାଙ୍ଗିଯାଇଛି। ଏବେ ସେ କେଉଁ ମନ୍ଦିର ନିର୍ମାଣ କରିବେ। ଯେଉଁ ମୁଖ୍ୟ ମନ୍ଦିର ଭାଙ୍ଗିଯାଇଛି ତା’ର ପୂରା ନିର୍ମାଣ କରିବେ ନା ଏବେ ଥିବା ଭଗ୍ନ ମନ୍ଦିରକୁ କପି କରିବେ। ଯଦି କୋଣାର୍କ ଭଳି ଅବିକଳ ଆଉ ଗୋଟିଏ ବିଶାଳ ମନ୍ଦିର ଠିଆ ହୁଏ, ତେବେ ଏହାର ମୂଳ ଅସ୍ତିତ୍ୱ କେଉଁଠି ହଜିଯିବ। ୧୨ ଶହ ବଢ଼େଇଙ୍କ ୧୨ ବର୍ଷର ତପସ୍ୟା ଓ ସାଧନା ବଳରେ ତାଙ୍କ ନିହାଣମୁନରୁ ଯେଉଁ ସୃଜନଶୀଳତା ଏତେ ବଡ଼ ରୂପ ନେଇ ଥିଲା ତାହା ମଧ୍ୟ ନ୍ୟୂନ ହୋଇ ଯିବ। ଅନ୍ୟପକ୍ଷରେ ମୋଗଲମାନଙ୍କ ଆକ୍ରମଣ ହେଉ ଅବା କଳାପାହାଡ଼ର ଆକ୍ରମଣ ହେଉ କାଳର କରାଳ କୋଣାର୍କର ସୌନ୍ଦର୍ଯ୍ୟକୁ ଯେତିକି ମଳିନ କରିନି ବରଂ ଦ୍ୱିତୀୟ କୋଣାର୍କର ପରିକଳ୍ପନା ସେତିକି ପ୍ରତିହତ କରିବ।
ଯଦି ରଘୁନାଥଙ୍କ ପାଖରେ ସେହି କଳାକୌଶଳ ଓ ନୈପୁଣ୍ୟ ଅଛି, ତେବେ ସେ କୋଣାର୍କ ଶୈଳୀରେ କିମ୍ୱା ଭିନ୍ନ କିଛି ନିର୍ମାଣ କରି ସାରାବିଶ୍ୱକୁ ଆଉ ଏକ କିର୍ତ୍ତୀ ଭେଟିଦେଇ ପାରିବେ। କୋଣାର୍କର ସୂର୍ଯ୍ୟମନ୍ଦିରର ସୁକ୍ଷ୍ମ କାରୁକାର୍ଯ୍ୟ ଦେଖି କିଏ ଅଭିଭୂତ ହେଉଛି ତ’ ଆଉ କିଏ ସ୍ତମ୍ଭୀଭୂତ। ଠିକ୍ ସେମିତି, ରଘୁନାଥଙ୍କ ସୃଷ୍ଟି ଦେଖି ଏ ବିଶ୍ୱ ଆଉ ଥରେ ବିସ୍ମିତ ହେବ। ଓଡ଼ିଆ ଶିଳ୍ପୀର ଜୟ ଜୟକାର ହେବ। ନୂତନ ସୃଷ୍ଟିର ଯେଉଁ ଆନନ୍ଦ ଥାଏ, ଖୁସି ଥାଏ ଆଉ ଯେଉଁ ସମ୍ମାନ ମିଳେ ତାହା କୌଣସି କପି ବା ନକଲରୁ ମିଳେ ନାହିଁ। ତା’ବ୍ୟତୀତ ବିଶ୍ୱର ଚର୍ଚ୍ଚିତ କଳାକୃତି ମଧ୍ୟରେ କୋଣାର୍କ ଅନ୍ୟତମ। ନିଆରା କାରୁକାର୍ଯ୍ୟ ପାଇଁ ବିଶ୍ୱ ପ୍ରସିଦ୍ଧ ଏହି ମନ୍ଦିର ୟୁନେସ୍କୋ ଦ୍ୱାରା ୧୯୮୪ରେ ବିଶ୍ୱ ଐତିହ୍ୟ ମାନ୍ୟତା ପାଇଥିଲା। ସମଗ୍ର ଭାରତରେ ଏକମାତ୍ର ବ୍ଲାକ୍ ପାଗୋଡ଼ା ମାନ୍ୟତା ପାଇଥିବା ଏହି ମନ୍ଦିର ପ୍ରତି ଧୀରେ ଧୀରେ ବିପଦ ଘନେଇ ଅସୁଛି। ଏ କଥା ସମସ୍ତଙ୍କୁ ଜଣା। ମନ୍ଦିରର ଯେଉଁଭଳି ରକ୍ଷଣାବେକ୍ଷଣ କରିବା କଥା ତାହା କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ନିଆଯାଉ ନାହିଁ।
ଯଦି ଏହାକୁ ଆବଶ୍ୟକ ସୁରକ୍ଷା ଦିଆଯାଇ ପାରିବ ତା’ହେଲେ ଦ୍ୱିତୀୟ କୋଣାର୍କ ମନ୍ଦିରର ଆବଶ୍ୟକତା ନାହିଁ। ପୁରୀ ଜଗନ୍ନାଥ ମନ୍ଦିରରୁ ଅତୀତରେ ପଥର ଖସିଛି। ପୁଣି କେତେବେଳେ ଜଗମୋହନ ଦୁର୍ବଳ ହୋଇଛି ତ’ ପୁଣି କେତେବଳେ ଗର୍ଭଗୃହ ଅସୁରକ୍ଷିତ ହୋଇଛି। ତା’ ବୋଲି ଏହାକୁ ଆଳ କରି ଦ୍ୱିତୀୟ ପୁରୀ ମନ୍ଦିର ନିର୍ମାଣ ହେବ? ଅବଶ୍ୟ ଇସ୍କନ୍ ପକ୍ଷରୁ ପୁରୀରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ନିର୍ମାଣ ନେଇ ଯେଉଁ ଅପପ୍ରୟାସ କରାଯାଇଥିଲା ପ୍ରବଳ ଜନବିରୋଧ ପରେ ଏହା ଉପରେ ରୋକ୍ ଲାଗିଛି। ପୁରୀ ମନ୍ଦିରରେ ଯେମିତି କିଛି ସମସ୍ୟା ଦେଖାଦେଲେ ଏହାର ମରାମତି କରାଯାଉଛି ଠିକ୍ ସେମିତି ସୂର୍ଯ୍ୟମନ୍ଦିରର ରକ୍ଷଣାବେକ୍ଷଣ ଯୁଦ୍ଧକାଳୀନ ଭିତ୍ତିରେ ହେବା ଆବଶ୍ୟକ ।
ଶେଷରେ ଏତିକି କୁହାଯାଇପାରେ ଯେ, ଯେମିତି ଗୋଟିଏ ପୃଥିବୀ, ଗୋଟିଏ ସୂର୍ଯ୍ୟ ଏବଂ ଗୋଟିଏ ଚନ୍ଦ୍ର , ଠିକ୍ ସେମିତି ଜଣେ ହିଁ ଜଗନ୍ନାଥ, ଜଣେ ହିଁ ଲାଙ୍ଗୁଳା ନରସିଂହ ଦେବ, ଜଣେ ହିଁ ବିଶୁ ମହାରଣା ଆଉ ଜଣେ ହିଁ ଧର୍ମପଦ। ଆଉ ସେମିତି କୋଣାର୍କ ସୂର୍ଯ୍ୟମନ୍ଦିର ଏକ୍ ଏବଂ ଅଦ୍ୱିତୀୟ। ଏହାର ବିକଳ୍ପ ନାହିଁ। କୋଣାର୍କ ଏକ ହୀରା ଭଳି। ଯାହାର ଚମକ୍କୁ କେହି ହରଣ କରିପାରିବେ ନାହିଁ।
(ଏହା ଲେଖକଙ୍କର ନିଜସ୍ୱ ମତ)
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।