ହଲିଉଡ୍ ଫିଲ୍ମ 'ଏଭରେଷ୍ଟ'ରେ ଏକ ସଂଳାପ ଅଛି, 'କେବଳ ଏଭରେଷ୍ଟ ଶିଖରରେ ପହଞ୍ଚିବା ଏଭରେଷ୍ଟ ବିଜୟ ନୁହେଁ, ଶିଖରରେ ପହଞ୍ଚି ବେସ୍ କ୍ୟାମ୍ପକୁ ସଫଳତାର ସହ ଓହ୍ଲାଇଆସିବା ହିଁ ପ୍ରକୃତ ଏଭରେଷ୍ଟ ବିଜୟ' । କାରଣ ତଥ୍ୟ ଅନୁସାରେ, ଏଭରେଷ୍ଟ ଶିଖରରୁ ଅବତରଣ ବେଳେ ହିଁ ଅଧିକ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଥାଏ ।
ଭୁବନେଶ୍ୱର (ସଂଗ୍ରାମ ଦାସ ମହାପାତ୍ର): ବିଶ୍ୱର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଏଭରେଷ୍ଟ ଚଢ଼ିବାକୁ ଯାଇ ଓଡ଼ିଆ ପର୍ବତାରୋହୀ କଳ୍ପନା ଦାଶଙ୍କ ଦୁଃଖଦ ମୃତ୍ୟୁ ସାରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି। ପୂର୍ବରୁ ଏଭରେଷ୍ଟ ସହ ବିଶ୍ୱର ବହୁ ପ୍ରମୁଖ ସୁଉଚ୍ଚ ଶିଖର ବିଜୟ କରିସାରିଥିଲେ ବି ଏଥରର ଦୁଃସାହସିକ ଯାତ୍ରା କଳ୍ପନାଙ୍କ ପାଇଁ ଶେଷ ଯାତ୍ରା ସାବ୍ୟସ୍ତ ହୋଇଥିଲା । କେବଳ କଳ୍ପନା ଦାଶ ନୁହନ୍ତି, ଚଳିତ ବର୍ଷ ଏଭରେଷ୍ଟ ଚଢ଼ିବାକୁ ଯାଇଥିବା ୧୦ରୁ ଅଧିକ ପର୍ବତାରୋହୀଙ୍କ ପ୍ରାଣହାନୀ ଘଟିଛି । ଏଭରେଷ୍ଟରେ ପର୍ବତାରୋହୀଙ୍କ ଅତ୍ୟଧିକ ଭିଡ଼ ବା 'ଟ୍ରାଫିକ୍ ଜାମ୍'କୁ ଏଥିପାଇଁ ଦାୟୀ କରାଯାଉଛି । ୧୯୫୩ ମସିହାରେ ପ୍ରଥମ ଥର ପାଇଁ ଏଭରେଷ୍ଟ ଶିଖରରେ ଦୁଇ ପର୍ବତାରୋହୀ ଏଡମଣ୍ଡ୍ ହିଲାରୀ ଓ ଟେଞ୍ଜିଙ୍ଗ୍ ନୋରଗେ ପହଞ୍ଚିବାରେ ସଫଳ ହୋଇଥିଲେ । ସେବେ ଠାରୁ ଗତ ୬୬ ବର୍ଷ ଭିତରେ ପ୍ରାୟ ୫ ହଜାର ଜଣ ଶିଖରରେ ପହଞ୍ଚିଛନ୍ତି ଏବଂ ୩୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଛି । ତେବେ ମନରେ ପ୍ରଶ୍ନ ଉଠେ, ଏଭରେଷ୍ଟ ଆରୋହଣ ଏତେ ବିପଜ୍ଜନକ କାହିଁକି? କେଉଁ ସବୁ କାରଣରୁ ଏଭରେଷ୍ଟରେ ପର୍ବତାରୋହୀଙ୍କ ମୃତ୍ୟୁ ଘଟେ? ଦୀର୍ଘ ବର୍ଷର ପ୍ରଶିକ୍ଷଣ ଓ ଅଭିଜ୍ଞତା ସତ୍ତ୍ୱେ କାହିଁକି ମୃତ୍ୟୁ ମୁଖରୁ ବର୍ତ୍ତି ପାରନ୍ତି ନାହିଁ ସେମାନେ?
କାହିଁକି ବିପଜ୍ଜନକ ଏଭରେଷ୍ଟ ଆରୋହଣ?
ହିମାଳୟ ପର୍ବତମାଳାରେ ଥିବା ଏଭରେଷ୍ଟର ଉଚ୍ଚତା ସମୁଦ୍ର ପତ୍ତନ ଠାରୁ ୮,୮୪୮ ମିଟର ବା ୨୯,୦୨୯ ଫୁଟ୍ । ସମୁଦ୍ର ପତ୍ତନ ନିକଟରେ ବାୟୁମଣ୍ଡଳରେ ପ୍ରାୟ ୨୧ ପ୍ରତିଶତ ଅମ୍ଳଜାନ ରହିଥିବା ବେଳେ ୮,୮୦୦ ମିଟର ଉଚ୍ଚତାରେ ଏହା ୭ ପ୍ରତିଶତରୁ ବି କମ୍ ମାତ୍ରାରେ ଥାଏ। ଅର୍ଥାତ୍ ଏଭରେଷ୍ଟ ଶିଖରରେ ମଣିଷକୁ ଆବଶ୍ୟକତାର ତିନି ଭାଗରୁ ଏକ ଭାଗ ଅମ୍ଳଜାନ ମିଳିଥାଏ । କେବଳ ଏତିକି ନୁହେଁ, ସେଠାରେ ତାପମାତ୍ରା ଗ୍ରୀଷ୍ମରେ -୧୯ ଡିଗ୍ରୀ ସେଲସିୟସ୍ ଓ ଶୀତଋତୁରେ -୩୬ ଡିଗ୍ରୀ ସେଲସିୟସ୍ ରହିଥାଏ। ସେଠାରେ ତାପମାତ୍ରା କେବେ ବି ଜଳର ହିମାଙ୍କ (୦ ଡିଗ୍ରୀ ସେଲସିୟସ) ଉପରକୁ ଆସୁନଥିବାରୁ ସର୍ବଦା ବରଫାବୃତ ହୋଇ ରହିଥାଏ। ତେଣୁ ଏଭରେଷ୍ଟ ଆରୋହଣକାରୀଙ୍କ ପାଇଁ ଦୁଇ ମୁଖ୍ୟ ସମସ୍ୟା ହେଲା ଅତ୍ୟଧିକ ଉଚ୍ଚତା ଓ ଅତ୍ୟଧିକ ଥଣ୍ଡା।
ଅତ୍ୟଧିକ ଉଚ୍ଚତାରେ କେଉଁ ସମସ୍ୟା ହୁଏ?
ଏଭରେଷ୍ଟର ଉଚ୍ଚତା ୨୯,୦୦୦ ଫୁଟ୍ରୁ ଅଧିକ ହୋଇଥିବା ବେଳେ ଏହାର ବେସ୍ କ୍ୟାମ୍ପ ୧୭,୬୦୦ ଫୁଟ୍ ଉଚ୍ଚତାରେ ରହିଛି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସମୁଦ୍ର ପତ୍ତନରୁ ମାତ୍ର ୭୦୦୦ ଫୁଟ୍ ଉଚ୍ଚତା ଠାରୁ ବାୟୁମଣ୍ଡଳରେ ଅମ୍ଳଜାନର ମାତ୍ରା ଦ୍ରୁତ ଗତିରେ କମିବାରେ ଲାଗେ। ତେଣୁ ଏଭରେଷ୍ଟ ଆରୋହଣର ପ୍ରଥମ ପାହାଚ କୁହାଯାଉଥିବା ବେସ୍ କ୍ୟାମ୍ପରେ ମଧ୍ୟ ପର୍ବତାରୋହୀଙ୍କୁ ଯଥେଷ୍ଟ ପରିମାଣର ଅମ୍ଳଜାନ ମିଳିପାରେ ନାହିଁ। କିନ୍ତୁ ମଣିଷ ଶରୀରର ଏକ ବିଶେଷ ଗୁଣ ରହିଛି। ଏହା ପ୍ରତିକୂଳ ପରିସ୍ଥିତିରେ ଜୀବିତ ରହିବା ପାଇଁ ନିଜକୁ କିଛି ମାତ୍ରା ଯାଏଁ ଖାପଖୁଆଇ ପାରେ। ତେଣୁ ପ୍ରାୟ ୧୮,୦୦୦ ଫୁଟ୍ ଯାଏଁ (ସମସ୍ତଙ୍କ କ୍ଷେତ୍ରରେ ନୁହେଁ) ବାୟୁମଣ୍ଡଳରେ ଉପଲବ୍ଧ ଅମ୍ଳଜାନକୁ ବ୍ୟବହାର କରି ମଣିଷ ଜୀବିତ ରହିପାରେ । ୧୮,୦୦୦ ଫୁଟ୍ ଉପରକୁ ଗଲେ ମଣିଷ ଧୀରେ ଧୀରେ ମରିବାରେ ଲାଗେ ବୋଲି କୁହାଯାଇପାରେ ଏବଂ ୨୬ ହଜାର ଫୁଟ୍ ଉପରକୁ ଗଲେ ବିପଦ ଆହୁରି ବହୁଗୁଣ ବଢ଼ିଯାଏ । ଅର୍ଥାତ୍ ୨୬ ହଜାର ଫୁଟ ଠାରୁ ଅଧିକ ଉଚ୍ଚତାରେ ମଣିଷ ଯେତେ ଅଧିକ ସମୟ ରହେ, ତାର ମୃତ୍ୟୁର ଆଶଙ୍କା ସେତେ ଅଧିକ। ତେଣୁ ଏହି ଡେଥ୍ ଜୋନ୍ ବା ମୃତ୍ୟୁର ଇଲାକାରେ ଗୋଟିଏ ଗୋଟିଏ ସେକେଣ୍ଡ୍ ବି ଗୁରୁତ୍ୱପୂର୍ଣ୍ଣ।
କାହିଁକି ପ୍ରାଣଘାତୀ ହୁଏ ଅତ୍ୟଧିକ ଉଚ୍ଚତା?
ଯେଉଁମାନଙ୍କର ହାଇଟ୍ ସିକନେସ୍ ବା ଆକ୍ୟୁଟ୍ ମାଉଣ୍ଟେନ୍ ସିକନେସ୍ (ଏଏମ୍ଏସ୍) ଥାଏ, ସେମାନେ ଅତ୍ୟଧିକ ଉଚ୍ଚତାକୁ ଗଲେ ଅସ୍ୱସ୍ତି ବୋଧ କରିଥାନ୍ତି ଓ ଅସୁସ୍ଥ ହୋଇପଡ଼ନ୍ତି । କିଛି ଲୋକଙ୍କ କ୍ଷେତ୍ରରେ ୬୦୦୦ ଫୁଟ୍ ଉଚ୍ଚତାରେ ଏହି ଲକ୍ଷଣ ଦେଖାଯାଉଥିବା ବେଳେ ଆଉ କେତେଜଣ ୧୯ ହଜାର ଫୁଟ ଉପରକୁ ଗଲେ ଏହାର ଶିକାର ହୋଇଥାନ୍ତି। ଏଏମ୍ଏସ୍ ହେଲେ ମୁଣ୍ଡ ବୁଲାଇବା, ମୁଣ୍ଡ ବିନ୍ଧିବା, ବାନ୍ତି ହେବା ଓ ମାତ୍ରାଧିକ ହାଲିଆ ଲାଗିବା ଭଳି ଲକ୍ଷଣ ଦେଖାଯାଏ। ତେବେ ଏହା ପ୍ରାଣଘାତୀ ନୁହେଁ । କିନ୍ତୁ ଏଭରେଷ୍ଟ ଭଳି ଅତ୍ୟଧିକ ଉଚ୍ଚତାରେ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ମିଳିପାରୁ ନଥିବାରୁ ତାହା ପ୍ରାଣଘାତୀ ହୋଇଥାଏ। ଶ୍ୱାସକ୍ରିୟା ପାଇଁ ଅମ୍ଳଜାନ ଥଳି ବ୍ୟବହାର କଲେ ମଧ୍ୟ ତାହା ଶରୀର ପାଇଁ ଯଥେଷ୍ଟ ହୋଇନଥାଏ। ପର୍ବତାରୋହୀଙ୍କ କହିବା ଅନୁସାରେ, ଏଭରେଷ୍ଟ ଉପରେ ଅମ୍ଳଜାନ ଥଳି ସାହାଯ୍ୟରେ ନିଶ୍ୱାସ ନେଲେ ମଧ୍ୟ ଶ୍ୱାସକ୍ରିୟାରେ ଏତେ କଷ୍ଟ ଅନୁଭବ ହୁଏ ଯେ, ଟ୍ରେଡ୍ମିଲ୍ ଉପରେ ଦୌଡ଼ିବା ବେଳେ ପଇଡ଼ ପିଇବା ପାଇଁ ବ୍ୟବହୃତ ସରୁ ପାଇପରେ ନିଶ୍ୱାସ ନେବା ଭଳି ଲାଗେ।
ଶରୀରକୁ ପର୍ଯ୍ୟାପ୍ତ ଅମ୍ଳଜାନ ନଗଲେ, ହୃତପିଣ୍ଡ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗକୁ ଅମ୍ଳଜାନ ଯୋଗାଇବା ପାଇଁ ହୃତସ୍ପନ୍ଦନ ବଢ଼ାଇଦିଏ। ସୁସ୍ଥ ମଣିଷର ମିନିଟ ପ୍ରତି ପ୍ରାୟ ୭୨ ଥର ହୃତସ୍ପନ୍ଦନ ହେଉଥିବା ବେଳେ ଏଭଳି ପ୍ରତିକୂଳ ପରିସ୍ଥିତିରେ ମିନିଟ୍ ପ୍ରତି ୧୪୦ ଥର ଯାଏଁ ବଢ଼ିଯାଏ। ଫଳରେ ହୃଦଘାତର ଆଶଙ୍କା ମଧ୍ୟ ବୃଦ୍ଧି ପାଏ। ଏଥିସହ ରକ୍ତରେ ଅମ୍ଳଜାନ ଧାରଣ କ୍ଷମତା ବୃଦ୍ଧି ପାଇଁ ହିମଗ୍ଲୋବିନ ମାତ୍ରା ବଢ଼ିଯିବା ଫଳରେ, ରକ୍ତ ଅଧିକ ଘନ ବା ବହଳିଆ ହୋଇଯାଏ। ଏହା ଦ୍ୱାରା ଷ୍ଟ୍ରୋକ୍ ଅଥବା ଫୁସଫୁସରେ ତରଳ ପଦାର୍ଥ ଜମା ହେବା ଭଳି ସମସ୍ୟା ସୃଷ୍ଟି ହୁଏ। ଫୁସଫୁସ ଭିତରେ ଏକ ପ୍ରକାର ତରଳ ଝରିବାରେ ଲାଗେ ଓ ବାରମ୍ୱାର କାଶ ହୋଇଥାଏ। କାଶ ଏତେ ଜୋରରେ ହୁଏ ଯେ, କିଛି ପର୍ବତାରୋହୀଙ୍କ ପଞ୍ଜରା ହାଡ଼ ମଧ୍ୟ ଭାଙ୍ଗିଯାଇଥିବା ଦେଖାଯାଇଛି। ଏଭଳି ପ୍ରାଣଘାତୀ ସମସ୍ୟାକୁ ହାଇ-ଅଲ୍ଟିଚ୍ୟୁଡ୍ ପଲମୋନାରି ଏଡିମା (HAPE) କୁହାଯାଏ।
ଅମ୍ଳଜାନର ଅଭାବରୁ ସୃଷ୍ଟି ହେଉଥିବା ଅନ୍ୟ ଏକ ସମସ୍ୟା ହେଲା ହାଇପୋକ୍ସିଆ ବା ହାଇ-ଅଲ୍ଟିଚ୍ୟୁଡ୍ ସେରେବ୍ରାଲ୍ ଏଡିମା (HACE) । ଏହା ଖୁବ୍ ଭୟଙ୍କର। ମସ୍ତିଷ୍କକୁ ଆବଶ୍ୟକ ପରିମାଣର ଅମ୍ଳଜାନ ନଯିବା ଫଳରେ ତାହା ଫୁଲିଯାଏ ଏବଂ ମଣିଷର ମସ୍ତିଷ୍କ ସମସ୍ୟା ଦେଖାଦିଏ। ଏଭଳି କ୍ଷେତ୍ରରେ ପର୍ବତାରୋହୀଙ୍କ ସନ୍ତୁଳନ ରହେ ନାହିଁ। ସେମାନେ କେଉଁଠି ଅଛନ୍ତି ଜାଣିପାରନ୍ତି ନାହିଁ ଏବଂ ବାଚାଳ ଭଳି ହୁଅନ୍ତି । ହାତଗୋଡ଼ ଉପରେ ନିୟନ୍ତ୍ରଣ ହରାଇ ଅନେକେ ଚାଲିବାର କ୍ଷମତା ହରାଇବସନ୍ତି। ଅନେକେ ଶୀତବସ୍ତ୍ର ଖୋଲି ପକାନ୍ତି। ସଂଜ୍ଞାହୀନ ହେବା ଭଳି ସମସ୍ୟା ମଧ୍ୟ ଉପୁଜିଥାଏ ଓ ସେମାନେ ପ୍ରାଣ ହରାଇଥାନ୍ତି।
କେଉଁ ସମସ୍ୟା ସୃଷ୍ଟି କରେ ଅତ୍ୟଧିକ ଥଣ୍ଡା?
ଏଭରେଷ୍ଟ ଶିଖର ସବୁ ସମୟରେ ବରଫାବୃତ ଥାଏ। ତେଣୁ ପର୍ବତାରୋହୀମାନେ ପୂରା ଶରୀରକୁ ଘୋଡ଼ାଇ ରଖିଲା ଭଳି ଉନ୍ନତ ମାନର ଶୀତବସ୍ତ୍ର, ଜୋତା, ହାତ ମୋଜା, ଚଷମା ଆଦି ପିନ୍ଧିଥା’ନ୍ତି। କିନ୍ତୁ କୌଣସି କାରଣରୁ ଶରୀର ଅଧିକ ସମୟ ଧରି ବରଫ ସହ ସିଧାସଳଖ ସଂସ୍ପର୍ଶରେ ଆସିଲେ କିମ୍ବା ପର୍ବତାରୋହୀ ଅଧିକ ସମୟ ସ୍ଥାଣୁ ହୋଇ ବରଫରେ ଠିଆ ହୋଇ ରହିଲେ କିମ୍ୱା ବସି ରହିଲେ ଫ୍ରଷ୍ଟବାଇଟ୍ ଭଳି ସମସ୍ୟା ଉପୁଜିଥାଏ। ଏହା ସାଧାରଣତଃ ହାତ, ଗୋଡ଼, ନାକ ଓ କାନକୁ ପ୍ରଭାବିତ କରିଥାଏ। ଫ୍ରଷ୍ଟବାଇଟ୍ ହେଲେ ଆକ୍ରାନ୍ତ ଅଙ୍ଗର ସ୍ନାୟୁ, ଚର୍ମ, ରକ୍ତନଳୀ ଓ ମାଂସପେଶୀ ନଷ୍ଟ ହୋଇଯାଏ। ଫଳରେ ସେହି ଅଙ୍ଗ ପ୍ରଥମେ ଅନୁଭବ କରିବା କ୍ଷମତା ହରାଏ ଓ ପରେ ଏହା କଳା ପଡ଼ିଯାଏ। ଚିକିତ୍ସା ପରେ ମଧ୍ୟ ଆକ୍ରାନ୍ତ ଅଙ୍ଗ କାର୍ଯ୍ୟକ୍ଷମ ହୋଇ ନ ପାରିଲେ, ତାହାକୁ ଶରୀରୁ କାଟି ଅଲଗା କରିବାକୁ ପଡ଼ିଥାଏ।
ହାଇପୋଥର୍ମିଆ ମଧ୍ୟ ପର୍ବତାରୋହୀଙ୍କ ପାଇଁ ଅନ୍ୟ ଏକ ବଡ଼ ବିପଦ। ବରଫ ପବନ ବହିଲେ କିମ୍ୱା ଦୁର୍ଘଟଣାଗ୍ରସ୍ତ ହୋଇ ବରଫ ଭିତରେ ଫସିଗଲେ ଶରୀରର ତାପମାତ୍ରା ହ୍ରାସ ପାଏ ଏବଂ ମଣିଷ ହାଇପୋଥର୍ମିଆର ଶୀକାର ହୁଏ। ଏଭଳି ହେଲେ ୩୦ ମିନିଟ୍ ଭିତରେ ଆକ୍ରାନ୍ତ ବ୍ୟକ୍ତିର ମୃତ୍ୟୁ ହୋଇଯାଇଥାଏ।
ଏଭରେଷ୍ଟରେ ରହିଛି ଅନ୍ୟ କେଉଁ ବିପଦ?
କେବଳ ଅତ୍ୟଧିକ ଉଚ୍ଚତା ଓ ଅତ୍ୟଧିକ ଥଣ୍ଡା ଜନିତ ସମସ୍ୟା ନୁହେଁ, ଏଭରେଷ୍ଟ ଉପରେ ପର୍ବତାରୋହୀଙ୍କ ପାଇଁ ଆହୁରି ବିଭିନ୍ନ ପ୍ରକାର ବିପଦ ରହିଛି। ଅମ୍ଳଜାନ ସିଲିଣ୍ଡରରୁ ଅମ୍ଳଜାନ ସରିଯିବା ପରେ ଶ୍ୱାସରୁଦ୍ଧ ହେବା, ବରଫ ଚଟାଣରେ ସୃଷ୍ଟି ହୋଇଥିବା ଫାଟ ମଧ୍ୟରେ ଖସି ପଡ଼ିବା, ତୀଖ କିମ୍ବା ଢାଲୁ ଅଞ୍ଚଳରେ ପାହାଡ଼ ତଳକୁ ଖସି ପଡ଼ିବା, ଦିଗନ୍ତ ଯାଏଁ ବିସ୍ତୀର୍ଣ୍ଣ ଧଳା ବରଫ ବା ତୁଷାରାବୃତ ଅଞ୍ଚଳରେ ସୂର୍ଯ୍ୟାଲୋକ ପ୍ରଚୁର ମାତ୍ରାରେ ପ୍ରତିଫଳିତ ହୋଇ ଆଖିରେ ପଡ଼ିବା ଫଳରେ କିଛି ସମୟ ପାଇଁ ଦୃଷ୍ଚିଶକ୍ତି ହରାଇବା (ସ୍ନୋ ବ୍ଲାଇଣ୍ଡନେସ୍), ବରଫ ଝଡ଼, ତୁଷାର ସ୍ଖଳନ ବା ଆଭାଲାଞ୍ଚରେ ବରଫ ତଳେ ପୋତି ହୋଇଯିବା ଆଦି ମଧ୍ୟ ଏଭରେଷ୍ଟ ଆରୋହଣ ବେଳେ ମୃତ୍ୟୁର କାରଣ ସାଜିଥାଏ। ତେବେ ଏ ସମସ୍ତ ପ୍ରକାର ବିପଦ ସେତେବେଳେ ବହୁଗୁଣ ବଢ଼ିଯାଏ, ଯେତେବେଳେ ଏଭରେଷ୍ଟ ଉପରେ ପର୍ବତାରୋହୀରଙ୍କ ଅତ୍ୟଧିକ ଭିଡ଼ ବା ଟ୍ରାଫିକ୍ ଜାମ୍ ହୁଏ । ସେଠାରେ ବନ୍ଧାଯାଇଥିବା ଦଉଡ଼ିକୁ ଧରିଧରି ସମସ୍ତେ ଗୋଟିଏ ଧାଡ଼ିରେ ଆଗକୁ ଯାଉଥିବାରୁ, ଯଦି କେହି କୌଣସି ତୀଖ ବା ଅଣଓସାରିଆ ସ୍ଥାନରେ ଅଥବା ଅସୁସ୍ଥ ହୋଇ ଅଟକିଯାଏ କିମ୍ବା ଆଗକୁ ବଢ଼ିବାରେ ବିଳମ୍ବ କରେ, ତେବେ ପଛରେ ଥିବା ପର୍ବତାରୋହୀଙ୍କୁ ଘଣ୍ଟାଘଣ୍ଟା ଡେଥ୍ ଜୋନରେ ଅଟକି ରହିବା ପାଇଁ ପଡ଼େ, ଯାହା ବିପଦକୁ ଆହୁରି ବଢ଼ାଇଦିଏ। ଏଭଳି ସ୍ଥିତିରେ ଯଦି କେହି ଅସୁସ୍ଥ କିମ୍ବା ଦୁର୍ଘଟଣାଗ୍ରସ୍ତ ହୋଇଥାଏ, ତାକୁ ଚିକିତ୍ସା ପାଇଁ ତଳକୁ ଆଣିବାରେ ମଧ୍ୟ ବିଳମ୍ବ ହୁଏ ଓ ତାର ବଞ୍ଚିବାର ଆଶା କ୍ଷୀଣ ହେବାରେ ଲାଗେ।
ତେଣୁ ବିଶେଷଜ୍ଞ ଓ ଡାକ୍ତର ମାନେ ପରାମର୍ଶ ଦିଅନ୍ତି ଯେ, କେବଳ ସୁସ୍ଥ, ଅଭିଜ୍ଞ ପର୍ବତାରୋହୀମାନେ ହିଁ ଏଭରେଷ୍ଟ ଚଢ଼ିବା ଉଚିତ୍। ସେମାନେ ପ୍ରଥମେ ଅଳ୍ପ ଉଚ୍ଚତା ବିଶିଷ୍ଟ ପର୍ବତ ଚଢ଼ି ଅଭିଜ୍ଞତା ହାସଲ କରିବା ପରେ ଏଭରେଷ୍ଟ ଚଢ଼ିବାକୁ ପ୍ରୟାସ କରିବା ଉଚିତ୍। ଏଭରେଷ୍ଟ ଆରୋହଣ ବେଳେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ, କାଳ ବିଳମ୍ବ ନକରି ତଳକୁ ଓହ୍ଲାଇ ଆସିବା ଉଚିତ୍। ଅସୁସ୍ଥ ଅନୁଭବ କରିବା ସତ୍ତ୍ୱେ ଶିଖରରେ ପହଞ୍ଚିବା ପାଇଁ ଦୁଃସାହସ ପ୍ରାଣଘାତୀ ହୋଇପାରେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।