/odisha-reporter/media/post_attachments/uploads/2019/10/80.jpg)
jagannath
ମିହିର ପଟ୍ଟନାୟକ
ଓଡ଼ିଶାର ପୂର୍ବ ନାମଟି ଥିଲା ଉଡ୍ର ବା ଓଡ୍ର। ଏହି ମାଟି ଉଡ୍ଡିଆନ ତନ୍ତ୍ର ସାଧନାର ପୀଠ ବୋଲି ଏହାର ନାମକରଣ ଏପରି ହୋଇଛି ବୋଲି କୁହାଯାଏ। ଜଗନ୍ନାଥ ସଂସ୍କୃତିରେ ତନ୍ତ୍ର ଆରୋପଣ ଓ ଶ୍ରୀ ଜୀଉମାନଙ୍କୁ ତାରା, କାଳି ଓ ଭୁବନେଶ୍ୱରୀ ଯନ୍ତ୍ରରେ ଆରୁଢ଼ କରି ପୂଜା କରିବା ବିଧି ଓଡ଼ିଶା ବା ଉଡ୍ର କ୍ଷେତ୍ରକୁ ମହିମାନ୍ଵିତ କରିଛି। ଶୈବ, ଶାକ୍ତ, ବୈଷ୍ଣବୀୟ ଧର୍ମଧାରାକୁ ଏକା ସୂତାରେ ବାନ୍ଧିବାରେ ଏହି ମାଟି ସକ୍ଷମ ହୋଇଛି।
ଯେଉଁ ଜଗନ୍ନାଥ ବୈଷ୍ଣବମାନଙ୍କ ପାଇଁ ପରମ ବିଷ୍ଣୁ ଭାବେ ପୂଜିତ, ସେହି ପୂଣି ମହାକାଳୀ ଯନ୍ତ୍ରରେ ଆରୁଢ଼ ହୋଇ ଉପାସିତ ହୁଅନ୍ତି। ତାଙ୍କ ପାଖରେ ଲାଗି ହେଉଥିବା ପ୍ରସାଦ ସମୂହ ବିମଳାଙ୍କୁ ସମର୍ପଣ ନ ହେବା ପର୍ଯ୍ୟନ୍ତ ମହାପ୍ରସାଦର ମାନ୍ୟତା ଲଭେ ନାହିଁ।
ଜଗନ୍ନାଥ ସଂସ୍କୃତିରେ ଶାକ୍ତ ପରମ୍ପରାକୁ ଏଭଳି ଭାବେ ଯୋଡ଼ି ଦିଆଯାଇଛି ଯେ, ସାରା ଭାରତବର୍ଷରେ ଏହା ବିରଳ। ସମ୍ପୂର୍ଣ୍ଣ ଆର୍ଯ୍ୟାବର୍ତ୍ତରେ ଦେବୀ ଶକ୍ତି ବା ଦୁର୍ଗାଙ୍କ ପରମଶକ୍ତି ହେଉଛନ୍ତି ଭଗବାନ ଶିବ। କିନ୍ତୁ ଶ୍ରୀକ୍ଷେତ୍ରରେ ଭଗବାନ ଜଗନ୍ନାଥ ଭୈରବ ଭାବେ ପୂଜିତ ହେଉଥିବା ବେଳେ ତାହାଙ୍କ ଶକ୍ତି ବା ଭୈରବୀ ହେଉଛନ୍ତି ବିମଳା । ଯାହା ଏହି କ୍ଷେତ୍ରରେ ଶକ୍ତି ଉପାସନାର ବୈଶିଷ୍ଠ୍ୟ।
କ’ଣ ଏହି ଶକ୍ତି ଉପାସନା
ଦେବୀ ଉପାସନାର ୨ଟି ସମୟ ନିର୍ଦ୍ଧାରିତ ହୋଇଛି। ଗୋଟିଏ ବସନ୍ତ ଋତୁ ଓ ଅନ୍ୟଟି ଶରତ ଋତୁ। ବସନ୍ତରେ ବାସନ୍ତୀକ ଦୁର୍ଗାପୂଜା ଓ ଶରତ ଋତୁରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୁଏ। ଦେବୀ ଉପାସନାର ବାସ୍ତବ ସମୟଟି ବସନ୍ତ ଋତୁ । ମାତ୍ର ଶାରଦୀୟ ଦୁର୍ଗୋତ୍ସବ ଅସମୟ ପୂଜା ହୋଇଥିଲେ ମଧ୍ୟ ଏହା ବେଶ୍ ଲୋକପ୍ରିୟ ହୋଇଛି। ଆପଣଙ୍କ ମନରେ ସ୍ୱତଃ ପ୍ରଶ୍ନ ଆସୁଥିବ ଯେ, କ’ଣ ପାଇଁ ଏହାକୁ ଅସମୟ ଉପାସନା କୁହାଯାଏ। ହିନ୍ଦୁ ପରମ୍ପରାରେ ଚତୁଃମାସ୍ୟ ଉପାସନା ବିଧିରେ ବିଷ୍ଣୁ, ଶିବ ଓ ଦେବୀଙ୍କ ଶୟନୋତ୍ସବ ପାଳିତ ହୁଏ। ଆଷାଢ଼ ମାସରୁ ଆରମ୍ଭ ହେଉଥିବା ଚତୁଃମାସ୍ୟ କାର୍ତ୍ତିକରେ ସରିବା କଥା। ମାତ୍ର ସନ୍ଧିକ୍ଷଣରେ ପାର୍ବଣ ଆସେ ଓ ଶରତ ଋତୁରେ ମାତୃଶକ୍ତିଙ୍କ ଆବାହନ ହୁଏ। ଉପାସିତ ହୁଅନ୍ତି ଜଗତଜନନୀ । ଏଣୁ ଏହାକୁ ଅସମୟ ଉପାସନା ବା ରକ୍ତମୁଖା ସମୟ ଭାବେ ଶାକ୍ତ ଶାସ୍ତ୍ରମାନେ ବର୍ଣ୍ଣନା କରିଛନ୍ତି।
ଭଗବାନ ରାମ ହେଉଛନ୍ତି ଶାରଦୀୟ ଦୁଗୋତ୍ସବର ଆରମ୍ଭକର୍ତ୍ତା। ରାବଣ ବଧ ପାଇଁ ଦେବୀଙ୍କୁ ଭଗବାନ ରାମଚନ୍ଦ୍ର ଏହି ଦେବୀ ଶୟନାବଧିରେ ଉପାସନା କରିଥିଲେ ଓ ମା’ଙ୍କ ଆଶିଷରୁ ରାବଣର ବଧ ସମ୍ଭବ ହୋଇଥିଲା। ଏଣୁ ଏହି ସମୟରେ ଭାରତର ବିଭିନ୍ନ ପ୍ରାନ୍ତରେ ରାବଣପୋଡି ଉତ୍ସବ ପାଳିତ ହୋଇଥାଏ।
ଶ୍ରୀମନ୍ଦିରରରେ ଶକ୍ତି ଉପାସନା ଓ ଦୁର୍ଗା ମାଧବ
ଜଗନ୍ନାଥ ମନ୍ଦିରରେ ଦେବୀ ଉପାସନାର ପ୍ରାରମ୍ଭ ଷୋଳପୂଜା(ଦଶହରାର ୧୬ଦିନ ପୂର୍ବରୁ)ରୁ ହୋଇଥାଏ। । ଏହା ପୂବର୍ରୁ ପାଳିତ ହୋଇଥାଏ ସହସ୍ରକୁମ୍ଭାଭିଶେଷକ। ଏହି ଉତ୍ସବରେ ଶ୍ରୀମନ୍ଦିରରେ ପୂଜିତ ଦୁର୍ଗା ବିଗ୍ରହଙ୍କୁ ୧୦୦୦ ଗରା ସୁବାଶିତ କୁମ୍ଭ ଜଳରେ ସ୍ନାନ କରାଇ ଶୟନବିଧା କରାଯାଏ। ଏହାପରେ ଶୋଳପୂଜାରେ ଆରମ୍ଭ ହୁଏ ଶ୍ରୀମନ୍ଦିରର ‘‘ଶାକ୍ତ ଗୁଣ୍ଡିଚା ପର୍ବ’’। ଦେବୀ ଦୁର୍ଗାଙ୍କୁ କ୍ଷୁଦ୍ର ଜଗନ୍ନାଥ ବା ମାଧବ ପ୍ରତିମାଙ୍କ ସହ ଏକ ଚଉଦୋଳରେ ରୁନ୍ଧାଯାଇ ବିମଳା ମନ୍ଦିରକୁ ନିଆଯାଏ। ସେଠାରେ ପଞ୍ଚୋପଚାର ପୂଜା ପରେ ଦୁଇ ବିଗ୍ରହ ବାହୁଡ଼ା ବିଜେ କରନ୍ତି। ଶୋଳପୂଜାର ପ୍ରଥମ ୮ଦିନ ବିମଳା ମନ୍ଦିରରେ ଏହିପରି ଦୁର୍ଗାମାଧବ ଉପାସନା ହେଉଥିବା ବେଳେ ଶେଷ ଆଠ ଦିନ ଏକ ରଥାକୃତି ବିମାନରେ ଦୁଇ ବିଗ୍ରହ ଶ୍ରୀମନ୍ଦିର ବାହାରକୁ ବିଜେ କରନ୍ତି। ଦୋଳମଣ୍ଡପ ସାହିରେ ଥିବା ନାରାୟଣୀ ମନ୍ଦିରରେ ପୂଜା ହୁଅନ୍ତି ଦୁର୍ଗା ମାଧବ। ବିଷ୍ଣୁ ମାଧବ ବା ଜଗନ୍ନାଥଙ୍କ ସହ ଦୁର୍ଗାଙ୍କ ଏଭଳି ପୂଜା କେବଳ ଓଡ଼ିଶାରେ ହିଁ ଦେଖିବାକୁ ମିଳେ। ଅନ୍ୟତ୍ର ବିଷ୍ଣୁଙ୍କ ସହ ଦୁର୍ଗାଙ୍କ ପୂଜା କେଉଁଠାରେ କରାଯାଏ ନାହିଁ। ଏଣୁ ଓଡ଼ିଆ ପରମ୍ପରାରେ ଅଧିକାଂଶ ଶୁଭକାର୍ଯ୍ୟରେ ଦୁର୍ଗାମାଧବ ପଟି ବା ଚିତ୍ରଟିଏ କଳସ ସଂଲଗ୍ନ ହୋଇ ପୂଜା କରିବାର ବିଧି ରହିଛି।
କାହିଁକି ଦୁର୍ଗା ମାଧବ
ମାଧବ ବା ଏକକ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ଇଷ୍ଟ। ଆଉ ଦୁର୍ଗା ହେଉଛନ୍ତି ଶକ୍ତି ପୁଞ୍ଜର ଆଧାରକର୍ତ୍ତି । ଏଣୁ ଏ ଉଭୟଙ୍କୁ ଏକାଠି ଉପାସନା କରାଯାଏ। ଓଡ଼ିଶାର ପରାକ୍ରମୀ ରାଜାମାନେ ବୈଷ୍ଣବ ଓ ଶାକ୍ତ ପରମ୍ପରାକୁ ଏକାଠି କରିବାକୁ ଏଭଳି କରିଥାଇପାରନ୍ତି ବୋଲି ଅନୁମାନ। ଏହାର ପ୍ରାମାଣିକତା ଆପଣଙ୍କୁ ଶ୍ରୀମନ୍ଦିର ମେଘନାଦ ପାଚେରି ଉପରେ ଦେଖିବାକୁ ମିଳିବ। ପାଚେରିର ଦକ୍ଷିଣ ଦିଗରେ, ବାହାର ଆଡ଼କୁ ମୁହଁ କରି ଏହି ଦୁର୍ଗା-ମାଧବ(ପ୍ରସ୍ତର ବିଗ୍ରହ) ବିରାଜମାନ ଅଛନ୍ତି। ପୂର୍ବେ ଯୁଦ୍ଧଯାତ୍ରା ବେଳେ, ଉତ୍କଳୀୟ ସେନା ଏହିଠାରୁ ହିଁ ତାଙ୍କୁ ଦର୍ଶନ କରି ଯୁଦ୍ଧ ଯାତ୍ରା କରୁଥିଲେ । କେବେ ଶ୍ରୀମନ୍ଦିର ପରିଦର୍ଶନ ବେଳେ ଓଡ଼ିଆ ଜାତିର ଏହି ବିରଳ ଉପାସନା ଦର୍ଶନ କରି ନିଜକୁ କୃତାର୍ଥ କରିପାରନ୍ତି।
(ଏ ଲେଖାଟି ସଂପୂର୍ଣ୍ଣ ଭାବେ ଲେଖକଙ୍କର। ଏଥିରେ ‘ଓଡ଼ିଶା ରିପୋର୍ଟର’ ତରଫରୁ କୌଣସି ତଥ୍ୟ ଦିଆଯାଇନାହିଁ।)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
