ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ନଳିତା ଚାଷ ହେଉଛି ଗୋଟିଏ ଲାଭଦାୟକ ଫସଲ। ନଳିତାରୁ ଝୋଟ ଉତ୍ପାଦନ ହୋଇଥାଏ। ଝୋଟରେ ପ୍ରସ୍ତୁତ ହେଉଥିବା କାର୍ପେଟ, ଅଖା ବ୍ୟାଗ, ରଶି ଓ ବିଭିନ୍ନ ପ୍ରକାର ଘରୋଇ ଉପକରଣର ଚାହିଲା ଓଡ଼ିଶା ଏବଂ ବାହାର ରାଜ୍ୟରେ ରହିଛି। ମାତ୍ର ସରକାରୀ ପ୍ରୋତ୍ସାହନ ଓ ଝୋଟର ଉଚିତ୍ ବଜାର ମୂଲ୍ୟ ମିଳୁ ନଥିବାରୁ ଏହି ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ।
ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ର ଜଳବାୟୁ ନଳିତା ଚାଷ ପାଇଁ ବେଶ ଅନୁକୂଳ। ସେଥିପାଇଁ ସୁବର୍ଣ୍ଣରେଖା ନଦୀ ଅବବାହିକାରେ ଥିବା ଅସ୍ତି, କୁମ୍ଭାରୀ, ନୀଖିରା, ଶ୍ରୀରାମପୁର, ଦେଭୋଗ, ବିଷ୍ଣୁପୁର, ମଧୁପୁରା, ଜାମକୁଣ୍ତା ପ୍ରଭୃତି ପଞ୍ଚାୟତର ହଜାର ହଜାର ହେକ୍ଟର ଜମିରେ ଚାଷୀମାନେ ନଳିତା ଚାଷ କରୁଥିଲେ। ନଳିତାରୁ ଉତ୍ପାଦିତ ହେଉଥିବା ପ୍ରଚୁର ପରିମାଣର ଝୋଟ ବାହାରକୁ ରପ୍ତାନୀ ହେଉଥିଲା। ଯେଉଁଥିପାଇଁ ବାଲିଆପାଳକୁ ସ୍ୱତନ୍ତ୍ର ପରିଚୟ ମିଳିଥିଲା।
ବାଲିଆପାଳ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣରେ ଝୋଟ ଉତ୍ପାଦନ ହେଉଥିବାରୁ ୩୦ ବର୍ଷ ତଳେ କେନ୍ଦ୍ର ସରକାର ଏଠାରେ ଏକ ଝୋଟ ସୋସାଇଟି ଖୋଲି ଥିଲେ। ଆଉ ଏହି ସୋସାଇଟି ଚାଷୀଙ୍କଠାରୁ ଧାର୍ଯ୍ୟ ସରକାରୀ ମୂଲ୍ୟରେ ଝୋଟ କ୍ରୟ କରୁଥିଲା। ଚାଷୀମାନେ ଭଲ ଦି’ ପଇସା ରୋଜଗାର କରୁଥିଲେ। ଫଳରେ ନଳିତା ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢ଼ୁଥିଲା। ତେବେ କିଛି କାରଣ ନଥାଇ ହଠାତ୍ ୮ ବର୍ଷ ତଳେ ସୋସାଇଟି ବନ୍ଦ କରି ଦିଆଗଲା। ଯେଉଁଥିପାଇଁ ଚାଷୀମାନେ ଝୋଟରୁ ଉଚିତ୍ ମୂଲ୍ୟ ପାଉନାହାନ୍ତି। ଚାଷୀମାନେ କମ୍ ଦାମରେ ବାହାର ରାଜ୍ୟର ଦଲାଲ ଓ ସ୍ଥାନୀୟ ବ୍ୟବସାୟୀମାନଙ୍କୁ ଝୋଟ ବିକିବାକୁ ବାଧ୍ୟ ହେଉଛନ୍ତି। ସରକାରୀ ମୂଲ୍ୟଠାରୁ ବହୁ କମ୍ ଦାମରେ ଝୋଟ ବିକ୍ରି ହେଉଥିବାରୁ ଚାଷରେ ଖର୍ଚ୍ଚ କରୁଥିବା ଟଙ୍କା ଉଠି ପାରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଗୋଟିଏ ଏକର ଜମିରେ ନଳିତା ଚାଷ ପାଇଁ ୧୫ରୁ ୧୭ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପାଖାପାଖି ୨୫ରୁ ୩୦ ହଜାର ଟଙ୍କାର ଝୋଟ ବିକ୍ରି ହୋଇଥାଏ। ମାତ୍ର ଏଠାରେ ଥିବା ଝୋଟ ସୋସାଇଟି ବନ୍ଦ ହୋଇଯିବାରୁ ସ୍ଥାନୀୟ ବ୍ୟବସାୟୀମାନେ ଚାଷୀମାନଙ୍କଠାରୁ ଅତି କମ୍ ଦାମରେ ଝୋଟ କ୍ରୟ କରୁଛନ୍ତି। ଯାହା ଫଳରେ ଚାଷୀମାନଙ୍କୁ ବହୁ କ୍ଷତି ସହିବାକୁ ପଡୁଛି। ସେଥିପାଇଁ ନଳିତା ଚାଷ ଉପରୁ ଆଗ୍ରହ କମି କମି ଯାଉଛି ବୋଲି ଚାଷୀମାନେ କହିଛନ୍ତି। ପ୍ଲାଷ୍ଟିକ ବଦଳରେ ପରିବେଶ ସୁରକ୍ଷା ପାଇଁ ସରକାର ଝୋଟ ତିଆରି ସାମଗ୍ରୀ ଉପରେ ଗୁରୁତ୍ୱ ଦେଉଛନ୍ତି। ମାତ୍ର ଉଚ୍ଚିତ ବଜାର ମୂଲ୍ୟ ଓ ସରକାରୀ ପ୍ରୋତ୍ସାହନ ଅଭାବରୁ ଝୋଟ ଚାଷୀମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି।
ମିଳିଥିବା ସୂଚନା ଅନୁସାରେ ବାଲିଆପାଳ ବ୍ଲକରୁ ଉତ୍ପାଦିତ ଝୋଟ ଜିଲ୍ଲାରେ ଥିବା ରୂପ୍ସା ଝୋଟ ମିଲ୍, ଧାନମଣ୍ତଳ ଝୋଟ ମିଲ୍, ଢେଙ୍କାନାଳ ଝୋଟ ମିଲ୍ ସମେତ ପଶ୍ଚିମବଙ୍ଗର କଲିକତା ଝୋଟ ମିଲ୍କୁ ଯାଇଥାଏ। ଏବେ ସେ ସ୍ଥିତି ନାହିଁ। ବାଲିଆପାଳରେ ଉତ୍ପାଦିତ ହେଉଥିବା ଝୋଟ କେତେକ ମାଫିଆଙ୍କ ହାତକୁ ଚାଲି ଯାଉଛି। ସେମାନେ ମାଲାମାଲ ହେଉଛନ୍ତି। ଗରିବ ଚାଷୀ ସବୁ ଦିନ ପାଇଁ ସେମିତି ଗରିବ ହୋଇ ରହି ଯାଉଛି।