ଚିନ୍ତାରେ କନ୍ଧମାଳର ହଳଦୀ ଚାଷୀ

ଫୁଲବାଣୀ (ତ୍ରିନାଥ ସାହୁ): ହଳଦୀ ଚାଷ ପାଇଁ କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧି ରହିଛି। ଜିଲ୍ଲାର ପ୍ରାୟ ଅଧିକାଂଶ ଚାଷୀ ହଳଦୀ ଚାଷ କରନ୍ତି। ଏହା ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବାରେ ସହାୟକ ମଧ୍ୟ ହୋଇଛି। ତେବେ ଚଳିତ ବର୍ଷ ପ୍ରଥମେ ଅଦିନିଆ ବର୍ଷା ପରେ ଲଘୁଚାପଜନିତ ବର୍ଷା ହଳଦୀ ଚାଷ ଉପରେ ଖରାପ ପ୍ରଭାବ ପକାଇଛି। ଏ ବର୍ଷ ସରକାରୀ ବିହନ ନମିଳିବାରୁ ପାରମ୍ପରିକ ହଳଦୀ ବିହନରେ ଚାଷ କରିଥିଲେ ଚାଷୀ। ହେଲେ ଅଦିନିଆ ବର୍ଷାରେ […]

kandhmala

Jyoshna Pradhan
  • Published: Saturday, 14 December 2019
  • , Updated: 14 December 2019, 10:20 AM IST

ଫୁଲବାଣୀ (ତ୍ରିନାଥ ସାହୁ): ହଳଦୀ ଚାଷ ପାଇଁ କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧି ରହିଛି। ଜିଲ୍ଲାର ପ୍ରାୟ ଅଧିକାଂଶ ଚାଷୀ ହଳଦୀ ଚାଷ କରନ୍ତି। ଏହା ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିବାରେ ସହାୟକ ମଧ୍ୟ ହୋଇଛି। ତେବେ ଚଳିତ ବର୍ଷ ପ୍ରଥମେ ଅଦିନିଆ ବର୍ଷା ପରେ ଲଘୁଚାପଜନିତ ବର୍ଷା ହଳଦୀ ଚାଷ ଉପରେ ଖରାପ ପ୍ରଭାବ ପକାଇଛି। ଏ ବର୍ଷ ସରକାରୀ ବିହନ ନମିଳିବାରୁ ପାରମ୍ପରିକ ହଳଦୀ ବିହନରେ ଚାଷ କରିଥିଲେ ଚାଷୀ। ହେଲେ ଅଦିନିଆ ବର୍ଷାରେ ବିହନ ଖରାପ ହୋଇଯାଇଥିବାରୁ ହଳଦୀ ଚାଷ କରି ଭଲ ଦୁଇ ପଇସା ରୋଜଗାର ଆଶା ରଖିଥିବା ଚାଷୀ ଏବେ ନିରାଶ ହୋଇପଡ଼ିଛନ୍ତି। ଫୁଲବାଣୀ ବ୍ଲକର ରୁଜାଙ୍ଗୀ, ମୂଳରୁଜାଙ୍ଗୀ ଏବଂ ବନ୍ଧସାହିରେ ପୂର୍ବବର୍ଷ ତଳନାରେ ଏଥର ହଳଦୀ ଚାଷ ଭଲ ହୋଇ ନଥିବାରୁ ଉତ୍ପାଦନ କମିବ ବୋଲି ଚାଷୀମାନେ କହିଛନ୍ତି। ତେଣୁ ସେମାନେ କିପରି ପରିବାର ପ୍ରତିପୋଷଣ କରିବେ, ତାକୁ ନେଇ ଚିନ୍ତାରେ ଅଛନ୍ତି।

ପ୍ରକାଶଚନ୍ଦ୍ର ପ୍ରଧାନ ନାମକ ଜଣେ ହଳଦୀ ଚାଷୀ କହିଛନ୍ତି, “ବର୍ଷା ଯୋଗୁ ହଳଦୀ ଗଛରେ ପୋକ ଲାଗିଗଲା ଓ ସେଗୁଡ଼ି ମରି ଗଲାଣି। ଯେମିତି ହଳଦୀ ହେବା କଥା ସେପରି ହୋଇ ନାହିଁ। ପରିଶ୍ରମ ଅନୁସାରେ ଚାଷ ଭଲ ହୋଇ ନାହିଁ। ସରକାରଙ୍କ ତରଫରୁ ବିହନ ମିଳି ନାହିଁ। ବାବୁମାନେ ଖାଲି ଆସି ଦେଖି ପଳାଇ ଯାଉଛନ୍ତି।”

ସେହିପରି ଆଉ ଜଣେ ହଳଦୀ ଚାଷୀ ନାରାୟଣ ଜାନୀ କହିଛନ୍ତି, “ଯେତିକି ଟଙ୍କା ଖର୍ଚ୍ଚ କରିଛୁ ସେହି ଅନୁସାରେ ହଳଦୀ ଅମଳ ହେବ ନାହିଁ। ଆମେ ହଳଦୀ ଚାଷ ଛାଡ଼ିଦେଲେ ଭଲ ହେବ ବୋଲି ଭାବୁଛୁ। କାରଣ ସରକାର ଯାହା ସାହାଯ୍ୟ କରିବା କଥା ତାହା କରୁ ନାହାନ୍ତି। ଆମେ କ’ଣ କରିବୁ? ସରକାର ପ୍ରତ୍ସୋହନ ଦେଲେ ଆମେ ହଳଦୀ ଚାଷକୁ ଆଗକୁ ବଢ଼ାଇ ପାରନ୍ତୁ।”

ଏନେଇ କନ୍ଧମାଳ ଜିଲ୍ଲା ଉଦ୍ୟାନ ବିଭାଗର ଉପ-ନିର୍ଦେଶକ ମନୋଜ କୁମାର ଦାସ କହିଛନ୍ତି, “ ଜିଲ୍ଲାରେ ଚଳିତବର୍ଷ ପ୍ରାୟ ୧୪,୦୦୦ ହେକ୍ଟର ଜମିରେ ହଳଦୀ ଚାଷ ହୋଇଛି। ଯେଉଁଥିରୁ ପ୍ରାୟ ୨୮ ହଜାର ମେଟ୍ରିକ ଟନ୍ ହଳଦୀ ଉତ୍ପାଦନ ହେବାର ସମ୍ଭାବନା ରହିଛି । MIDH (Mission for integrated development to horticulture) ଯୋଜନାରେ ସରକାରଙ୍କ ତରଫରୁ ଜିଲ୍ଲାରେ ୧୫୦୦ ଚାଷୀଙ୍କୁ ୭୦୦ ହେକ୍ଟର ଜମିରେ ହଳଦୀ ଚାଷ କରିବା ପାଇଁ ରିହାତି ଦରରେ ଉନ୍ନତ ମାନର ହଳଦୀ ବିହନ ଦିଆଯାଇଛି। ଜିଲ୍ଲାରେ ପ୍ରାୟ ୪୦ ହଜାର ହଳଦୀ ଚାଷୀ ଥିବାରୁ ସମସ୍ତଙ୍କୁ ପ୍ରୋତ୍ସାହନ ଦେବା ସମ୍ଭବ ନୁହେଁ।ପ୍ରତି ବର୍ଷ କିଛି କିଛି ଚାଷୀଙ୍କୁ ଏଥିରେ ସାମିଲ କରାଯାଉଛି ଏବଂ ପର୍ଯ୍ୟାୟ କ୍ରମେ ସମସ୍ତ ଚାଷୀଙ୍କୁ ଆମେ ଉନ୍ନତ ମାନର ହଳଦୀ ବିହନ ଯୋଗାଇଦେବୁ।”

ଶ୍ରୀ ଦାସ ଆହୁରି କହିଛନ୍ତି ଯେ ଅଦିନିଆ ବର୍ଷାରେ ହଳଦୀ ଗଛ ଗୁଡ଼ିକ ଶୋଇପଡ଼ିଥିଲା। କିନ୍ତୁ ହଳଦୀ ଗଛ ଗୁଡ଼ିକର ସେମିତି କିଛି ବିଶେଷ କ୍ଷତି ହୋଇ ନାହିଁ।

Related story