- ନିରଞ୍ଜନ ମିଶ୍ର
ଆ କା ମା ବୈ.. ପାନ ଗୁଆ ଥୋଇ.. ଏ ପାନ ଗୁଆ ତୋର... ମାସକ ଧରମ ମୋର। ହିନ୍ଦୁ ପଞ୍ଜିକାରେ ଆ-ଆଷାଢ଼, କା-କାର୍ତ୍ତିକ, ମା-ମାର୍ଗଶିର, ବୈ-ବୈଶାଖକୁ ସୂଚାଇଥାଏ। ଏହି ଚାରିମାସକୁ ଧର୍ମ ମାସ ଭାବେ ବିଶେଷ ଗୁରୁତ୍ୱ ଦିଆଯାଏ। କର୍ତ୍ତିକ ପୂର୍ଣ୍ଣିମା ପ୍ରତ୍ୟେକ ହିନ୍ଦୁମାନଙ୍କ ନିମନ୍ତେ ଉତ୍ସବ ପାଳନର ଶୁଭ ଅବସର। ଏହା ଦେବ ଦୀପାବଳି ଭାବେ ମଧ୍ୟ ପାଳନ କରାଯାଏ। ଏହି ଦିନ ଭଗବାନ ଶିବ ତ୍ରିପୁରାଶୁରକୁ ବଦ୍ଧ କରିଥିଲେ। ପୃଥିବୀବାସୀଙ୍କ ସମେତ ଦେବତାଙ୍କୁ ଏହି ମହାପରାକ୍ରମୀ ଦାନବ କବଳରୁ ମୁକ୍ତି ଦେଇଥିଲେ। ତେଣୁ ଏହି ଦିନ ପ୍ରତ୍ୟେକ ହିନ୍ଦୁ ଶିବ ମନ୍ଦିରରେ ଠାକୁର ପୂଜନ ସାଙ୍ଗକୁ ଦୀପ ଜାଳି ଆଶିଷ ମାଗିଥାନ୍ତି।
ଅନ୍ୟପଟେ ଏହି ଦିନକୁ ଅନେକ ଭଗବାନ ବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ ଉପାସନା ମଧ୍ୟ କରିଥାନ୍ତି। କାର୍ତ୍ତିକ ବ୍ରତ ଏହି ଦିନ ସମାପନ ହୋଇଥାଏ। ଏହି ଦିନ କାର୍ତ୍ତିକ ସ୍ନାନ ନିମନ୍ତେ ବିଭିନ୍ନ ତୀର୍ଥ ସ୍ଥଳ, ନଦୀ ଓ ପୁଷ୍କରିଣୀରେ ଭିଡ଼ ଜମି ଥାଏ। ଓଡ଼ିଆମାନେ ପ୍ରତ୍ୟୁଷରୁ କାର୍ତ୍ତିକ ସ୍ନାନ ପରେ ବୋଇତ ଭସାଣ କରିଥାନ୍ତି। କଦଳୀ ବାସୁଙ୍ଗା କିମ୍ବା ସୋଲ ଡଙ୍ଗାରେ ମସାଲ ଭଳି ଘିଅ ଦୀପ କାଠି ପ୍ରଜ୍ୱଳିତ କରାଯାଇଥାଏ। ଡଙ୍ଗାରେ ପାନ ଓ ଗୁଆ ରଖାଯାଇଥାଏ। ପାନ ବା ତାମ୍ବୁଳ ଓ ଗୁଆକୁ ହିନ୍ଦୁ ଧର୍ମରେ ଠାକୁରଙ୍କ ସ୍ଥାନରେ ପୂଜା କରାଯାଇଥାଏ। ଏହାକୁ ଭସାଇ ଦେଲେ ସବୁ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହାଛଡ଼ା ପାନ ଓ ଗୁଆ ମଧ୍ୟ ବ୍ୟବସାୟ ଅର୍ଥରେ ଖୁବ୍ ଗୁରତ୍ୱ ରଖିଥାଏ।
ସେହିପରି କାର୍ତ୍ତିକ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ସୁନା ବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥାଏ। ଠାକୁରମାନେ ୨୩ ପ୍ରକାରୁ ଅଧିକ ସୁନା ଅଳଙ୍କାରରେ ବେଶ ହୋଇ ଦର୍ଶନ ଦେଇଥାନ୍ତି। ଏହି ଦିନ ସନ୍ଧ୍ୟାରେ ଶ୍ରୀମନ୍ଦିରରେ ଦୋଳଗୋବିନ୍ଦାଭିଷେକ ହୁଏ। ଦକ୍ଷିଣ ଘରୁ ଦୋଳ ଗୋବିନ୍ଦ ଠାକୁର ରତ୍ନବେଦୀକୁ ବିଜେ କରନ୍ତି। ଆଜ୍ଞାମାଳ ପାଇବା ପରେ ତାଙ୍କୁ ଜଗମୋହନରେ ପଡ଼ିଥିବା ଖଟ ଉପରେ ବିଜେ କରାଯାଏ। ଏଠାରେ ଭୋଗ ଓ ବନ୍ଦାପନା ପରେ ଠାକୁର ଦକ୍ଷିଣ ଘରକୁ ଫେରନ୍ତି। ଉତ୍ସବ ଦେଖିବାକୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମି ଥାଏ।
ଅନ୍ୟପଟେ ପଞ୍ଚୁକ ପ୍ରାରମ୍ଭିକ ଦିନ ତଥା ଶୁକ୍ଳ ଏକାଦଶୀ ଦିନ ହରି ଉତ୍ଥାପନ ହେବା ସହ ଶୁଭବେଳା ଆରମ୍ଭ ହୋଇଥାଏ ବୋଲି ବିଶ୍ୱାସ ରହିଥାଏ। ଭଗବାନ ବିଷ୍ଣୁ ଯୋଗନିଦ୍ରାରୁ ଉଠିଥାନ୍ତି। ପୁରାଣର ବର୍ଣ୍ଣନା ଅନୁସାରେ ଭଗବାନ ଚାରିମାସ ଶୟନ କରିଥାନ୍ତି। ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ଶୟନ କରି କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ନିଦ୍ରାରୁ ଉଠିଥାନ୍ତି। ଫଳତଃ ବିବାହ, ବ୍ରତ, ଦୂର ଯାତ୍ରା, ଘର ପ୍ରତିଷ୍ଠା ପ୍ରଭୃତି ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ଲୋକେ ଉଦ୍ଯୋଗ କରିଥାନ୍ତି।
ପୂର୍ବେ ବୋଇତ ଜରିଆରେ ଓଡ଼ିଆ ସାଧବ ବା ବୈଷମାନେ ଭାରତ ଓ ଏହା ପଡ଼ୋଶୀ ଦେଶ ଯଥା ଜାଭା, ସୁମାତ୍ରା ପ୍ରଭୃତି ଦକ୍ଷିଣ ପୂର୍ବ ଦେଶମାନଙ୍କୁ ଯାତ୍ରା କରୁଥିଲେ। ସ୍ଥାନୀୟ ଚାଷୀ ଓ କାରିଗରମାନଙ୍କ ଠାରୁ ବିଭିନ୍ନ ଜିନିଷ କିଣିବା ପରେ ଏହାକୁ ବୋଇତ ଜରିଆରେ ଦେଶ ଓ ଦେଶ ବାହାରେ ବିକ୍ରି କରି ପ୍ରଚୁର ଅର୍ଥ ରୋଜଗାର କରୁଥିଲେ। ଯାତ୍ରା କରିବା ସୁବିଧାଜନକ ମାର୍ଗ ଜଳପଥ ଥିଲା। କାର୍ତ୍ତିକ ପୂର୍ଣ୍ଣିମାକୁ ଶୁଭବେଳା ଭାବେ ନିଆଯାଇ ସାଧବମାନେ ନଦୀ-ସମୁଦ୍ର ମାର୍ଗରେ ସେମାନଙ୍କ ବାଣିଜ୍ୟ ନିମନ୍ତେ ଯାତ୍ରା କରୁଥିଲେ। ଏହାଛଡ଼ା ମୈସୁମୀ ବିଦାୟ ନେଇ ସାରିଥିବାରୁ ଏହି ସମୟକୁ ଅତ୍ୟନ୍ତ ଉପଯୋଗୀ ଭାବେ ସେମାନେ ବାଣିଜ୍ୟ ନିମନ୍ତେ ବ୍ୟବହାର କରୁଥିଲେ। କର୍ତ୍ତିକ ମାସ ପରେ ପ୍ରକୃତିରୁ ସୃଷ୍ଟି ପବନକୁ ବୋଇତରେ ବ୍ୟବହାର କରୁଥିଲେ। ଏହି ସ୍ମୃତିକୁ ଉଜାଗର ରଖି ଓଡ଼ିଆମାନେ ମଧ୍ୟ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥାନ୍ତି।
ଆ କା ମା ବୈ...କୁ ସମୟର ଯାତ୍ରା ବୋଲି ମଧ୍ୟ କୁହାଯାଏ। ଏହି ସମୟରେ ପବନ ଅନୁକୂଳ ଅନୁଯାୟୀ ସାଧବମାନେ ଦକ୍ଷିଣ-ପୂର୍ବ ସମୁଦ୍ର ତଟବର୍ତ୍ତି ରାଜ୍ୟ ଓ ଦେଶମାନଙ୍କୁ ଯାତ୍ରା କରୁଥିଲେ। ତେବେ ଓଡ଼ିଆମାନେ ମୁଖ୍ୟତଃ ବ୍ରହ୍ମଦେଶ(ମିଆଁମାର), ମିଲକା(ମାଲେସିଆ), ଶ୍ୟାମାଦେଶ(ଥାଇଲାଣ୍ଡ), ଚମ୍ପାଦେଶ(ଚମ୍ବୋଡ଼ିଆ), ଜାଭା, ସୁମାତ୍ରା, ବାର୍ଲି, ବୋରନିଓ(ଇଷ୍ଟ ଇଣ୍ଡିଆ), ସିଂମହଲ(ଶ୍ରୀଲଙ୍କା) ପ୍ରଭୃତି ଦେଶକୁ ଯାଉଥିଲେ। ସେମାନଙ୍କ ଏହି ଦେଶମାନଙ୍କରେ ପହଞ୍ଚିବାକୁ ପ୍ରାୟ ଦୁଇ କିମ୍ବା ୩ ମାସ ଲାଗି ଯାଉଥିଲା।
କାର୍ତ୍ତିକ ପୂର୍ଣ୍ଣିମା ଦିନକୁ ମଧ୍ୟ ଶିଖ୍ ଓ ଜୈନମାନେ ଖୁବ୍ ଧୁମ୍ଧାମ୍ରେ ପାଳନ କରିଥାନ୍ତି। ଶିଖ୍ ଧର୍ମଗୁରୁ ନାନକ ଦେବଙ୍କ ଜୟନ୍ତୀ ଭାବେ ଏହି ଦିନକୁ ପାଳନ କରାଯାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।