ସ୍କୁଲ୍‌ ଶିକ୍ଷକ ବଦଳାଇ ଦେଇଥିଲେ ମିସାଇଲ୍‌ ମ୍ୟାନ୍‌ଙ୍କ ଜୀବନର ଗତିପଥ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାପାମା’ ଶ୍ରଦ୍ଧାରେ ନାଁ ଦେଇଥିଲେ ଅବୁଲ ପାକିର ଜୈନୁଲାଵାଦ୍ଦିନ ଅବଦୁଲ କଲାମ। ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ତାମିଲନାଡୁର ରାମେଶ୍ୱରମସ୍ଥିତ ଏକ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ପ୍ରଚଣ୍ଡ ପ୍ରତିଭା ସମ୍ପନ୍ନ କଲାମ। ବଡ଼ ହେବା ପରେ ସେ ସମଗ୍ର ବିଶ୍ୱରେ ପରିଚିତ ହୋଇଥିଲେ ଡ. ଏ.ପି.ଜେ ଅବଦୁଲ କଲାମ ନାଁରେ । କିଏ ତାଙ୍କୁ କୁହେ ମିସାଇଲ୍‌ ମ୍ୟାନ ଅବଦୁଲ କଲାମ, ତ’ କେଉଁଠି ମିସାଇଲ ପ୍ରୋଗ୍ରାମର ଜନକ। ପିପୁଲ୍ସ ପ୍ରେସିଡେଣ୍ଟ […]

kalam1

Niharika Rout
  • Published: Saturday, 27 July 2019
  • , Updated: 27 July 2019, 01:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାପାମା’ ଶ୍ରଦ୍ଧାରେ ନାଁ ଦେଇଥିଲେ ଅବୁଲ ପାକିର ଜୈନୁଲାଵାଦ୍ଦିନ ଅବଦୁଲ କଲାମ। ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ତାମିଲନାଡୁର ରାମେଶ୍ୱରମସ୍ଥିତ ଏକ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ପ୍ରଚଣ୍ଡ ପ୍ରତିଭା ସମ୍ପନ୍ନ କଲାମ। ବଡ଼ ହେବା ପରେ ସେ ସମଗ୍ର ବିଶ୍ୱରେ ପରିଚିତ ହୋଇଥିଲେ ଡ. ଏ.ପି.ଜେ ଅବଦୁଲ କଲାମ ନାଁରେ । କିଏ ତାଙ୍କୁ କୁହେ ମିସାଇଲ୍‌ ମ୍ୟାନ ଅବଦୁଲ କଲାମ, ତ’ କେଉଁଠି ମିସାଇଲ ପ୍ରୋଗ୍ରାମର ଜନକ। ପିପୁଲ୍ସ ପ୍ରେସିଡେଣ୍ଟ ହିସାବରେ ମଧ୍ୟ ସେ ପରିଚିତ।

ବିଦ୍ୟାର୍ଥୀଙ୍କ ପ୍ରତି ତାଙ୍କ ଭଲ ଭାଇବା ଦେଖି ସଂଯୁକ୍ତ ରାଷ୍ଟ୍ର ତାଙ୍କ ଜନ୍ମଦିନକୁ ‘ବିଦ୍ୟାର୍ଥୀ ଦିବସ’ ଭାବେ ପାଳନ କରୁଛି। ଦେଶର ଆଗଧାଡ଼ିର ବୈଜ୍ଞାନିକ କଲାମ ନିଜ ଟ୍ୱିଟର ପ୍ରୋଫାଇଲରେ କିନ୍ତୁ ନିଜକୁ ‘ଲର୍ଣ୍ଣର’ ବୋଲି ଲେଖିଥିଲେ। ଆଜି ଏହି ମହାନ ବୈଜ୍ଞାନିକ ତଥା ଦେଶଭକ୍ତଙ୍କ ପୂଣ୍ୟତିଥି ଅବସରରେ ଆସନ୍ତୁ ଜାଣିବା, ତାଙ୍କ ସମ୍ପର୍କରେ କିଛି ଅଜଣା କଥା।

[caption id="attachment_411830" align="aligncenter" width="750"] କଲାମଙ୍କ ପିଲା ଦିନର ଫଟୋ[/caption]

ଅବଦୁଲ କଲାମଙ୍କ ବାପା ଜୈନୁଲାଵାଦ୍ଦିନ ଏକ ଡଙ୍ଗାର ମାଲିକ ଥିବା ବେଳେ ସ୍ଥାନୀୟ ମସଜିଦ୍‌ରେ ଇମାମ ଦାୟିତ୍ୱ ନିର୍ବାହ କରୁଥିଲେ। ମା’ ଆସିଆମ୍ମା ଜଣେ ଗୃହିଣୀ ଥିଲେ। କଲାମଙ୍କ ପ୍ରାରମ୍ଭିକ ଜୀବନ ଖୁବ ସଂଘର୍ଷମୟ ଥିଲା। ଆର୍ଥିକ ସଙ୍କଟ ମଧ୍ୟରେ ପରିବାର ଗତି କରୁଥିବାରୁ କଲାମ ଛୋଟ ବେଳୁ ଖବରକାଗଜ ହକର ଭାବେ କାମ କରୁଥିଲେ। ମୁସଲିମ୍‌ ହୋଇଥିବା ସତ୍ତ୍ୱେ ପିଲାଟି ଦିନରୁ କଲାମ ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । ହେଲେ ପ୍ରାଥମିକ ଶିକ୍ଷା ସମୟରେ ଜଣେ ଶିକ୍ଷକଙ୍କ ଉପଦେଶ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା।

୮ ବର୍ଷ ବୟସର ହୋଇଥିବା ବେଳେ କଲାମ ରାତି ୪ଟାରୁ ଉଠୁଥିଲେ। ଏହାପରେ ଗାଧୁଆପାଧୁଆ ସାରି ଗଣିତ ଟ୍ୟୁସନ ପାଇଁ ଚାଲି ଚାଲି ଯାଉଥିଲେ। ଏହା ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କାରଣ ତାଙ୍କ ଗଣିତ ସାର୍‌ ପ୍ରତି ବର୍ଷ ୫ ଜଣ ପିଲାଙ୍କୁ ମାଗଣାରେ ଟ୍ୟୁସନ କରୁଥିଲେ। ହେଲା ସର୍ତ୍ତ ଏତିକି ଥିଲା ଯେ, ଇଚ୍ଛୁକ ପିଲାଙ୍କୁ ସକାଳୁ ଗାଧୁଆ ସାରି ଟ୍ୟୁସନ ପାଇଁ ଯିବାକୁ ପଡ଼ୁଥିଲା। ନଚେତ ଟ୍ୟୁସନରେ ବସିବାକୁ ଅନୁମତି ମିଳୁ ନ ଥିଲା। ଟ୍ୟୁସନରୁ ଫେରିବା ପରେ ସେ ନମାଜ ପଢୁଥିଲେ, ଓ ସକାଳ ୮ଟାରେ ରାମେଶ୍ୱରମ ରେଳ ଷ୍ଟେଶନ ଓ ବସ୍‌ ଷ୍ଟାଣ୍ଡରେ ଖବରକାଗଜ ବିକୁଥିଲେ।

[caption id="attachment_411831" align="alignnone" width="750"] ପିଲା ଦିନେ ବାପାମା’ଙ୍କ ସହ କଲାମ[/caption]

ଏରୋସ୍ପେସ୍ ଟେକନୋଲଜିରେ ଭର୍ତ୍ତି ହେବାର ସମସ୍ତ ଶ୍ରେୟ କଲାମ ନିଜ ୫ମ ଶ୍ରେଣୀ ଶିକ୍ଷକଙ୍କୁ ଦେଇଥିଲେ। ଥରେ ଉକ୍ତ ଶିକ୍ଷକଜଣକ ପକ୍ଷୀ କେମିତି ଉଡ଼େ ବୋଲି କ୍ଲାସରେ ପିଲାମାନଙ୍କୁ ପଚାରିଥିଲେ। ହେଲେ କେହି ଏହି ପ୍ରଶ୍ନର ଉତ୍ତର ଦେଇ ପାରି ନ ଥିଲେ। ଏଥିରେ ବିରକ୍ତ ନ ହୋଇ ଶିକ୍ଷକ ଜଣକ ପରଦିନ ପିଲାଙ୍କୁ ସ୍କୁଲ ନିକଟ ସମୁଦ୍ର କୂଳକୁ ନେଇ ଯାଇଥିଲେ। ସେଠାରେ କେତେକ ପକ୍ଷୀ ଉଡ଼ୁଥିଲେ ଆଉ କିଛି ସମୁଦ୍ର କୂଳରେ ବସିଥିଲେ।

ସେଠାରେ ଶିକ୍ଷକଜଣକ ପିଲାଙ୍କୁ ପକ୍ଷୀଙ୍କ ଉଡ଼ିବାର ରହସ୍ୟ ସମ୍ପର୍କରେ ବୁଝାଇଥିଲେ । ଏହା ସହ ପକ୍ଷୀଙ୍କ ଶାରୀରିକ ଗଠନ ବିଷୟରେ ବି ବିସ୍ତାର ଭାବେ କହିଥିଲେ। ଉକ୍ତ ଘଟଣାବଳି କଲାମଙ୍କୁ ତାଙ୍କ ଜୀବନର ଲକ୍ଷ୍ୟ ନିର୍ଦ୍ଧାରଣ କରିବାରେ ସହାୟକ ହେଲା। ଏହାପରେ ସେ ସବୁବେଳେ ଆକାଶରେ ଉଡ଼ିବାର ସ୍ୱପ୍ନ ଦେଖିଲେ। ପିଲାଟି ଦିନରୁ ଇଂରାଜୀ ଉପନ୍ୟାସ ପଢ଼ିବା ସହ ସୌରମଣ୍ଡଳ, ସୌରଜଗତ ଓ ମହାକାଶ ସମ୍ପର୍କିତ ବିଭିନ୍ନ ପୁସ୍ତକ ପଢ଼ିବା ପ୍ରତି ତାଙ୍କର ପ୍ରବଳ ରୁଚି ରହିଥିଲା ।

[caption id="attachment_411832" align="alignnone" width="750"] ପରିବାର ସହ ଡ. ଏ.ପି.ଜେ ଅବଦୁଲ କଲାମ[/caption]

ଆଉ ଏହି ଲକ୍ଷ୍ୟ ପୂରଣ କରିବାକୁ ସେ ମାଡ୍ରାସ ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ସ୍ନାତକ ଡିଗ୍ରୀ ହାସଲ କଲେ। ଏହାପରେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ(ଡିଆରଡିଓ)ରେ ବୈଜ୍ଞାନିକ ଭାବରେ ଯୋଗ ଦେଇଥିଲେ ।

ସେଠାରେ କିଛି ବର୍ଷ କାର୍ଯ୍ୟ କରିବା ପରେ ସେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ରେ ଅବସ୍ଥାପିତ ହୋଇଥିଲେ। ୧୯୮୦ରେ ସେ ରୋହିଣୀ ଉପଗ୍ରହକୁ ପୃଥିବୀ କକ୍ଷପଥର ଅତି ନିକଟରେ ସ୍ଥାପିତ କରିବାରେ ସକ୍ଷମ ହୋଇଥିଲେ । ପରେ ତାଙ୍କୁ ୧୯୮୨ରେ ଡିଆରଡିଓର ନିର୍ଦେଶକ ଭାବରେ ନିଯୁକ୍ତି ମିଳିଥିଲା । ପ୍ରଚଣ୍ଡ ପ୍ରତିଭା ଯୋଗୁଁ ସମ୍ପୂର୍ଣ୍ଣ ସ୍ୱଦେଶୀ କୌଶଳରେ ସେ ଅଗ୍ନି ଏବଂ ତ୍ରିଶୁଳ ଭଳି କ୍ଷେପଣାସ୍ତ୍ର ନିର୍ମାଣ କରିପାରିଥିଲେ।

ତାଙ୍କର ତତ୍ତ୍ୱାବଧାନରେ ୧୯୯୮ରେ ପୋଖରାନରେ ଭାରତ ତା’ର ଦ୍ୱିତୀୟ ପରମାଣୁ ଶକ୍ତି ପରୀକ୍ଷା କରିପାରିଥିଲା। ସେ ପ୍ରମାଣ କରିଦେଇଥିଲେ ଯେ, ଯଦି କୌଣସି ଲକ୍ଷ୍ୟକୁ ପାଇବା ପାଇଁ ମଣିଷର ଦୃଢ଼ ସଂକଳ୍ପ ଥାଏ, ତେବେ ତାହା ପାଇବା ଆଦୌ ଅସମ୍ଭବ ନୁହେଁ। ତାଙ୍କ ନେତୃତ୍ୱରେ ‘ପୃଥିବୀ’, ‘ଆକାଶ’, ‘ତ୍ରିଶୂଳ’ ଏବଂ ‘ଅଗ୍ନି’ ଭଳି କ୍ଷେପଣାସ୍ତ୍ରର ବିକାଶ ହୋଇଥିଲା।

୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସେ ଭାରତର ରାଷ୍ଟ୍ରପତି ଥିଲେ। ସେ ‘ୱିଙ୍ଗସ୍ ଅଫ୍ ଫାୟାର’, ‘ଇଗ୍‌ନାଇଟେଡ୍ ମାଇଣ୍ଡସ୍’ ଏବଂ ‘ଇଣ୍ଡିଆ-୨୦୨୦’ ପରି ଅନେକ ପ୍ରେରଣାଦାୟକ ପୁସ୍ତକ ରଚନା କରିଛନ୍ତି। ଏ ସବୁ ବହି ଛାତ୍ରଛାତ୍ରୀ ତଥା ଦେଶର ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ପ୍ରବଳ ଈଶ୍ୱର ବିଶ୍ୱାସୀ ଥିବା କଲାମ୍‌ କିନ୍ତୁ ଅନ୍ଧବିଶ୍ୱାସୀ ନ ଥିଲେ।

ଦେଶ ପ୍ରତି ଅବଦାନ ଲାଗି ଭାରତ ସରକାର ୧୯୮୧ ମସିହାରେ କଲାମଙ୍କୁ ପଦ୍ମ ଭୂଷଣ, ୧୯୯୦ରେ ପଦ୍ମ ବିଭୂଷଣ ଓ ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ କରିଥିଲେ। କଲାମ ଦେଶର ଏପରି ତୃତୀୟ ରାଷ୍ଟ୍ରପତି ଯିଏ କି ଦେଶର ସର୍ବୋଚ୍ଚ ପଦରେ ଅଭିଷିକ୍ତ ହେବା ପୂର୍ବରୁ ଭାରତ ରତ୍ନ ପରି ସମ୍ମାନର ଅଧିକାରୀ ହୋଇ ପାରିଥିଲେ। ତାଙ୍କ ପୂର୍ବରୁ ରାଷ୍ଟ୍ରପତି ଥିବା ସର୍ବପଲ୍ଲୀ ରାଧାକୃଷ୍ଣନ ଓ ଜାକିର ହୁସେନ ମଧ୍ୟ ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ।

୪ ବର୍ଷ ପୂର୍ବେ ଆଜିର ଦିନରେ ମେଘାଳୟର ଶିଲଂସ୍ଥିତ ଆଇଆଇଏମ୍‌ କଲେଜରେ ଛାତ୍ରଛାତ୍ରୀଙ୍କୁ ବକ୍ତବ୍ୟ ଦେଉଥିବା ବେଳେ ହଠାତ କଲାମ ଛାତିରେ ଯନ୍ତ୍ରଣା ଅନୁଭବ କଲେ। ତତ୍‌କ୍ଷଣାତ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଗଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୮୩ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଚାଲିଯାଇଥିଲେ କଲାମ।

Related story