କୋରାପୁଟ(ସୂର୍ଯ୍ୟ ପଣ୍ଡା): କୋରାପୁଟ ବ୍ଲକ ମାଛରା ଗାଁର ଲଳିତା କିର୍ସାନୀ। ଶିକ୍ଷାଗତ ଯୋଗ୍ୟତା କହିଲେ ଶୂନ। ଘରର ଅର୍ଥାଭାବ ଯୋଗୁଁ ଆଦୌ ପାଠ ପଢ଼ିପାରିନାହାନ୍ତି ଲଳିତା। ଅପାଠୋଇ ବୋଲି ଦୁଃଖ ନାହିଁ ତାଙ୍କର। ପିଲାଦିନେ ବାପା ଜମିରେ କାମ କରୁଥିବାବେଳେ ତାଙ୍କ ପାଇଁ ଖାଦ୍ୟ ନେଇ ଯାଉଥିଲେ। ବାପା ଖାଦ୍ୟ ଖାଉଥିବାବେଳେ ବିଲରେ ରହିଥିବା ହଳକୁ କୁନି କୁନି ହାତରେ ବୁଲାଇବା ଶିଖିବାକୁ ଚେଷ୍ଟା କରନ୍ତି ଲଳିତା।
ଝିଅର ଚାଷ ପ୍ରତି ମନରେ ଆଗ୍ରହ ଦେଖି ବାପା ମଧ୍ୟ ତାଙ୍କୁ ବାରଣ କରନ୍ତି ନାହିଁ। ଏହି ଚାଷ ଯେ ଦିନେ ଲଳିତାଙ୍କ ପରିବାର ଚଳାଇବ ଓ ଲଳିତା ହିଁ ପରିବାରର ମଙ୍ଗ ଧରିବେ ଏହା କେହି ଜାଣି ନ ଥିଲେ। ଯୌବନରେ ସେ ଯାହାର ହାତ ଧରିଲେ ସେ ଏବେ ଆଉ କାମ କରିପାରୁନାହାନ୍ତି। ତାଙ୍କ ସୁଖ ସଂସାରରେ କାହାର ନଜର ଲାଗିଯାଇଥିଲେ ମଧ୍ୟ ଦୁଇ ସନ୍ତାନ ଓ ସ୍ୱାମୀଙ୍କ ପାଇଁ ସେ ପରିବାର ବୋଝକୁ ନିଜ କାନ୍ଧରେ ମୁଣ୍ଡାଇଛନ୍ତି। ସକାଳ ପାଇବା ମାତ୍ରେ ହଳ ଧରି ବିଲକୁ ବାହାରି ପଡ଼ନ୍ତି ଲଳିତା। ମୁଣ୍ଡ ଝାଳ ତୁଣ୍ଡରେ ମାରି ସେ କଠିନ ପରିଶ୍ରମ କରନ୍ତି ସେ । ଚାଷ କାର୍ଯ୍ୟରୁ ଯାହା ଦୁଇ ପଇସା ମିଳେ ସେଥିରେ ତାଙ୍କ ଘରେ ଚୂଲି ଜଳେ। କେବଳ ସେତିକି ନୁହେଁ ଚାଷରୁ ସଞ୍ଚିତ ଅର୍ଥରେ ସେ ଦୁଇ ସନ୍ତାନକୁ ପାଠ ମଧ୍ୟ ପଠାଉଛନ୍ତି। ପିଲାଦିନେ ସେ ଯେଉଁ କଷ୍ଟ ଅନୁଭବ କରିଥିଲେ, ଶିକ୍ଷା ଅଭାବରୁ ସେ ଯେଭଳି ଦୁର୍ଦିନରେ ପଡ଼ିଲେ ତାଙ୍କ ସନ୍ତାନ ଯେଭଳି ତାର ଶିକାର ନ ହୁଅନ୍ତି ସେଥିପାଇଁ ଲଳିତା ପ୍ରୟାସ ଚଳାଇଛନ୍ତି।
ସେହିପରି ଆଉ ଜଣେ ହେଲେ ସୁବର୍ଣ୍ଣା ମସ୍ତୀ। ଘର କୋରାପୁଟ ବ୍ଲକ ମହାଦେଇପୁଟ ଅଞ୍ଚଳରେ। ସ୍ୱାମୀ ଡ୍ରାଇଭର କାମ କରନ୍ତି। ସ୍ୱାମୀ ସବୁବେଳେ ବାହାରେ। ଘରେ ତିନୋଟି ସନ୍ତାନଙ୍କ ସହ ଘର ଚଳାଇବା ଦାୟିତ୍ୱ ସୁବର୍ଣ୍ଣାଙ୍କ ଉପରେ। ଦଶମ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି ସୁବର୍ଣ୍ଣା। ବାହା ହୋଇ ଶାଶୂଘରକୁ ଆସିବା ପରେ ପରିବାର ଚଳିବା କଷ୍ଟକର ହେବାରୁ ସେ ଚାଷ କାର୍ଯ୍ୟକୁ ଆପଣାଇଛନ୍ତି। ମଞ୍ଜି ବୁଣିବା ଠାରୁ ବଜାରରେ ବିକ୍ରି କରିବା ପର୍ଯ୍ୟନ୍ତ ସବୁକିଛି ସୁବର୍ଣ୍ଣା ହିଁ କରନ୍ତି। ପରିବାର ଚଳାଇବାର ଗୁରୁ ଦାୟିତ୍ୱ ସାଙ୍ଗକୁ ନିଜ ଚାଷ କ୍ଷେତ ଓ ବିକ୍ରିବଟା ସବୁକିଛି ସମ୍ଭାଳୁଛନ୍ତି ସୁବର୍ଣ୍ଣା। ବହୁ କଷ୍ଟ କରି ସେ ତିନି ତିନିଜଣ ପିଲାଙ୍କୁ ମଣିଷ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଦିନରାତି ଏକ କରି କ୍ଷେତରେ ସୁନା ଫଳାଉଛନ୍ତି ସୁବର୍ଣ୍ଣା। ପନିପରିବା, ଆଳୁ ପିଆଜ ଚାଷ ସାଙ୍ଗକୁ ଆମ୍ବ ଚାଷ ଓ ମାଛ ଚାଷ କରନ୍ତି ସୁବର୍ଣ୍ଣା। ସୁବର୍ଣ୍ଣାଙ୍କ ଏଭଳି କଷ୍ଟକର ଜୀବନଯାତ୍ରା ଆଜି ସମଗ୍ର ମହିଳା ସମାଜ ପାଇଁ ପ୍ରେରଣାଦାୟୀ ନିଶ୍ଚୟ ହେବ ଏଥିରେ ଦ୍ୱିମତ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।