ଆସୁଛି ଲାଇ-ଫାଇ: ୱାଇ-ଫାଇଠୁ ୧୦୦ ଗୁଣ ଅଧିକ ସ୍ପିଡ୍, ୧ସେକେଣ୍ଡରେ ୪୦ ଜିବି ଡାଉନଲୋଡ୍

ୱେର୍ ଲେସ୍ ବା ତାର ବିହୀନ ଇଣ୍ଟରନେଟ ସଂଯୋଗ କ୍ଷେତ୍ରରେ ୱାଇ-ଫାଇ ଟେକ୍ନୋଲଜି ଏବେ ପୁରୁଣା ଯୁଗର କଥା । ପରବର୍ତ୍ତୀ ପିଢ଼ି ପାଇଁ ନୂଆ ଟେକ୍ନୋଲଜି ହେଉଛି ଲାଇ-ଫାଇ । ଲାଇ-ଫାଇ ଟେକ୍ନୋଲଜି ଏବେ ବଜାରକୁ ଆସିନଥିଲେ ମଧ୍ୟ ଏହାର ବିଶେଷତ୍ୱ ଓ ବୈଶିଷ୍ଟ୍ୟ ଗୁଡ଼ିକର ପରୀକ୍ଷଣ ହୋଇସାରିଛି । ଏହାର ଡାଉନଲୋଡ ସ୍ପିଡ୍ ବିଶ୍ୱର ସର୍ବୋତ୍ତମ ୱାଇ-ଫାଇ ଠାରୁ ୧୦୦ ଗୁଣ ଅଧିକ । ସାଧାରଣ ଭାବେ ଏହାର ସ୍ପିଡ୍ ପ୍ରାୟ 40 ଜିବିପିଏସ୍ […]

Rakesh Mallick
  • Published: Thursday, 28 September 2017
  • , Updated: 28 September 2017, 10:12 AM IST

ୱେର୍ ଲେସ୍ ବା ତାର ବିହୀନ ଇଣ୍ଟରନେଟ ସଂଯୋଗ କ୍ଷେତ୍ରରେ ୱାଇ-ଫାଇ ଟେକ୍ନୋଲଜି ଏବେ ପୁରୁଣା ଯୁଗର କଥା । ପରବର୍ତ୍ତୀ ପିଢ଼ି ପାଇଁ ନୂଆ ଟେକ୍ନୋଲଜି ହେଉଛି ଲାଇ-ଫାଇ । ଲାଇ-ଫାଇ ଟେକ୍ନୋଲଜି ଏବେ ବଜାରକୁ ଆସିନଥିଲେ ମଧ୍ୟ ଏହାର ବିଶେଷତ୍ୱ ଓ ବୈଶିଷ୍ଟ୍ୟ ଗୁଡ଼ିକର ପରୀକ୍ଷଣ ହୋଇସାରିଛି । ଏହାର ଡାଉନଲୋଡ ସ୍ପିଡ୍ ବିଶ୍ୱର ସର୍ବୋତ୍ତମ ୱାଇ-ଫାଇ ଠାରୁ ୧୦୦ ଗୁଣ ଅଧିକ । ସାଧାରଣ ଭାବେ ଏହାର ସ୍ପିଡ୍ ପ୍ରାୟ 40 ଜିବିପିଏସ୍ ରେକର୍ଡ କରାଯାଇଛି ଏବଂ ଲାବୋରେଟରିରେ ଏହାର ସ୍ପିଡ୍ ଅବିଶ୍ୱସନୀୟ 224 ଜିବିପିଏସ୍ ପର୍ଯ୍ୟନ୍ତ ରେକର୍ଡ କରାଯାଇଛି । କେବଳ ସ୍ପିଡ୍ ନୁହେଁ, ଲାଇ-ଫାଇ ଟେକ୍ନୋଲଜିରେ ୱାଇ-ଫାଇ ଠାରୁ ଆହୁରି ଅନେକ ସୁବିଧା ରହିଛି ।

ଲାଇ-ଫାଇର ଅର୍ଥ ହେଉଛି ଲାଇଟ୍ ଫିଡେଲିଟି ବା ଆଲୋକ ଦ୍ୱାରା କାର୍ଯ୍ୟ କରୁଥିବା ୱାଇ-ଫାଇ (Light based Wi-Fi) । ଅର୍ଥାତ୍ ୱାଇ-ଫାଇରେ ରେଡିଓ ତରଙ୍ଗ ଦ୍ୱାରା ଡାଟା ଟ୍ରାନ୍ସମିଟ ହେଉଥିବା ବେଳେ ଲାଇ-ଫାଇରେ ଆଲୋକ ଦ୍ୱାରା ଡାଟା ଟ୍ରାନ୍ସମିଟ ହୋଇଥାଏ । ୨୦୧୧ ମସିହାରେ ଏହି ଟେକ୍ନୋଲଜିର ଉଦ୍ଭାବନ ହୋଇଥିବା ବେଳେ ଏଥିରେ ଏଲ୍ଇଡି କିମ୍ବା ଇନଫ୍ରାରେଡ୍ ଆଲୋକ ଦ୍ୱାରା ଡାଟା ଟ୍ରାନ୍ସମିଟ ହୋଇଥାଏ। ଆଲୋକ ନିର୍ଦ୍ଦିଷ୍ଟ ଧାରାରେ ଅନ୍-ଅଫ୍ ହୋଇ ମୋବାଇଲ କିମ୍ବା କମ୍ପ୍ୟୁଟରକୁ ଡାଟା ଟ୍ରାନ୍ସମିଟ କରିଥାଏ। ୱାଇ-ଫାଇ ପାଇଁ ଡାଟା ଟ୍ରାନ୍ସମିଟ କରୁଥିବା ରାଉଟର୍ ଆବଶ୍ୟକ ହେଉଥିବା ବେଳେ ଏଲ୍ଇଡି ଦ୍ୱାରା କାର୍ଯ୍ୟ କରୁଥିବା ଲାଇ-ଫାଇ ପାଇଁ ଘରେ ବ୍ୟବହାର ହେଉଥିବା ଗୋଟିଏ ଏଲ୍ଇଡି ବଲବ୍ ହିଁ ଯଥେଷ୍ଟ।

ତେବେ ଏଲ୍ଇଡି ବଲବ୍ ଦ୍ୱାରା କାର୍ଯ୍ୟ କରୁଥିବା ଲାଇ-ଫାଇରେ ଅଧିକ ସଂଖ୍ୟକ କମ୍ପ୍ୟୁଟର କିମ୍ବା ମୋବାଇଲ୍ ଇଣ୍ଟରନେଟ ବ୍ୟବହାର କଲେ ତାହାର ସ୍ପିଡ୍ କମିଯାଏ (ଠିକ୍ ୱାଇ-ଫାଇ ଭଳି) ।  କିନ୍ତୁ ଏଲ୍ଇଡି ପରିବର୍ତ୍ତେ ଇନଫ୍ରାରେଡ୍ ଆଲୋକ ବ୍ୟବହାର ହେଉଥିବା ଲାଇ-ଫାଇରେ ଏଭଳି ସମସ୍ୟା ସୃଷ୍ଟି ହେଉନଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି । ଇଣ୍ଟରନେଟ ସଂଯୋଗ ଥିବା ସେଣ୍ଟ୍ରାଲ୍ କମ୍ୟୁନିକେଶନ୍ କଣ୍ଟ୍ରୋଲରରୁ ଅପ୍ଟିକାଲ ଫାଇବର୍ ଯୋଗେ ଇନଫ୍ରାରେଡ୍ ଆଲୋକ ପ୍ରତ୍ୟେକ କୋଠରୀ କିମ୍ବା ୱର୍କ ଷ୍ଟେସନ୍ ଉପରେ ଛାତରେ ଲାଗିଥିବା ଲାଇଟ୍ (ଆଲୋକ) ଆଣ୍ଟିନାକୁ ଯାଇଥାଏ। ଏହାପରେ ଲାଇଟ ଆଣ୍ଟିନାରୁ ଏହି ଇନଫ୍ରାରେଡ୍ ଆଲୋକ ବିଛୁରିତ ହୋଇ ମୋବାଇଲ କିମ୍ବା କମ୍ପ୍ୟୁଟରରେ ପଡ଼ିଥାଏ। ଫଳରେ ଇଣ୍ଟରନେଟ୍ ବ୍ୟବହାର କରିବା ସମ୍ଭବ ହୋଇଥାଏ। ଡାଟା ସ୍ପିଡ୍ ନକମିବା ପାଇଁ ପ୍ରତ୍ୟେକ ଲାଇଟ୍ ଆଣ୍ଟିନାକୁ ଭିନ୍ନଭିନ୍ନ ୱେଭଲେଂଥ୍ (ତରଙ୍ଗଦୈର୍ଘ୍ୟ)ର ଆଲୋକ ଛଡ଼ାଯାଏ।

ଲାଇ-ଫାଇ ଦ୍ୱାରା ଆଉ ଏକ ସୁବିଧା ମଧ୍ୟ ହୋଇଥାଏ। ଏଲ୍ଇଡି ଆଲୋକରେ ଲାଇ-ଫାଇ ବ୍ୟବହାର କଲେ ରାତିରେ ଶୋଇବା ବେଳେ ଇଣ୍ଟରନେଟ ବ୍ୟବହାର ପାଇଁ ଏଲ୍ଇଡି ଲାଇଟ୍ ଅନ୍ ରଖିବାକୁ ପଡ଼େ। କିନ୍ତୁ ଇନଫ୍ରାରେଡ୍ ଆଲୋକ ମଣିଷକୁ ଦେଖାଯାଉନଥିବାରୁ ଏହାକୁ ଅନ୍ ରଖିଲେ ମଧ୍ୟ ଅନ୍ଧାରରେ ଇଣ୍ଟରନେଟ ବ୍ୟବହାର କରିବା ସମ୍ଭବ ହୋଇଥାଏ। ଏଥିସହ ଆମ ଘରର କିମ୍ବା ଅଫିସର ୱାଇ-ଫାଇରେ ପାସୱାର୍ଡ ଦିଆଯାଇନଥିଲେ କିମ୍ବା ଅନ୍ୟ କେହି ଏହା ଜାଣିଥିଲେ ସେ ଏହାକୁ ବ୍ୟବହାର କରିପାରେ । କିନ୍ତୁ ଲାଇ-ଫାଇ ଟେକ୍ନୋଲଜିରେ ଇନଫ୍ରାରେଡ୍ ଆଲୋକ ଘରର କାନ୍ଥ ଆରପଟକୁ ଯାଇପାରୁ ନଥିବାରୁ ଏହା ସମ୍ଭବ ହୁଏନାହିଁ । ଫଳରେ ଏହା ଅଧିକ ନିରାପଦ ଓ ସୁରକ୍ଷିତ ।

କେବଳ ଏତିକି ନୁହେଁ, ଲାଇ-ଫାଇକୁ ଯାନବାହନର ହେଡ୍ ଲାଇଟ୍, ବ୍ୟାକ୍ ଲାଇଟ୍ ଏବଂ ଟ୍ରାଫିକ ପୋଷ୍ଟରେ ଥିବା ସିଗନାଲ୍ ଲାଇଟରେ କାର୍ଯ୍ୟକ୍ଷମ କରାଗଲେ ଗାଡ଼ି ଗୁଡ଼ିକ ପରସ୍ପର ମଧ୍ୟରେ ତଥ୍ୟ ଆଦାନ ପ୍ରଦାନ କରିପାରିବେ ଓ ଗାଡ଼ି ଧକ୍କା, ଦୁର୍ଘଟଣା ଓ ଟ୍ରାଫିକ ଜାମ୍ ଆଦିକୁ ରୋକାଯାଇପାରିବ । ଜଳ ଭିତରେ ଚଳାଚଳ କରୁଥିବା ଯାନ ଏବଂ ଜାହାଜ କିମ୍ବା ବୁଡ଼ାଳି ମାନଙ୍କ ମଧ୍ୟରେ ଯୋଗାଯୋଗ ରକ୍ଷା ପାଇଁ ରେଡିଓ ତରଙ୍ଗ ଉପଯୋଗୀ ହୁଏ ନାହିଁ । କାରଣ ରେଡିଓ ତରଙ୍ଗ ଜଳରେ ଦୁର୍ବଳ ହୋଇଯାଏ । ତେଣୁ ଏକ୍ଷେତ୍ରରେ ଆଲୋକ ଦ୍ୱାରା ତଥ୍ୟ ଆଦାନ ପ୍ରଦାନ ହେଉଥିବା ଲାଇଫାଇ ଉପଯୋଗୀ  ହୋଇପାରିବ । ସିଧାସଳଖ କହିବାକୁ ଗଲେ, ହାଇ-ସ୍ପିଡ୍ ଇଣ୍ଟରନେଟ ବ୍ୟବସ୍ଥା ଓ ଆଲୋକ ସାହାଯ୍ୟରେ ଡାଟା ଟ୍ରାନ୍ସମିସନ ସମ୍ଭବ ହେଉଥିବା ଲାଇ-ଫାଇ ଟେକ୍ନୋଲଜିର ଉପଯୋଗ ଅସୀମ।

Related story