ରାଜତନ୍ତ୍ର ଥିବାବେଳେ ପରିସ୍ଥିତି ଥିଲା ଅଲଗା। ରାଜାଙ୍କ ବିଳାସପୂର୍ଣ୍ଣ ସୌଖିନ ଜୀବନଶୈଳୀକୁ ନେଇ କେହି ଆଲୋଚନା କିମ୍ବା ସମାଲୋଚନା କରୁନଥିଲେ। ବରଂ ରାଜାଙ୍କ ପ୍ରାଚୁର୍ଯ୍ୟଭରା ଜୀବନକୁ ନେଇ ହିଁ ତାଙ୍କର ଗୁରୁତ୍ୱ ବଢୁଥିଲା। ଯେଉଁ ରାଜା ଯେତେ ରାଣୀ ରଖୁଥିଲେ, ଯେତେବଡ଼ ମହଲରେ ରହୁଥିଲେ, ଯେତେ ଅଳଙ୍କାର ପିନ୍ଧୁଥିଲେ, ଯେତେ ସୈନିକ, ହାତୀଘୋଡ଼ା ରଖୁଥିଲେ, ସେ ସେତେ ପ୍ରସିଦ୍ଧ ଥିଲେ। ଆଜି ପଢ଼ନ୍ତୁ ସେମିତି ଜଣେ ପୁରୁଣା ରାଜାଙ୍କ ସୌକ ବିଷୟରେ । ଯିବେ ବଞ୍ଚୁଥିଲେ ଏକ ବିଳାସପୂର୍ଣ୍ଣ ଜୀବନ।
ସେ ହେଲେ ଦେଶ ବିଦେଶରେ ‘ପଟିଆଲା ପେଗ୍’କୁ ପ୍ରସିଦ୍ଧ କରିଥିବା ପଟିଆଲାର ରାଜା ଭୁପିନ୍ଦର ସିଂ। ଯିଏ କି ନିଜ ଜୀବନକୁ ଏକ ଅଲଗା ଓ ବିଳାସପୂର୍ଣ୍ଣ ଢଙ୍ଗରେ ବଞ୍ଚିବା ପାଇଁ ପସନ୍ଦ କରୁଥିଲେ। ଜାଣନ୍ତୁ ତାଙ୍କ ପ୍ରାଚୁର୍ଯ୍ୟ ବିଷୟରେ।
୩ଟି ବିମାନର ମାଲିକ: ରାଜା ଭୂପିନ୍ଦର ସିଂଙ୍କର ନିଜର ୩ଟି ବିମାନ ଥିଲା। ସେ ଭାରତର ପ୍ରଥମ ବ୍ୟକ୍ତି ଥିଲେ, ଯାହାଙ୍କ ପାଖରେ ସେ ସମୟରେ ନିଜର ବିମାନ ଥିଲା। ବିମାନ କିଣିବା ପୂର୍ବରୁ ସେ ତାଙ୍କର ଜଣେ ଚିଫ୍ ଇଞ୍ଜିନିୟରଙ୍କୁ ବିମାନ ବିଷୟରେ ଅଧିକ ଜାଣିବା ପାଇଁ ୟୁରୋପ ପଠାଇଥିଲେ ଓ ତା ପରେ ହିଁ ବିମାନ କିଣିଥିଲେ।
୪୪ଟି କାର୍: ରାଜା ଭୁପିନ୍ଦର ସିଂଙ୍କ ପାଖରେ ୪୪ଟି କାର୍ ଥିଲା। ସେହି କାର୍ ଗୁଡିକୁ ରାଜା ନିଜ ପସନ୍ଦ ଅନୁସାରେ ତିଆରି କରିଥିଲେ। ତାଙ୍କ ପାଖରେ ୨୦ଟି ରୋଲ୍ସ ରୋଏସ୍ ଥିଲା।
୩୬୫ ଜଣ ରାଣୀ: ରାଜା ଭୁପିନ୍ଦର ସିଂଙ୍କର ମୋଟ ୩୬୫ ଜଣ ରାଣୀ ଥିଲେ। ଅବଶ୍ୟ ଏମାନଙ୍କ ମଧ୍ୟରେ ସେ ମାତ୍ର ୧୦ ଜଣଙ୍କୁ ବିବାହ କରିଥିଲେ ଓ ପାଟରାଣୀର ମାନ୍ୟତା ଦେଇଥିଲେ। କିନ୍ତୁ ପୂରା ୩୬୫ ଜଣ ଯାକ ରାଣୀ ରାଜପ୍ରାସାଦରେ ହିଁ ରହୁଥିଲେ।