ଦିନ ସାରା ଖଟି ଖଟି ଥକା ହୋଇ ଘରକୁ ଫେରିବା ପରେ, ରାତିରେ ଖାଇ ସାରି ନିଘୋଡ ନିଦରେ ଶୋଇ ଯିବାକୁ ସମସ୍ତେ ପସନ୍ଦ କରନ୍ତି। ହେଲେ ଯଦି କେହି କହିବ, ଆପଣଙ୍କ ଅଞ୍ଚଳରେ ରାତିର ଅନ୍ଧାରରେ ଭୋକିଲା ସିଂହ ବୁଲୁଛନ୍ତି ତ ଆପଣ କ’ଣ କରିବେ ? ନିଶ୍ଚିତ ଭାବେ ଆପଣଙ୍କ ନିଦ ଉଡିଯିବ। ଶୋଇବା ଅବସ୍ଥାରେ ଯଦି ସିଂହ ଆସିଯିବ ତେବେ ଚିରଦିନ ପାଇଁ ଶୁଆଇ ଦେବ, ଏହା ଭାବି ଆଉ ନିଦ ଆସିବ ନାହିଁ। ଏପରି ସ୍ଥିତିର ସମ୍ମୁଖୀନ ହେଉଛନ୍ତି ଗୁଜରାଟର ଏକ ଗାଁର ଲୋକମାନେ । ଗୋଟିଏ ନୁହେଁ କି ଦୁଇଟି ନୁହେଁ ୧୨ଟି ଭୋଲିଲା ସିଂହ ରାତିରେ ରାଜ୍ କରୁଛନ୍ତି ଏହି ଗାଁରେ। ଏହା ଜଣାପଡିବା ପରେ ଗାଁ ଲୋକଙ୍କ ମାନସିକ ଅବସ୍ଥା କେମିତି ଥିବ ତାହା ଆପଣ ସହଜରେ ଅନୁମାନ କରିପାରୁଥିବେ ।
ଏପରି ସ୍ଥିତିରେ ଗାଁରେ ରହିବାକୁ ଲୋକେ ଭୟ କରୁଛନ୍ତି। ଯେଉଁମାନେ ରହୁଛନ୍ତି ସଞ୍ଜ ନଇଁବା ପରେ ଘରୁ ବାହାରୁ ନାହାନ୍ତି, ସମସ୍ତଙ୍କ ଘରେ ତାଟିକବାଟ ପଡି ଯାଉଛି।
ଗାଁରେ ଥିବା ଏକ ଦୋକାନର ସିସିଟିଭି କ୍ୟାମେରାରୁ ଏହି ସିଂହ ଦଳ ସମ୍ପର୍କରେ ସୂଚନା ମିଳିଛି।
ଗତବର୍ଷ ଡିସେମ୍ବରରେ ଏକ ଭିଡିଓ ଟ୍ୱିଟରରେ ଭାଇରାଲ ହୋଇଥିଲା। ଏଥିରେ ଦିନ ଦ୍ୱିପ୍ରହରରେ ଏକ ସିଂହୀ ଗୁଜରାଟର ଏକ ଗାଁରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସିଂହୀଟି ଶିକାର ଅପେକ୍ଷାରେ ବସିଥିବା ବେଳେ ଏକ ବାଛୁରୀରର ଶବ ତା’ ପାଖରେ ପଡିଥିବା ଦେଖିବାକୁ ମିଳିଥିଲା।