ଭୁବନେଶ୍ୱର (ଶିବ କୁମାର ଦାସ): ଅସହ୍ୟ ଗରମରୁ ତ୍ରାହି ମିଳିନି। ମୌସୁମୀ ଆସିବା ଆସିବା ହେଉଛି। ଆଉ ୟା ଭିତରେ ଗତକାଲି ପାଳିତ ହୋଇଯାଇଛି ସ୍ନାନ ଯାତ୍ରା। ପ୍ରତିବର୍ଷ ଜ୍ୟେଷ୍ଠପୂର୍ଣ୍ଣିମା ଦିନ ଶ୍ରୀ ମନ୍ଦିରର ଚତୁର୍ଦ୍ଧା ମୂର୍ତ୍ତୀଙ୍କର ସ୍ନାନ ଯାତ୍ରା ପାଳିତ ହୁଏ। ଆମ ଗାଧୋଇବା ଓ ଶ୍ରୀ ଜଗନ୍ନାଥଙ୍କର ସ୍ନାନ ଯାତ୍ରା ମଧ୍ୟରେ ଅଛି ଏକ ବିରାଟ ପାର୍ଥକ୍ୟ। ଆମେମାନେ ଗାଧୋଇଲା ବେଳେ ନିଜକୁ ଅନ୍ୟମାନଙ୍କଠୁ ଲୁଚାଇବାକୁ ଚେଷ୍ଟା କରୁ। ହେଲେ ଆମ ଆରାଧ୍ୟଙ୍କ ରୀତିନୀତି ପୂରା ଅଲଗା। ଶ୍ରୀ ଜଗନ୍ନାଥ, ଶ୍ରୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ସ୍ନାନ କରନ୍ତି ଖୋଲାମେଲାରେ, ସମସ୍ତଙ୍କ ସମ୍ମୁଖରେ, ସ୍ନାନବେଦୀରେ।
ହୁଏତ ଏହି ସ୍ନାନଯାତ୍ରା ମାଧ୍ୟମରେ ସର୍ବନିୟନ୍ତା ଶ୍ରୀ ଜଗନ୍ନାଥ ଆମକୁ କିଛି ସୂଚାଇ ଦେବାକୁ ଚାହାଁନ୍ତି। ଶ୍ରୀ ଜଗନ୍ନାଥ ହେଉଛନ୍ତି ସର୍ବମୟ ସ୍ରଷ୍ଟା। ସେ ସର୍ବବ୍ୟାପକ ଭାବେ ଆମ ସମସ୍ତଙ୍କ ଭିତରେ ଓ ବାହାରେ ଅଛନ୍ତି। ଯଦି ଆମେ ଶ୍ରୀ ଜଗନ୍ନାଥଙ୍କ ସୃଷ୍ଟି ଆମ ଭିତରେ ନିଶ୍ଚିତ ଲୁଚି ରହିଛି ଶ୍ରୀ ଜଗନ୍ନାଥଙ୍କ ପରିଚୟ। ଯଦି ସେ ଆମ ସମସ୍ତଙ୍କର ପରମପିତା, ଆମର ପରିଚୟ ନିଶ୍ଚିତ ଭାବରେ ଅଛି ତାଙ୍କ ମଧ୍ୟରେ। ତେଣୁ ଜଗନ୍ନାଥଙ୍କୁ ବୁଝିବା ହେଉଛି ନିଜକୁ ବୁଝିବା ଓ ନିଜକୁ ବୁଝିବା ହେଉଛି ଜଗନ୍ନାଥଙ୍କୁ ବୁଝିବା ଅଟେ।
ଶ୍ରୀ ଜଗନ୍ନାଥ ଆମର ଖୁବ୍ ନିଜର। ତେଣୁ ଶ୍ରୀ ମନ୍ଦିରର ଦିଅଁମାନଙ୍କ ନୀତିକାନ୍ତି ଜଣେ ସାଧାରଣ ମଣିଷର ଦିନଚର୍ଯ୍ୟା ସହ ପ୍ରାୟ ସମାନ। ଆମ ଭଳି ସେ ସକାଳୁ ଉଠି ନିତ୍ୟକର୍ମ ସାରନ୍ତି, ସମୟ ମୁତାବକ ଖାଦ୍ୟ ଗ୍ରହଣ କରନ୍ତି, ଦିନ ଭିତରେ ଅନେକ କାମ କରିବା ସହ ସଠିକ୍ ସମୟରେ ବିଶ୍ରାମ ମଧ୍ୟ ନିଅନ୍ତି। ସବୁଦିନ ସକାଳୁ କଂସା ଦର୍ପଣରେ ଦେଖାଯାଉଥିବା ତାଙ୍କର ପ୍ରତିବିମ୍ୱକୁ ଦାନ୍ତ ଘଷାଯାଏ, ସ୍ନାନ କରାଯାଏ। ହେଲେ ସ୍ନାନଯାତ୍ରା କଥା ଦୋସରା।
ସ୍ନାନ ଯାତ୍ରା ସୂଚାଇ ଦିଏ, ରଥଯାତ୍ରା ମଉଜ ପାଖେଇଲାଣି। ହେଲେ ଅନେକ ଭକ୍ତଙ୍କ ମନରେ ଏହା ଆଣିଦିଏ ବିରହ ବେଦନା। ଅଣସର ପିଣ୍ଡିରେ ପ୍ରାୟ ଏକ ପକ୍ଷ ବିତାନ୍ତି ଶ୍ରୀବିଗ୍ରହମାନେ। ସେତେବେଳେ ଗୁପ୍ତ ନୀତି ପାଇଁ ସେ ହୋଇଯାଆନ୍ତି ସାଧାରଣ ଭକ୍ତଙ୍କ ପାଇଁ ଅପହଞ୍ଚ। ସାଧାରଣ ମଣିଷ ମନକୁ ବୁଝାଏ- ଗୁଳଗୁଳିଆ ଖରାଦିନେ ଅଧିକ ଗାଧୋଇ ପ୍ରଭୁଙ୍କୁ ଜର ହୋଇଛି। ସେ ସୁସ୍ଥ ହୋଇ ପୁଣିଥରେ ନବଯୌବନ ଦର୍ଶନ ଦେବେ। ତିନି ରଥରେ ଦାଣ୍ଡକୁ ବାହାରିବେ ରଥଯାତ୍ରା ପାଇଁ। ପ୍ରକୃତ କଥା ହେଲା ଅଣସର ସମୟ ହେଉଛି କାଠ ତିଆରି ମୂର୍ତ୍ତୀ ଗୁଡ଼ିକର ରକ୍ଷଣାବେକ୍ଷଣ ସମୟ। ଅନ୍ୟ ଠାକୁର ମନ୍ଦିର ମାନଙ୍କରେ ବିଗ୍ରହମାନଙ୍କୁ ଜଳ ଓ ଅନ୍ୟ ସୁବାସିତ ଜିନିଷ ମାନଙ୍କ ଦ୍ୱାରା ସ୍ନାନ କରାଯାଏ। ହେଲେ ଶ୍ରୀ ଜଗନ୍ନାଥଙ୍କ ବ୍ୟତୀତ ଅନ୍ୟ କେହି ଜରରେ ପଡି ନିଜକୁ ଭକ୍ତ ମାନଙ୍କଠୁ ଦୂରରେ ରଖନ୍ତି ନାହିଁ।
ଏହି ଅନନ୍ୟ ପରମ୍ପରା ମାଧ୍ୟମରେ ହୁଏତ ଜଗନ୍ନାଥ ସଂସ୍କୃତି ଆମକୁ ମନେପକାଇ ଦେଉଛି ଆତ୍ମ ଉପଲବ୍ଧର ବାଟ। ଆମେ ଗାଧାଉ ନିଜକୁ ସଫା ସୁତୁରା କରିବା ପାଇଁ। କାମ ଜଞ୍ଜାଳ ଭିତରେ ଆମେ ସଂସାରର ଯାବତୀୟ ମଳିଧୂଳି ନିଜ ଉପରେ ଜମାକରୁ। ଏହାଦ୍ୱାରା ଆମ ସ୍ୱରୂପ ମଳିଆ ହୋଇଯାଏ। ଜଳରେ ସ୍ନାନ କରିବା ଦ୍ୱାରା ଆମେ ପୁଣି ଥରେ ଆମ ପ୍ରକୃତ ରୂପକୁ ଫେରିପାଉ। ଏହା ଆମକୁ ସତେଜ କରେ।
ହେଲେ ସ୍ନାନବେଦୀରୁ ଫେରିଲା ବେଳେ ବିଗ୍ରହ ମାନଙ୍କ ସ୍ଥିତି ପୂରା ଅଲଗା। ରଙ୍ଗସବୁ ବୋହି ଯାଇଥାଏ, ଲେସି ହୋଇଯାଇଥାଏ। କେବଳ ଚକାଆଖି ଓ ଲାଲ ଅଧରର ଆଭାସ ହିଁ ଥାଏ। ଲାଗେ ଯେପରି ମହାବାହୁ ନିଜର ବାହାର ଖୋଳକୁ ତ୍ୟାଗ କରିବା ପାଇଁ ଆଗ୍ରହୀ।
ଏହା ମାଧ୍ୟମରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଖୁବ୍ ସହଜ ଭାବରେ ଆତ୍ମଉପଲବ୍ଧ ପାଇଁ ଉଦ୍ଦିଷ୍ଟ ଅଷ୍ଟାଙ୍ଗ ଯୋଗର ‘ପ୍ରତ୍ୟାହାର’କୁ ବୁଝାଇବାକୁ ଚେଷ୍ଟା କରିଛି। ଅଷ୍ଟାଙ୍ଗ ଯୋଗର ଚାରି ଅନ୍ତରଙ୍ଗ କ୍ରିୟା ହେଉଛନ୍ତି ‘ପ୍ରତ୍ୟାହାର’, ‘ଧାରଣା’, ’ଧ୍ୟାନ’ ଓ ‘ସମାଧି’। ଆମ ଜନ୍ମ ହେଉ ବିନା ପରିଚୟରେ। ଆମର ସ୍ରଷ୍ଟା ଶ୍ରୀଜଗନ୍ନାଥ ମଧ୍ୟ ସବୁ ପରିଚୟରୁ ଊର୍ଦ୍ଧ୍ୱରେ। ଜନ୍ମ ସମୟରେ ଆମେ ପରିଚୟହୀନ ନିର୍ମଳତାର ପ୍ରତିବିମ୍ୱ। ଧୀରେ ଧୀରେ ଆମେ ସଂସାରରୁ ଜିନିଷ ଜାଣତରେ ଓ ଅଜାଣତରେ ଗ୍ରହଣ କରିବା ଆରମ୍ଭ କରୁ। ଏଗୁଡ଼ିକ ଆମ ମନ ଉପରେ ଜମାଟ ବାନ୍ଧନ୍ତି। ମନର ଏହି ଖୋଳପାକୁ ଆମେ ନିଜ ପରିଚୟର ଦେଉ।
ସ୍ନାନଯାତ୍ରା ମାଧ୍ୟମରେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ନିଜର ବାହାର ରୂପ ଓ ପରିଚୟକୁ ଦିଏ। ଯୋଗୀମାନଙ୍କ ‘ପ୍ରତ୍ୟାହାର’ ସାଧନା ହେଉଛି ନିଜ ବିଷୟରେ ମନରେ ଥିବା ସବୁ ଚିନ୍ତା ଓ ଭାବନାକୁ ଗୋଟିକ ପରେ ଗୋଟିଏ ଫୋପାଡ଼ି ଚାଲିବା। ଏହାଦ୍ୱାରା ଜଣେ ନିଜର ପ୍ରକୃତ ସତ୍ତାର ନିକଟବର୍ତ୍ତୀ ହୁଏ। ଶ୍ରୀ ଜଗନ୍ନାଥଙ୍କ ସ୍ନାନଯାତ୍ରା କୁହେ କେବଳ ଦେହକୁ ଧୋଇ ଦେଲେ ହେବନି। ସଂସାର ଆଗରେ ତୁମେ ଯେଉଁ ପରିଚୟର ଖୋଳପା ଦେଖାଇ ହେଉଛ ତାକୁ ମଧ୍ୟ ନେସି ନାସି ନଷ୍ଟ କରି ଦେବାକୁ ପଡ଼ିବ। ତାହାହେଲେ ଯାଇ ତୁମେ ନବଯୌବନ ଆଡ଼କୁ ଆଗେଇ ପାରିବ। ଆମେ ଦେହକୁ ପାଣି ଦ୍ୱାରା ସଫା କରିପାରୁ। ହେଲେ ମନକୁ ‘ପ୍ରତ୍ୟାହାର’ ଦ୍ୱାରା ସଫା କରିବୁ କିପରି?
ସ୍ନାନବେଦୀରୁ ଫେରିଲା ବେଳେ ମହାପ୍ରଭୁ ନିଜର ରଙ୍ଗଛଡ଼ା ମୁହିଁରେ ହସି ହସି କୁହନ୍ତି ତୁମେମାନେ ବି ମୋଭଳି ଘସି ମାଜି ହୋଇ ନିଜ ପ୍ରକୃତ ପରିଚୟ ଉପରେ ବସି ଯାଇଥିବା ମିଛ ରଙ୍ଗ ଗୁଡିକୁ ଦୂରେଇ ଦିଅ। ଶ୍ୱାସକୁ ବ୍ୟବହାର କରି ନିଜ ଅନ୍ତରକୁ ସଫା କରି ପକାଅ। ଏହାପରେ ଶ୍ରୀ ଜଗନ୍ନାଥ ଚାଲି ଯାଆନ୍ତି ଅଣସରର ଗୁଣ୍ଡ ଆସ୍ଥାନକୁ। ସେଠାରେ ସେ ହୁଏତ ନିଜର ପ୍ରାଥମିକ ଦାରୁ ବିଗ୍ରହ ରୂପକୁ ଫେରନ୍ତି। ପୁନର୍ବାର ନୂଆ ରୂପ ଗ୍ରହଣ କରି ଫେରନ୍ତି। ଜଗତ ଆଗକୁ ନବଯୌବନ ଦର୍ଶନ ଦିନେ। ଏହା ମାଧ୍ୟମରେ ସେ ଆମକୁ ପ୍ରବର୍ତ୍ତାଉଛନ୍ତି ‘ପ୍ରତ୍ୟାହାର’ ମାଧ୍ୟମରେ ନିଜ ଭିତରେ ଆଉ ପାଦେ ଆଗେଇ ଯାଇ ‘ଧାରଣା’ ସ୍ଥିତିରେ ପହଞ୍ଚିବାକୁ।
ଆମ ଭିତରେ ବି ଅଛି ଚେତନାର ଅଣସର ପିଣ୍ଡି। ପ୍ରତିରାତିରେ ଆମେ ଫେରିଯାଉ ସଠାକୁ ନିଜ ମାଧ୍ୟମରେ। ସେଠାକୁ ଗଲା ମନରେ ଜମା ହୋଇଥିବା ସବୁ ପରିଚୟର ଆସ୍ତରଣ ଫୋପାଡ଼ି ଦେଉ। ଏହି ସମୟରେ ହିଁ ଆମ ଦେହ ଓ ମନ ପୁଣିଥରେ ସତେଜ ହୁଏ। ଆମ ସକାଳୁ ନିଦ ଭାଙ୍ଗୁ ନବଯୌବନ ସହ। ହେଲେ ନିଦ୍ରା ହେଉଛି ଏକ ଜନ୍ମଗତ ପ୍ରବୃତ୍ତି। ଏକ ଭଗବତ୍ କୃପା। ଆମେ ନିଦ ସମୟର ଦେହ ମନର ପରିବର୍ତ୍ତନକୁ ଜାଣି ପାରୁନା। ତେଣୁ ସତେଜତାର ଉତ୍ସ ପରିଚୟହୀନ ସ୍ଥିତିକୁ ନିଦ୍ରାବସ୍ଥାରେ ଅନୁଭବ କରୁଥିଲେ ମଧ୍ୟ ଚେତନ ଅବସ୍ଥାରେ ମନେ ପକାଇ ପାରୁନା।
ଶ୍ରୀ ଜଗନ୍ନାଥଙ୍କ ସ୍ନାନଯାତ୍ରା ଆମମାନଙ୍କୁ ସଚେତନ ଭାବରେ ନିଜର ପରିଚୟହୀନ ସ୍ଥିତିରେ ପହଞ୍ଚିବା ପାଇଁ ଉସକାଉଛି। ମହାବାହୁ ଆମକୁ ଜଣାଇ ଦେଉଛନ୍ତି ଯେ ନିଜର ନବଯୌବନ ପାଇଁ ଆମକୁ ‘ପ୍ରତ୍ୟାହାର’ର ସ୍ନାନଯାତ୍ରା କରିବାକୁ ପଡ଼ିବ, ଶ୍ୱାସକୁ ମାଧ୍ୟମ କରି।