ଆସ ବୁଲି ଯିବା ଅଫିସରଙ୍କ ଗାଁ: ଦୁଇଶହ ଘରେ ୪୭ ଆଇଏଏସ୍‌ ଓ ଆଇପିଏସ୍‌

ସରକାରୀ ଅଧିକାରୀ ହେବାକୁ କାହାର ବା ଇଚ୍ଛା ନ ଥାଏ। ଆଇଏଏସ୍‌, ଆଇପିଏସ୍‌ ଓ ପିସିଏସ୍‌ ଅଧିକାରୀ କଥା ଟିକେ ଅଲଗା। ଏଥିପାଇଁ କଠିନ ପରିଶ୍ରମ, ଅତ୍ମବିଶ୍ୱାସ ଓ ଦୃଢ ଇଚ୍ଛାଶକ୍ତି ଆବଶ୍ୟକ। କୌଣସି ଜିଲ୍ଲାରୁ ଯଦି କେହି ଜଣେ ଏପରି ଅଧିକାରୀ ହୋଇଯାଆନ୍ତି ତାଙ୍କୁ ଜିଲ୍ଲା ପାଇଁ ଗୌରବ ବୋଲି ବିବେଚନା କରାଯାଇଥାଏ। ହେଲେ ଆମ ଦେଶରେ ଏପରି ଏକ ଗାଁ ଅଛି ଯେଉଁଠି ଘରେ ଘରେ ଏପରି ଅଫିସ୍‌ର ଅଛନ୍ତି। ଯେଉଁମାନଙ୍କ ପାଇଁ ଏହି […]

patti

Rakesh Mallick
  • Published: Friday, 02 June 2017
  • , Updated: 02 June 2017, 09:45 PM IST

ସରକାରୀ ଅଧିକାରୀ ହେବାକୁ କାହାର ବା ଇଚ୍ଛା ନ ଥାଏ। ଆଇଏଏସ୍‌, ଆଇପିଏସ୍‌ ଓ ପିସିଏସ୍‌ ଅଧିକାରୀ କଥା ଟିକେ ଅଲଗା। ଏଥିପାଇଁ କଠିନ ପରିଶ୍ରମ, ଅତ୍ମବିଶ୍ୱାସ ଓ ଦୃଢ ଇଚ୍ଛାଶକ୍ତି ଆବଶ୍ୟକ। କୌଣସି ଜିଲ୍ଲାରୁ ଯଦି କେହି ଜଣେ ଏପରି ଅଧିକାରୀ ହୋଇଯାଆନ୍ତି ତାଙ୍କୁ ଜିଲ୍ଲା ପାଇଁ ଗୌରବ ବୋଲି ବିବେଚନା କରାଯାଇଥାଏ। ହେଲେ ଆମ ଦେଶରେ ଏପରି ଏକ ଗାଁ ଅଛି ଯେଉଁଠି ଘରେ ଘରେ ଏପରି ଅଫିସ୍‌ର ଅଛନ୍ତି। ଯେଉଁମାନଙ୍କ ପାଇଁ ଏହି ଗାଁକୁ ଅଫିସରଙ୍କ ଗାଁ କୁହାଯାଇଥାଏ। ଆସନ୍ତୁ ଜାଣିବା ଉତ୍ତରପ୍ରଦେଶ ଜୋନପୁର ଜିଲ୍ଲାରେ ଥିବା ଏହି ଅଫିସରଙ୍କ ଗାଁ ମାଧୋପଟ୍ଟି ସମ୍ପର୍କରେ।

ଅଫିସର ତିଆରି କରୁଥିବା ମାଧୋପଟ୍ଟି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷୌଠାରୁ ପ୍ରାୟ ୨୪୦ କି.ମି. ଦୂରରେ ରହିଛି। ଗାଁରେ ପ୍ରାୟ ୨୦୮ ଘର ରହିଛି। ଏହିଠାରୁ ବର୍ତ୍ତମାନ ସୁଦ୍ଧା ପାଇ ସାରିଲାଣି ୪୭ ଆଇଏଏସ୍‌ ଓ ପିସିଏସ୍‌ ଅଧିକାରୀ। ଆଇଏଏସ୍‌ ଓ ଆଇପିଏସ୍‌ ସମେତ ପିସିଏସ୍‌, ଆଇଏଫ୍‌ଏସ୍‌ ଓ ଅନ୍ୟ କ୍ଷେତ୍ରକୁ ଏହି ଗାଁ ଦେଇ ସାରିଲାଣି ପ୍ରାୟ ୨୦୦ ଅଫିସର। ଯେଉଁମାନେ ଉତ୍ତରପ୍ରଦେଶ ସମେତ ଦେଶର ଅନ୍ୟ ରାଜ୍ୟରେ ସେବା କରୁଛନ୍ତି। ଏହି ଗାଁରେ ଜନ୍ମ ହୋଇଥିବା ପିଲା ଇସ୍ରୋ ଓ ଭାବା ପରମାଣୁ କେନ୍ଦ୍ରରେ ବୈଜ୍ଞାନିକ ହେବା ସହ ଫିଲିପାଇନ୍‌ ରାଜଧାନୀ ମନିଲାରେ ଥିବା ବିଶ୍ୱବ୍ୟାଙ୍କର ଅଧିକାରୀ ମଧ୍ୟ ହୋଇପାରିଛନ୍ତି।

ଅଫିସର ହେବାକୁ ଗାଁରେ ଯେମିତି ଘରେ ଘରେ ପ୍ରତିଯୋଗିତା ଦେଖିବାକୁ ମିଳିଥାଏ। ଏହି ପ୍ରତିଯୋଗିତା ଏବେକାର ନୁହେଁ। ବ୍ରିଟିସ୍‌ ଶାସନ କାଳରୁ ଚାଲି ଆସିଛି। ଗାଁର ମୁସ୍ତଫା ହୁସେନ ୧୯୧୪ରେ ପ୍ରଥମ ଅଫିସର ଭାବେ ମନୋନୀତ ହୋଇଥିଲେ। ଏହାପରେ ୧୯୫୨ରେ ଇନ୍ଦୁ ପ୍ରକାଶ ସିଂହ ଆଇଏଏସ୍‌ ପାଇଁ ମନୋନୀତ ହୋଇ ଗାଁ ପାଇଁ ଗୌରବ ଆଣିଥିଲେ। ଏହାପରେ ଗାଁର ପିଲାମାନଙ୍କ ମଧ୍ୟରେ ଆଇଏଏସ୍‌, ଆଇପିଏସ୍‌ ଓ ପିସିଏସ୍‌ ହେବାକୁ ଯେମିତି ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ଯାହା ଆଜି ପର୍ଯ୍ୟନ୍ତ ନିରନ୍ତର ଚାଲିଆସିଛି। କେବଳ ପୁଅମାନେ ନୁହନ୍ତି, ଗାଁର ଝିଅ ଓ ବୋହୁମାନେ ମଧ୍ୟ ପଛରେ ପଡିନାହାନ୍ତି। ଗାଁର ବହୁ ଝିଅ ଓ ବୋହୁ ଅଫିସର ହୋଇ ବାପଘର ଓ ଶାଶୁ ଘର ପାଇଁ ଗୌରବ ଆଣିଛନ୍ତି।

ଏତେ ସଂଖ୍ୟାରେ ଅଫିସର ଦେଇଥିବା ଏହି ଗାଁର ସାକ୍ଷରତା ହାର ଦେଶ ଓ ରାଜ୍ୟର ସାକ୍ଷରତା ହାରଠାରୁ ଅଧିକ ଥିବ ବୋଲି ନିଶ୍ଚିତ ଭାବୁଥିବେ। ହେଲେ ଗାଁର ସାକ୍ଷରତା ହାର ରାଜ୍ୟଠାରୁ କମ ରହିଛି। ୨୦୧୧ରେ ଉତ୍ତରପ୍ରଦେଶର ସାକ୍ଷରତା ହାର ୬୭.୬ ପ୍ରତିଶତ ଥିବା ବେଳେ ମାଧୋପଟ୍ଟିର ହାର ଥିଲା ୬୨.୬ ପ୍ରତିଶତ। ରାଜ୍ୟ ସାକ୍ଷରତା ହାରଠାରୁ ସାମାନ୍ୟ ତଳେ ଥିଲେ ମଧ୍ୟ ପିଲାଦିନରୁ ଅଫିସର ହେବାର ଅଗ୍ରହ ଆଣି ଦେଇଛି ଏମିତି ଅନନ୍ୟ ଗୌରବ। ଗାଁର ଅନ୍ୟ ଏକ ବିଶେଷତ୍ୱ ହେଲା ପ୍ରତି ଘରେ ଗ୍ରାଜୁଏଟ୍‌ ଅଛନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବ ଗାଁରେ ଥିବା ସ୍କୁଲରେ ଅଷ୍ଟମ ଶ୍ରେଣୀ ଯାଏ ରହିଥିବା ବେଳେ ଏକ ଇଣ୍ଟର କଲେଜ ରହିଛି। ଅଷ୍ଟମ ପରେ ପିଲାଙ୍କୁ ବାହାରକୁ ପଢିବାକୁ ଯିବାକୁ ପଡିଥାଏ। ଏହାସତ୍ତ୍ୱେ ପରିବାର ଲୋକଙ୍କ ପରାମର୍ଶ, ଶିକ୍ଷକଙ୍କ ମାର୍ଗଦର୍ଶନ ଓ ପିଲାମାନଙ୍କ ଆଗ୍ରହ ଦେଇ ପାରିଛି ଏକାଧିକ ଅଫିସର।

ପୂର୍ବରୁ ଜୋନପୁର ଜିଲ୍ଲା ଦୁଇଟି କାମ ପାଇଁ ପ୍ରସିଦ୍ଧ ଥିଲା। ଗୋଟିଏ ଏଠିକାର କୋଠା ହୋଇଥିବା ବେଳେ ଅନ୍ୟଟି ଅପରାଧ। ଏହାସତ୍ତ୍ୱେ ମାଧୋପଟ୍ଟି ଗାଁ ସାରା ଦେଶ ପାଇଁ ଏବେ ରୋଲ ମଡେଲ ପାଲଟିଛି।

ଗାଁର ଦୁଃଖ...

ଘରୁ ଘରୁ ଅଫିସର ବାହାରୁ ଥିବା ଏହି ଗାଁ ବିକାଶ କ୍ଷେତ୍ରରେ ବହୁ ଆଗରେ ଥିବ ନିଶ୍ଚିତ ଭାବୁ ଥିବେ। ହେଲେ ଅଫିସର ସୃଷ୍ଟି କରିବା ଗୋଟିଏ ପଟେ ଗାଁ ପାଇଁ ଗୌରବ ହୋଇଥିବା ବେଳେ ଅନ୍ୟପକ୍ଷେ ଅଭିଶାପରେ ପରିଣତ ହୋଇଛି। ଅଫିସର ହୋଇ ବାହାରକୁ ଯାଇଥିବା ବହୁତ ଆଉ କେବେ ଫେରିନାହାନ୍ତି। ଯାହାକୁ ଗାଁର ଦୁଃଖ ବୋଲି କୁହାଯାଉଛି।

ବିକାଶ ବୋଲି ଗୋଟେ ଜିନିଷ ଗାଁରେ ପହଞ୍ଚି ପାରିନାହିଁ। ‘ବିକାଶ ପୁସ୍ତକର ପରିଭାଷ ହୋଇ ରହି ଯାଇଛି’ ଏହି ଗାଁ ପାଇଁ। ଗାଁକୁ ଭଲ ରାସ୍ତାଟିଏ ନାହିଁ। ସ୍ୱାସ୍ଥ୍ୟସେବା କଥା ନ କହିବା ଭଲ। କାରଣ ଏଠାରେ ଆଜି ପର୍ଯ୍ୟନ୍ତ ମେଡିକାଲଟିଏ ହୋଇପାରିନାହିଁ। ପାଠପଢାର ମୂଳ ଲାଇବ୍ରେରୀଟିଏ ମଧ୍ୟ ଗାଁରେ ନାହିଁ।

ଗ୍ରାମବାସୀ କୁହନ୍ତି ଅଫିସର ହେବା ପରେ ସେମାନଙ୍କୁ ବହୁତ କାମ କରିବାକୁ ପଡୁଛି। ବାହାରେ ରହିବା ଯୋଗୁଁ ସମୟ ପାଉନାହାନ୍ତି। ଏହାସତ୍ତ୍ୱେ କିଛି ସମୟ ଗାଁ ପାଇଁ ବାହାର କରି ପାରିଲେ ଗାଁର ସ୍ଥିତି ବଦଳି ଯାଆନ୍ତି।

Related story