/odisha-reporter/media/post_attachments/uploads/2021/07/michael-phelps-all-medals.jpg)
michael-phelps-all-medals
କୌଣସି ଖେଳାଳି ଯଦି ଅଲିମ୍ପିକରେ ସ୍ୱର୍ଣ୍ଣ ପଦକ ଜିତନ୍ତି, ତାହେଲେ ତାଙ୍କ ନାଁ ମହାନ୍ ଖେଳାଳିଙ୍କ ତାଲିକାରେ ସାମିଲ୍ ହୋଇଯାଇଥାଏ। କିନ୍ତୁ ଯଦି କେହି ଖେଳାଳି ଅଲିମ୍ପିକରେ ୨୩ ସ୍ୱର୍ଣ୍ଣ ପଦକ ଜିତନ୍ତି, ତାହେଲେ ତାଙ୍କୁ କ'ଣ କୁହାଯିବ?ତାଙ୍କୁ ଚମତ୍କାର, ମହାମାନବ, ଅଦ୍ଭୁତ ଖେଳାଳି କହିଲେ ବି କମ୍ ପଡ଼ିବ। ଆଜି ଆମେ ଯେଉଁ ଖେଳାଳିଙ୍କ କଥା କହୁଛୁ ସେ ହେଉଛନ୍ତି ଦୁନିଆର ସର୍ବକାଳୀନ ଶ୍ରେଷ୍ଠ ସୁଇମର୍ ମାଇକେଲ୍ ଫେଲପ୍ସ।
୬ ଫୁଟ୍ ୪ ଇଞ୍ଚର ଲମ୍ବା ଉଚ୍ଚତା ବିଶିଷ୍ଟ ଫେଲପ୍ସ ୩୦ ଜୁନ୍, ୧୯୮୫ରେ ଜନ୍ମ ଗ୍ରହଣ କରିଥିଲେ। ଏହି ଆମେରିକୀୟ ସୁଇମର୍ ଅଲିମ୍ପିକ୍ସ ଇତିହାସର ଯେ ସର୍ବଶ୍ରେଷ୍ଠ ଆଥ୍ଲେଟ୍ ଏଥିରେ କୌଣସି ସନ୍ଦେହ ନାହିଁ। ସେ ଅଲିମ୍ପିକ୍ସରେ ୨୩ଟି ସ୍ୱର୍ଣ୍ଣ ପଦକ ଜିତି ସର୍ବକାଳୀନ ରେକର୍ଡ ମଧ୍ୟ କରିଛନ୍ତି। ଯେଉଁଥିରେ ରହିଛି ୧୩ଟି ବ୍ୟକ୍ତିଗତ ଏବଂ ୧୦ଟି ଦଳଗତ ସ୍ୱର୍ଣ୍ଣ। ଏହାଛଡ଼ା ସେ ଅଲିମ୍ପିକ୍ସ ଇତିହାସରେ ମୋଟ ୨୮ଟି (୨୩ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ) ପଦକ ଜିତି ରେକର୍ଡ କରିଛନ୍ତି। ଅଲିମ୍ପିକ୍ସ ଇତିହାସରେ ଏକମାତ୍ର ଆଥ୍ଲେଟ୍ ଭାବେ ସର୍ବାଧିକ ପଦକ ଫେଲପ୍ସଙ୍କ ନାମରେ ରହିଛି।
/odisha-reporter/media/post_attachments/photos/5909794e1c7a8e33fb38fd5e/master/pass/Thomas-MichaelPhelps.jpg)
ଫେଲପ୍ସ ୧୦୦ ଓ ୨୦୦ ମିଟର୍ ବଟରଫ୍ଲାଇ ଏବଂ ୪୦୦ ମିଟର୍ ବ୍ୟକ୍ତିଗତ ମିଡଲେରେ ବିଶ୍ୱ ରେକର୍ଡ ସ୍ଥାପନ କରିବା ସହ ୨୦୦ ମିଟର୍ ଫ୍ରିଷ୍ଟାଇଲ୍ ଓ ୨୦୦ ମିଟର୍ ବ୍ୟକ୍ତିଗତ ମିଡ୍ଲେରେ ମଧ୍ୟ ବିଶ୍ୱ ରେକର୍ଡ କରିଛନ୍ତି । ସେ ଅନ୍ତର୍ଜାତୀୟ ଇଭେଣ୍ଟରେ ମୋଟ ୮୩ଟି ପଦକ ଜିତିଛନ୍ତି । ଯେଉଁଥିରେ ସାମିଲ୍ ଅଛି ୬୬ଟି ସ୍ୱର୍ଣ୍ଣ, ୧୪ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ। ଏହି ସଫଳତା କାରଣରୁ ତାଙ୍କୁ ୨୦୧୨ରେ ୱାର୍ଲ୍ଡ ସୁଇମର୍ ଅଫ୍ ଦି ଇୟର୍, ଆମେରିକାନ୍ ସୁଇମର୍ ଅଫ୍ ଦି ଇୟର୍ ଏବଂ ଫିନା ସୁଇମର୍ ଅଫ୍ ଦି ଇୟର୍ ପୁରସ୍କାର ପ୍ରଦାନ କରାଯାଇଥିଲା।
/odisha-reporter/media/post_attachments/wp-content/uploads/sites/10/2017/02/587853148-e1487962084295.jpg)
ଅବସର ପରେ ପୁଣି ଫେରିଥିଲେ ଅଲିମ୍ପିକ୍ସକୁ
୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସ ପରେ ଫେଲପ୍ସ ଅବସର ଘୋଷଣା କରିଥିଲେ। କିନ୍ତୁ ୨୦୧୪ରେ ଫେଲପ୍ସ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରିଥିଲେ। ୨୦୧୪ ମେ’ ମାସରେ ସେ ନର୍ଥ ଚାର୍ଲୋଟ୍ଠାରେ ଆୟୋଜିତ ଏରିନା ଗ୍ରାଁ ପ୍ରି’ରେ ୧୦୦ ମିଟର୍ ବଟରଫ୍ଲାଇରେ ଚାମ୍ପିଅନ୍ ହୋଇଥିଲେ। ସେହି ବର୍ଷ ଫେଲପ୍ସ ଏକ ମୋଟର୍ ସାଇକେଲ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ତାଙ୍କ ଗୋଡ଼ ଭାଙ୍ଗିଯାଇଥିଲା। ଦୁଇଟି ଭଙ୍ଗା ଗୋଡ଼ ଏବଂ ଭଙ୍ଗା କାନ୍ଧ ନେଇ ଫେଲପ୍ସ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ଏହି ଦୁର୍ଘଟଣା ପରେ ତାଙ୍କ କ୍ୟାରିୟର ସଂକଟରେ ପଡିଯାଇଥିଲା। କିନ୍ତୁ ଡାକ୍ତରଙ୍କ ଅନୁଯାୟୀ ସେ ପୁଣିଥରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ କିନ୍ତୁ ନିଜର ପୂର୍ଣ୍ଣ ସାମର୍ଥ୍ୟ ଅନୁଯାୟୀ ପ୍ରଦର୍ଶନ କରିପାରିବେ ନାହିଁ। କିନ୍ତୁ ଫେଲପ୍ସ ହାର୍ ମାନି ନଥିଲେ ଏବଂ ଶୀଘ୍ର ଟ୍ରାକ୍କୁ ଫେରିଥିଲେ।
/odisha-reporter/media/post_attachments/wp-content/uploads/mf/weights_0.jpg)
ଫେଲପ୍ସ ନିଜର ସଫଳତା ପାଇଁ ଫିଟ୍ନେସ୍ ଓ ପରିଶ୍ରମକୁ ନୁହେଁ ବରଂ ସେ ଏଥିପାଇଁ ଭଗବାନ ଶ୍ରେୟ ଦିଅନ୍ତି। କାରଣ ଭଗବାନ ତାଙ୍କୁ ସୁଇମର୍ ଭଳି ବଡ଼ ପ୍ରତିଭା ଦେଇ ଜନ୍ମ କରିଛନ୍ତି। ଫେଲପ୍ସଙ୍କ ଗୋଡ଼ ସାଧାରଣ ଲୋକଙ୍କଠାରୁ ଭିନ୍ନ। ମାଛର ନିମ୍ନ ଭାଗ ପରି ଫେଲପ୍ସଙ୍କ ପଛ ଭାଗ ତାଙ୍କୁ ପହଁରିବାରେ ସହାୟକ ହୋଇଥାଏ। ଫେଲପ୍ସଙ୍କ ଉଚ୍ଚତା ତାଙ୍କୁ ସହାୟକ ହୁଏ ନାହିଁ କିନ୍ତୁ ତାଙ୍କ ଗୋଡ଼ର ପେଣ୍ଡା ତାଙ୍କୁ ମାଛ ଭଳି ପହଁରିବାରେ ଶକ୍ତି ପ୍ରଦାନ କରେ। ତେବେ ବହୁତ କମ୍ ଜାଣିଛନ୍ତି ଯେ, ସୁଇମିଂର ଏହି ବାଦ୍ଶାହା ଦିନେ ପାଣିକୁ ଭୟ କରୁଥିଲେ। ପିଲାଦିନରୁ ହିଁ ପାଣିକୁ ନେଇ ତାଙ୍କ ମନରେ ଭୟ ରହିଥିଲା। କିନ୍ତୁ ପରେ ଫେଲପ୍ସ ନିଜ ଦୃଢ଼ ମନୋବଳ ଦ୍ୱାରା ଏହି ଭୟ ଦୂର କରି ଦୁନିଆ ଉପରେ ରାଜ୍ କରିଛନ୍ତି।
[caption id="" align="alignnone" width="2000"]
ପତ୍ନୀଙ୍କ ସହ ମାଇକେଲ୍ ଫେଲପ୍ସ[/caption]
୨୦୦୪ ମସିହାରେ ମାତ୍ର ୧୯ ବର୍ଷ ବୟସରେ ଫେଲପ୍ସ ମଦ୍ୟପାନ କରି ଗାଡ଼ି ଚଳାଉଥିବାରୁ ପୁଲିସ୍ ତାଙ୍କୁ ଗିରଫ କରିଥିଲା। ଯେଉଁ କାରଣରୁ ତାଙ୍କୁ ୧୮ ମାସ ଜେଲ୍ ଓ ୨୫୦ହଜାର ଡଲାର୍ ଜୋରିମାନା ଦେବାକୁ ପଡ଼ିଥିଲା। ୨୦୦୯ରେ ଆମେରିକୀୟ ସୁଇମିଂ ଫେଡେରେସନ୍ ଏକ ବିବାଦୀୟ ଫଟୋକୁ ନେଇ ଫେଲପ୍ସଙ୍କୁ ୩ମାସ ସସ୍ପେଣ୍ଡ କରିଥିଲା। ୨୦୧୪, ସେପ୍ଟେମ୍ବର ମାସରେ ପୁଣିଥରେ ମଦ୍ୟପାନ କରି ଗାଡ଼ି ଚଳାଉଥିବାରୁ ଫେଲପ୍ସଙ୍କୁ ପୁଲିସ୍ ଗିରଫ କରିଥିଲା। ଫଳସ୍ୱରୂପ ୨୦୧୫ରେ ଆୟୋଜିତ ବିଶ୍ୱ ଆକ୍ୱାଟିକ୍ସ ଚାମ୍ପିଅନସିପ୍ ତଥା ୬ମାସ ପର୍ଯ୍ୟନ୍ତ ତାଙ୍କୁ ସସ୍ପେଣ୍ଡ କରାଯାଇଥିଲା। ଫେଲପ୍ସଙ୍କ ଅନୁପସ୍ଥିତିରେ ଆମେରିକା ୪ଗୁଣା ୧୦୦ ମିଟର୍ ବଟରଫ୍ଲାଇରେ ଫାଇନାଲ୍କୁ ଉନ୍ନୀତ ହୋଇପାରିନଥିଲା।
/odisha-reporter/media/post_attachments/originals/0c/a5/a8/0ca5a8a71b3c3e0300eb4692f2ef3baf.jpg)
ଅଲିମ୍ପିକ୍ସରେ ଫେଲପ୍ସ
୨୦୦୦ ମସିହାରେ ସିଡ୍ନୀ ଅଲିମ୍ପିକ୍ସରେ ଫେଲପ୍ସ ପଦାର୍ପଣ କରିଥିଲେ। ମାତ୍ର ୧୫ ବର୍ଷ ବୟସରେ ଫେଲପ୍ସ ୬୮ ବର୍ଷ ପରେ ଆମେରିକାର କନିଷ୍ଠ ସୁଇମର୍ ଭାବେ ଅଲିମ୍ପିକ୍ସ ପଦାର୍ପଣ କରିଥିଲେ। କିନ୍ତୁ ପଦାର୍ପଣରେ ଫେଲପ୍ସ ପଦକ ଜିତି ପାରିନଥିଲେ। ସେ ୨୦୦ ମିଟର୍ ବଟରଫ୍ଲାଇରେ ଫାଇନାଲ୍କୁ ଯାଇଥିଲେ ହେଁ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହୋଇ ଅଭିଯାନ ଶେଷ କରିଥିଲେ।
/odisha-reporter/media/post_attachments/assets/img/2012/08/11/phelps_trophy_wide-ea5d238a0d5bce7a6bb6502b0b484bc47be6fdbd.jpg)
୨୦୦୪ରେ ଏଥେନ୍ସ ଅଲିମ୍ପିକ୍ସରେ ଫେଲପ୍ସ ଏଭଳି କାରନାମା କଲେ ଯେ, ଚାରିଆଡେ ଖାଲି ତାଙ୍କ ନାମ ଚର୍ଚ୍ଚା ହେଲା। ଫେଲପ୍ସ ଏଥେନ୍ସରେ ୬ଟି ସ୍ୱର୍ଣ୍ଣ ଓ ୨ଟି ବ୍ରୋଞ୍ଜ ପଦକ ଜିତିଥିଲେ। ତେବେ ୨୦୦୮ରେ ବେଜିଂ ଅଲିମ୍ପିକ୍ସ ଫେଲପ୍ସଙ୍କ ପାଇଁ କେବଳ ସ୍ୱର୍ଣ୍ଣିମ ହିଁ ରହିଥିଲା। ଏହି ସଂସ୍କରଣରେ ସେ ୮ଟି ଯାକ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ନୂଆ ଇତିହାସ ରଚିଥିଲେ। ୨୦୧୨ରେ ଲଣ୍ଡନ୍ ଅଲିମ୍ପିକ୍ସରେ ଫେଲପ୍ସ ୬ଟି ଇଭେଣ୍ଟରେ ଭାଗ ନେଇଥିଲେ। ସେଥିମଧ୍ୟରୁ ସେ ୪ଟିରେ ସ୍ୱର୍ଣ୍ଣ ଜିତିଥିବା ବେଳେ ଦୁଇଟି ରୌପ୍ୟ ପଦକ ଲାଭ କରିଥିଲେ।
/odisha-reporter/media/post_attachments/decider.com/wp-content/uploads/2020/07/michael-phelps-gold-2016-olympics.jpg)
୨୦୧୬ରେ ରିଓରେ ଆୟୋଜିତ ୩୧ତମ ଅଲିମ୍ପିକ୍ସ ସଂସ୍କରଣରେ ଫେଲପ୍ସଙ୍କ କ୍ୟାରିୟର ପୁଣିଥରେ ସୁନାରେ ଚମକିଥିଲା। ଫେଲପ୍ସ ନିଜର ୬ଟି ଯାକ ଇଭେଣ୍ଟରେ ସଫଳ ହେଲେ। ୨୦୦ ମିଟର୍ ବଟରଫ୍ଲାଇ, ୨୦୦ ମିଟର୍ ମିଡଲେ, ୪ଗୁଣା ୧୦୦ ମିଟର୍ ଫ୍ରିଷ୍ଟାଇଲ୍, ୪ଗୁଣା ୨୦୦ ମିଟର୍ ଫ୍ରିଷ୍ଟାଇଲ୍ ଏବଂ ୪ଗୁଣା ୧୦୦ ମିଟର୍ ମିଡଲେରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ। କିନ୍ତୁ ୧୦୦ ମିଟର୍ ବଟଲଫ୍ଲାଇରେ ସେ ମାତ୍ ଖାଇଯାଇଥିଲେ। ଅଲିମ୍ପିକ୍ସ ପରେ ଫେଲପ୍ସ ନିଜ କ୍ୟାରିୟରରେ ବିରାମ ଲଗାଇଥିଲେ। ଫେଲପ୍ସ ସିନା ଅବସର ନେଇସାରିଛନ୍ତି, କିନ୍ତୁ ଅଲିମ୍ପିକ୍ସରେ ତାଙ୍କ ସ୍ୱର୍ଣ୍ଣିମ ଅଭିଯାନକୁ ଭବିଷ୍ୟତରେ କାହା ପକ୍ଷେ ଭାଙ୍ଗିବା ଅସମ୍ଭବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
