ମୁମ୍ବାଇ: ଆପଣ କେତେ ସମୟ ନିଶ୍ୱାସ ବନ୍ଦ କରି ରହିପାରିବେ? ଏକ ସେକେଣ୍ଡ, ଦୁଇ ସେକେଣ୍ଡ, ତିନି ସେକେଣ୍ଡ...। କିନ୍ତୁ ମୁମ୍ବାଇର ଏକ ଡାକ୍ତରଖାନାରେ ଏକ ତିନି ମାସର ଶିଶୁର ନିଶ୍ୱାସ ପୂରା ୪୫ ମିନିଟ୍ ପାଇଁ ବନ୍ଦ ରହିଥିଲା। ତଥାପି ତାଙ୍କର କିଛି ହୋଇନି। ସେ ସୁସ୍ଥ ଅଛନ୍ତି। ତାଙ୍କ ନାଁ ଆରାଧ୍ୟ । ଏବେ ତାଙ୍କୁ କୁହାଯାଉଛି ‘ବିସ୍ମୟ ଶିଶୁ’।
ଆରାଧ୍ୟ ଏବେ ଜଣେ ସାଧାରଣ ଶିଶୁ। କିନ୍ତୁ ସେ ସାଧାରଣ ହୋଇ ଜନ୍ମ ହୋଇ ନ ଥିଲେ। ତାଙ୍କ ହୃଦୟରେ ଏକ ଛିଦ୍ର ଥିଲା। ତାଙ୍କ ବାପାମା’ ତାଙ୍କୁ ମୁମ୍ବାଇ ଆଣି ବାଇ ଜେରବାଇ ୱାଡ଼ିଆ ଶିଶୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏକ ଡାକ୍ତରୀ ଦଳ ୨୬ ଘଣ୍ଟା ଧରି ଅପରେସନ୍ କରିବା ପରେ ଆରାଧ୍ୟଙ୍କୁ ମିଳିଛି ନୂଆ ଜୀବନ। କିନ୍ତୁ ଅପରେସନ୍ ବେଳେ ୪୫ ମିନିଟ୍ ପର୍ଯ୍ୟନ୍ତ ତାଙ୍କ ନିଶ୍ୱାସ ଅଟକି ଯାଇଥିଲା। ସେତେବେଳେ ସେ ଆଉ ବଞ୍ଚିବେ ନାହିଁ ବୋଲି ଡାକ୍ତରମାନେ ଭାବି ନେଇଥିଲେ। କିନ୍ତୁ ସେମାନେ ହାରମାନି ନ ଥିଲେ ଓ ଉଦ୍ୟମ ଜାରି ରଖିଲେ। ଶେଷରେ ସେମାନଙ୍କ ଉଦ୍ୟମ ସଫଳ ହେଲା ଓ ଆରାଧ୍ୟ ଏବେ ସୁସ୍ଥ ଅଛନ୍ତି।