Advertisment

ନିଷ୍ଠା ଓ ଉଦ୍ୟମକୁ ମିଳିଲା ସମ୍ମାନ; ବନରକ୍ଷୀଙ୍କ ନାଁରେ ହେଲା ‘ମିତ୍ରଭାନୁ ବନ’

କେନ୍ଦୁଝର (ପ୍ରଣୟ ପାଣି): ଟାଙ୍ଗର ଭୂଇଁରେ ଦୁବଟିଏ କଅଁଳୁ ନଥିଲା। ସେହି ଭୂଇଁରେ ଏବେ ସବୁଜିମା ଲହଡି ମାରୁଛି। ପବନରେ ଦୋଳି ଖେଳୁଛି ଆମ୍ୱ ଓ ପଣସ ପରି ଫଳନ୍ତି ଗଛ। ବନରକ୍ଷୀ ମିତ୍ରଭାନୁ ନାଏକଙ୍କ ନିଷ୍ଠା ଓ ଉଦ୍ୟମ ଯୋଗୁ ଏହା ସମ୍ଭବପର ହୋଇଛି। ସେଥିପାଇଁ ଉକ୍ତ ଜଙ୍ଗଲର ନାଁ ‘ମିତ୍ରଭାନୁ ବନ’ ରଖିଛି ବନ ବିଭାଗ। ଶିଳ୍ପାୟନ ନାଁରେ ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଥିବା ବେଳେ ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରୁ ଆସିଛି […]

ନିଷ୍ଠା ଓ ଉଦ୍ୟମକୁ ମିଳିଲା ସମ୍ମାନ; ବନରକ୍ଷୀଙ୍କ ନାଁରେ ହେଲା ‘ମିତ୍ରଭାନୁ ବନ’

pic

Advertisment

କେନ୍ଦୁଝର (ପ୍ରଣୟ ପାଣି): ଟାଙ୍ଗର ଭୂଇଁରେ ଦୁବଟିଏ କଅଁଳୁ ନଥିଲା। ସେହି ଭୂଇଁରେ ଏବେ ସବୁଜିମା ଲହଡି ମାରୁଛି। ପବନରେ ଦୋଳି ଖେଳୁଛି ଆମ୍ୱ ଓ ପଣସ ପରି ଫଳନ୍ତି ଗଛ। ବନରକ୍ଷୀ ମିତ୍ରଭାନୁ ନାଏକଙ୍କ ନିଷ୍ଠା ଓ ଉଦ୍ୟମ ଯୋଗୁ ଏହା ସମ୍ଭବପର ହୋଇଛି। ସେଥିପାଇଁ ଉକ୍ତ ଜଙ୍ଗଲର ନାଁ ‘ମିତ୍ରଭାନୁ ବନ’ ରଖିଛି ବନ ବିଭାଗ। ଶିଳ୍ପାୟନ ନାଁରେ ଦିନକୁ ଦିନ ଜଙ୍ଗଲ ନଷ୍ଟ ହେଉଥିବା ବେଳେ ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରୁ ଆସିଛି ଏପରି ଭଲ ଖବର।

Advertisment

ସଦର ବ୍ଲକ୍‌ ବାଉରିପଦା ପଞ୍ଚାୟତ ମହାଦେବପୁର ଗାଁ। ଏହି ଗାଁ ପାଖରେ ରହିଛି ପ୍ରାୟ ୭୦ ହେକ୍ଟର ଜମି। ଟାଙ୍ଗର ଭୂଇଁରେ କେଇଟା ୟୁକାଲି ପଟାଶ ଗଛକୁ ଛାଡ଼ିଦେଲେ ଆଉ କିଛି ନାହିଁ। ପୂରା ଶୂନ୍‌ଶାନ୍‌ ଥିଲା ଉକ୍ତ ଟାଙ୍ଗର ଭୂଇଁ। ଗାଁ ଲୋକଙ୍କ କହିବା ଅନୁସାରେ ଏଠାରେ କୁଆଡ଼େ ଗଛ ଉଠେନାହିଁ। ସେହି ଜମିଟି ଜଙ୍ଗଲ ବିଭାଗର ବେଲଦା ବିଟ୍‌ ଅଧୀନରେ ଥିବାରୁ ୨୦୨୧-୨୨ ମସିହାରେ ଜଙ୍ଗଲ ସୃଷ୍ଟି ପାଇଁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଥିଲା। ସେଥିପାଇଁ ବେଲ୍‌ଦା ବିଟ୍‌ର ବନରକ୍ଷୀ ମିତ୍ରଭାନୁ ନାଏକ ମହାଦେବପୁର ଓ ପୋଟଳ ଗାଁକୁ ଯାଇ ଲୋକଙ୍କୁ ବୁଝାଇଥିଲେ। ପରେ ଗ୍ରାମ ସଭା କରି ସେଠାରେ ଚାରା ରୋପଣ ପାଇଁ ଲୋକଙ୍କୁ ମନାଇବାରେ ସଫଳ ହୋଇଥିଲେ। ଏହାପରେ ସେଠାରେ ଗଛ ରୋପଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

publive-image

ଜଙ୍ଗଲ ସୃଷ୍ଟି କରିବାକୁ ଚାହୁଁଥିବା ବନ ବିଭାଗ ସାଧାରଣତଃ ଶୀଘ୍ର ବଢ଼ୁଥିବା ଚାରା ରୋପଣ କରିଥାଏ। କିନ୍ତୁ ଏଠାରେ ମିତ୍ରଭାନୁଙ୍କ ଆଗ୍ରହ କ୍ରମେ ୨୦ ହେକ୍ଟର ଜମିରେ ୩୨,୦୦୦ଟି ଫଳ ଗଛ ରୋପଣ କରାଯାଇଥିଲା। ଆମ୍ବ, ପଣସ, ଜାମୁକୋଳି, ଅଁଳା, ଜେଠୁଆ, ଓଉ ଭଳି ସବୁ ଫଳନ୍ତି ଗଛ ଲଗାଯାଇଥିଲା। ଗାଁ ଲୋକଙ୍କ ସହଯୋଗ ଓ ବନ ରକ୍ଷୀ ମିତ୍ରଭାନୁ ନାଏକଙ୍କ ନିଷ୍ଠା ଏବଂ ଉଦ୍ୟମ ଯୋଗୁ ଏହି ଗଛ ଗୁଡିକ ଏବେ ୭ ଫୁଟରୁ ଅଧିକ ହେଲାଣି। ପୂରା ଟାଙ୍ଗରା ଭୂଇଁ ସବୁଜିମାରେ ପରିଣତ ହୋଇଛି।

Advertisment

publive-image

ଗତକିଛି ମାସ ତଳେ ଏହି ନୂଆ ଜଙ୍ଗଲକୁ ବନ ବିଭାଗର ବରିଷ୍ଠ ଅଧିକରୀଙ୍କ ଏକ ଟିମ୍‌ ବୁଲିବା ପାଇଁ ଆସିଥିଲେ। ଏହି ଟିମ୍‌ ବୁଲିବା ବେଳେ ଏଭଳି ଏକ ନିଆରା ଫଳ ଜଙ୍ଗଲ ସୃଷ୍ଟି କରିବା ପଛରେ କାହାର କେତେ ଭୂମିକା ରହିଛି, ସେଥିନେଇ ପୁଙ୍ଖାନପୁଙ୍ଖ ଆଲୋଚନା ହୋଇଥିଲା। ଏହି ଆଲୋଚନା ବେଳେ ଖୋଦ୍‌ ଡିଏଫ୍‌ଓ ଏଚ୍‌.ଡି. ଧନରାଜ ବନରକ୍ଷୀ ମିତ୍ରଭାନୁ ନାଏକଙ୍କ ନିଷ୍ଠା ଓ ଉଦ୍ୟମ ଯୋଗୁ ଏହି ଫଳ ଜଙ୍ଗଲଟି ସୃଷ୍ଟି ହୋଇ ପାରିଛି ବୋଲି ପିସିସିଏଫ୍‌ ଓ ଆରସିସିଏଫ୍‌ଙ୍କୁ କହିଥିଲେ। ଏହା ପରେ ଉକ୍ତ ଫଳ ଜଙ୍ଗଲର ନାଁ ମିତ୍ରଭାନୁ ନାଏକଙ୍କ ନାମରେ ନାମିତ କରାଯାଇଛି। ମିତ୍ରଭାନୁଙ୍କ ତ୍ୟାଗ ଓ ନିଷ୍ଠାକୁ ସ୍ୱିକୃତୀ ଦେଇ ବନ ବିଭାଗ ଏହି ଫଳ ଜଙ୍ଗଲର ନାମ ରଖିଛନ୍ତି ‘ମିତ୍ରଭାନୁ ବନ’।

ମିତ୍ରଭାନୁ କହିଛନ୍ତି, ମୋ ନାଁରେ ଏହି ଜଙ୍ଗଲଟି ହୋଇଥିବାରୁ ମୁଁ ବହୁତ ଖୁସି। ଏହା ମୋତେ ଆହୁରି କାମ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe