ମନ ମୋହୁଛି ‘ମୁଦୁଲିଗାଡ଼ିଆ’

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଦିନ ଥିଲା ଗାଁଟିର ନାଁ କେହି ଜାଣି ନଥିଲେ। କିନ୍ତୁ ଆଜି ସେଇ ଛୋଟିଆ ଅପରିଚିତ ଗାଁ ସମଗ୍ର ରାଜ୍ୟ ପାଇଁ ପାଲଟିଛି ରୋଲ୍ ମଡେଲ୍। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍‌ ଅଧୀନ ‘ମୁଦୁଲିଗାଡ଼ିଆ’ ଗାଁ ପାଇଛି ‘ଇକୋ ଭିଲେଜ୍‌’ର ମାନ୍ୟତା।  ଏପରି ମାନ୍ୟତା ପାଇବାରେ ଏହା ହେଉଛି ରାଜ୍ୟର ପ୍ରଥମ ଗାଁ। ଆଉ ମହାନଦୀ ବନ୍ୟପ୍ରାଣୀ ଡିଭିଜନର ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ରହିଥିବା ଏହି ଗାଁକୁ ଏବେ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ। […]

2-mudul-2

2-mudul-2

Niharika Rout
  • Published: Thursday, 07 November 2019
  • Updated: 08 November 2019, 03:52 AM IST

Sports

Latest News

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଦିନ ଥିଲା ଗାଁଟିର ନାଁ କେହି ଜାଣି ନଥିଲେ। କିନ୍ତୁ ଆଜି ସେଇ ଛୋଟିଆ ଅପରିଚିତ ଗାଁ ସମଗ୍ର ରାଜ୍ୟ ପାଇଁ ପାଲଟିଛି ରୋଲ୍ ମଡେଲ୍। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍‌ ଅଧୀନ ‘ମୁଦୁଲିଗାଡ଼ିଆ’ ଗାଁ ପାଇଛି ‘ଇକୋ ଭିଲେଜ୍‌’ର ମାନ୍ୟତା।  ଏପରି ମାନ୍ୟତା ପାଇବାରେ ଏହା ହେଉଛି ରାଜ୍ୟର ପ୍ରଥମ ଗାଁ। ଆଉ ମହାନଦୀ ବନ୍ୟପ୍ରାଣୀ ଡିଭିଜନର ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ରହିଥିବା ଏହି ଗାଁକୁ ଏବେ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ।

‘ଇକୋ ଭିଲେଜ୍’ ମାନ୍ୟତା ପାଇଥିବା ଏହି ଗାଁକୁ ନିଜ ହାତରେ ନୂଆବୋହୂ ପରି ସୁନ୍ଦର ଭାବେ ସଜେଇଛନ୍ତି ଗ୍ରାମବାସୀ। ମାଟି ହେଉକି କୋଠା ଅବା ଟିଣ ଛପର- ସମସ୍ତେ ଘରକୁ ଦେଇଛନ୍ତି ଢାଉଆ ରଙ୍ଗ। ଆଉ ସମସ୍ତଙ୍କ କାନ୍ଥରେ ଧଳା ରଙ୍ଗରେ ଅଙ୍କା ଯାଇଛି ମନଲୋଭା ଚିତ୍ର, ଯେଉଁଗୁଡ଼ିକୁ ଯେ କେହି ବି ଦେଖିବ ଘଡ଼ିଏ ଅଟକି ଯିବ ନିଶ୍ଚୟ।

କେବଳ ନିଜ ଘର ନୁହେଁ, ଗାଁ ଦାଣ୍ଡ ବି କିପରି ସଫା ରହିବ, ସେଥିପ୍ରତି ଗ୍ରାମବାସୀ ଖୁବ୍‌ ସଚେତନ ଅଛନ୍ତି। ଗାଁର ସ୍ୱଚ୍ଛତା ବଜାୟ ରଖିବାକୁ ନିରନ୍ତର ପ୍ରୟାସ କରୁଛନ୍ତି ଏଠିକାର ‘ମାଆ ସାତ ଭଉଣୀ ବିକାଶ ପରିଷଦ’ ସଂଗଠନର ସଦସ୍ୟମାନେ।  ଗାଁରେ ସ୍ୱଚ୍ଛ ପ୍ରାକୃତିକ ପରିବେଶ ସୃଷ୍ଟି କରିବା ଲାଗି ରାଜ୍ୟ ଜଙ୍ଗଲ ବିଭାଗ ବି ସହାୟତାର ହାତ ବଢ଼େଇଛି।

ଗାଁରେ ବାହାରେ ମଳତ୍ୟାଗ କରିବା ନିଷେଧ। ତେଣୁ ଘରେ ଘରେ ରହିଛି ପାଇଖାନା। ଗାଁ ଲୋକେ ଅଳିଆ ଆବର୍ଜନା ବି ଏଣେତେଣେ ନପକାଇ ଡଷ୍ଟବିନ୍ ବ୍ୟବହାର କରନ୍ତି। ପ୍ରତି ଘରକୁ ଏଲ୍‌ପିଜି ଓ ସ୍ୱଚ୍ଛ ପିଇବା ପାଣି ସଂଯୋଗ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗ୍ରାମବାସୀ ପ୍ଲାଷ୍ଟିକ୍ ବ୍ୟବହାର କରୁ ନଥିବାରୁ ଗାଁକୁ ‘ପ୍ଲାଷ୍ଟିକ ମୁକ୍ତ’ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।

ଗାଁର ପୂର୍ଣ୍ଣଚନ୍ଦ୍ର ନାୟକ କହିଛନ୍ତି, “ଗାଁକୁ ସ୍ୱଚ୍ଛ କରିବାକୁ ଗ୍ରାମବାସୀ ମିଳିତ ଭାବେ ନିଷ୍ପତ୍ତି ନେଲେ। ଏହାପରେ ଆରମ୍ଭ ହେଲା କାମ। ଘର, ବାହାର ପରିଷ୍କାର କରାଯିବା ସହ ରଙ୍ଗ ଦିଆଗଲା। ସମସ୍ତ ଗ୍ରାମବାସୀ ଡଷ୍ଟବିନ୍‌ ବ୍ୟବହାର କରୁଛନ୍ତି। ଏ ଦିଗରେ ସେମାନେ ଖୁବ୍ ସଚେତନ।”

ଗାଁକୁ ଆସୁଥିବା ପର୍ଯ୍ୟଟକ ଏଠାରୁ ଖୁବ୍‌ ସୁନ୍ଦର ଅନୁଭୂତି ନେଇ ଫେରୁଛନ୍ତି। ଲିପସୀତର ପରମଗୁରୁ ନାମକ ପର୍ଯ୍ୟଟକ କହିଛନ୍ତି, “ଏଠାକାର ଲୋକେ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ଖୁବ୍‌ ପ୍ରଶଂସନୀୟ। ଏଠାରେ ଆସୁଥିବା ପର୍ଯ୍ୟଟକ ପ୍ରକୃତିର ଭରପୂର ମଜା ନେଇପାରିବେ।”

ଏହି ଗାଁ ସମ୍ପୂର୍ଣ୍ଣ ରୂପେ ପ୍ରଦୂଷଣମୁକ୍ତ। ଏଠାରେ ଶୁଦ୍ଧ ବାୟୁ, ପରିବେଶ ରହିଛି, ଯାହାକି ମନକୁ ଶାନ୍ତି ପ୍ରଦାନ କରୁଛି ବୋଲି କହିଛନ୍ତି ଅନ୍ୟ ଜଣେ ପର୍ଯ୍ୟଟକ ଅରୁଣ ବୋରା।

ସେହିପରି ସାତକୋଶିଆ ଅଭୟାରଣ୍ୟ ଭିତରେ ମହାନଦୀ ବାଲି ଉପରେ ହୋଇଛି ସ୍ୟାଣ୍ଡ ହାଉସ । ଛୋଟ ଛୋଟ ଆକର୍ଷଣୀୟ ତମ୍ବୁ ଘର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ଏଠାରେ ପର୍ଯ୍ୟଟକ ରହିବା ଲାଗି ରହିଛି ସମସ୍ତ ବ୍ୟବସ୍ଥା । କେବଳ ମୁଦୁଲିଗାଡ଼ିଆ ନୁହେଁ, ସାତକୋଶିଆ  ଅଭୟାରଣ୍ୟ ଭିତରେ ଥିବା ଅନ୍ୟ ୩୬ଟା ଗାଁକୁ ମଧ୍ୟ ଇକୋ ଭିଲେଜ କରିବାକୁ ଲକ୍ଷ୍ୟ ରଖିଛି ଜଙ୍ଗଲ ବିଭାଗ। ଏହାଦ୍ୱାରା ପର୍ଯ୍ୟଟନର ବିକାଶ ହେବା ସହ ଅଞ୍ଚଳବାସୀ ରୋଜଗାରକ୍ଷମ ହୋଇପାରିବେ

ଏ ସମ୍ପର୍କରେ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁପ୍ରଜ୍ଞା ନାୟକ କହିଛନ୍ତି, ମୁଦୁଲିଗାଡ଼ିଆ ବାସିନ୍ଦା ନିଜ ଗାଁକୁ ଇକୋ ଭିଲେଜ ହିସାବରେ ଗ୍ରହଣ କରିଛନ୍ତି। ୩୫ଟି ଯାକ ଘର ଶୌଚାଳୟ ବ୍ୟବହାର କରୁଛନ୍ତି। ସବୁ ଘରକୁ ପାଣି ସଂଯୋଗ ରହିଛି। ସବୁ ଘର କାନ୍ଥରେ ରହିଛି ଖୁବ୍‌ ଆକର୍ଷଣୀୟ ଝୋଟି। ଏହା ଗାଁକୁ ଏକ ନୂଆ ରୂପ ଦେଉଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos