ସରକାରଙ୍କ ଯୋଜନା ବାଟବଣା; ପାଇଖାନାରେ ରହୁଛନ୍ତି ନନ୍ଦିଙ୍କ ପରିବାର

ବିନିକା (ଦିଲୀପ କୁମାର ସାହୁ): ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ‘ମୋ କୁଡ଼ିଆ’ ଠାରୁ ନେଇ ‘ପ୍ରଧାନମନ୍ତ୍ରୀ ଆବାସ’ ଓ ‘ଇନ୍ଦିରା ଆବାସ’ ପରି ଅନେକ ଯୋଜନା କରିଛନ୍ତି ସରକାର। କିନ୍ତୁ ଅନେକ ଅଞ୍ଚଳରେ ପ୍ରକୃତ ହିତାଧିକାରୀଙ୍କ ଠାରୁ ଏହି ସବୁ ଯୋଜନା ଗୁଡ଼ିକ ଦୂରରେ ରହିଛି। ଏତେ ଯୋଜନା ଥିବା ସତ୍ତ୍ୱେ ମୁଣ୍ଡ ଗୁଞ୍ଜିବାକୁ ଜାଗା ନ ଥିବାରୁ ଗୋଟିଏ ପରିବାରର ଚାରି ପ୍ରାଣୀ ପାଇଖାନାରେ ରହୁଛନ୍ତି। ଏଭଳି ଏକ ଅଭାବନୀୟ […]

3000

Tapaswini Nayak
  • Published: Tuesday, 21 January 2020
  • , Updated: 21 January 2020, 01:30 PM IST

ବିନିକା (ଦିଲୀପ କୁମାର ସାହୁ): ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ‘ମୋ କୁଡ଼ିଆ’ ଠାରୁ ନେଇ ‘ପ୍ରଧାନମନ୍ତ୍ରୀ ଆବାସ’ ଓ ‘ଇନ୍ଦିରା ଆବାସ’ ପରି ଅନେକ ଯୋଜନା କରିଛନ୍ତି ସରକାର। କିନ୍ତୁ ଅନେକ ଅଞ୍ଚଳରେ ପ୍ରକୃତ ହିତାଧିକାରୀଙ୍କ ଠାରୁ ଏହି ସବୁ ଯୋଜନା ଗୁଡ଼ିକ ଦୂରରେ ରହିଛି। ଏତେ ଯୋଜନା ଥିବା ସତ୍ତ୍ୱେ ମୁଣ୍ଡ ଗୁଞ୍ଜିବାକୁ ଜାଗା ନ ଥିବାରୁ ଗୋଟିଏ ପରିବାରର ଚାରି ପ୍ରାଣୀ ପାଇଖାନାରେ ରହୁଛନ୍ତି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଅନ୍ତର୍ଗତ ଶଙ୍କରା ପଞ୍ଚାୟତ କୌଡ଼ିଆମୁଣ୍ଡା ଗାଁରେ। ଗାଁର ନନ୍ଦି ବଗର୍ତିଙ୍କ ପରିବାର ବର୍ଷେ ହେବ ଏଭଳି ଦୟନୀୟ ଅବସ୍ଥାରେ ରହୁଛନ୍ତି।

ଦୁଇ ସ୍ତ୍ରୀ ଓ ଗୋଟିଏ ଝିଅକୁ ନେଇ ନନ୍ଦିଙ୍କ ସଂସାର। ଏକ ମାଟି ଘରେ ସେମାନେ ରହୁଥିଲେ। ହେଲେ ଗତ ବର୍ଷ ବର୍ଷାରେ ନନ୍ଦିଙ୍କ ସେହି ମାଟି ଘର ଭାଙ୍ଗିଯାଇଥିଲା। ଆଉ ତା’ପରଠାରୁ ମୁଣ୍ଡ ଗୁଞ୍ଜିବାକୁ ସ୍ୱଚ୍ଛ ଭାରତ ଯୋଜନାରେ ମିଳିଥିବା ପାଇଖାନା ହିଁ ଏକମାତ୍ର ଭରସା ସାଜିଛି। ରୋଷେଇବାସ, ବସାଉଠା ସବୁକିଛି ଏହି ପାଇଖାନା ଭିତରେ କରୁଛନ୍ତି। ଦିନ ବେଳେ ଖୋଲା ଆକାଶ ତଳେ ବିତୁଥିବା ବେଳେ ରାତିରେ ପାଇଖାନା ଭିତରେ ଆଶ୍ରୟ ନେଉଛନ୍ତିା ଘର ଖଣ୍ଡିଏ ପାଇଁ ତହସିଲଦାରଠାରୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ନନ୍ଦି ଗୁହାରି କରିଛନ୍ତି। ହେଲେ ତାଙ୍କ ଗୁହାର କେହି ଶୁଣି ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ନନ୍ଦି ବଗର୍ତି କହିଛନ୍ତି, “ବର୍ଷାରେ ମୋ ଘର ଭାଙ୍ଗି ଗଲା। ସେବେଠାରୁ ପାଇଖାନାରେ ଆଶ୍ରୟ ନେଇଛୁ। ମୁଁ ଦିନ ମୁଜୁରିଆ ଭାବେ ପେଟ ପୋଷୁଛି। ଘର ଖଣ୍ଡିଏ ତିଆରି କରିବା ପାଇଁ ମୋ ପାଖରେ ପଇସା ନାହିଁ। ସରକାର ଆମକୁ ଘର ଖଣ୍ଡିଏ ଯୋଗାଇ ଦିଅନ୍ତୁ।”

ନନ୍ଦିଙ୍କ ସ୍ତ୍ରୀ ଗିରିସୁତା ବଗର୍ତି କହିଛନ୍ତି, “ଦିନ ବେଳେ ଖୋଲା ଆକାଶ ତଳେ ଦିନ କାଟୁଛୁ। ରାତିବେଳେ ପାଇଖାନା ଭିତରେ ଶୋଉଛୁ। ଘର ଖଣ୍ଡିଏ ପାଇଁ ଆମେ ସମସ୍ତଙ୍କୁ କହିଛୁ, କେହି ଆମ କଥା ଶୁଣିନାହାନ୍ତି।”

ଗ୍ରାମବାସୀ ରାଜେଶ ରଣା କହିଛନ୍ତି, “ବର୍ଷେ ହେବ ନନ୍ଦିଙ୍କ ଘର ଭାଙ୍ଗି ଯାଇଛି। ସେବାଠାରୁ ପାଇଖାନାରେ ରହୁଛନ୍ତି। ଏଥର ବର୍ଷା ଦିନ ଆସିବା ପୂର୍ବରୁ ସରକାର ଯଦି ନନ୍ଦିଙ୍କୁ ଘର ଖଣ୍ଡିଏ ଯୋଗାଇ ଦିଅନ୍ତେ, ସେ ତାଙ୍କ ପିଲା ଛୁଆ ଧରି ସେଠାରେ ଟିକେ ଭଲରେ ରହନ୍ତେ।”


ଶଙ୍କରା ସରପଞ୍ଚ ଆଶା ପଧାନ କହିଛନ୍ତି, “ଏସି/ ଏସଟି ଲିଷ୍ଟରେ ନନ୍ଦିଙ୍କ ନାଁ ଅଛି। ସେ ଘର ପାଇ ପାରିବେ। ନନ୍ଦି ପାଇଖାନା ଘରେ ରହୁଥିବା ଆମେ ଜାଣି ନଥିଲୁ। ଆମେ ତାଙ୍କୁ ଘରଟିଏ ଦେବା ପାଇଁ ଚେଷ୍ଟା କରିବୁ।”

ସୁବର୍ଣ୍ଣପୁର ଉପଜିଲ୍ଲାପାଳ ବଳରାମ ମଲ୍ଲିକ କହିଛନ୍ତି, “ଏହି ବିଷୟରେ ମୁଁ ଅବଗତ ନ ଥିଲି। ଏହି ଘଟଣା ବିଷୟରେ ଜାଣିବା ପରେ ତହସିଲଦାରଙ୍କ ମାଧ୍ୟମରେ ତଦନ୍ତ କରିବୁ। ସରକାରଙ୍କ ଯେଉଁ ବ୍ୟବସ୍ଥା ତାହା ତୁରନ୍ତ କରିବୁ।”

Related story