ପିଲା ଅଛନ୍ତି, ଶିକ୍ଷକ ଅଛନ୍ତି, ହେଲେ ସ୍କୁଲ୍‌ ଘର ନାହିଁ

ଭବାନୀପାଟଣା (ରାଜ କୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ବୁର୍ଲାଦାନୀ ପଞ୍ଚାୟତର କୁରୁପଦର ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ଅଛି। ଏଥିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୭ ଜଣ ଛାତ୍ରଛାତ୍ରୀ ପଢ଼ନ୍ତି। ଏଥିପାଇଁ ଦୁଇ ଜଣ ଶିକ୍ଷକ ବି ଅଛନ୍ତି। ହେଲେ ଏଯାଏ ସ୍କୁଲ୍ ଘର ତିଆରି ହୋଇପାରିନି। ଗାଁର କମ୍ୟୁନିଟି ହଲ୍‌ରେ ବସି ପିଲାମାନେ ପାଠ ପଢ଼ୁଛନ୍ତି। ୨୦୧୬ ମସିହାରେ ଏହି ପ୍ରାଥମିକ ବିଦ୍ୟାଳୟ ଆରମ୍ଭ ହୋଇଥିଲା। ସେଇଦିନଠାରୁ ପିଲାମାନେ କମ୍ୟୁନିଟି ହଲ୍‌ରେ ଥିବା ଗୋଟିଏ […]

school999

Tapaswini Nayak
  • Published: Sunday, 19 January 2020
  • , Updated: 19 January 2020, 03:08 PM IST

ଭବାନୀପାଟଣା (ରାଜ କୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ବୁର୍ଲାଦାନୀ ପଞ୍ଚାୟତର କୁରୁପଦର ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ଅଛି। ଏଥିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୭ ଜଣ ଛାତ୍ରଛାତ୍ରୀ ପଢ଼ନ୍ତି। ଏଥିପାଇଁ ଦୁଇ ଜଣ ଶିକ୍ଷକ ବି ଅଛନ୍ତି। ହେଲେ ଏଯାଏ ସ୍କୁଲ୍ ଘର ତିଆରି ହୋଇପାରିନି। ଗାଁର କମ୍ୟୁନିଟି ହଲ୍‌ରେ ବସି ପିଲାମାନେ ପାଠ ପଢ଼ୁଛନ୍ତି।

୨୦୧୬ ମସିହାରେ ଏହି ପ୍ରାଥମିକ ବିଦ୍ୟାଳୟ ଆରମ୍ଭ ହୋଇଥିଲା। ସେଇଦିନଠାରୁ ପିଲାମାନେ କମ୍ୟୁନିଟି ହଲ୍‌ରେ ଥିବା ଗୋଟିଏ କୋଠରୀରେ ବସୁଛନ୍ତି। ସେହି ଗୋଟିଏ କଠୋରୀରେ ୫ଟି ଶ୍ରେଣୀର ପିଲା ବସି ପଢ଼ୁଛନ୍ତି। ଜାଗା ଅଭାବ ହେଉଥିବାରୁ  କିଛି ପିଲା ବାରଣ୍ଡାରେ ବି ବସନ୍ତି। ତେଣୁ ବର୍ଷା ଦିନେ ଭାରି ହଇରାଣ ହୁଅନ୍ତି।

ନିଜସ୍ୱ ସ୍କୁଲ୍ ଗୃହ ନଥିବାରୁ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ଣ ଭୋଜନ ଦେବାରେ ଅସୁବିଧା ହେଉଛି। ଗାଁ ଲୋକ ତିଆରି କରିଥିବା ଏକ ଝାଟିମାଟି ଘରେ ମଧ୍ୟାହ୍ଣ ଭୋଜନ ପ୍ରସ୍ତୁତ ହେଉଛି। କମ୍ୟୁନିଟି ହଲ୍‌ରେ ଶୌଚାଳୟ ନଥିବାରୁ ପିଲାମାନେ ଭାରି ହଇରାଣ ହେଉଛନ୍ତି।

ସ୍କୁଲ୍‌ର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପଣ୍ଡା କହିଛନ୍ତି, “୨୦୧୬ ମସିହାରୁ ସ୍କୁଲଟି କମ୍ୟୁନିଟି ଘରେ ଆରମ୍ଭ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ସ୍କୁଲ୍‌ ଗୃହ ହୋଇପାରୁ ନାହିଁ। ଫଳରେ ପାଠପଢ଼ା ଠିକ୍‌ରେ ହୋଇପାରୁନି। ସରକାର ସ୍କୁଲ୍‌ ଗୃହଟିଏ ନିର୍ମାଣ କଲେ, ପିଲାମାନଙ୍କ ପାଠ ପଢ଼ା ପାଇଁ ସୁବିଧା ହୁଅନ୍ତା।”

ମ.ରାମପୁର ବ୍ଲକ୍ ଶିକ୍ଷାଅଧିକାରୀ ଗଣେଶ କିଷାନ କହିଛନ୍ତି, “ସ୍କୁଲ ଘର ତିଆରି ହେବା ପାଇଁ ପାଖରେ କୌଣସି ସରକାରୀ ଜାଗା ନାହିଁ। ଯେଉଁ ଜାଗାଟି ସ୍କୁଲ ଘର ତିଆରି ହେବାପାଇଁ ଚିହ୍ନଟ ହୋଇଛି, ତା’ ଗାଁଠାରୁ ବହୁତ ଦୂର ହେଉଛି। ସ୍କୁଲ୍‌ ତିଆରି କରିବା ପାଇଁ ପଇସା ଆସିଛି। ହେଲେ ଜାଗା ନଥିବାରୁ ସ୍କୁଲ ଘର ନିର୍ମାଣ ହୋଇପାରୁ ନାହିଁ। ସ୍କୁଲ ଘର ନଥିବାରୁ ଠିକ୍‌ରେ ପାଠ ପଢ଼ା ହୋଇପାରୁ ନାହିଁ।”

ଶିକ୍ଷାର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଥିବା ବେଳେ ଜାଗା ବାଛିବାରେ ଦ୍ୱନ୍ଦ୍ୱ ଯୋଗୁ ବର୍ଷ ବର୍ଷ ଧରି ପିଲାମାନଙ୍କୁ ଏମିତି ଅବ୍ୟବସ୍ଥା ଭିତରେ ରଖି ପାଠ ପଢ଼ାଇବା ସେମାନଙ୍କ ଭବିଷ୍ୟତ ସହିତ ଖେଳିବା ସହିତ ସମାନ ବୋଲି ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି ଓ ଶୀଘ୍ର ଜାଗା ଚିହ୍ନଟ କରାଯାଇ ସ୍କୁଲ୍ ତିଆରି କରିବାକୁ ପରାମର୍ଶ ଦେଇଛନ୍ତି।

Related story