ଓଡ଼ିଆ ପୁଅ ଯେବେ କହେ ଓଡ଼ିଶା ମାଟିର କଥା: ଆସନ୍ତୁ ଭେଟିବା ରଜତ କମଳ ବିଜେତା ଶିବୁ ପୃଷ୍ଟିଙ୍କୁ

ବୃତ୍ତଚିତ୍ର ଦି ଲର୍ଡ ଅଫ୍ ଦି ୟୁନିଭର୍ସ ଏବଂ ଏହାର ନିର୍ମାତା ନିର୍ଦ୍ଦେଶକ ଶିବୁ ପୃଷ୍ଟି । ଶ୍ରେଷ୍ଠ କଳା ଓ ସାଂସ୍କୃତିକ ବର୍ଗରେ ୬୪ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଏହି ଫିଲ୍ମ ଓ ଏହାର ନିର୍ମାତାଙ୍କ ନାଁ ଆଜି ହୁଏତ ଅନେକଙ୍କ ପାଇଁ ପରିଚିତ ହୋଇପାରେ, କିନ୍ତୁ ଏହା ପଛରେ ରହିଛି ଅସମ୍ଭବ ନିଷ୍ଠା, କଠିନ ପରିଶ୍ରମ, ଦୀର୍ଘ ଅଧ୍ୟବସାୟ ସହ ସଫଳତାର ଶିଢ଼ିରେ ପାହାଚ ପାହାଚ ଚଢ଼ିବାର ଅନେକ ଅଜଣା କଥା । […]

working still 9

Rakesh Mallick
  • Published: Thursday, 04 May 2017
  • , Updated: 04 May 2017, 05:26 PM IST

ବୃତ୍ତଚିତ୍ର ଦି ଲର୍ଡ ଅଫ୍ ଦି ୟୁନିଭର୍ସ ଏବଂ ଏହାର ନିର୍ମାତା ନିର୍ଦ୍ଦେଶକ ଶିବୁ ପୃଷ୍ଟି । ଶ୍ରେଷ୍ଠ କଳା ଓ ସାଂସ୍କୃତିକ ବର୍ଗରେ ୬୪ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଏହି ଫିଲ୍ମ ଓ ଏହାର ନିର୍ମାତାଙ୍କ ନାଁ ଆଜି ହୁଏତ ଅନେକଙ୍କ ପାଇଁ ପରିଚିତ ହୋଇପାରେ, କିନ୍ତୁ ଏହା ପଛରେ ରହିଛି ଅସମ୍ଭବ ନିଷ୍ଠା, କଠିନ ପରିଶ୍ରମ, ଦୀର୍ଘ ଅଧ୍ୟବସାୟ ସହ ସଫଳତାର ଶିଢ଼ିରେ ପାହାଚ ପାହାଚ ଚଢ଼ିବାର ଅନେକ ଅଜଣା କଥା । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭଳି ବିଶାଳ ବିଷୟବସ୍ତୁର ଏକ ଝଲକକୁ ସାରା ଦୁନିଆ ଆଗରେ ରଖିବାର ପ୍ରୟାସର ନାଁ ହେଉଛି ଫିଲ୍ମ ଦି ଲର୍ଡ ଅଫ୍ ଦି ୟୁନିଭର୍ସ ଏବଂ ୫୫ମିନିଟ ଅବଧି ମଧ୍ୟରେ ନିଜ ସୃଜନଶୀଳତା, ବର୍ଣ୍ଣନାଶୈଳୀ ଓ ନିଖୁଣ ଚିତ୍ରଣ ଦ୍ୱାରା ଏହାକୁ ସମ୍ଭବ କରାଇଥିବା ଫିଲ୍ମ ନିର୍ମାତାଙ୍କ ନାଁ ଶିବୁ ପୃଷ୍ଟି ।


ମୁମ୍ବାଇ ଯାତ୍ରା ପୂର୍ବରୁ...

ଯାଜପୁର ବାଲିଚନ୍ଦ୍ରପୁର ଅଞ୍ଚଳର ବାଲିପଡ଼ିଆ ଗାଁରେ ୧୯୮୧ ମସିହାରେ ଜନ୍ମଗ୍ରହଣ କରିଥିବା ଶିବୁ ପୃଷ୍ଟିଙ୍କ ବାପା ଅରକ୍ଷିତ ଜଣେ ଚିତ୍ରକର। ମାଆଙ୍କ ନାଁ ଶାନ୍ତିଲତା।  ପିଲାଟି ବେଳୁ ବାପାଙ୍କ ଚିତ୍ରକଳା ପ୍ରତି ଆକୃଷ୍ଟ ହୋଇ ଶିବୁ ପ୍ରଥମେ ଜଣେ ଚିତ୍ରକର ହେବାକୁ ମନ ବଳାଇଥିଲେ । କିନ୍ତୁ ପରେ ମେରାଇନ ଇଞ୍ଜିନିୟରିଂ କରିଥିଲେ ମଧ୍ୟ ସୃଜନଶୀଳତା ତାଙ୍କୁ ଟାଣି ଆଣିଥିଲା ଚଳଚ୍ଚିତ୍ର ନିର୍ମାଣ ଦୁନିଆକୁ । ୨୦୦୩ ମସିହାରେ ଶିବୁ କଟକ ସ୍ଥିତ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଟ୍ୟୁଟ୍ ଅଫ୍ ଓଡ଼ିଶାରୁ ସିନେମାଟୋଗ୍ରାଫିରେ ୩ ବର୍ଷିଆ ଡିପ୍ଲୋମା ଶେଷ କଲେ । ସେ ସାମ୍ବାଦିକତା ଓ ଗଣ ଯୋଗାଯୋଗରେ ମଧ୍ୟ ସ୍ନାତକୋତ୍ତର ହାସଲ କରିଛନ୍ତି ।

ମାୟାନଗରୀରେ ସାଧନା...

ମୁମ୍ବାଇରେ ଦୀର୍ଘ ୧୩ ବର୍ଷର ସାଧନା ପରେ ଶିବୁ ପୃଷ୍ଟିଙ୍କୁ ଏହି ଜାତୀୟ ପୁରସ୍କାର ପାଇବାର ସମ୍ମାନ ମିଳିଛି । ଦି ଲର୍ଡ ଅଫ୍ ଦି ୟୁନିଭର୍ସ ତାଙ୍କର ପ୍ରଥମ ନିଜସ୍ୱ ଫିଲ୍ମ ଏବଂ ଏହାକୁ ସେ ପରୀକ୍ଷାମୂଳକ ଭାବେ କରିଥିବା କହନ୍ତି । କିନ୍ତୁ ଏହି ସଫଳତା ପୂର୍ବରୁ ଶିବୁ ମୁମ୍ବାଇରେ ବିଭିନ୍ନ ଫିଲ୍ମ ଓ ଟିଭି କାର୍ଯ୍ୟକ୍ରମ ନିର୍ମାଣ ସଂସ୍ଥା ସହ ଜଡ଼ିତ ରହି ୧୦ଟି ଫିଚର୍ ଫିଲ୍ମ, ୩ଟି ସର୍ଟ ଫିଲ୍ମ, ୧୨ଟି ଟିଭି ବିଜ୍ଞାପନ ଓ ୨୫ଟି କର୍ପୋରେଟ ଫିଲ୍ମରେ ସିନେମାଟୋଗ୍ରାଫର୍ ଭାବେ କାର୍ଯ୍ୟ କରିଛନ୍ତି । ସତ୍ୟମେବ ଜୟତେ ଓ କ୍ରାଇମ ପେଟ୍ରୋଲ ଭଳି ଲୋକପ୍ରିୟ ଟିଭି କାର୍ଯ୍ୟକ୍ରମରେ ଆସୋସିଏଟ ଡିଓପିର ଭାର ସମ୍ଭାଳିଛନ୍ତି ଶିବୁ ।

ଦି ଲର୍ଡ ଅଫ୍ ଦି ୟୁନିଭର୍ସ...

ଅଣ ଫିଚର ବିଭାଗର କଳା ଓ ସାଂସ୍କୃତିକ ବର୍ଗରେ ୬୪ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଶିବୁ ପୃଷ୍ଟିଙ୍କ ଫିଲ୍ମ ଦି ଲର୍ଡ ଅଫ୍ ଦି ୟୁନିଭର୍ସ ଇଂରାଜୀ ଭାଷାରେ ନିର୍ମିତ ହୋଇଛି ।ଏହାର ଅବଧି ରହିଛି ୫୫ ମିନିଟ୍‌ । ଶ୍ରୀଜଗନ୍ନାଥଙ୍କ ନବକଳେବର ପରମ୍ପରା ଏହାର ମୁଖ୍ୟ ବିଷୟବସ୍ତୁ ହୋଇଥିଲେ ମଧ୍ୟ ଜଗନ୍ନାଥ ସଂସ୍କୃତିର ଅନ୍ୟ କେତେକ ଦିଗକୁ ମଧ୍ୟ ଏଥିରେ ଭିନ୍ନ ଶୈଳୀରେ ଉପସ୍ଥାପନ କରାଯାଇଛି । ଏଥିରେ ଶିବୁ ପ୍ରଡ୍ୟୁସର୍, ଡାଇରେକ୍ଟର, ରାଇଟର୍ ଓ ସିନେମାଟୋଗ୍ରାଫର ଭାବେ କାର୍ଯ୍ୟ କରିଥିବା ବେଳେ ଏହାର ଏଡିଟିଂ ଦାୟିତ୍ୱ ତୁଲାଇଛନ୍ତି ସୁରେଶ ଚନ୍ଦ୍ର ସାହୁ ଏବଂ ସାଉଣ୍ଡ ରେକର୍ଡିଂ ଓ ମିକ୍ସିଂ କରିଛନ୍ତି ରଶ୍ମୀ ରଞ୍ଜନ ଦାସ । ଏଥିରେ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ସ୍ୟାଣ୍ଡ ଆନିମେସନର ଝଲକ ମଧ୍ୟ ଦେଖିବାକୁ ମିଳୁଛି । ଓଡ଼ିଶା ମାଟିର ଅନନ୍ୟ ପରମ୍ପାରର କଥା ଓ ଓଡ଼ିଆ ଲୋକଙ୍କ ବିଶ୍ୱାସକୁ ଏଥିରେ ଅତି ସୁନ୍ଦର ଭାବେ ଚିତ୍ରଣ କରିଛନ୍ତି ଏହି ଓଡ଼ିଆ ପୁଅ ଶିବୁ ପୃଷ୍ଟି।

https://www.youtube.com/watch?time_continue=5&v=lcHeafaB_68

  ଉପସ୍ଥାପନା-ସଂଗ୍ରାମ ଦାସ ମହାପାତ୍ର

 

 

 

Related story