ଓଡ଼ିଶାର ମିନି ତିବ୍ଦତ- ଚନ୍ଦ୍ରଗିରି

(ଜୟନ୍ତ ସେଠ): ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଏକ ଅନନ୍ୟ ପର୍ଯ୍ୟଟନ ସ୍ଥଳୀ। ଓଡ଼ିଶାର ମିନି ତିବ୍ଦତ ଭାବେ ଏହା ଜଣାଶୁଣା । ପାରଳାଖେମୁଣ୍ଡିରୁ ପ୍ରାୟ ୯୦ କିଲୋମିଟର ରାସ୍ତା ଅତିକ୍ରମ କଲା ପରେ ପଡ଼େ ଚନ୍ଦ୍ରଗିରି। ଚନ୍ଦ୍ରଗିରିରେ ରହିଛି ଅନେକ ଆକର୍ଷଣୀୟ ସ୍ଥାନ । ସେହି ଆକର୍ଷଣୀୟ ସ୍ଥାନଗୁଡ଼ିକ ମଧ୍ୟରୁ  ଗିରାଙ୍ଗ ଠାରେ ଥିବା ଏକ ୫ ମହଲା ବୌଦ୍ଧ ମଠ ଅନ୍ୟତମ । ଏଠାରେ ବସବାସ କରନ୍ତି ୨୦୦ରୁ ଅଧିକ ବୌଦ୍ଧ ସନ୍ୟାସୀ ବା ଲାମା । […]

chandragiri1

Rakesh Mallick
  • Published: Wednesday, 20 May 2015
  • , Updated: 27 April 2017, 05:33 PM IST

(ଜୟନ୍ତ ସେଠ): ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଏକ ଅନନ୍ୟ ପର୍ଯ୍ୟଟନ ସ୍ଥଳୀ। ଓଡ଼ିଶାର ମିନି ତିବ୍ଦତ ଭାବେ ଏହା ଜଣାଶୁଣା । ପାରଳାଖେମୁଣ୍ଡିରୁ ପ୍ରାୟ ୯୦ କିଲୋମିଟର ରାସ୍ତା ଅତିକ୍ରମ କଲା ପରେ ପଡ଼େ ଚନ୍ଦ୍ରଗିରି। ଚନ୍ଦ୍ରଗିରିରେ ରହିଛି ଅନେକ ଆକର୍ଷଣୀୟ ସ୍ଥାନ । ସେହି ଆକର୍ଷଣୀୟ ସ୍ଥାନଗୁଡ଼ିକ ମଧ୍ୟରୁ  ଗିରାଙ୍ଗ ଠାରେ ଥିବା ଏକ ୫ ମହଲା ବୌଦ୍ଧ ମଠ ଅନ୍ୟତମ । ଏଠାରେ ବସବାସ କରନ୍ତି ୨୦୦ରୁ ଅଧିକ ବୌଦ୍ଧ ସନ୍ୟାସୀ ବା ଲାମା । ଏହି  ବୌଦ୍ଧ ମଠ ବୁଲିବା ବେଳେ ଲାମା ମାନଙ୍କର ସମ୍ମିଳିତ ପ୍ରାର୍ଥନା ଶୁଣିଲେ ମନେ ହେବ ସତେ ଯେପରି ଆମେ ନେପାଳ କି ଭୁଟାନରେ ଅଛନ୍ତି। ଏଇ ବୌଦ୍ଧ ମଠର ସ୍ଥାପତ୍ୟ ବେଶ ସୁନ୍ଦର ଓ ବର୍ଣ୍ଣମୟ । ଏହାର କାନ୍ଥ, ଛାତ ଏବଂ ବିଭିନ୍ନ ସ୍ତମ୍ଭରେ ଦେଖିବାକୁ ପାଇବା ସୁନ୍ଦର ସୁନ୍ଦର ବୌଦ୍ଧ ଚିତ୍ରକଳା । ଏସବୁ ନେପାଳ ପାରମ୍ପରିକ ଚିତ୍ରକରମାନଙ୍କର କଳାକୃତୀ । ମଠର ମୁଖ୍ୟ ହଲରେ ରହିଛି ମହାପୁରୁଷ ପଦ୍ମସମ୍ଭବ, ଅବଲୋକିତେଶ୍ୱର ଏବଂ ଭଗବାନ  ବୁଦ୍ଧଦେବଙ୍କ ବିଶାଳ କାୟ ମୂର୍ତ୍ତି । ସେତିକି ନୁହେଁ, ଛାତରୁ ଝୁଲିଥିବା ରଙ୍ଗ ବେରଙ୍ଗ କପଡାର ଲମ୍ବା ଲମ୍ବା ଝାଲେରୀ ମଧ୍ୟ ଆପଣଙ୍କୁ ଆକର୍ଷିତ କରିବ।

ଏଠାରେ ମାସକୁ ତିନିଥର ବଡ଼ ପୂଜା ଅନୁଷ୍ଠିତ ହୋଇଥାଏ । ଏହା ଛଡ଼ା ପ୍ରତି ପୂର୍ଣ୍ଣିମାରେ ଅନୁଷ୍ଠିତ ହୋଇଥାଏ ଗିଜରସଙ୍ଗ ନାମକ ଏକ ସ୍ୱତନ୍ତ୍ର ପୂଜାନୁଷ୍ଠାନ। ତେବେ ତିବ୍ଦତୀୟାନ କ୍ୟାଲେଣ୍ଡରର ପ୍ରଥମ ଦିନ ‘ଲୌସାର’ ବା ନୂଆବର୍ଷ ହେଉଛି ଏଠିକାର ସବୁଠାରୁ ବଡ଼ପର୍ବ। ଏଠାରେ ବିସ୍କୁଟ୍, ଚକଲେଟ୍, ମିକ୍ସଚର୍ ଓ ବିଭିନ୍ନ ପ୍ରକାର ଫଳ ପ୍ରସାଦ ଭାବରେ ଲାଗିହୁଏ । ଗତ କିଛି ବର୍ଷତଳେ ତୀବ୍ଦତୀୟ ଧର୍ମ ଗୁରୁ ମାହମାନୀ  ଦଲାଇ ଲାମା ଏହାକୁ ଉଦଘାଟନ କରିଥିଲେ।

୧୯୬୦ ମସିହାଠାରୁ ଚନ୍ଦ୍ରଗିରିର ତିବ୍ଦତୀୟ କଲୋନୀରେ ବସବାସ କରିଆସୁଛନ୍ତି ପ୍ରାୟ ୬୦୦ ତିବ୍ଦତୀୟ ଶରଣାର୍ଥୀ ପରିବାର।  ମୁଖ୍ୟତଃ ଉଦ୍ୟାନ କୃଷି, କାର୍ପେଟ ବୁଣା, ଏବଂ ଶୀତବସ୍ତ୍ର ବ୍ୟବସାୟ ଉପରେ ନିର୍ଭର କରି ଆସୁଥିବା ତିବ୍ଦତୀୟମାନଙ୍କର ଜୀବନଯାତ୍ରା ବେଶ ସରଳ । ସେମାନଙ୍କ ପିଲାମାନଙ୍କ ପାଇଁ ରହିଛି  ଅଛି ସ୍ୱତନ୍ତ୍ର ସ୍କୁଲ । ତିବ୍ଦତୀୟ କଲୋନୀରେ ଥିବା ଘର ଗୁଡିକର ଡିଜାଇନ, କୁନିକୁନି ପିଲାମାନଙ୍କର କୋଳାହଳ ଆପଣଙ୍କୁ ନିଶ୍ଚୟ ଆକର୍ଷିତ କରିବ।

ତିବ୍ଦତୀୟ ମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟପେୟର  ନିଆରା ମଜା  ଉଠାଇ ପାରିବା ଏଠାରେ ଖୋଲିଥିବା ବିଭିନ୍ନ  ଚାଇନିଜ ରେଷ୍ଟରାଣ୍ଟରୁ । ବିଭିନ୍ନ ପ୍ରକାର ’ପୋରି’ ସହିତ  ଲୁଣ, ଲହୁଣୀ ଓ କ୍ଷୀର ମିଶା ଚା’ ମଧ୍ୟ ସେମାନେ ପ୍ରସ୍ତୁତ କରନ୍ତି । ଏସବୁର ସ୍ୱାଦ ଅତୁଳନୀୟ । ସାଧାରଣତଃ ତିବ୍ଦତୀୟ ମାନେ ମେଳାପି ଏବଂ ଅତିଥି ପରାୟଣ।। ଆପଣ ଥରେ ଚନ୍ଦ୍ରଗିରି ବୁଲିଗଲେ ଏହାର ସ୍ପଷ୍ଟ ପ୍ରମାଣ ପାଇପାରିବେ।

ବୌଦ୍ଧ ସଂସ୍କୃତିରେ ‘ସ୍ତୁପର’ ଭୂମିକା ଗୁରୁତ୍ୱପୂର୍ଣ୍ଣ । ବୌଦ୍ଧଧର୍ମ ପରଂପରାରେ ବିଭିନ୍ନ ପ୍ରକାରର ସ୍ତୁପର ପ୍ରଚଳନ ରହିଛି। ଚନ୍ଦ୍ରଗିରିର ତିବ୍ଦତୀୟ କଲୋନୀ ଉପକଣ୍ଠରେ ରହିଛି ଏକ ସୁନ୍ଦର ସ୍ତୁପ। ବୌଦ୍ଧ ଧାର୍ମିକ ଲେଖାରେ ପରିପୂର୍ଣ୍ଣ ଶହଶହ ରଙ୍ଗୀନ କପଡାର ସାଜସଜ୍ଜା  ଏଇ ସ୍ତୁପର ଆଉ ଏକ ଆକର୍ଷଣ।

ସ୍ତୁପରେ ଥିବା ଅନେକ ଗୁଡ଼ିଏ ପବିତ୍ର ଧର୍ମ ଚକ୍ରକୁ ଘୁରାଇ ଘୁରାଇ କିଛି ତିବ୍ଦତୀୟ ବ୍ୟକ୍ତି ସେଠାରେ ସ୍ତୁପ ପରିକ୍ରମ କରୁଥିବେ ଏବଂ ସେମାନଙ୍କ ମୁହଁରେ ଥିବ ସେଇ ପବିତ୍ର ବାଣୀ – ମନେପଦ୍ମେ ହୁମ୍ ।

ଜୀବନରୁ ସବୁ ପ୍ରକାର ଦୁଃଖ, କ୍ଲେଶ ଓ ଯନ୍ତ୍ରଣା ଦୂର କରି ନିର୍ବାଣ ପଥରେ ଅଗ୍ରସର ହେବା ପାଇଁ ସ୍ତୁପ ପରିକ୍ରମା କରାଯାଏ। ଚନ୍ଦ୍ରଗିରିର ଏ ପବିତ୍ର ସ୍ତୁପ ଦେଖିବାକୁ ଯେମତି ସୁନ୍ଦର, ସେମିତି ଆକର୍ଷଣୀୟ ।

ଚନ୍ଦ୍ରଗିରି ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ଏକ ଗୁରତ୍ୱପୂର୍ଣ୍ଣ ସ୍ଥାନ। ଋତୁକୁ ଛାଡି ବର୍ଷର ଅନ୍ୟ ସବୁ ସମୟରେ ଏଠାକୁ ଗଲେ ଆପଣମାନେ ଭରପୁର ମଜା ନେଇପାରିବେ।

Related story