ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ପୂରା ଗାଁରେ କାହାରି ଘରେ ନାହିଁ ଖଟ। ଗାଁ ଲୋକମାନେ ତଳେ ଖଜୁରି ପତ୍ରରେ ତିଆରି ପଟିଆରେ ଶୋଉଛନ୍ତି। କେଉଁ କାଳରୁ ଲୋକମାନେ ଏଭଳି ଅଦ୍ଭୁଦ ବିଶ୍ୱାସରେ ବଶବର୍ତ୍ତୀ ହୋଇ ଚଳି ଆସୁଛନ୍ତି। ଏପରି ଚିତ୍ର ଆସିଛି ଦେବଗଡ଼ ଜିଲ୍ଲାରୁ। ଏଠି ମନରେ ପ୍ରଶ୍ନ ଆସିପାରେ, ଜଙ୍ଗଲ କୋଳରେ କେଉଁ କାଳରୁ ବାସ କରିଆସୁଥିବା ଗାଁ ଲୋକଙ୍କୁ କ’ଣ କାଠ ମିଳୁନାହିଁ? କିନ୍ତୁ ସେପରି ଭାବିବା ଭୁଲ୍। କାରଣ ବିଜ୍ଞାନ ଯୁଗରେ ଅନ୍ଧ ବିଶ୍ୱାସର ଅନ୍ଧାରୀ ଗଳିରେ ଫସିଯାଇଛନ୍ତି ଏହି ଗାଁର ଲୋକେ!
ତିଲେଇବଣି ବ୍ଲକ୍ ସଦର ମହକୁମାଠାରୁ ପାଖାପାଖି ୪୫ କିମି ଦୂର ଗଲେ ପଡ଼ିବ ଲଇମୁରା ପଞ୍ଚାୟତର ଟିପିରିସିଙ୍ଗା ଗାଁ। ଘଞ୍ଚ ଜଙ୍ଗଲ କୋଳରେ କେଉଁ କାଳରୁ ଛିଡ଼ା ହୋଇଥିବା ଏହି ଗାଁରେ ୧୫୦ରୁ ଅଧିକ ଆଦିବାସୀ ପରିବାର ବସବାସ କରି ଆସୁଛନ୍ତି। ଚାଷବାସ ଓ ଖଜୁରି ପତ୍ର ସଂଗ୍ରହ କରି ସେଥିରେ ପଟିଆ ତିଆରି କରି ପରିବାର ଭରଣ ପୋଷଣ କରୁଛନ୍ତି। ସ୍କୁଲ ଓ ଅଙ୍ଗନବାଡ଼ି ଥିବାରୁ ଗାଁର ପିଲାମାନେ ଅଳ୍ପ କିଛି ପାଠ ପଢ଼ିଛନ୍ତି। ତେବେ ଗାଁର ଲୋକମାନେ ଅନ୍ଧବିଶ୍ୱାସର ଅନ୍ଧାରୀ ଗଳିରୁ ବାହାରି ପାରିନାହାନ୍ତି।
ତା'ହେଲେ କ’ଣ ସେହି ଅନ୍ଧବିଶ୍ୱାସ୍? ଟିପିରିସିଙ୍ଗା ଗାଁରେ ବାସ କରୁଥିବା ୧୫୦ ପରିବାରର ୭୦୦ରୁ ଅଧିକ ଲୋକ ଖଟରେ ଶୁଅନ୍ତି ନାହିଁ। ଗାଁରେ କାହାରି ଘରେ ଖଟ ନାହିଁ। ଗାଁ ଲୋକଙ୍କର ବିଶ୍ୱାସ ଅଛି, ଖଟରେ ଶୋଇଲେ ଜଙ୍ଗଲରେ ବାସ କରୁଥିବା ଗ୍ରାମଦେବୀ ମା’ ବରିହାଣୀ କୋପ କରିବେ। ଘରେ ସାପ ପଶିବ। ଗାଁକୁ ବା ପରିବାରକୁ ବିପଦ ମାଡ଼ି ଆସିବ। ତେଣୁ ମା’ ବରିହାଣୀଙ୍କୁ ସମ୍ମାନ ଜଣାଇ ଗାଁର ପିଲାଠୁ ବୁଢ଼ା ସଭିଏଁ ତଳେ ଖଜୁରି ପତ୍ରରେ ତିଆରି ପଟିଆ ପକାଇ ଶୋଇ ଥାଆନ୍ତି। ଏହାଛଡ଼ା ଘରକୁ ଆସୁଥିବା ଅତିଥିଙ୍କୁ ମଧ୍ୟ ସେହି ପଟିଆରେ ବସିବାକୁ ଓ ଶୋଇବାକୁ ଦେଇଥାଆନ୍ତି। କାହିଁ କେଉଁ କାଳରୁ ଗାଁରେ ଏପରି ଜୀବନ ଚର୍ଯ୍ୟାରେ ବଞ୍ଚି ଆସୁଛନ୍ତି ଲୋକେ।
ଗାଁ ଲୋକଙ୍କ କହିବା ଅନୁସାରେ କିଛି ବର୍ଷ ତଳେ ଏକ ନବ ବିବାହିତ ଦମ୍ପତି ବିବାହ ଭାରରେ ଖଟ ଆଣିଥିଲେ। ମାତ୍ର ସେଥିରେ ଶୋଇଲା ବେଳେ ଖଟଟି ଓଲଟି ପଡ଼ିଥିଲା। ଏଥିପାଇଁ ନବ ଦମ୍ପତି ଗାଁ ଲୋକଙ୍କ ଆଗରେ ଅପଦସ୍ଥ ହୋଇଥିଲେ। ଏଥିସହ ସେମାନଙ୍କ ପାଖରେ ଖଟଥିବା ନେଇ ମା’ ବରିହାଣୀଙ୍କ ପୂଜକଙ୍କୁ ସ୍ୱପ୍ନାଦେଶ ହୋଇଥିଲା। ଏହା ପରେ ସେହି ପରିବାର ବାଧ୍ୟହୋଇ ଖଟଟିକୁ ବ୍ୟବହାର ନକରି କନ୍ୟାପିତାଙ୍କ ଘରକୁ ଫେରାଇ ଦେଇଥିଲେ। ଏଭଳି କିଛି ଘଟଣା ପାଇଁ ଗାଁରେ କେହି ଖଟ ବ୍ୟବହାର କରୁନାହାନ୍ତି।
ଟିପିରିସିଂହାର ସୁଲୋଚନା କିସାନ କହିଛନ୍ତି, “ଖଟରେ ଶୋଇଲେ ଘର ଭିତରେ ସାପ ପଶି ଯାଉଛି। ଆଉ ତା’ପରେ ଖଟ ଓଲଟି ପଡୁଛି। ସେଥିପାଇଁ ଆମେ ଖଟରେ ଶୋଉ ନାହୁଁ। ଖରା ବା ଶୀତ ସବୁ ସମୟରେ ଆମେ ତଳେ ପଟିଆ ପକାଇ ଶୋଇଥାଉ। ଏଥିପାଇଁ ଆମେ ଜଙ୍ଗଲରୁ ଖଜୁରି ପତ୍ର ସଂଗ୍ରହ କରୁ। ତାକୁ ଖରାରେ ଶୁଖାଇ ସେଥିରେ ପଟିଆ ତିଆରି କରି ବ୍ୟବହାର କରୁଛୁ।”
କାନ୍ଦରୁ କିସାନ କହିଛନ୍ତି, ଆମ ଗାଁରେ କେହି ଖଟ ବ୍ୟବହାର କରନ୍ତି ନାହିଁ। ବାହାଘର ସମୟରେ ବିବାହ ଭାରରେ ଖଟ ମଧ୍ୟ ଆଣନ୍ତି ନାହିଁ। ଖଜୁରି ପତ୍ରରେ ତିଆରି ପଟିଆରେ ଶୋଇଥାଉ। ଖଟରେ ଶୋଇଲେ ମାଆ ଖଟକୁ ଓଲଟେଇ ଦେଉଛନ୍ତି।”