ପରମାଣୁ ପରୀକ୍ଷା ନୁହେଁ ଭଗବାନ ଶ୍ରୀକୃଷ୍ଣ ଆଙ୍ଗୁଠିରେ ଉଠାଉଥିଲେ ପାହାଡ଼: ପଢନ୍ତୁ ପୋଖରାନ୍-୧ର ପୂରା କାହାଣୀ
ମଇ ୧୮, ୧୯୭୪ ମସିହାର ସକାଳ ଭାରତ ପାଇଁ ଥିଲା ଅବିସ୍ମରଣୀୟ। ଦିଲ୍ଲୀ ରେଳ ଷ୍ଟେସନରେ ଆକାଶବାଣୀ ରେଡିଓରେ ସୁପରହିଟ୍ ଫିଲ୍ମ “ବବି”ର ହମ୍ ତୁମ୍ ଏକ କମ୍ରେ ମେଁ ବନ୍ଦ ହୋ ଔର ଚାବି ଖୋ ଯାଏ ଗୀତ ସମସ୍ତ ଯାତ୍ରୀଙ୍କ କାନରେ ଗୁଞ୍ଜରିତ ହେଉଥିଲା। ଠିକ୍ ଏତିକି ବେଳେ ଆକାଶବାଣୀ ରେଡିଓର ଗୋଟିଏ ଉଦ୍ଘୋଷଣା କିଛି ସମୟ ପାଇଁ ସ୍ତବ୍ଧ କରି ଦେଇଥିଲା ସମସ୍ତ ଯାତ୍ରୀଙ୍କୁ। ରେଳ ଷ୍ଟେସନରେ ଖେଳି ଯାଇଥିଲା କିଛି ସମୟର […]
ମଇ ୧୮, ୧୯୭୪ ମସିହାର ସକାଳ ଭାରତ ପାଇଁ ଥିଲା ଅବିସ୍ମରଣୀୟ। ଦିଲ୍ଲୀ ରେଳ ଷ୍ଟେସନରେ ଆକାଶବାଣୀ ରେଡିଓରେ ସୁପରହିଟ୍ ଫିଲ୍ମ “ବବି”ର ହମ୍ ତୁମ୍ ଏକ କମ୍ରେ ମେଁ ବନ୍ଦ ହୋ ଔର ଚାବି ଖୋ ଯାଏ ଗୀତ ସମସ୍ତ ଯାତ୍ରୀଙ୍କ କାନରେ ଗୁଞ୍ଜରିତ ହେଉଥିଲା। ଠିକ୍ ଏତିକି ବେଳେ ଆକାଶବାଣୀ ରେଡିଓର ଗୋଟିଏ ଉଦ୍ଘୋଷଣା କିଛି ସମୟ ପାଇଁ ସ୍ତବ୍ଧ କରି ଦେଇଥିଲା ସମସ୍ତ ଯାତ୍ରୀଙ୍କୁ। ରେଳ ଷ୍ଟେସନରେ ଖେଳି ଯାଇଥିଲା କିଛି ସମୟର ନିସ୍ତବ୍ଧତା। ଆଉ ବାସ୍ତବ ଦୁନିଆକୁ ଫେରିବା ପରେ ରେଳ ଷ୍ଟେସନରେ ଥିବା ସମସ୍ତ ଲୋକ ନିଜକୁ ଭାରତୀୟ ଭାବେ ଗର୍ବ ଅନୁଭବ କରୁଥିଲେ। କାରଣ ଭାରତ ନିଜକୁ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ରୂପେ ଘୋଷଣା କରି ସାରିଥିଲା ସମଗ୍ର ବିଶ୍ୱ ଆଗରେ।
ପରମାଣୁ ବୋମା ପରୀକ୍ଷଣର କିଛି ଅକୁହା କଥା
ପରମାଣୁ ବୋମା ପରୀକ୍ଷଣର କିଛି ଦିନ ପୂର୍ବରୁ ଆରମ୍ଭ ହୋଇ ସାରିଥିଲା ପ୍ରସ୍ତୁତି ପର୍ବ। ଏଥିପାଇଁ ରାଜସ୍ଥାନର ପୋଖରାନ ମାଟିକୁ ଚିହ୍ନଟ କରାଯାଇଥିଲା। ଏହି ପରୀକ୍ଷଣର ମୁଖ୍ୟ ସୁତ୍ରଧର ହୋମି ସେଠନା ଏଥିପାଇଁ ପ୍ରସ୍ତୁତ କରି ସାରିଥିଲେ ବ୍ଲୁ ପ୍ରିଣ୍ଟ। ୧୩ ମଇରେ ଭାରତର ପରମାଣୁ ବୈଜ୍ଞାନିକ ମାନେ ପରମାଣୁ ବୋମାର ଉପକରଣ ସବୁ ଏକତ୍ରୀତ କରିଥିଲେ। ୧୪ ମଇରେ ସେଠନା, ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ଭେଟିବା ପୂର୍ବରୁ ପରମାଣୁ ବୋମାର ସମସ୍ତ ଉପକରଣକୁ ରାତିର ଅନ୍ଧକାର ଭିତରେ L ଆକୃତିର ବଡି ଭିତରେ ପଠାଯାଇଥିଲା ପରୀକ୍ଷଣ ସ୍ଥଳକୁ।
୧୮ ମଇ ସକାଳର ପହିଲି ସୂର୍ଯ୍ୟ କିରଣ ପୋଖରାନର ମାଟି ଉପରେ ପଡିବା ପରେ ଏକରକମ ତତ୍ପରତା ଖେଳି ଯାଇଥିଲା ସମସ୍ତ ଅଧିକାରୀଙ୍କ ମନରେ। ବାସ୍ ଏଇଠୁ ଆରମ୍ଭ ହୋଇଥିଲା ପୋଖରାନର ଅଗ୍ନି ପରୀକ୍ଷା। ପରୀକ୍ଷଣ ସ୍ଥଳ ଠାରୁ ୫ କି.ମି. ଦୂରରେ ବନ୍ଧା ଯାଇଥିବା ମଞ୍ଚ ଉପରେ ବସିଥିଲେ ପରମାଣୁ ପରୀକ୍ଷଣର ମୁଖ୍ୟ ପୁରୋଧା ମାନେ। ପରୀକ୍ଷଣ ପାଇଁ ସମୟ ନିର୍ଦ୍ଧାରିତ ହୋଇଥିଲା ସକାଳ ୮ଟା। ମଞ୍ଚ ଉପରୁ ନିର୍ଦ୍ଦଶେ ଆସିବା ପରେ ଇତିହାସ ରଚିବାକୁ ଆରମ୍ଭ ହୋଇଥିଲା କାଉଣ୍ଟଡାଉନ୍। ଏହି ଐତିହାସିକ ପରୀକ୍ଷଣର ଟ୍ରିଗର ସୁଇଚ୍ ଅନ କରିବାର ଭାଗ୍ୟ ମିଳିଥିଲା ଇଲୋକଟ୍ରନିକ ଟିମ୍ ମୁଖ୍ୟ ପ୍ରଣବ ଦସ୍ତିଦାରଙ୍କୁ।
କାଉଣ୍ଟଡାଉନ ୫ରେ ପହଞ୍ଚିବା ପରେ କଣ୍ଟ୍ରୋଲ ରୁମ୍ ମଧ୍ୟରୁ ପରମାଣୁ ବୋମାକୁ ବିଦ୍ୟୁତ ଯୋଗାଉଥିବା ସୁଇଚ୍ ଅନ କରିଥିଲେ ପ୍ରଣବ। ତେବେ ପରମାଣୁ ବୋମାକୁ ଯେତିକି ବିଦ୍ୟୁତ ଯିବା କଥା ତା ଠାରୁ ୯୦ ପ୍ରତିଶତ କମ୍ ବିଦ୍ୟୁତ ସରବରାହ ଦେଖି ପାଦ ତଳୁ ମାଟି ଖସି ପଡିଥିଲା ପ୍ରଣବଙ୍କର। ଏହା ଭିତରେ ବନ୍ଦ ହୋଇସାରିଥିଲା କାଉଣ୍ଟଡାଉନ। ଅଭିଜ୍ଞ ପ୍ରଣବ କିନ୍ତୁ ହାର୍ ମାନି ନଥିଲେ। ଠିକ୍ ୮ଟା ବାଜି ୫ ମିନିଟରେ ଲାଲ ବଟନ୍ ଅନ୍ କରିଥିଲେ। ବାସ୍ ଝଡ଼ ପୂର୍ବର ନିରବତା ପରି କିଛି ସମୟ ପାଇଁ ନିରବ ହୋଇଯାଇଥିଲା ପୂରା ମାହୋଲ। ପରମାଣୁ ପରୀକ୍ଷଣର ସଫଳତାକୁ ନେଇ ଆଶଙ୍କ।ରେ ଥିଲେ ମୁଖ୍ୟ ବିନ୍ଧାଣୀ ମାନେ।
ହଠାତ୍ ପୋଖରାନ ମାଟିରୁ ଉଠିଥିଲା ବିରାଟକାୟ ବାଲିର ପାହାଡ଼। ବିସ୍ପୋରଣର ପ୍ରଭାବ ଏତେ ଅଧିକା ଥିଲା ଯେ ଲାଗୁଥିଲା ସତେ ଯେପରି ଭଗବାନ ଶ୍ରୀକୃଷ୍ଣ ପୁଣିଥରେ ନିଜ ଆଙ୍ଗୁଠିରେ ଏକ ପାହାଡ଼କୁ ଧରି ଠିଆ ହୋଇଛନ୍ତି ପୋଖରାନର ମରୁଭୂମି ବାଲି ଉପରେ। ତେବେ ଏହି ଐତିହାସିକ ସଫଳତାକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ପହଞ୍ଚାଇବାକୁ ବେଶ୍ କସରତ୍ କରିବାକୁ ପଡିଥିଲା ସେଠନାଙ୍କୁ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସମ୍ପର୍କ ହେବା ପରେ ସେଠନା କହିଥିଲେ ବୁଦ୍ଧ ଇଜ୍ ସ୍ମାଇଲିଂ। ଯାହା ଥିଲା ପରମାଣୁ ପରୀକ୍ଷଣର କୋଡୱାର୍ଡ।
Courtesy-BBC hindi