ଭଦ୍ରକ (ପାର୍ଥ ସାରଥୀ ନାୟକ): ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁ ଅନେକ ସମୟରେ ଲୋକଙ୍କ ସୁବିଧା ପାଇଁ କରାଯାଉଥିବା ଅନେକ ଯୋଜନା ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହୋଇପାରୁ ନାହିଁ। କେଉଁଠି ଟଙ୍କା ଆସୁଛି, କିନ୍ତୁ ସ୍କୁଲ୍ ଗୃହ ବା ଅନ୍ୟ କୌଣସି ଭତ୍ତିଭୂମି ତିଆରି ହୋଇପାରୁ ନାହିଁ ତ କେତେବେଳେ ଅଧାଗଢ଼ା ହୋଇ ରହିଯାଉଛି। ସେହିଭଳି ବେଳେବେଳେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହେଉଥିବା ବିଭିନ୍ନ କୋଠା ଲୋକଙ୍କ କାମରେ ଆସିପାରୁ ନାହିଁ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ରେ। ଏଠାରେ ତିଆରି ହୋଇଥିବା ଏକ ଶବ ବ୍ୟବଚ୍ଛେଦ ଗୃହ ୪ ବର୍ଷ ତଳେ ଉଦ୍ଘାଟିତ ହୋଇଥିଲା। ତେବେ ତାହା ଏଯାଏ କାର୍ଯ୍ୟକ୍ଷମ ହୋଇ ନଥିବା ବେଳେ ନଷ୍ଟ ହେବାକୁ ବସିଲାଣି।
ଭଣ୍ଡାରୀପୋଖରୀ ଓ ଧାମନଗର ବ୍ଳକ୍ ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ ଏହି ଶବ ବ୍ୟବଚ୍ଛେଦ ଗୃହଟିକୁ ନିର୍ମାଣ କରାଯାଇଥିଲା। ୨୦୧୬ ମସିହାରେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଏହାକୁ ଉଦ୍ଘାଟନ କରିଥିଲେ। ତେବେ ଏବେ ଏହା ଭୂତକୋଠି ପାଲଟି ଗଲାଣି। ରକ୍ଷଣାବେକ୍ଷଣ ଅଭାବରୁ ନିର୍ମିତ ଗୃହ ଭାଙ୍ଗି ଗଲାଣି। ଏହା ଚାରିପଟେ ଗଛଲତା ମଧ୍ୟ ମାଡ଼ି ଗଲାଣି। ଆଉ ରାତିରେ ଏହା ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଛି। ଶବ ବ୍ୟବଚ୍ଛେଦ ଗୃହ ବାହାରେ ମଦ ବୋତଲ ଗଡୁଛି।
ଏହି ଶବ ବ୍ୟବଚ୍ଛେଦ ଗୃହଟିକୁ କାର୍ଯ୍ୟକ୍ଷମ କରିବା ପାଇଁ ଅଞ୍ଚଳବାସୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ସେମାନେ ଅଭିଯୋଗ କରିଛନ୍ତି।
ଧାମନଗର ବାସିନ୍ଦା ପ୍ରଦୀପ ମହାପାତ୍ର କହିଛନ୍ତି, “ସରକାର ଲୋକଙ୍କମାନଙ୍କ ସୁବିଧା ପାଇଁ ଏହି ଶବ ବ୍ୟବଚ୍ଛେଦ ଗୃହଟିକୁ ନିର୍ମାଣ କରିଥିଲେ। ହେଲେ ଏହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଏହା ଏବେ ଆସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏହି ଶବ ବ୍ୟଚ୍ଛେଦ ଗୃହ କାର୍ଯ୍ୟକ୍ଷମ ହେଲେ ଏ ଅଞ୍ଚଳର ଲୋକଙ୍କର ସୁବିଧା ହୁଅନ୍ତା।”
ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜଗନ୍ନାଥ ପୋହୀ କହିଛନ୍ତି, “ଧାମନଗର ବ୍ଲକରେ ଶବ ବ୍ୟବଚ୍ଛେଦ ଗୃହଟି ଚାରି ବର୍ଷ ହେବ ତିଆରି ହେଲାଣି। ହେଲେ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ଏହି କିପରି ଶୀଘ୍ର କାର୍ଯ୍ୟକାରୀ ହୋଇପାରିବ, ସେନେଇ ମୁଁ ଚେଷ୍ଟା କରିବି।”