ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ନିଜ ଅକ୍ତିଆରରେ ରଖିବାକୁ ଚାହୁଁଛି ବିଜେଡି: ପ୍ରସାଦ ହରିଚନ୍ଦନ

ଓଡ଼ିଶା ରିପୋର୍ଟର: ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ବିରୋଧରେ  କଂଗ୍ରେସ ଦଳ ଓଡିଶା ବନ୍ଦ  ଡାକରା ଦେଇଥିଲା।  ହେଲେ ଶାସକ ବିଜେଡି ଦଳ କହୁଛି କଂଗ୍ରେସ ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛି? ପ୍ରସାଦ:  ଶାସକ ଦଳ ଜଗନ୍ନାଥ ମନ୍ଦିର ଭିତରେ  ରାଜନୀତି  କରିବା ଏବଂ ଘଟଣାର ରାଜନୀତିକରଣ କରିବା କଥା ପୂରା ପଦାକୁ ଆସିଯାଇଛି। ମନ୍ଦିର ପରିଚାଳନା ସମିତିର ସଭାପତି ଗଜପତି ମହାରାଜା ସ୍ପଷ୍ଟ ଭାବେ କହିଛନ୍ତି, ଶାସକଦଳ ପକ୍ଷରୁ ଏହି ବିଶୃଙ୍ଖଳା ଓ ବିଭ୍ରାଟ ଘଟାଯାଇଛି। ଶାସକ […]

prasad1

Rakesh Mallick
  • Published: Monday, 29 June 2015
  • , Updated: 27 April 2017, 05:29 PM IST

ଓଡ଼ିଶା ରିପୋର୍ଟର: ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ବିରୋଧରେ  କଂଗ୍ରେସ ଦଳ ଓଡିଶା ବନ୍ଦ  ଡାକରା ଦେଇଥିଲା।  ହେଲେ ଶାସକ ବିଜେଡି ଦଳ କହୁଛି କଂଗ୍ରେସ ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛି?

ପ୍ରସାଦ:  ଶାସକ ଦଳ ଜଗନ୍ନାଥ ମନ୍ଦିର ଭିତରେ  ରାଜନୀତି  କରିବା ଏବଂ ଘଟଣାର ରାଜନୀତିକରଣ କରିବା କଥା ପୂରା ପଦାକୁ ଆସିଯାଇଛି। ମନ୍ଦିର ପରିଚାଳନା ସମିତିର ସଭାପତି ଗଜପତି ମହାରାଜା ସ୍ପଷ୍ଟ ଭାବେ କହିଛନ୍ତି, ଶାସକଦଳ ପକ୍ଷରୁ ଏହି ବିଶୃଙ୍ଖଳା ଓ ବିଭ୍ରାଟ ଘଟାଯାଇଛି। ଶାସକ ଦଳ ମନ୍ଦିରର ସବୁ ଶୃଙ୍ଖଳାକୁ ଭାଙ୍ଗିଛନ୍ତି ଏବଂ ମନ୍ଦିର ପ୍ରଶାସନକୁ ନିଜ ଅକ୍ତିଆରରେ ରଖିବାକୁ ଚାହୁଁଛି। ମନ୍ଦିର ପ୍ରଶାସନକୁ ବିଜେଡି ଅକ୍ତିଆରରେ ରଖିବାର ଅର୍ଥ ମନ୍ଦିରରେ ରାଜନୀତି ଭର୍ତ୍ତି କରିବା ଯାହା ଏହି କଥା ସେଇଆ। କଂଗ୍ରେସ ଦଳ ଏଠି କ’ଣ କରିଛି ଯେ,ଏହି ଘଟଣାର ରାଜନୀତିକରଣ କୁହାଯାଉଛି? କଂଗ୍ରେସ ଦଳ ପ୍ରଥମରୁ  କହୁଛି, ନବକଳେବର ଭିତ୍ତି ଭୂମି ସଂରଚନା ଠିକ୍ ଭାବେ ହେଉ, ଗଠନ ମୂଳକ ସହାୟତା ଆମେ ସରକାରଙ୍କୁ ଦେବୁ ଓ ଦେଇଛୁ। ବର୍ତ୍ତମାନ ଯେଉଁ ବିଭ୍ରାଟ ଘଟିଲା ତାହା ଆମେ ପୂର୍ବରୁ ଆଶଙ୍କା କରିଥିଲୁ । ଆମେ ପ୍ରତିବାଦ କରୁଛୁ ଓ ବନ୍ଦ ଡାକରା ଦେଲୁ।  କଂଗ୍ରେସ ଗୋଟିଏ ରାଜନୈତିକ ଦଳ। ବନ୍ଦ ଗୋଟିଏ ରାଜନୈତିକ କାର୍ଯ୍ୟକ୍ରମ। ଗୋଟିଏ ରାଜନୈତିକ ଦଳ ଏଭଳି ଏକ ରାଜନୈତିକ କାର୍ଯ୍ୟକ୍ରମ କରନ୍ତାନି ତ ଆଉ କ’ଣ କରନ୍ତା । ବିଜେଡି ଦଳର କାର୍ଯ୍ୟକର୍ତ୍ତା ବା ଯୁବ ବିଜେଡିର ଯେଉଁ ନେତାମାନେ ବିଶୃଙ୍ଖଳାରେ ସଂପୃକ୍ତ, ଯେଉଁମାନେ ବିଜେଡି ଦଳର ପଦ ପଦବୀରେ ଅଛନ୍ତି ଓ ବିଶୃଙ୍ଖଳା ଭିଆଇଛନ୍ତି, ସେମାନଙ୍କ ଆଚରଣକୁ କ’ଣ କୁହାଯିବ? ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ ବିରୋଧରେ କଂଗ୍ରେସ ବନ୍ଦ ଡାକରା ଦେଲା, ଆଉ ଏହାକୁ ସ୍ୱତଃସୁତ୍ତ ଭାବେ ସମସ୍ତଙ୍କ ସମର୍ଥନ ମିଳିଲା। ଏହାକୁ ରାଜନୀତି କୁହାଯିବ? ତାକୁ ଯଦି ରାଜନୀତି କୁହାଯିବ, ତେବେ ଓଡିଶାବାସୀ ଏହି ରାଜନୀତିକୁ ସମର୍ଥନ କରିଛନ୍ତି।

ଓଡ଼ିଶା ରିପୋର୍ଟର:  ଆଉ ଗୋଟେ କଥା ହେଉଛି,  କୋଟି କୋଟି  ଓଡ଼ିଆଙ୍କ  ଜଗନ୍ନାଥ ଭାବାବେଗ ଅପେକ୍ଷା  କଂଗ୍ରେସ ତାର ଶକ୍ତି ପ୍ରଦର୍ଶନ କରିବାକୁ ଚାହୁଁଛି ବୋଲି ବିଜେଡି ଅଭିଯୋଗ କରିଛି ? 

ପ୍ରସାଦ: ଦେଖନ୍ତୁ, ଭାବାବେଗକୁ ନେଇ ଓଡିଶା ପ୍ରଭାବିତ ହୋଇଛି। ଏହି ପ୍ରଭାବ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ସମଗ୍ର ଓଡିଶାବାସୀଙ୍କର ରହିଛି। ଧର୍ମ, ଜାତି, ବର୍ଣ୍ଣ ସବୁନେଇ ଯେଉଁ ଭାବନା ରହିଛି ବା ଯେଉଁ ଭାବାବେଗ ରହିଛି ତାକୁ ନେଇ ତମାମ ଓଡିଶାରେ ବନ୍ଦ ସଫଳ ହୋଇଛି। ଏହା କଂଗ୍ରେସର ସଫଳତା ବୋଲି ମୁଁ କହିବି ନାହିଁ। ଏହା ସମସ୍ତ ଓଡିଶା ବାସୀଙ୍କର। ତେଣୁ ଏହି ବନ୍ଦ ସେହି ଭାବାବେଗକୁ ନେଇ ହୋଇଛି। ଆପଣ କଂଗ୍ରେସ ସଙ୍ଗଠନର ଶକ୍ତି ପ୍ରଦର୍ଶନ କଥା କହୁଛନ୍ତି, କଂଗ୍ରେସ ଏକ ରାଜନୈତିକ ଦଳ ଏବଂ ଏଭଳି ଏକ ଭାବାବେଗ ସହିତ ଜଡିତ ଥିବା ପ୍ରସଙ୍ଗକୁ ନେଇ କଂଗ୍ରେସ ଲୋକଙ୍କ ସହିତ ରହିବାର ଆବଶ୍ୟକତା ଅଛି। ଆମେ ଗୋଟିଏ ରାଜନୈତିକ ଦଳ ଭାବେ ସାଧାରଣ ଲୋକଙ୍କ ସହିତ ରହିବୁ। ତେଣୁ ଲୋକଙ୍କ ଭାବାବେଗ ସହିତ ଯୋଡି ହୋଇ ରହିବୁନି ତ କାହା ଭାବାବେଗ ସହ ଯୋଡି ହୋଇ ରହିବୁ। ବିଜେଡିର ଭାବାବେଗ ସଙ୍ଗେ ଆମେ ଯୋଡି ହୋଇ ରହିବୁ ନାହିଁ। ଓଡିଶାବାସୀଙ୍କ ଭାବାବେଗଙ୍କ ସହ ଆମେ ଯୋଡି ହୋଇ ରହିବୁ। ଲୋକଙ୍କ ସହ ଯୋଡି ହୋଇ ରହିବା ବେଳେ ଆମ ସଙ୍ଗଠନକୁ ଆମେ ଏହି ବନ୍ଦକୁ ସଫଳ କରିବା ପାଇଁ ଲଗାଇଛୁ। ଆମ ସଙ୍ଗଠନ ଏହି କାର୍ଯ୍ୟ ଅତି ସଫଳତାର ସହ କରିଛି। ତଳ ସ୍ତରର ସାଧାରଣ କର୍ମୀଙ୍କ ଠାରୁ ଆରମ୍ଭ କରି ନେତାଙ୍କ ପର୍ଯ୍ୟନ୍ତ । ଖାଲି ଗୋଟିଏ କଥା ହେଲା ଯେ ବିଭିନ୍ନ ସମୟରେ ଆକ୍ଷେପ କରାଯାଏ କଂଗ୍ରେସ ଦଳ ଏକାଠି ନାହିଁ। ଆମେ ପ୍ରଥମରୁ କହିଥିଲୁ ‘ମୁଁ ନୁହଁ ଆମେ’। ଆମେ ସମସ୍ତେ କର୍ମୀ ଓ ନେତୃବୃନ୍ଦ ଏକାଠି ମିଶି ବନ୍ଦ ପାଳନକୁ ସଫଳ କରିବା ପାଇଁ କାମ କରିଛୁ। 

ଓଡ଼ିଶା ରିପୋର୍ଟର: କଂଗ୍ରେସ ଦଳ ପୂର୍ବରୁ ଧର୍ମୀୟ ଭାବନାକୁ ନେଇ କୌଣସି ଆନ୍ଦୋଳନ କରିଥିବା ଦେଖାଯାଇ ନଥିଲା। କିନ୍ତୁ ଏଥର କଂଗ୍ରେସ ଧର୍ମୀୟ ଭାବନାକୁ ନେଇ ରାସ୍ତାକୁ ଓହ୍ଲାଇଥିଲା କାହିଁକି?

ପ୍ରସାଦ: ମୂଳକଥା ହେଉଛି, କଂଗ୍ରେସ ଦଳ ସର୍ବଧର୍ମରେ ବିଶ୍ୱାସ କରେ। ସବୁ ଧର୍ମ ପ୍ରତି ସମାନ ମନୋଭାବ। ଆପଣ ଯଦି ବିଚାର କରୁଛନ୍ତି ଜଗନ୍ନାଥ ଗୋଟିଏ ଧର୍ମର ଦେବତା । ହିନ୍ଦୁ ଧର୍ମର କେବଳ ଦେବତା ।  ଏହି ଧର୍ମକୁ ବିଶ୍ୱାସ କରୁଥିବା  ବ୍ୟକ୍ତିମାନଙ୍କର ଭାବନାକୁ ଆଘାତ କରାଯାଇଛି। କିନ୍ତୁ ପ୍ରକୃତରେ ଜଗ୍ନନାଥ ଗୋଟିଏ ଧର୍ମର ଦେବତା ନୁହନ୍ତି ।  ଜଗନ୍ନାଥ ସବୁଧର୍ମର ଏକ ସମନ୍ୱିତ ପ୍ରତୀକ। ଜଗନ୍ନାଥ ସଂସ୍କୃତି କହିଲେ, ସବୁଧର୍ମକୁ ଏକାଠି କରିଛି ଜଗନ୍ନାଥ ଧର୍ମ। ଯଦି ତାହା ହୋଇନଥାନ୍ତା ସାଲବେଗଙ୍କ ଭଳି ଜଣେ ମୁସଲମାନ ବ୍ୟକ୍ତି ଚମତ୍କାର ଭଜନ ଲେଖିନଥାନ୍ତେ ଜଗନ୍ନାଥଙ୍କ ପାଇଁ। ଯଦି ସେଇଆ ହୋଇନଥାନ୍ତା ଗୁରୁ ନାନକ ଆସି ଜଗନ୍ନାଥଙ୍କୁ ଦର୍ଶନ କରିନଥାନ୍ତେ।  ଜଗନ୍ନାଥଙ୍କ ପାଇଁ ଏଠି ସନ୍ଧ୍ୟାରେ ଆଳତୀ ଗାଇନଥାଆନ୍ତେ । ଗୁରୁ ନାନକ ଜଗନ୍ନାଥଙ୍କ ପାଖରେ। ଭକ୍ତ ସାଲବେଗ ଜଗନ୍ନାଥଙ୍କ ପାଖରେ। ଦାସିଆ ବାଉରୀ ଜଗନ୍ନାଥଙ୍କ ପାଖରେ । କୁହାଯାଏ ଅନ୍ୟ ଧର୍ମ ଇସଲାମ୍ ଠାରୁ ଇସାଇ ପର୍ଯ୍ୟନ୍ତ ସମସ୍ତେ ପୁରୀ ଆସିଛନ୍ତି। ଜଗନ୍ନାଥଙ୍କ ରୀତିନୀତି ଦେଖନ୍ତୁ ଏସବୁ ଦେଖିଲେ ନିଶ୍ଚିତ ବିଚାର କରାଯାଇପାରେ ସେ ସବୁ ଧର୍ମକୁ ଆଦରି ନେଇଛନ୍ତି। ଜଗନ୍ନାଥ ଧର୍ମ ହେଉଛି ମାନବବାଦ। ଦ୍ୱିତୀୟ କଥା ଯାହା ଆପଣ କହିଲେ ଯେଉଁ ମହାତ୍ମା ଗାନ୍ଧି କଂଗ୍ରେସକୁ ନୂଆ ରୂପ ଦେଇଥିଲେ ସେ ସବୁବେଳେ ଗୀତା ଧରୁଥିଲେ ବା ସବୁବେଳେ ଉଚ୍ଚାରଣ କରୁଥିଲେ। ରାମଚନ୍ଦ୍ରଙ୍କ କଥା ସବୁବେଳେ ଉଲ୍ଲେଖ କରୁଥିଲେ। ରାମ ରାଜ୍ୟ କଥା ଉଲ୍ଲେଖ କରୁଥିଲେ। ଯଦି ମହାତ୍ମା ଗାନ୍ଧିଙ୍କ ଧର୍ମ ନିରପେକ୍ଷତାକୁ ଯଦି ବିଚାର କରାଯିବ ସେଇ ମହାତ୍ମା ଥିଲେ ସର୍ବଧର୍ମ ନିରପେକ୍ଷତାର ପ୍ରତୀକ। ତା’ ସତ୍ତ୍ୱେ ଶ୍ରୀମଦ୍ ଭାଗବତ ଗୀତା ଥିଲା ସବୁବେଳେ ତାଙ୍କ ହାତରେ, ରାମଚନ୍ଦ୍ରଙ୍କ ନାଁ ଥିଲା ସବୁବେଳେ ତୁଣ୍ଡରେ । ଜଗନ୍ନାଥ ଧର୍ମ,ସଂସ୍କୃତି ଯାହା ସବୁ ମଣିଷକୁ ଏକାଠି କରିଛି ଯାହାକୁ ମାନବବାଦ କୁହାଯିବ ଏଭଳି ଏକ ଭାବନା ଯେଉଁ ଧର୍ମର ଆଧାର  ବା ଯେଉଁ ସଂସ୍କୃତିର ଆଧାର ତାକୁ ହିଁ ନେଇ ଏହି ପ୍ରସଙ୍ଗରେ ଆମେ ବାହାରିଥିଲୁ। କିଭଳି ଭାବେ ଆପଣ କହିପାରିବେ ଧର୍ମକୁ ନେଇ ରାଜନୀତି ଆମେ କରୁଛୁ।

ଓଡ଼ିଶା ରିପୋର୍ଟର:  ଜଗନ୍ନାଥଙ୍କ ରୀତିନୀତିକୁ ନେଇ ବିଭିନ୍ନ ସମୟରେ ନାନା ବିବାଦ ଦେଖାଦେଇଛି। ଆପଣ ଭାବୁଛନ୍ତି କି ବ୍ରହ୍ମ ପରିବର୍ତ୍ତନରେ ଯେଉଁ ବିଭ୍ରାଟ ଘଟିଲା ସେ ନେଇ ନ୍ୟାୟିକ ତଦନ୍ତ ହେଲେ,ବା କେହି ଇସ୍ତଫା ଦେଇ ଦେଲେ  ସେ ସବୁର ସମାଧାନ ହୋଇ ହୋଇଯିବ?

ପ୍ରସାଦ: ନାଁ,ମୂଳକଥା ହେଉଛି ନବକେଳବର ରୀତିନୀତି କାମରେ ଯେଉଁ ବିଭ୍ରାଟ ହୋଇଛି। ଏହି ବିଭ୍ରାଟକୁ ସରକାର ଚାହିଁଥିଲେ ନିୟନ୍ତ୍ରଣ କରିପାରିଥାନ୍ତେ ବା ଏଡାଇ ଦେଇପାରିଥାନ୍ତେ।  ବିଗ୍ରହ ନିର୍ମାଣ କାମ ବିଳମ୍ୱରେ ହୋଇଛି। ବିଗ୍ରହ କାମ ଯଦି ତ୍ରୟୋଦଶରେ ସରିଥାଆନ୍ତା, ଚତୁର୍ଦ୍ଦଶୀ ବା ଜୁନ୍ ୧୫ ତାରିଖରେ ଯଜ୍ଞ ହୋଇ ସନ୍ଧ୍ୟା ସୁଧା ପୂର୍ଣ୍ଣାହୁତି ଦିଆଯାଇ ରାତିରେ ଘଟ ପରିବର୍ତ୍ତନ ହୋଇପାରିଥାଆନ୍ତା। ବିଗ୍ରହ ନିର୍ମାଣ ସରିଲା ୧୫ ତାରିଖ ରାତି ୧୨ଟା ପରେ। ଏହି ବିଭ୍ରାଟ କେବଳ ବ୍ରହ୍ମ ପରିବର୍ତ୍ତନରେ ହୋଇନି, କ୍ରମାଗତ ଭାବେ ଲାଗି ରହିଛି। ଏହାକୁ ସରକାର ଏଡାଇ ଦେଇ ପାରିଥାଆନ୍ତେ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ପ୍ରତିଦିନ ଜଗନ୍ନାଥଙ୍କର ମଧ୍ୟ୍ୟାହ୍ନ ଧୂପ ବାହାରିଲା ବେଳକୁ ଅଧ ରାତି ହେଉଛି। ଠାକୁରଙ୍କ ନୀତିରେ ସବୁବେଳେ ବିଭ୍ରାଟ ହେଉଛି । ଦୈନିକ ନୀତିରେ  ମନ୍ଦିର ପରିଚାଳନାରେ ବିଭ୍ରାଟ ଘଟୁଛି। ସେଠି ଓଡିଶା ସରକାରଙ୍କ ଉଚ୍ଚ ପାହ୍ୟାର ଜଣେ ଅଫିସର ମଧ୍ୟ ରହିଛନ୍ତି। ମନ୍ଦିର ପ୍ରଶାସକ ଭାବରେ ରହିଛନ୍ତି ତାହା ସତ୍ତ୍ୱେ ମଧ୍ୟ ବିଭ୍ରାଟ ଘଟୁଛି। ଏସବୁ କାରଣ ପାଇଁ ବର୍ତ୍ତମାନ ଆବଶ୍ୟକତା ହେଉଛି, ୧୯୫୪ ମସିହାର ଯେଉଁ ଶ୍ରୀ ମନ୍ଦିର ପରିଚଳାନା ଆଇନ ରହିଛି ସେହି ଆଇନରେ ସଂଶୋଧନର ଆବଶ୍ୟକତା ରହିଛି। କିଭଳି ଭାବରେ ମନ୍ଦିର ପରିଚାଳନା ହେବ, ଠାକୁରଙ୍କ ସେବା ହେବ, ନୀତି ହେବ, ସେବାୟତ ମାନଙ୍କ ପାଇଁ କ’ଣ ବ୍ୟବସ୍ଥା ରହିବ, ସେମାନଙ୍କ ସୁବିଧା ମଧ୍ୟ କ’ଣ କରାଯିବ। ଏଭଳି ବିଭିନ୍ନ ପ୍ରସଙ୍ଗ ବର୍ତ୍ତମାନ ମଧ୍ୟ  ଆସିଲାଣି। ତେଣୁ ୧୯୫୪ର ମନ୍ଦିର ପରିଚାଳନା ଆଇନରେ ବ୍ୟାପକ ପରିବର୍ତ୍ତନ ଦରକାର। ସେବା ବଂଶାନୁକ୍ରମିକ ହେବ ବା ବେତନଭଗୀ ସେବା ହେବ ସେ ନେଇ ମଧ୍ୟ ବ୍ୟାପକ ଭାବେ ଆଲୋଚନା ହେବା ଦରକାର। ଏଭଳି ଆଲୋଚନା ପାଇଁ ଓଡିଶାର ସବୁ ବର୍ଗର ଲୋକ, ସବୁ ରାଜନୈତିକ ଦଳର ଚିନ୍ତାଶୀଳ ବ୍ୟକ୍ତି, ବୁଦ୍ଧଜିବୀ, ଜଗନ୍ନାଥ ପ୍ରେମୀ, ଜଗନ୍ନାଥ ସଂସ୍କୃତି ବିଶାରଦ ମାନଙ୍କୁ ନେଇ ଏ ସମ୍ପର୍କରେ ସରକାର ବ୍ୟାପକ ଭାବରେ ବିଚାର ବିମର୍ଶ କରି କିଭଳି ଭାବେ ଜଗନ୍ନାଥ ମନ୍ଦିର ସୁପରିଚାଳନା ହେବ, ସେନେଇ  ଆଇନର ସଂଶୋଧନ ହେବା ଦରକାର।

ଓଡ଼ିଶା ରିପୋର୍ଟର:  ଆପଣ କହୁଛନ୍ତି କଂଗ୍ରେସ ଦଳରେ ଏକତା ରହିଛି।  ହେଲେ ଓଡିଶା ବନ୍ଦ ବେଳେ ସବୁ ନେତାଙ୍କୁ ଦେଖିବାକୁ ମିଳିଲା, କିନ୍ତୁ କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କୁ ଦେଖିବାକୁ ମିଳିନଥିଲା। ସେଥିପାଇଁ ବିଭିନ୍ନ ଆଲୋଚନା ହେଉଛି।

ପ୍ରସାଦ: ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଏହି ବନ୍ଦରେ ସଂପୂର୍ଣ୍ଣ ଭାବେ ସହଯୋଗ ଦେଇଛନ୍ତି। ସେ ନିଜେ ତାଙ୍କ ନିର୍ବାଚନ ମଣ୍ଡଳୀ ବାଲେଶ୍ୱରରେ ଦିନ ତମାମ ଏହି ବନ୍ଦ ପାଳନର ପରିଚାଳନା କରିଥିଲେ।

ଓଡ଼ିଶା ରିପୋର୍ଟର: ଗୋଟିଏ କଥା ହେଉଛି ବ୍ରହ୍ମ, ପରିବର୍ତ୍ତନ ବିଭ୍ରାଟକୁ ନେଇ କଂଗ୍ରେସ ଏକଜୁଟ ହୋଇ  ଓଡିଶା ବନ୍ଦର ଡାକରା ଦେଇଥିଲା। ରାଜ୍ୟରେ ବିଭିନ୍ନ ଘଟଣା ଥିଲା। ଚିଟଫଣ୍ଡ ଦୁର୍ନୀତି କୁହନ୍ତୁ ଖଣି ଦୁର୍ନୀତି ସେଭଳି କିଛି ବ୍ୟାପକ ଆନ୍ଦୋଳନ କରିବାରେ କଂଗ୍ରେସ କାହିଁକି ସଫଳ  ହୋଇନାହିଁ?

ପ୍ରସାଦ: ଦେଖନ୍ତୁ, ଖଣି ଦୁର୍ନୀତି ଏବେର ଇସୁ ନୁହେଁ, ହେଲେ ବର୍ଣ୍ଣି ଇସୁ। କିନ୍ତୁ ବହୁ ପୂର୍ବର ପ୍ରସଙ୍ଗ ସମସ୍ତଙ୍କୁ ଆଲୋଡିତ କରିଛି। ଏଥିପାଇଁ ବଡ ଧରଣର ଏଠି (ଭୁବନେଶ୍ୱରରେ) ସମାବେଶ କରାଯାଇଥିଲା।  ସେପ୍ଟମ୍ୱର ୬ ତାରିଖ ୨୦୧୨ରେ କଂଗ୍ରେସ ଏହି ଇସୁକୁ ନେଇ ଆନ୍ଦୋଳନ କରିଥିଲା। ଚିଟଫଣ୍ଡକୁ ନେଇ ମଧ୍ୟ ବିଧାନସଭା ଭିତରେ ଓ ବାହାରେ କଂଗ୍ରେସ ବ୍ୟାପକ ଭାବେ ଆନ୍ଦୋଳନ କରିଛି। ଓଡିଶାର ସ୍ୱାର୍ଥ, ଓଡିଶାବାସୀଙ୍କ ସ୍ୱାର୍ଥ ସହ ଜଡିତ ବହୁ ପ୍ରସଙ୍ଗ ଅଛି। ଏଥିରେ କଂଗ୍ରେସ ନିଶ୍ଚିତ ଭାବେ ସାଧାରଣ ଲୋକଙ୍କ ପାଇଁ ଲଢେଇ କରିବ।

ଓଡ଼ିଶା ରିପୋର୍ଟର: ଆପଣ ଯେତେବେଳେ ପିସିସି ସଭାପତି ଦାୟିତ୍ୱ ନେଲେ ପ୍ରଥମ କଥା ଥିଲା ‘ମୁଁ ନୁହେଁ ଆମେ’। ଦାୟିତ୍ୱ ନେବାର ୬ ମାସ ପରେ ଆପଣ ଭାବୁଛନ୍ତି କଂଗ୍ରେସ ଦଳ ଓଡିଶାରେ ‘ମୁଁ ‘ଛାଡି ଆମେ’ର ପ୍ରଚାର କରିଛି?

ପ୍ରସାଦ: ଏହି ବାର୍ତ୍ତା ପ୍ରଚାର ପାଇଁ ନଥିଲା। ମୁଁ ଯେହେତୁ ଜଣେ କଂଗ୍ରେସର ସାଧାରଣ କର୍ମୀ। କଂଗ୍ରେସର ବହୁ ବରିଷ୍ଠ ନେତା  ଅଛନ୍ତି। ପୂର୍ବତନ ପିସିସି ସଭାପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବହୁ ପ୍ରତିଷ୍ଠିତ ନେତା କଂଗ୍ରେସରେ ଅଛନ୍ତି। ସେମାନଙ୍କ ସାଙ୍ଗରେ ମୋର ତୁଳନା ନାହିଁ। ମୁଁ ଜଣେ ସାଧାରଣ କର୍ମୀ। ଯୁବ କଂଗ୍ରେସରୁ କାମ କରି  ଆଜି ପର୍ଯ୍ୟନ୍ତ ମୁଁ କାମ କରୁଛି। କିନ୍ତୁ ମୁଁ ରାଜ୍ୟରେ କଂଗ୍ରେସର ନେତୃତ୍ୱ ନେବା ପରେ ଏହି କଥା ମୁଁ ପ୍ରଥମରୁ ଭିନ୍ନ ଭାବେ ବ୍ୟକ୍ତ କରିଥିଲି। ସମସ୍ତଙ୍କୁ ନେଇ କଂଗ୍ରେସ କାମ କରିପାରିବ। ଆମେ ଲକ୍ଷ୍ୟ ମଧ୍ୟ କରିଛୁ, କଂଗ୍ରେସର ବରିଷ୍ଠ ନେତୃମଣ୍ଡଳୀ ଏବଂ ମୋଠୁ ଯେଉଁମାନେ ସାନ ମଧ୍ୟ,ସମସ୍ତେ ମିଶି ଏକାଠି କାମ କରୁଛୁ। କେତେବେଳେ କେମିତି ଆମ ଭିତରେ କିଛି ମତ ପାଥର୍କ୍ୟ ଥାଇପାରେ। ଆମେ ବସି ଏକାଠି ଆଲୋଚନା କରୁଛୁ ସମାଧାନ କରୁଛୁ। ଏହି କଥାକୁ ଅସ୍ୱୀକାର କରିବି ନାହିଁ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଆମେ ସମସ୍ତେ ଏକାଠି କାମ କରୁଛୁ।

ଓଡ଼ିଶା ରିପୋର୍ଟର:  ପିସିସି ସଭାପତି ହେବାର ୬ ମାସ ହୋଇଗଲାଣି, ହେଲେ ଏପର୍ଯ୍ୟନ୍ତ ଆପଣ ନୂଆ ଟିମ୍ ଗଠନ କରିପାରି ନାହାନ୍ତି। ସାଙ୍ଗଠନିକ ପୁନଃର୍ଗଠନ ସମ୍ଭବ ହୋଇପାରି ନାହିଁ କାହିଁକି?

ପ୍ରସାଦ: ଆପଣ ଜାଣନ୍ତି ମୁଁ ଏହି କଥାକୁ ଲୁଚାଇ ନଥିଲି ସ୍ପଷ୍ଟ ଭାବେ କହିଥିଲି । ପିସିସି ସଭାପତି ଦାୟିତ୍ୱ ନେବା ସମୟରେ ୧୧ଟି  ଜିଲ୍ଲାରେ ସଭାପତି ନଥିଲେ । ଜିଲ୍ଲା କମିଟି ନାହିଁ। ପାଖାପାଖି ୧୦୦ରୁ ଅଧିକ ବ୍ଲକ୍ ରେ କଂଗ୍ରେସ କମିଟି ଅଛି।  ହେଲେ କଂଗ୍ରେସ କମିଟିରେ ସଭାପତି ନାହାନ୍ତି। ଏହା କୌଣସି ସରକାରୀ ସଂସ୍ଥା କିମ୍ୱା ବେସରକାରୀ ସଂସ୍ଥା ନୁହେଁ। ଖବର କାଗଜରେ ବିଜ୍ଞାପନ ଦେଲେ ଇଣ୍ଟରଭ୍ୟୁ ଦେଇ ରଖିଦେବୁ। ଗୋଟିଏ ଜାଗାରେ ଜଣକୁ ନିଯୁକ୍ତି ଦେବା ପାଇଁ ବ୍ଲକ୍ ସଭାପତି ହେଉ ବା ଜିଲ୍ଲା ସଭାପତି,  ଏକ ପ୍ରକ୍ରିୟା ରହିଛି। ସେଠି ଯାଇ ସମସ୍ତଙ୍କ ସହ ବିଚାରବିମର୍ଶ କରି ମତାମତ ନେଇ ଏକ ସହମତି ସୃଷ୍ଟି କରି ଏହି କଥା କରିବାକୁ ପଡିବ। ସେଥିରେ  ମଧ୍ୟ ବେଳେ ବେଳେ ବିଭିନ୍ନ ଅସନ୍ତୋଷ ପ୍ରକ୍ରିୟା ରହିଥାଏ। ତାକୁ ସମାଧାନ କରିବା ପାଇଁ ସମୟ ଲୋଡା। ଏସବୁ କାମ ଜଣେ ପର୍ଯ୍ୟବେକ୍ଷକ ଯାଇ କରିବେ। ସେସବୁ କାର୍ଯ୍ୟ ଚୂଡାନ୍ତ ହୋଇ ସାରିଲାଣି। ଏହି କାର୍ଯ୍ୟ ଦିନିକିଆ କାର୍ଯ୍ୟ ନୁହେଁ। ମୁଁ ଯେତେବେଳେ ଦାୟିତ୍ୱ ନେଲି ଏଭଳି ଅଭାବନୀୟ ଅବସ୍ଥାରେ ଦଳର ଦାୟିତ୍ୱ ମୋ ପାଖକୁ ଆସିଥିଲା। ଏହି ପ୍ରକ୍ରିୟା ଦୁଇ ରୁ ତିନି ମାସ ବା ଚାରିମାସ ସମୟ ନିଏ। ତେଣୁ ସେହି ପ୍ରକ୍ରିୟା ସରିଆସିଗଲାଣି।

ଓଡ଼ିଶା ରିପୋର୍ଟର:  କୁହାଯାଉଛି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଲୁଲୁ ମହାପାତ୍ର ଏବଂ ରଞ୍ଜୀବ ବିଶ୍ୱାଳଙ୍କ ଜାଲରେ ଆପଣ ଛନ୍ଦି ହୋଇ ପଡିଛନ୍ତି । ସେଥିପାଇଁ ଆପଣ ଟିମ୍ ଗଢିପାରୁ ନାହାନ୍ତି? ଏଭଳି ଅଭିଯୋଗକୁ ଆପଣ କିଭଳି ଗ୍ରହଣ କରିବେ?

ପ୍ରସାଦ: ସେମାନେ କୌଣସି ଜାଲ ପକାଇ ନାହାନ୍ତି। ଏମାନେ ଯଦି ଜାଲ ପକାଇବେ, କଂଗ୍ରେସ ସ୍ୱାର୍ଥ ପାଇଁ ଜାଲ ପକାଇବେ। କଂଗ୍ରେସର କ୍ଷତି ପାଇଁ ନୁହେଁ। ଯେଉଁ ୩ ବରିଷ୍ଠ ନେତାଙ୍କ ନାମ ଉଲ୍ଲେଖ କଲେ ସମସ୍ତେ ବର୍ତ୍ତମାନ ନିବିଡି ଭାବେ ଆମ ସହିତ ଅଛନ୍ତି, ସହାୟତା ମଧ୍ୟ କରୁଛନ୍ତି।  ଛନ୍ଦି ହେବାର ନାହିଁ। ଛନ୍ଦି ହୋଇ ଥିଲେ ଓଡିଶା ବନ୍ଦ ଡାକରା ସଫଳ ହୋଇପାରିନଥାଆନ୍ତା।  ଅସୁସ୍ଥତା ସତ୍ତ୍ୱେ ନିରଞ୍ଜନ ବାବୁ ଆସିଥିଲେ । ଲୁଲୁ ବାବୁ ବନ୍ଦରେ ପୂରା ସାମିଲ ଥିଲେ ଏବଂ ରଞ୍ଜୀବ ବାବୁ ବନ୍ଦ ବେଳେ ଆମ ସହ ଗିରଫ ହୋଇଥିଲେ।

ଓଡ଼ିଶା ରିପୋର୍ଟର: ଆଉ ଗୋଟିଏ କଥା ହେଉଛି ୨୦୧୪ ନିର୍ବାଚନ ପୂର୍ବରୁ  ବହୁ ବରିଷ୍ଠ ନେତା ଦଳ ଛାଡିଛନ୍ତି ଏବଂ ଶାସକ ବିଜେଡିରେ ଯୋଗ ଦେଇଛନ୍ତି। ପୂର୍ବତନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂଙ୍କ ସମେତ କିଛି ବିଧାୟକ ମଧ୍ୟ ଦଳ ଛାଡିଥିଲେ। ନିକଟରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ  ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଆପଣ ଭାବୁ ନାହାନ୍ତି ଏହାଦ୍ୱାରା ପାର୍ଟି ଦୁର୍ବଳ ହେଉଛି? କ’ଣ ପାଇଁ ସେମାନେ ଦଳ ଛାଡୁଛନ୍ତି?

ପ୍ରସାଦ: ଦେଖନ୍ତୁ, ଏହାକୁ ମୁଁ  ସୁବିଧାବାଦ ରାଜନୀତି କହିବି। ବିଜେଡିରେ ଯାଇ କିଛି କ୍ଷମତା ବା ସୁବିଧା ପାଇଁ କଂଗ୍ରେସ ଛାଡିବା, ବିଜେପିର କିଛି ପ୍ରଲୋଭନ ବା ବିଜେପି ଦଳରେ ମିଶିଲେ କ୍ଷମତା ସୁବିଧା ପାଇବା ପାଇଁ ଆଶା ରଖିଦଳ ଛାଡିଛନ୍ତି। ଏହାଦ୍ୱାରା ଦଳ କିଛି କ୍ଷତିଗ୍ରସ୍ତ ହେବନାହିଁ। ସାଧାରଣ ଲୋକ ସେମାନଙ୍କୁ  ଗ୍ରହଣ କରିବେ ନାହିଁ। ଲୋକେ ଜାଣିଛନ୍ତି, ରାଜନୀତିରେ ସେମାନେ ସୁବିଧା ପାଇଁ ଗୋଟିଏ ଦଳରୁ ଅନ୍ୟ ଦଳକୁ ଯାଆନ୍ତି। ନିଜର ବ୍ୟକ୍ତିଗତ ସୁବିଧା ବା ସ୍ୱାର୍ଥ ପାଇଁ ଲୋକେ ସେମାନଙ୍କୁ  ପ୍ରତ୍ୟାଖ୍ୟାନ ଅତୀତରେ କରିଛନ୍ତି, ଭବିଷ୍ୟତରେ ମଧ୍ୟ କରିବେ। କଂଗ୍ରେସ ଦଳ ଛାଡିବା ସମ୍ପର୍କରେ ଯାହା ଆପଣ ଉଲ୍ଲେଖ କରୁଛନ୍ତି ଏହିସବୁ  ୨୦୧୪ ନିର୍ବାଚନ ପୂର୍ବର କଥା। ୨୦୧୪ ନିର୍ବାଚନ ପରେ କେବଳ ଗିରିଧର ଗମାଙ୍ଗ ଦଳ ଛାଡି  ବିଜେପିରେ ଯୋଗ ଦେଇଛନ୍ତି। ଏ କଥା ଅଛପା ନୁହେଁ ସେ କିଭଳି  ଭାବେ ଦଳରେ ମଖ୍ୟମନ୍ତ୍ରୀ ଥିଲେ। ପିସିସି ସଭାପତି ଥିଲେ। କେନ୍ଦ୍ରମନ୍ତ୍ରୀ ୧୧ ବର୍ଷ ଥିଲେ। ୯ ଥର ଏମ.ପି ଥିଲେ।  ଏସବୁ ଥାଇ ଗୋଟିଏ ବି ଶଦ୍ଦ କଂଗ୍ରେସ ବିରୋଧରେ  କହିବାକୁ ପାଇନାହାନ୍ତି। କେବଳ କହିଲେ ୧୯୯୯ ମସିହାରେ  ମୁଁ କନଫିଡେନସ୍ ମୋସନ୍  ବିରୋଧରେ ଭୋଟ ଦେଇଥିଲି। ମୋତେ ସୁରକ୍ଷା ମିଳିଲା ନାହିଁ। ସୁରକ୍ଷା କ’ଣ ମିଳିଥାଆନ୍ତା? ଏହି ଦୃଷ୍ଟିରୁ ଆମେ କହିପାରିବା ସେ ତାଙ୍କର ନିଜର ସୁବିଧାବାଦର ରାଜନୀତିର ପ୍ରମାଣ ଦେଇଛନ୍ତି। ଏହାକୁ କେବେ ଲୋକ ଭଲରେ ଗ୍ରହଣ କରିନାହାନ୍ତି, କି କରିବେ ନାହିଁ। ଦଳ ଏହାଦ୍ୱାରା ପ୍ରଭାବିତ ହୋଇନାହିଁ। ଆଜି ବି ଯଦି ଆପଣ ରାୟଗଡା ଯାଇ ଦେଖିବେ ଦଳ ସାମାନ୍ୟ ଭାବେ ଶହେ ଭାଗରୁ ଗୋଟିଏ ଭାଗ ମଧ୍ୟ ପ୍ରଭାବିତ ହୋଇ ନାହିଁ।

ଓଡ଼ିଶା ରିପୋର୍ଟର:  ନେତାମାନେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କଂଗ୍ରେସ ଛାଡୁଛନ୍ତି ନା’ କଂଗ୍ରେସ ଦଳରେ କିଛି ସମସ୍ୟା ରହୁଛି ସେଥିପାଇଁ ଦଳ ଛାଡୁଛନ୍ତି?

ପ୍ରସାଦ: କଂଗ୍ରେସ ଦଳରେ ସମସ୍ୟା ନାହିଁ। ସୁବିଧାବାଦ ପାଇଁ କିଛି ନେତା  ଦଳ ଛାଡିଛନ୍ତି। ଏହାର ବହୁତ ଉଦାହରଣ ରହିଛି।ଏବେ ବି ଯେଉଁମାନେ ରାଜନୀତି କରୁଛନ୍ତି ସେମାନେ ୮୦ ବା ୯୦ ଦଶକରେ  ଏକ ନିର୍ଦ୍ଦିଷ୍ଟ ଚିନ୍ତାଧାରାକୁ ନେଇ ରାଜନୀତି ଆରମ୍ଭ କରିଥିଲେ।  ସେମାନଙ୍କ ଭିତରେ ମାୟାବତୀ, ଏଆଇଡିଏମକେ ,ଟିଡିପି ପରି ବହୁ ଆଞ୍ଚଳିକ ଦଳ ଯଥା ବିଜେଜିକୁ ଛାଡି ଦେଲେ ବହୁ ନେତା କଂଗ୍ରେସରେ ଥିଲେ। ଭାରତ ବର୍ଷରେ ଯେଉଁମାନେ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ମୋରାରଜୀ ଦେଶାଇ ହୁଅନ୍ତୁ କିମ୍ୱା ବିଶ୍ୱନାଥ ପ୍ରତାପ ସିଂ ହୁଅନ୍ତୁ ଅବା ଚନ୍ଦ୍ର ଶେଖର ହୁଅନ୍ତୁ ଏମାନେ ସମସ୍ତେ କଂଗ୍ରେସ ଦଳରେ ଥିଲେ। ବିଭିନ୍ନ କାରଣ ପାଇଁ କଂଗ୍ରେସକୁ ଛାଡିଛନ୍ତି। ସେହିପରି ଓଡିଶାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ନୀଳମଣି ରାଉତରାୟ ମଧ୍ୟ କଂଗ୍ରେସରେ ଥିଲେ। ଗରିଧର ଗମାଙ୍ଗ ଦଳ ଛାଡିଲେ ଦଳର କୌଣସି ଅସୁବିଧା ହେବ ନାହିଁ। ପୂର୍ବରୁ କଂଗ୍ରେସ ଦଳରେ ଭର୍ଟିକାଲ୍ ଡିଭିଜନ୍ ହୋଇଛି। ଏହାର ଆଭାସ ଦେଶବାସୀ ୧୯୭୭, ୧୯୭୯, ୧୯୯୦ରେ ଦେଖିଛନ୍ତି।

ଓଡ଼ିଶା ରିପୋର୍ଟର: ଆଗକୁ ଏହିପରି ଆଶଙ୍କା ରହିଛି କି?

ପ୍ରସାଦ: ଅପେକ୍ଷା କରନ୍ତୁ, ଦେଖନ୍ତୁ। ବର୍ତ୍ତମାନ ସୁଦ୍ଧା କଂଗ୍ରେସର ଦୁର୍ଦ୍ଦିନ ଆସିନାହିଁ। କଂଗ୍ରେସ ବଢୁଛି। ଜାତୀୟ ସ୍ତରରେ ମଧ୍ୟ କଂଗ୍ରେସର କାର୍ଯ୍ୟକ୍ରମ କରାଯାଉଛି। ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରୁଛି। ଏହାପରେ ଗଣମାଧ୍ୟମ ମାନେ ମତ ବଦଲାଉଛନ୍ତି। ଜାତୀୟ ସ୍ତରରେ ଦଳ  ଉପରକୁ ଉଠୁଛି। କଂଗ୍ରେସ, ଲୋକ ସମର୍ଥନ ହାସଲ କରୁଛି। ରାହୁଲ ଗାନ୍ଧି ଫେରିବା ପରେ ପାର୍ଲାମେଣ୍ଟରେ ଶାସକ ଦଳ ଉପରକୁ ବିଭିନ୍ନ ବିଷୟ ନେଇ ପ୍ରଶ୍ନରେ ଘାଇଲା କରିଥିଲେ। ରାହୁଲ ଗାନ୍ଧି ବିଭିନ୍ନ ରାଜ୍ୟକୁ ବୁଲି ଲୋକଙ୍କ ସହ ମିଶୁଛନ୍ତି। ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝୁଛନ୍ତି। ଚାଷୀଙ୍କ ପାଇଁ ପଦଯାତ୍ରା କରି ଗଣମାଧ୍ୟମର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସହାନୁଭୂତି ନୁହେଁ, ସମର୍ଥନ ପାଉଛି କଂଗ୍ରେସ ଦଳ।

ଓଡ଼ିଶା ରିପୋର୍ଟର:  କେନ୍ଦ୍ରରେ ବିଜେପି  ଓ ରାଜ୍ୟରେ ବିଜେଡି ଶାସନ କରୁଛି? ଆପଣଙ୍କ ଏକ ନମ୍ୱର ଶତ୍ରୁ କିଏ?

ପ୍ରସାଦ: କେନ୍ଦ୍ରରେ ବିଜେପି ଆମର ପ୍ରଥମ ଶତ୍ରୁ। ସେହିପରି  ଓଡିଶାରେ ବିଜେଡି ମଧ୍ୟ ଆମର ପ୍ରଥମ ଶତ୍ରୁ। ରାଜନୈତିକ ଶତ୍ରୁଙ୍କୁ ମୁକାବିଲା କରିବା ପାଇଁ ବ୍ଲୁ ପ୍ରିଣ୍ଟ ତିଆରି ହୋଇଛି। କଂଗ୍ରେସ ଦଳ ପକ୍ଷରୁ ଚିନ୍ତନ ବୈଠକ କରାଯାଇଛି। ଏଥିରେ ଯେଉଁ ମତ ପ୍ରକାଶ ପାଇଛି ଏହାକୁ ନେଇ ଖସଡା ପ୍ରସ୍ତୁତ କରାଯାଇଛି।

ଓଡ଼ିଶା ରିପୋର୍ଟର:  ରାଜ୍ୟରେ କଂଗ୍ରେସର ସାଙ୍ଗଠନିକ ପୁନର୍ଗଠନ କେବେ ହେବ?

ପ୍ରସାଦ: ଅପେକ୍ଷା କରନ୍ତୁ, ଖୁବଶୀଘ୍ର ଏହାର ଉତ୍ତର ମିଳିଯିବ।

Related story