ଶହ ଶହ ସଂଖ୍ୟାରେ ରଥକୁ ଚଢ଼ିଲେ, ଶ୍ରୀଜିଉଙ୍କୁ ଛୁଇଁଲେ ଓ କୁଣ୍ଢେଇଲେ

୧୮୯୩ର ରଥ ଯାତ୍ରା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରଥଯାତ୍ରା ଥିଲା। କାରଣ ଏବର୍ଷ ନବକଳେବର ପର୍ବ ହେତୁ ବିଶେଷ ଯାତ୍ରୀଙ୍କ ସମାଗମ ହୋଇଥିଲା। ପୂର୍ବ ବର୍ଷମାନଙ୍କରେ ୧୦ରୁ ୧୫ ହଜାର ବା ଅତିବେଶୀରେ ୨୦ ହଜାର ଯାତ୍ରୀଙ୍କ ସମାଗମ ହେଲେ ଯଥେଷ୍ଟ ହେଉଥିଲା। କିନ୍ତୁ ଏବର୍ଷ ତାହା ୨ଲକ୍ଷକୁ ଟପିଛି। ଯାତ୍ରୀଙ୍କ ସାଙ୍ଗକୁ ରଥକାର୍ଯ୍ୟର ପରିଚାଳନା କରିବା ପୁଲିସ୍ ଓ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା।  ଏହି କ୍ରମରେ ସବୁ ନିୟମ କାନୁନ୍‌କୁ ମାନିବା ଲାଗି ଅଫିସର୍‌ମାନେ […]

ratha1

Jitendra Garnayak
  • Published: Saturday, 06 July 2019
  • , Updated: 07 July 2019, 02:15 PM IST

[caption id="attachment_401470" align="alignleft" width="140"] ହରିହର ପଣ୍ଡା[/caption]

୧୮୯୩ର ରଥ ଯାତ୍ରା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରଥଯାତ୍ରା ଥିଲା। କାରଣ ଏବର୍ଷ ନବକଳେବର ପର୍ବ ହେତୁ ବିଶେଷ ଯାତ୍ରୀଙ୍କ ସମାଗମ ହୋଇଥିଲା। ପୂର୍ବ ବର୍ଷମାନଙ୍କରେ ୧୦ରୁ ୧୫ ହଜାର ବା ଅତିବେଶୀରେ ୨୦ ହଜାର ଯାତ୍ରୀଙ୍କ ସମାଗମ ହେଲେ ଯଥେଷ୍ଟ ହେଉଥିଲା। କିନ୍ତୁ ଏବର୍ଷ ତାହା ୨ଲକ୍ଷକୁ ଟପିଛି। ଯାତ୍ରୀଙ୍କ ସାଙ୍ଗକୁ ରଥକାର୍ଯ୍ୟର ପରିଚାଳନା କରିବା ପୁଲିସ୍ ଓ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା।  ଏହି କ୍ରମରେ ସବୁ ନିୟମ କାନୁନ୍‌କୁ ମାନିବା ଲାଗି ଅଫିସର୍‌ମାନେ ତତ୍ପର ହୋଇଥିଲେ। ହେଲେ ଭକ୍ତ ଓ ଭକ୍ତି ଆଗରେ ସେ ଆଇନ କାନୁନ୍‌ ଓ କଟକଣାସବୁ ପାଣି ଫୋଟକା ହୋଇଯାଇଥିଲା।

ରଥ ଗଢ଼ା ହେଲା ଉତ୍ତାରୁ ଗୋଟିଏ ବିଧି ଥିଲା- ସରକାରୀ ଇଞ୍ଜିନିୟର୍‌ ତା'ର ଦମ୍ଭ ପରୀକ୍ଷା କରିବେ। ପୂର୍ବ ବର୍ଷ ପୂର୍ତ୍ତ ବିଭାଗର ଏହି ରିପୋର୍ଟକୁ ନେଇ ତୁମ୍ୱିତୋଫାନ ହୋଇଥିଲା। ମାଜିଷ୍ଟ୍ରେଟ୍‌ ରିପୋର୍ଟ ନଦେଲାରୁ ରଥ କାର୍ଯ୍ୟ ହେବା ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା। ଶେଷରେ ମନ୍ଦିର ପରିଚାଳକ ଏବଂ ରାଣୀଙ୍କ ଓକିଲ ମଧୁସୂଦନ ଦାସଙ୍କୁ କମିଶନରଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିଥିଲା। ଏବର୍ଷ ଅବଶ୍ୟ ସେ ଅସୁବିଧା ହୋଇନି। ଇଞ୍ଜିନିୟର୍‌ ବିଲ୍‌ ସାହେବ ରଥରେ ଲଗାଯାଉଥିବା କାଠର ମଜଭୁତିକୁ ଦେଖି ଏକ ସଙ୍ଗେ ୨୦ ଜଣରୁ ଅଧିକ ଲୋକଙ୍କୁ ରଥ ଉପରକୁ ଯିବାକୁ ବାରଣ କରିଥିଲେ। କହିଥିଲେ, ଯଦି ୨୦ ଜଣରୁ ଅଧିକ ଯିବେ ତେବେ ରଥ ଭାଙ୍ଗିଯିବ।

ଏହି ରିପୋର୍ଟ ପରେ କେବଳ ସେବକମାନେ ରଥ ଉପରକୁ ଯିବା ପାଇଁ ହିଁ ଯୋଗ୍ୟ ହେଲେ। କୌଣସି ଭକ୍ତ ଯିବେ ନାହିଁ। ହେଲେ ଭକ୍ତଙ୍କ ଭିତରେ ଯେଉଁ ଉତ୍ସାହ ଥିଲା ତାକୁ ରୋକିବ କିଏ? ପୂର୍ବରୁ ପୁଣି ଏତେ ସଂଖ୍ୟାରେ ଲୋକଙ୍କୁ ଦେଖି ପ୍ରଶାସନ ଛାନିଆ ହୋଇ ନବଯୌବନ ବେଶ ଦର୍ଶନକୁ ବନ୍ଦ କରି ଦେଇଥିଲେ। ସେପଟେ ନାଗା ଓ ବୈଷ୍ଣବମାନେ ମନ୍ଦିର ଦ୍ୱାର ନିକଟରେ ଜମା ହୋଇ ନିରାଶ ହୋଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ, ମନ୍ଦିର ଭିତରୁ ମହାପ୍ରସାଦ ବାହାରକୁ ବାହାରି ପାରୁ ନଥିଲା। ଦଉଡ଼ି ଓ ଶିକା ମାଧ୍ୟମରେ ପ୍ରାଚୀର ଡିଆଁଯାଇ ମହାପ୍ରସାଦ ବାହାର କରାଗଲାବେଳେ ତାହା ନାଗା ଓ ବୈଷ୍ଣବ ସାଧୁଙ୍କ କବଳରୁ ବାହାରିବା କଷ୍ଟକର ହୋଇପଡ଼ିଥିଲା।

ଏପରି ସ୍ଥିତିରେ ଯେତେବେଳ ପହଣ୍ଡି ଶେଷ ହୋଇ ରଥରେ ଠାକୁର ବିଜେ ହେଲେ ସେତେବେଳେ ଆଉ ଭକ୍ତଙ୍କୁ ନିୟନ୍ତ୍ରଣ କରାଯାଇପାରିଲା ନାହିଁ। ନିୟମ ଭାଙ୍ଗି ଶହ ଶହ ସଂଖ୍ୟାରେ ରଥ ଉପରେ ଚଢ଼ିଗଲେ। ଶ୍ରୀଜିଉଙ୍କୁ ଛୁଇଁଲେ ଓ କୁଣ୍ଢେଇଲେ। ୧୫ ତାରିଖ ରଥଯାତ୍ରା ଦିନଠୁ ୨୧ ତାରିଖ ଆଡ଼ପ ମଣ୍ଡପ ବିଜେ ଯାଏଁ ଠାକୁର ବାହାରେ ରହିଥିବା ବେଳେ ଅନେକ ସଂଖ୍ୟାରେ ଭକ୍ତ ରଥ ଉପରେ ଚଢ଼ିଲେ। କୌଣସି ବି ମୂହୂର୍ତ୍ତରେ ୫୦୦ରୁ କମ୍‌ ଭକ୍ତ ରଥ ଉପରେ ନଥିଲେ। ଏହା ଦେଖି ସମସ୍ତେ କହିଲେ ଇଞ୍ଜିନିୟରଙ୍କ ସେ ସାର୍ଟିଫିକେଟ୍‌ କେଉଁ କାମକୁ ନୁହେଁ। ସେମାନେ ଆମ ପୁରୁଣା କୌଶଳ ବିଷୟରେ ଜାଣିପାରୁନାହାନ୍ତି। ଯଦି ସେମାନଙ୍କ ଏ ବିଷୟରେ ଜ୍ଞାନ ନାହିଁ, ତେବେ ଅନେକ ସମୟରେ ମନ୍ଦିର ପ୍ରଶାସନକୁ ଏହି ସାର୍ଟିଫିକେଟ୍‌ ଦେବାରେ ଏମିତି ହରବର କାହିଁକି କରୁଛନ୍ତି?

Related story